ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁମାରି : ଏକାନ୍ତ ଜରୁରୀ
ଗୋଟେ ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହଜିଯାଇଥିବା ଚାବିକୁ ନେଇ ଓଡିଶାର ରାଜନୀତିରେ ଏକ ଆଜି ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଥିଲା ।କିଛି ବର୍ଷ ତଳେ ହଠାତ ଜଣା ପଡିଥିଲା ଯେ ଶ୍ରୀମନ୍ଦିର ଭିତିରି ରତ୍ନ ଭଣ୍ଡାରର ଚାବି ମିଳିନଥିଲା, ଯାହା ଫଳରେ କି ଭିତିରି ଭଣ୍ଡାର ଭିତରକୁ ଯାଇ ନପାରି ଏହାର ମରାମତି ପ୍ରସଙ୍ଗ ତଦାରଖ କରୁଥିବା ଦଳ ବାହାର ଭଣ୍ଡାରରୁ ସ୍ଥିତି ଯାଞ୍ଚ କରି ଫେରିଆସିଲେ। ତେବେ ସେତେବେଳେ ରାଜ୍ୟ ସାରା ହୁରି ପଡିଲା, ରତ୍ନ ଭଣ୍ଡାର ଚାବି ଗଲା କୁଆଡେ? ଟେଲିଭିଜନ ଷ୍ଟୂଡିଓ ସବୁରେ ନେତା ଓ ଗବେଷକ ମାନେ ଗଳା ଫଟେଇ ଚିତ୍କାର କଲେ- ଗଲା, ସବୁକିଛି ସରିଗଲା। ଭିତରେ ରତ୍ନ ସବୁ ସୁରକ୍ଷିତ ଅଛି ନା ତାକୁ କିଏ ଖାଇ ଗଲାଣି ସେକଥା ମଧ୍ୟ ଚର୍ଚ୍ଚା ଚାଲିଲା। ଅବଶ୍ୟ କିଛିଦିନ ପରେ ପୂରୀ ଜିଲାପାଳଙ୍କ ରେକର୍ଡ ରୁମରୁ ଏହି ଚାବି ମିଳିଛି ବୋଲି ଜଣାପଡିଲା ।
ଏବେ ପୁଣିଥରେ ଛତିଶଗଡ ରାଜ୍ୟପାଳ ତଥା ଓଡିଶାର ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୋଟାମୋଟି କହିବାକୁ ଗଲେ କେହି କେବେ ଦେଖିନଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମସ୍ତଙ୍କ କଳ୍ପନାରେ ବିଭିନ୍ନ ରୂପରେ ଦିଶି ଯାଉଛି। ଯେତେ ମୁହଁ ସେତେ କଥା। କିଏ କହିଲାଣି,ଏଇଟା ଆମର ଭାବାବେଗର ପ୍ରସଙ୍ଗ, ଆଉ କିଏ କହୁଛି ଚାବି ହଜିଗଲା ତ ତାଲା ଭାଙ୍ଗି ଭିତରେ କଣ ଅଛି ଯାଞ୍ଚ କରୁନ ! ରାଜନେତା ଓ ଓକିଲ ମାନେ ନିଜର ଯାବତୀୟ କାରସାଦି ଖଟେଇ ଲୋକଙ୍କୁ ଭୁଆଁ ବୁଲେଇବା ଓ ଭକୁଆ ବନେଇବାର ପ୍ରୟାସରେ ଲହୁ ଲୁହାଣ ହେଉଛନ୍ତି। ଲୋକେ କିନ୍ତୁ ଏସବୁ ଆଲୋଚନାରୁ ବେଶ ମଜା ଉଠାଉଛନ୍ତି। ସୋସିଆଲ ମିଡିଆ ରେ ଚାବିକୁ ନେଇ ବଢିଆ ମଜା କଥା ସବୁ ପଢିବାକୁ ମିଳୁଛି। ସବୁ ପ୍ରକାର ଚର୍ଚ୍ଚା ଓ ବିତର୍କ ଭିତରେ ଅସଲ ଇତିହାସଟି କେଉଁ ଅନ୍ଧାର କୋଣରେ ଲୁଚିଛି, ତାହା କେହି ଜାଣନ୍ତି ନାହିଁ । ସେ ଇତିହାସରୁ କିଛି ଖୋଜିବା ଆସନ୍ତୁ।
