ଗୋପୀନାଥ ମହାନ୍ତି
ସାଲ,ମାସ,ତାରିଖ,ତିଥି ନକ୍ଷତ୍ର
ରାଜା ଦିବ୍ୟସିଂହ ଦେବ ଙ୍କ
ସେ କେଉଁ ଅଂକ ହେବ,
ଥାଉ ସେସବୁ ଇତିହାସକାରଙ୍କ
ଫଟା କାଚ ଫିତାଲଗା ପ୍ରଚକ୍ଷୁ ସାମ୍ନାରେ।
ମାଟି ମଟାଳ ଶେଷ
ଗୋପୀନାଥ
ସବୁବେଳେ ଠା' ଫଟାସ୍ କଥା
ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଲା ଭଳି
ଆଦୌ ନ ଅଟକି
ଗଡଗଡ କରି କହିଗଲେ,
ଲେଖକ ହେବାକୁ ହେଲେ
କଳ୍ପନାର ଆଦୌ ପ୍ରୟୋଜନ ନାହିଁ,
ଖାଲି ଦୁଇଟି ବାକ୍ୟ
ବିବୃତିସୁଲଭ ହେଲେ ଭଲ
ଲୁଚି ବସିବା ପାଇଁ ଦରକାର
ଦି ଜଣଙ୍କର,
ସେଥିରୁ ଜଣେ ହେଉଛି
ବାଘ ଆସିବ ଆସିବ ବୋଲି
ଯେଉଁ ତାଟି କବାଟ କିଳା ଭୟ
ଯାହାକୁ କହନ୍ତି
ସେଇ ବଘେଇ ଆଉ ଆର ଜଣକ ହେଲା
ବଣରେ ତିର୍ଲା ଜାଳକାଠ
ଗୋଟାଇଲା ବେଳେ
ବାଘ ପେଟରେ ଗଲା
ତେଣୁ ସମୀକରଣକୁ ସମାନ କରିବା ପାଇଁ
ସମସ୍ତ ମନୋହାରିଣୀର ମିଣିପକୁ
ପ୍ରିୟ ମହାବଳ ଟାଣି ନେଉ ବୋଲି
ସରୁନଥିବା ଅପେକ୍ଷାରେ ଏମିତି ଯିଏ ରହିଥାଏ
ଦେଖିବାକୁ ଟିକିଏ କୁଦର୍ଶନ
କାଉ ପରଜା।
ଭିତରକୁ ଉଙ୍କିମାରି ଏତିକି
ଦେଖିପାରିଲ ଯଦି
ଚଳିବ।
ତାହାପରେ କାଳର ସିନ୍ଧୁ ଚୌଧୁରୀଙ୍କ ସହ
ଚପଲ ଫଟଫଟ କରି ବାହାରି ପଡିଲେ
ଗୋପୀନାଥ ପ୍ରାତଃ ଭ୍ରମଣରେ,
କୋରାପୁଟର ରାସ୍ତା ସାରା ସେତେବେଳେ
କୁଢ କୁଢ ବାଇଗେଣୀ ଜାକରନ୍ଦା ଫୁଲ।
ସେତିକି ବେଳେ
ଲେଖକ ମାନଙ୍କ କ୍ଷେତ୍ରରେ
ସାଧାରଣତଃ ଯେମିତି ହୁଏ
ବିଭ୍ରମର ଘରଦ୍ୱାର,ଗୃହସ୍ଥାଳୀ,
ତାହା ଭିତରେ ଅଛନ୍ତି
ସେ ବି ଆଉ ଜଣେ ଗୋପୀନାଥ
ନିଜ ବଇଁଶୀକୁ
ସ୍ୱରରୁ ଟିକିଏ ଆଢୁଆଳ କରି
କହିଲେ, ଓହୋ ତମେ,
ଜାଣିଛି ଜାଣିଛି
ପ୍ରାତଃ ଭ୍ରମଣ ତମର ପସନ୍ଦ ନୁହଁ,
ବସ ଏଇ ଷ୍ଟୁଲ୍ ରେ ,
ସଳପ ପିଇବା।
ଜଣେ ମଣିଷ ର ବସିବା ପାଇଁ
ଯେତିକି ଜାଗା ଲୋଡା
ନଥିଲା କେଉଁଠି
ତେଣୁ ଅଶରୀରୀ ଦର୍ପଣ ସମ
ଆଗନ୍ତୁକ ଜଣକ
ରୁକ୍ଷ ହୋଇ ପ୍ରଶ୍ନ କଲେ,
କାହିଁକି ଏତେ ବଇଁଶୀ ଫୁଙ୍କୁଛ ଶୁଣେ,
ଇଏ କ'ଣ ଖାସ୍ ଅଭ୍ୟାସ,
ଟିକିଏ ବୋଲି କଳ୍ପନା ନାହିଁ ?
