ଜନସଂଖ୍ୟାରେ ଏକ ନମ୍ବର, ପ୍ରଗତିରେ କେତେ ?

ଜନସଂଖ୍ୟାରେ ଏକ ନମ୍ବର, ପ୍ରଗତିରେ କେତେ ?

ପୃଥିବୀର ସବୁଠୁ ଜନବହୁଳ ଦେଶ ଭାବରେ ଭାରତ ଚୀନକୁ ଅତିକ୍ରମ କରିଛି । ଜାତିସଂଘ ଦ୍ଵାରା ଜାରି ହୋଇଥିବା ଜନଗଣନା ସମୀକ୍ଷାରେ ଭାରତର ଲୋକସଂଖ୍ୟା ୧୪୨.୮ କୋଟି ହୋଇଥିବା ବେଳେ ଚୀନର ଲୋକସଂଖ୍ୟା ୧୪୨.୫ ରହିଛି । ଗୋଟେ ସମୟରେ ଆମେ ଶୁଣୁଥିଲୁ ଜନସଂଖ୍ୟା ବିଷ୍ଫୋରଣ ଦେଶ ପାଇଁ ଏକ ବଡ ସମସ୍ୟା ପାଲଟିବ । ଏବେ କୁହାଯାଉଛି ଜନସଂଖ୍ୟା ବଢିବାର ଲାଭ (ପପୁଲେସନ ଡିଭିଡେଣ୍ଡ) ଆମକୁ ମିଳିବ । ପୃଥିବୀର ସର୍ବାଧିକ ଲୋକ ଭାରତରେ ରୁହନ୍ତି, ଏହା ସହିତ ଆଉ ଗୋଟିଏ ତଥ୍ୟ ମଧ୍ୟ ସତ୍ୟ ଯେ ପୃଥିବୀର ସର୍ବାଧିକ ଗରିବ ଲୋକ ମଧ୍ୟ ଆମ ଦେଶରେ ରୁହନ୍ତି । ଲୋକସଂଖ୍ୟା ଦୃଷ୍ଟିରୁ ଆମେ ଚୀନକୁ ଅତିକ୍ରମ କରିଛୁ, ହେଲେ ଅର୍ଥନୀତିରେ ଆଜି ମଧ୍ୟ ଚୀନ ଆମଠୁ ପାଞ୍ଚ ଗୁଣରୁ ଅଧିକ ବଡ । ଚୀନ ଅର୍ଥନୀତିର ଆକାର ୧୭.୭୩ ଟ୍ରିଲିଅନ ଡଲାର ହୋଇଥିବା ବେଳେ ଆମର ଜିଡିପି ୩.୧୮ ଟ୍ରିଲିଅନ ଡଲାରରେ ସୀମିତ ରହିଛି । ଚୀନର ମୁଣ୍ଡ ପିଛା ଆୟ ୧୨,୫୫୬.୩ ଡଲାର ତୁଳନାରେ ଭାରତର ମୁଣ୍ଡ ପିଛା ଆୟ ୬ ଗୁଣ କମ । ଜଣେ ସାଧାରଣ ଭାରତୀୟ ବର୍ଷକୁ ମାତ୍ର ୨୨୫୬.୬ ଡଲାର ଆୟ କରିଥାଏ

୧୯୯୦ ବେଳକୁ ଚୀନ ଏବଂ ଭାରତର ଅର୍ଥନୀତି ପ୍ରାୟ ସମାନ ଅବସ୍ଥାରେ ଥିଲା । ବାସ୍ତବରେ ଚୀନ ତୁଳନାରେ ଭାରତର ମୁଣ୍ଡପିଛା ଆୟ ୧୯୯୦ ବେଳକୁ ଭଲ ଥିଲା । ଭାରତର ମୁଣ୍ଡ ପିଛା ଆୟ ସେତେବେଳେ ୩୧୮ ଡଲାର ରହିଥିବା ବେଳେ ଭାରତର ଥିଲା ୩୬୮ ଡଲାର । ନବେ ଦଶକରେ ଭାରତ ଏବଂ ଚୀନ ଏକା ସାଙ୍ଗରେ ଅର୍ଥନୈତିକ ଉଦାରୀକରଣ ନୀତି ସ୍ଵୀକାର କରିଥିଲେ । ୩୦ ବର୍ଷ ଭିତରେ ଚୀନ ନିଜ ଲୋକ ସଂଖ୍ୟା କମାଇବା ସହିତ ନିଜ ଅର୍ଥନୀତିକୁ ସୁଦୃଢ କରିପାରିଛି । ଭାରତର ଜନସଂଖ୍ୟା ବଢୁଥିବା ବେଳେ ଆମର ଅର୍ଥନୀତିର ଅଭିବୃଦ୍ଧି ଆଜି ମଧ୍ୟ ମନ୍ଥର ରହିଛି । ଆମେ ନିଜକୁ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଦେଶ ବୋଲି କହୁଛୁ, ହେଲେ ଆସାଲରେ ଆମ ଅର୍ଥନୀତିର ଆକାର ତୁଳନାରେ ଏହି ଅଭିବୃଦ୍ଧି ଚୀନ ସହିତ ସମକକ୍ଷ ହୋଇପାରିବ ନାହିଁ ।  

ପୃଥିବୀର ସବୁଠୁ ଜନବହୁଳ ଦେଶ ଭାବରେ ଆମେ ଗର୍ବ କରିବା ନା ଚିନ୍ତିତ ହେବା- ତାହା ଆଜି ସବୁଠୁ ବଡ ପ୍ରଶ୍ନବାଚୀ । ଭାରତୀୟ ଲୋକସଙ୍ଖୟର ଗୋଟେ ବଡ ଲାଭ ହେଉଛି, ଆମର ୪୦% ଲୋକଙ୍କ ବୟସ ୨୫ରୁ କମ । ଆମେ ପୃଥିବୀର ସବୁଠୁ ଅଧିକ ଯୁବ ଶକ୍ତି ଥିବା ଦେଶ । ଯୁବକ ଓ ଯୁବତୀଙ୍କ ସଂଖ୍ୟାକୁ  ସଠିକ ଉପଯୋଗ କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଆମ ପାଖରେ ଆଜି ମଧ୍ୟ ଯଥେଷ୍ଟ ସମ୍ବଳ ନାଇଁ । ୩୦ ବର୍ଷ ଭିତରେ ଚୀନର ଅର୍ଥନୀତି ବିଶାଳ ରୁ ବିଶାଳତର ହୋଇ ଚାଲିଛି । ୨୦୨୨ସୁଦ୍ଧା ଆମେ ୫ ଟ୍ରିଲିଅନ ଡଲାରର ଲକ୍ଷ୍ୟ ପୂରଣ କରିପାରିଲୁ ନାହିଁ ।

ପୃଥିବୀର ସବୁଠୁ ଅଧିକ ଦରିଦ୍ର, ବେକାର ଏବଂ ଦକ୍ଷତା ନଥିବା ଏକ ଯୁବଶକ୍ତିର ଦେଶ ହୋଇ ଆମର କିଛି ଲାଭ ହେବାର ନାଇଁ