ଶ୍ରୀ ମନ୍ଦିର ପରିଚାଳନା ଲାଗି ୫ ଅଗଷ୍ଟ ୧୯୫୪ରେ ବିଧିବଦ୍ଧ ଭାବରେ ଲାଗୁ ହୋଇଥିବା ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ବା Record of Rights ରେ ପୁରୀ ମନ୍ଦିରର ଉଭୟ ଭିତିରି ଓ ବାହାର ରତ୍ନ ଭଣ୍ଡାର ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଓଡିଶା ବିଧାନସଭାରେ ପ୍ରଣୀତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ୧୯୫୨ର ବ୍ୟବସ୍ଥା ଅନୁଯାୟୀ ସ୍ଵତ୍ତ୍ଵ ଲିପି ପ୍ରସ୍ତୁତ ହୋଇଥିବାରୁ ଏହାକୁ ଆଇନତଃ ସବୁଠୁ ଅଧିକ ଗ୍ରହଣୀୟ ଦଲିଲ ବୋଲି ଆମକୁ ମାନିବାକୁ ପଡିବ । ମାନ୍ୟବର ସୁପ୍ରିମ କୋର୍ଟରାଜା ବୀରକିଶୋର ଦେବ ବନାମ ଓଡିଶା ସରକାର (୧୯୬୪AIR,1501) ଏବଂ ମାନ୍ୟବର ଓଡିଶା ହାଇ କୋର୍ଟ ରାମଚନ୍ଦ୍ର ଦେବ ବନାମ ଓଡିଶା ସରକାର (AIR 1959,Ori 5)ମାମଲା ର ରାୟରେ ସ୍ଵତ୍ତ୍ଵ ଲିପିର ବୈଧାନିକ ପ୍ରାମାଣିକତା କୁ ସ୍ଵୀକୃତି ଦେଇଛନ୍ତି। ତେଣୁ ଏଥିରେ ମନ୍ଦିର ରତ୍ନ ଭଣ୍ଡାରର ଚାବି ବିଷୟରେ କଣ ଉଲ୍ଲେଖ ଅଛି ଆସନ୍ତୁ ଦେଖିବା-
ଏ ଓ ଏହାଙ୍କ ପୂର୍ବ ପୁରୁଷ, ପୂର୍ବ ସରକାରଙ୍କ ଦ୍ଵାରା ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତ ହୋଇଛନ୍ତି ଓ ସେହି ଭାବେ ମନ୍ଦିରର ଆଭ୍ୟନ୍ତରୀଣ ବ୍ୟବସ୍ଥା ପୂର୍ଣ୍ଣ ଅଧିକାର ସହ ଚଳାଉଛନ୍ତି। ମନ୍ଦିରର ପରିଚାଳନା ଭାର ଏହାଙ୍କ ଉପରେ ନ୍ୟସ୍ତ। ମନ୍ଦିରର ସମସ୍ତ ଆୟ ଓ ବ୍ୟୟ (ନିଜ ଆୟ ବ୍ୟୟ ରୁ ପୃଥକ) ହିସାବ ରଖନ୍ତି। ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଓ ଅନ୍ୟ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ଜିମାଦାର ଅଟନ୍ତି ଓ ଟ୍ରଷ୍ଟି ରୂପେ ସେ ସବୁର ରକ୍ଷଣାବେକ୍ଷଣ କରନ୍ତି। ରତ୍ନ ଭଣ୍ଡାର ଡବଲ ଲକ ର କେବଳ ଗୋଟିଏ ଚାବି ଏହାଙ୍କ ପାଶେ ରହୁଥିଲା, କିନ୍ତୁ ୧୯୩୦ ଠାରୁ ଉଭୟ ଚାବି ନିଜେ ରଖୁଛନ୍ତି। (ଶ୍ରୀମନ୍ଦିର ସ୍ଵତ୍ତ୍ଵ ଲିପି, ପ୍ରଥମ ଭାଗ,)
