ଗଂଗା କୂଳରେ ଛିଡ଼ା ହେଇଛି ଦେଶ?
କିଏ ଅବା ହିସାବ ରଖିଛି
ଗଂଗାରେ ଭାସିଛି କେତେ ହାଡ଼ କେତେ ଶବ
ଗଂଗାର କୂଳରେ କିନ୍ତୁ ନିଜର ପାପ ଧରି
ଆଜି ଛିଡ଼ା ହେଇଛି ଗୋଟିଏ ଦେଶ ।
ଜାଣିନଥିଲି ପିଲା ଦିନ ଖେଳ ଓ ସାଂଗ ଛାଡ଼ି
ଆଖଡ଼ା ଯିବା ବେଳେ
ପାହାନ୍ତି ପହରର ନିଦ ଓ ସ୍ୱପ୍ନର ଶେଜ ଛାଡ଼ି
ନିଜ ଝାଳ ଓ ଲହୁରେ
ଗୋଟେ ଝିଅର କପାଳରେ ରଚା
ଅନ୍ଧାର ଧୋଉଥିବା ବେଳେ
ସ୍ନୋ ପାଉଡ଼ର ଛାଡ଼ି
ହାତରେ ବାଲି ରଗଡ଼ିବା ବେଳେ
ପାଟିକୁ ସୁଆଦ ଦେହକୁ ଭାରି ଖାଦ୍ୟ
ହାତରେ ଆଡ଼େଇଦେବା ବେଳେ
ରଂଗରୂପକୁ ତୋଳି ଧରୁଥିବା ଦର୍ପଣରୁ
ମୁହଁ ଫେରେଇ ନେଲା ବେଳେ
ନିଜର ପେଟ କାଟି ଖାଦି କାଟି
ମତେ ମା ବାପା ଗଢୁଥିବା ବେଳେ
ପରିବାର ଛାଡ଼ି ଗାଁ ଛାଡ଼ି କଂଚା ମାଟିରୁ
ନିଆଁରେ ପୋଡ଼ି ମୂର୍ତି ହେଉଥିବା ବେଳେ
ଦେଶ ଲାଗି ଶିଖର ଚୁମିବାର ଧୂନ୍ରେ
ଲୋଲୁପ ଚାହାଁଣୀ ଓ ଅଶ୍ଳୀଳ ସ୍ପର୍ଶମାନଙ୍କୁ
ପ୍ରତିଦିନ ଅସହାୟତାର ପାଣିରେ ଧୋଉଥିବା ବେଳେ
ଦେଶର ନାଁରେ ମର୍ଯ୍ୟଦା ପିନ୍ଧୁପିନ୍ଧୁ
ଖୁସିରେ କାନ୍ଦି ପକଉଥିବା ବେଳେ
ଗର୍ବରେ ଦେଶବାସୀଙ୍କ ଛାତି
ଚଉଡ଼ା ହେଇଯାଉଥିବା ବେଳେ
ଜନମନଗଣର ଗୀତ ସହ ତାଳ ଦେଇ
ତ୍ରିିରଂଗା ଝଣ୍ଡା ଉପରକୁ ଉଠି ଉଡ଼ୁଥିବା ବେଳେ
ଜାଣିପାରିନଥିଲି
ଅର୍ଜିଥିଲି ଯାହା ତାକୁ ଦିନେ ଭସେଇବାକୁ ହେବ ଗଂଗାରେ ।
ଗଂଗା କୂଳରେ ଛିଡ଼ା ହେଇ ଲାଗିଲା
ମୋ ଭିତରେ ବହୁଛି ଗୋଟେ ଗଂଗା
ସେଠି ଗଡ଼ୁଛି ଗଦାଗଦା ମୃତ ବିବେକର ହାଡ଼
ସେଠି ଭାସୁଛି ଭାରତୀୟ ଗଣତନ୍ତ୍ରର ଶବ
ସତରେ କ’ଣ ମୋ ଦେଇ ଦେଶ ଅର୍ଜିଥିବା ପାପ
ଧୋଇପାରିବ ହରିଦ୍ୱାର ତୁଠର ଏ ଗଂଗା ?
ଯଦି ଉତର ଆସେ ନା ତେବେ ମୁଁ କ’ଣ
ଆଉ ଗୋଟେ ଗଂଗା ଆଣିବା ଲାଗି
କେହିଜଣେ ଭାଗିରଥୀ ଆସିବାଯାଏଁ
ଅପେକ୍ଷା କରି ରହିବି
ଜନ୍ତରମନନ୍ତର ଯିବି ନା ଘରକୁ ଫେରିବି?
କୁଆଡ଼େ ଯିବି ଭାବିଲେ ମତେ ମାଟିକୁ ଫାଟି ଯା'
କହିଥିବା ସୀତା କଥା ମନେପଡ଼ୁଛି
ଏ ଦେଶ କ’ଣ ପ୍ରତିଟି ନାରୀରେ
ସୀତା ଓ ସତୀ ଖୋଜୁଛି?