ସତ କହିବ,
ତମେ ଏଇ ଯେତେକ ମୋଟା ମୋଟା
ଉପନ୍ୟାସ ଲେଖିଛ,
ଲୋକେ କହନ୍ତି ଗୋପୀନାଥ କଲମ ଧରିଲେ
କାଳି ସରିଲେ ଯାଇ
ଅଟକିଯିବ ନନ୍ଦୀଘୋଷ।
ସେଇ ସବୁ ଶେଷହୀନ
କଥା ଯେତେକ କାଳର
ରହିଛି ପୃଷ୍ଠାଭର୍ତ୍ତି ହୋଇ କ'ଣ ଖାଲି
ଶୁଣା କଥାରେ,
ତମେ କ'ଣ କେବେ ସିଧା
ଚାଲି ଚାଲି ଯାଇନାହଁ
ଲକ୍ଷ୍ମୀପୁର ଠୁ ନାରାୟଣ ପାଟଣା
ଆଉ ସେଇଠୁ ଆଗକୁ ବନ୍ଧୁଗାଁ ?
ଶୁଣା କଥା ଆଉ ପଥଚଲା ରହିଛି ମାନେ
ମନେ ରଖ ବନ୍ଧୁ
ତାହା କେବଳ କଳ୍ପନା ବିନ୍ୟାସ।
ଅଶରୀରୀ ଦୁଇଜଣ
ବଘେଇ ଆଉ କାଉପରଜା
ବାହାର ପିଣ୍ଡାରେ
ଆଗ୍ରହର ସହ ଅପେକ୍ଷା କରୁଛନ୍ତି
ଏତେ ଉଚ୍ଚବାଚ ପରେ
ଦେଖିବା ହେବ କ'ଣ
ଏଇ କାହାଣୀର ଗମ୍ଭୀର ଘରେ।
ଗୋପୀନାଥ ହଠାତ୍
କବାଟ କିଳି ଦେଲେ
ଭିତରେ କିଟିକିଟି ଅଂଧାର
କାଳର ଗୁମୁରାଗନ୍ଧ,
ସିନ୍ଧୁ ଚୌଧୁରୀଙ୍କୁ କହିଲେ
ଭାରି ଗରମ ଲାଗୁଛି ଚୌଧୁରୀଏ
ଫ୍ୟାନରୁ ତଳକୁ ଯେଉଁ ଫାଶଟା
ଝୁଲୁଛି ଆଗ ସେଇଟାକୁ ଖୋଲ,
ଏହାର ଆଉ ପ୍ରୟୋଜନ ନାହିଁ,
ସ୍ୱିଚ୍ ଟିପ,ପବନ ଆସୁ ।
ଘରଭିତରେ ସମସ୍ତେ ଅଛନ୍ତି
ସରବୁ,ଶୁକ୍ରୁ,ବିଲି,ଜିଲି,ଏଙ୍କଟ ରାଓ।
ଗୋପୀନାଥଙ୍କୁ ଏମିତି ରାଗିବା
କେହି ଦେଖି ନାହିଁ,
ଅତ୍ୟନ୍ତ ନିଷ୍ଠୁର ଗଳାରେ କହିଥିଲେ
ତାହାପରେ ପରଜାର ସାହୁକାରକୁ
ମୁକାବିଲା ପରି,
ତୁ କ'ଣ ଭାବୁଛୁ ମୋର ଡର
ସାମାନ୍ୟ ଏ କମଳା ଗଛ
ପୋତିଦେଲୁ ମାନେ ଆସିଗଲା
ତୋହର ନିଜ ଅଧିକାରକୁ,
ଶୋଷିନେଇ ଯାହା
ଅନୁର୍ବର କରିଦେବ
ଶୁକ୍ରୁଜାନୀମାନଙ୍କର ଶ୍ୟାମଳ ଡଙ୍ଗର ?