ଛତିଶା ନିଯୋଗ ନାୟକ ବା ପାଟ୍ଟଯୋଶୀ ମହାପାତ୍ର ଭଣ୍ଡାର ନାୟକ ସ୍ୱରୂପ ଭିତର ଓ ବାହାର ଭଣ୍ଡାର ମଣତି ନେବେ। ଭଣ୍ଡାର ମେକାପ ସହ ଚାବି ଖୋଲି ଭଣ୍ଡାର ଜିନିଷ ମାନର ମାରଫତଦାର ଥିବେ । ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଣତି ରିପୋର୍ଟ ଦେଉଥିବେ। ଲାଗି ଜିନିଷର ତାଲିକା ରଖିବେ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପଠାଇବେ। (ବର୍ତ୍ତମାନ ୧୯୩୦ ରୁ ରାଜା ସୁପରିଣ୍ଟେଣ୍ଡେଣ୍ଟ ଏହାଙ୍କ ଠାରୁ ଚାବି ନେଇ ନିଜେ ରଖିଥିବାରୁ ଏ ଏହି ସେବା କରି ପାରୁନାହାନ୍ତି। ଲାଗି ଜିନିଷ ଭଣ୍ଡାରରେ ନରହି ସୁପରିଣ୍ଟେଣ୍ଡେଣ୍ଟ ପାଶକୁ ଯାଉଛି। (ଶ୍ରୀମନ୍ଦିର ସ୍ଵତ୍ତ୍ଵ ଲିପି, ପ୍ରଥମ ଭାଗ)
ଭିତର ଭଣ୍ଡାର ଡବଲ ଲକ ହୋଇଥାଏ । ୧୯୩୦ ଠାରୁ ଉଭୟ ଚାବି ରାଜାଙ୍କ ଠାରେ ଅଛି (ଶ୍ରୀମନ୍ଦିର ସ୍ଵତ୍ତ୍ଵ ଲିପି, ଦ୍ଵିତୀୟ ଭାଗ)
ଉପରୋକ୍ତ ତଥ୍ୟର ଆଧାରରେ ମନ୍ଦିର ରତ୍ନ ଭଣ୍ଡାରର ଜିମାଦାର ହେଉଛନ୍ତି ଗଜପତି ମହାରାଜା । ତେବେ ଓଡିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୪/୧୯୫୫ ମାଧ୍ୟମରେ ମନ୍ଦିର ପରିଚାଳନା ଭାର ନିଜ ହାତକୁ ନେଇଛନ୍ତି । ଆଜି ଯେତେବେଳେ ମନ୍ଦିରର ଚାବି ପ୍ରସଙ୍ଗ ଉଠୁଛି ସେତେବେଳେ ଏହି ଆଇନର ଦୁହାଇ ଦେଇ ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ଗଜପତିଙ୍କର କୌଣସି ଭୂମିକା ନାହିଁ ବୋଲି କହୁଛନ୍ତି। ଏହି ଆଇନ କୁ ପଢିଲେ ଆପାତତଃ ଏଇଆ ମନେହେବ ଯେ ମନ୍ଦିର ର ସବୁ ଦାୟିତ୍ଵ ୧୯୫୪ ରୁ ଓଡିଶା ସରକାର ଇ ବୁଝୁଛନ୍ତି ଓ ଏଥିରେ ଗଜପତିଙ୍କର ଆଉ କୌଣସି ଭୂମିକା ନାହିଁ। ତେବେ କଥାଟି ସେତିକିରେ ସରି ନାହିଁ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୪/୧୯୫୫ କୁ ବିରୋଧ କରି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ଓଡିଶା ହାଇ କୋର୍ଟ ରେ ଏକ ମକଦ୍ଦମା ଦାୟର କରିଥିଲେ। ନିଜ ମାମଲା ପତ୍ରରେ ଗଜପତି ଯୁକ୍ତି କରିଥିଲେ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ତାଙ୍କର ପାରିବାରିକ ମନ୍ଦିର, ତେଣୁ ଏହାର ସମସ୍ତ ଚଳ ଓ ଅଚଳ ସମ୍ପତ୍ତି ଉପରେ ତାଙ୍କ ପରିବାରର ଅଧିକାର ରହିଛି। ଓଡିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ପ୍ରଣୟନ କରି ଗଜପତିଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୁଣ୍ଣ କରିଛନ୍ତି। ତେବେ ମାମଲାର ସବିଶେଷ ବିଚାର କରି ଓଡିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଆର. ନରସିଂହମ ଓ ଜଷ୍ଟିସ ପି. ରାଓ ଗଜପତିଙ୍କର ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଥିଲେ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନକୁ ସାମ୍ବିଧାନିକ ବୋଲି ସ୍ଵୀକୃତି ଦେଇଥିଲେ।(AIR 1959,Ori 5)
ହାଇକୋର୍ଟଙ୍କ ରାୟ ବିରୋଧରେ ରାମଚନ୍ଦ୍ର ଦେବଙ୍କ ପୁତ୍ର ଗଜପତି ବୀରକିଶୋର ଦେବ ସୁପ୍ରିମ କୋର୍ଟ ରେ ଅପିଲ କରିଥିଲେ। ପ୍ରାଥମିକ ଭାବରେ ସୁପ୍ରିମ କୋର୍ଟ ଏହି ଆଇନ ଉପରେ ମଧ୍ୟବର୍ତ୍ତୀ ରହିତାଦେଶ ଦେଇଥିଲେ ମଧ୍ୟ ଚୂଡାନ୍ତ ଶୁଣାଣି ପରେ ଆଇନକୁ ବୈଧ ବୋଲି ଘୋଷଣା କରିଥିଲେ । (୧୯୬୪AIR,1501)
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ୧୯୫୪ ରୁ ୧୯୬୪ ଦଶ ବର୍ଷ ଧରି ମନ୍ଦିର ପରିଚାଳନା ସମ୍ପର୍କରେ ଗଜପତି ଓ ଓଡିଶା ସରକାରଙ୍କ ଭିତରେ ଆଇନଗତ ଯୁଦ୍ଧ ଲାଗିଥିଲା। ୧୯୬୪ ପରେ ହୁଏତ ସରକାରଙ୍କ ପାଖକୁ ରତ୍ନ ଭଣ୍ଡାରର ଚାବି ଆସିଥିବ।