ଭିତରେ ସମସ୍ତେ
ସରବୁ,ଶୁକ୍ରୁ,ବିଲି,ଜିଲି, ଏଙ୍କଟ ରାଓ
ଆଉ ବାହାରୁ ଅତି ସନ୍ର୍ତର୍ପଣରେ
ପୁରୁଣା ଅଭ୍ୟାସ ତା'ର ଯିବନାହିଁ
ପଶି ଆସିଛି କାଉ ପରଜା,
କିଟିକିଟି ଅଂଧାରରେ
ପରସ୍ପର ପାଖରେ ଅଜଣା ସଭିଏଁ।
ଅଶରୀରୀ ଗୋପୀନାଥ
ନିଜ ବଇଁଶୀ ବଜା ହାତରେ
ଜୀବନର ସବୁଠୁ ସୁଆଦିଆ
ମାଟି ସାର ଦେଇ
ଗଛଟିଏ ପୋତି ଦେଲେ ଆଉ
ନୀରବରେ ଅଧିକାର କରିନେଲେ
ପୃଥ୍ୱୀର ସବୁତକ ଅନୁର୍ବର ଭୂଇଁ।
କବାଟ ଖୋଲିଯିବା
ଆମ ଜୀବନର ସ୍ୱାଭାବିକ ସତ୍ୟ।
ଆଉ ବଘେଇ ନାହିଁ
ବାହାରେ ସାଦାପୃଷ୍ଠା ସାରା
ପିତ୍ତଳ ଘଣ୍ଟାର ଶବ୍ଦ,ଡେଙ୍ଗୁରା।
ଆମେ ଯେତେ ଅଧଲଙ୍ଗୁଳା ଲୋକେ
ତାଟି କବାଟ ମାନ ଖୋଲି ଆସି
ଦେଖିଲା ବେଳକୁ
ମଟାଳ ମାଟି,
ଗଛ ଟିଏ ଛୁଇଁଅଛି
ଆକାଶ ପାତାଳ
ଡାଳରେ ଆଉ ମୂଳରେ ଫଳିଛି
ଖାଲି ମଣିଷ ଆଉ ମଣିଷ ।
°°°°°
ଏହି ଉଲ୍ଲେଖ ଟି ସଂପୃକ୍ତ କବିତା ପାଇଁ ସେତେ ପ୍ରାସଙ୍ଗିକ ନଥିଲେ ମଧ୍ୟ କହିବାକୁ ଚାହିଁବି ମଧ୍ୟବର୍ତ୍ତୀ ଆରବର ଅଧ୍ୟାତ୍ମ ଚେତନା ରେ ଗୋଟିଏ ବିଚିତ୍ର ଗଛର କଳ୍ପନା କରାଯାଇଥିଲା।ଯେଉଁ ଗଛରେ ମଣିଷ ଫଳେ।ସେଇ ଗଛର ନାଆଁ ୱାକ୍ ୱାକ୍।ପିଲାଟିଏ ଜନ୍ମ ନେଲାପରେ ସେମିତି ଶବ୍ଦ କରିଥାଏ ଆଉ ଗଛରୁ ସେମିତି ଶବ୍ଦ ସବୁବେଳେ ଆସୁଥାଏ ବୋଲି ତାହାର ନାଆଁ ସେମାନେ ଦେଇଥିଲେ ୱାକ୍ ୱାକ୍।