ତେବେ କ୍ଷମତା ହସ୍ତାନ୍ତର ସମୟରେ ଭିତର ରତ୍ନ ଭଣ୍ଡାରର ଦୁଇଟା ଯାକ ଚାବି ପୁରୀ ଜିଲ୍ଲାପାଳଙ୍କୁ ହସ୍ତାନ୍ତରିତ ହୋଇଥିଲା କି? ଏତେ ସବୁ ଆଇନଗତ ସମସ୍ୟା ସତ୍ତ୍ୱେ ପୁରୁଷାନୁକ୍ରମେ ଗଜପତି ମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ରହି ଆସିଛନ୍ତି। ରତ୍ନ ଭଣ୍ଡାର ଖୋଲା ହେବା ସମୟରେ ଗଜପତିଙ୍କର କିମ୍ବା ତାଙ୍କ ଅଧିକୃତ ପ୍ରତିନିଧିଙ୍କର ଉପସ୍ଥିତି ଅପରିହାର୍ୟ। ତେଣୁ ଚାବି ମାମଲାରେ ଗଜପତିଙ୍କର ଓଜନ ସବୁଠୁ ଅଧିକ। ଏହି ପ୍ରସଙ୍ଗରେ ମନ୍ଦିର ପ୍ରଶାସନର ମୁଖ୍ୟ ଭାବେ ଗଜପତି ନିଜର ସିଦ୍ଧାନ୍ତ ଜଣାଇବା ଉଚିତ ହୋଇଥାନ୍ତା। ଦୁର୍ଭାଗ୍ୟକ୍ରମେ ଏହି ଘଟଣାରେ ଗଣ ମାଧ୍ୟମ ଓ ରାଜନୈତିକ ଦଳ ଗୁଡିକ ଏତେ ପ୍ରକାର ବିଭ୍ରାନ୍ତି ସୃଷ୍ଟି କରି ସାରିଲେଣି ଯେ ସେଥିରେ ବାସ୍ତବତାର ଉନ୍ମୋଚନ ଆଉ ସହଜ ନୁହେଁ।
ଆଉ ଏକ ପ୍ରକାରେ ଦେଖିଲେ ସତୁରୀ ଦଶକରୁ ତିନି ଥର ଭିତିରି ଭଣ୍ଡାର ଖୋଲା ଯାଇଛି। ତେଣୁ ଚାବି ସେତେବେଳେ ଥିବାର ପ୍ରମାଣ ରହିଛି। ଇତି ମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ର ତନଖିକୁ ଓ ଏହାର ସମ୍ପତ୍ତି ତାଲିକା କରିବାକୁ କିଛି ସେବାୟତ ଅନାବଶ୍ୟକ ଭାବରେ ବିରୋଧ କରୁଛନ୍ତି। ସେହି ପୃଷ୍ଠଭୂମିରେ ଚାବି ହଜିଛି ନା ତାକୁ ଜାଣି ଶୁଣି ହଜେଇ ଦିଆଯାଇଛି ବୋଲି ଏକ ପ୍ରଶ୍ନ ମଧ୍ୟ ଉଠୁଛି। ସମୁଦାୟ ଘଟଣାକ୍ରମରେ ଇତିହାସର ବାସ୍ତବତା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଠୁ ବେଶୀ ଗୁରୁତ୍ବପୂର୍ଣ୍ଣ ହେଉଛି ନିର୍ବାଚନ ପୂର୍ବର ରାଜନୀତି। ଏହାକୁ ଧାର୍ମିକ ଭାବାବେଗର ରାଜନୈତିକ ଉତ୍ତେଜନା ରେ ରୂପାନ୍ତରିତ କରିବାକୁ ବିଜେପି ତରଫରୁ ପ୍ରବଳ ଉଦ୍ୟମ ହୋଇଛି। ସରକାର ବିରୋଧୀ କିଛି ନିର୍ଦ୍ଦିଷ୍ଟ ଗଣ ମାଧ୍ୟମ ଏଥିରେ ବିଭ୍ରାନ୍ତି ପୂରେଇ ସରକାରକୁ କାଠଗଡ଼ା ରେ ଠିଆ କରେଇବାର ଚେଷ୍ଟା କରିଛନ୍ତି। ଚାବି ହଜିବା ପ୍ରକ୍ରିୟାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସରକାର ଏ କ୍ଷେତ୍ରରେ ନିଜର ଭୂମିକାକୁ ସ୍ପଷ୍ଟ କରିବା ଉଚିତ। ହେଲେ ସରକାରକୁ ରାଜନୈତିକ ବିରୋଧ କରିବା ଆଳରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ଓଡିଶାରେ ସହଜ ସମର୍ଥନ ମିଳୁନାହିଁ । ଏହା ସବୁଠୁ ବଡ କଥା। ଓଡିଶାର ଲୋକେ ଏଇ କଥାକୁ ନେଇ ହୁଏତ ଚର୍ଚ୍ଚା କରିବାକୁ ଆଗ୍ରହୀ, ହେଲେ ଏହାଯେ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ସେକଥା ବେଶ ସ୍ପଷ୍ଟ ହୋଇଯାଇଛି। କେବଳ ଅଭ୍ୟାସଗତ ଭାବରେ ଜଗନ୍ନାଥ ସଂସ୍କୃତିକୁ ନେଇ ରାଜନୈତିକ ଆତସବାଜି ଦେଖାଉଥିବା ଗୋଟେ ଅଧେ ସଙ୍ଗଠନକୁ ବାଦ ଦେଲେ ଏପ୍ରସଙ୍ଗରେ ଆଉ କେହି ବିଶେଷ ରୁଚି ରଖୁଥିବାର ଦେଖିବାକୁ ମିଳୁନାହିଁ। ସୌଭାଗ୍ୟ କ୍ରମେ ଏଇ ଘଟଣାରେ ମଧ୍ୟ ରାଜନୀତିର ସାମ୍ପ୍ରଦାୟୀକରଣ କରିବାରେ ବିଜେପି ଓଡିଶାରେ ବିଫଳ ହୋଇଛି।
ସେତେବେଳେ ଗଜପତି ଏକ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ୧୯୬୦ ମସିହା ପରଠୁ ତାଙ୍କ ପରିବାର ଆଉ ମନ୍ଦିର ପରିଚାଳନା ଦାୟିତ୍ବରେ ନାହାନ୍ତି। ସୁପ୍ରିମ କୋର୍ଟ ରେ ମକଦ୍ଦମା ହାରିବା ପରେ ସ୍ଵାଭାବିକ ଭାବରେ ମନ୍ଦିର ପରିଚାଳନା ଦାୟିତ୍ଵ ସରକାରକୁ ହସ୍ତାନ୍ତରିତ ହୋଇଥିବ। ତେବେ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ସମୟରେ ରତ୍ନ ଭଣ୍ଡାର ଚାବିର ସ୍ଥିତି କଣ, ସେ କଥା କମିଶନ ନିଶ୍ଚୟ ପଚରା ଉଚୁରା କରିବେ। ୧୯୭୧ ରୁ ଆଜି ପର୍ଯନ୍ତ ଦିବ୍ୟସିଂହ ଦେବ ଗଜପତି ସେବା ତୁଲାଇ ଆସୁଛନ୍ତି। ତାଙ୍କ କହିବା ଅନୁସାରେ ସେ କେବଳ ନାମକୁ ମାତ୍ର ପରିଚାଳନା ସମିତିର ଅଧ୍ୟକ୍ଷ। ଯଦି ଏକଥା ସତ, ତାହେଲେ ପରିଚାଳନା ସମିତିର ଆବଶ୍ୟକତା କଣ? ଚାବି ହଜିବା ପ୍ରସଙ୍ଗ ଏକ ପ୍ରଶାସନିକ ତ୍ରୁଟି କିମ୍ବା ଅବହେଳା ହୋଇପାରେ। ହେଲେ ଏହା ଯେ ଜଗନ୍ନାଥ ସଂସ୍କୃତିର ଚାବିକାଠି, ଏହା ଗ୍ରହଣୀୟ ନୁହେଁ।
ଆପାତତଃ ଜନ ମାନସରେ ଚାବି କୁ ନେଇ ଯେଉଁ ସନ୍ଦେହ ତିଆରି ହୋଇଛି, ତାହାର ସମାଧାନ ପାଇଁ ରତ୍ନ ଭଣ୍ଡାର ତାଲା ଭାଙ୍ଗି ପୁରୁଣା ରେକର୍ଡ ସହ ଆଜିର ସମ୍ପତ୍ତି ତାଲିକା ମିଳେଇ ଦେଖିବା, ଆଜିର ଏକମାତ୍ର ସମାଧାନ।