ଗଣମାଧ୍ୟମ : ପଇସାବାଲାଙ୍କ ସରକାରୀ ତାମସା
ଗୋଟେ ସମୟ ଆସିଲା ଯେତେବେଳେ ଖୋଲାଖୋଲି ଗଣମାଧ୍ୟମ ପଇସାବାଲାଙ୍କ ହାତରେ ବିକ୍ରୀ ହୋଇଗଲା ଓ ଏହାକୁ ନେଇ କେଉଁଠି କିଛି ପ୍ରତିବାଦ ବି ହେଲାନାହିଁ । ଆଦାନୀ ଏବଂ ଆମ୍ବାନୀ ହାତରେ ଦେଶର ବଡଭାଗ ଗଣମାଧ୍ୟମ ରହିବା ଟା ଯେ ଗଣତନ୍ତ୍ର ପାଇଁ ଏକ ବିପଦ ସେ କଥା ଏ ଦେଶର ଲୋକେ ବୁଝିବାକୁ ଚାହିଁଲେ ନାହିଁ । ଯେତେବେଳେ ଏନଡିଟିଭି, ରବିଶ କୁମାର ଏବଂ ପ୍ରଣୟ ରାୟଙ୍କୁ ନେଇ ଜୋର୍ ଚର୍ଚ୍ଚା ଚାଲୁଥିଲା, ସେତେବେଳେ ଭାରତୀୟ ରାଜନୀତିର ଅନ୍ୟତମ ମୌଳିକ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କର ଏକ ପୁରୁଣା ଲେଖା କଥା ମୁଁ ମନେ ପକାଉଥିଲି।
୧୯୯୪ରେ କିଶନ ପଟ୍ଟନାୟକ ପ୍ରଣୟ ରାୟଙ୍କ ବିଷୟରେ ଗୋଟେ ହିନ୍ଦୀ ଆଲେଖ୍ୟ ଲେଖିଥିଲେ ଯା'ର ଶୀର୍ଷକ ଥିଲା "ପ୍ରଫେସର ୟା ତମାସାଗିର୍"। ମନମୋହନ ସିଂଙ୍କ ଉଦାରୀକରଣ ଅର୍ଥନୀତିକୁ ଦେଶର ଏକମାତ୍ର ବିକଳ୍ପ ସାବ୍ୟସ୍ତ କରିବାକୁ ସେତେବେଳେ ଯେଉଁ ପ୍ରଚାରତନ୍ତ୍ର ତିଆରି ହୋଇଥିଲା, ତାର ମଙ୍ଗୁଆଳ ଥିଲେ ପ୍ରଣୟ ରାୟ। ଅର୍ଥ-ବ୍ୟବସାୟ ଓ ଲାଭ ଉପଯୋଗୀ ସମାଜ ପାଇଁ ଏ ଦେଶର କୋଟି କୋଟି ସାଧାରଣ ଲୋକଙ୍କ ସ୍ବାର୍ଥ ସେ ସମୟରୁ ବଳି ପଡ଼ିଯାଇଛି। କେବଳ ବ୍ୟବସାୟୀଙ୍କ ହାତକୁ ପୂରା ଗୋଟେ ଦେଶର ଶାସନ ବ୍ୟବସ୍ଥା ଟେକିଦେଲା ପରେ ସେମାନଙ୍କ କଣ୍ଢେଇ ମାନେ ଏବେ ରାଜନୀତିର ନିୟନ୍ତ୍ରକ। ବ୍ୟବସାୟକୁ ସୁହାଇଲା ଭଳି ରାଜନୀତିରୁ ଜନ୍ମ ନେଇଛି ଆଜିର ଘୃଣା ଓ ବିଭାଜନର ରାଜନୀତି। ସବୁବେଳେ ଭଲପାଇବା ଅପେକ୍ଷା ଘୃଣାର ବିକ୍ରୀ ମୂଲ୍ୟ ବେଶୀ। ଯେହେତୁ ଘୃଣାର ଗରାଖ ଅଧିକ ତା'ର ବଜାର ବଢ଼ିଚାଲିଛି। ପ୍ରଣୟ ରାୟ ଏକଦା ଏ ପ୍ରକାର ବଜାର ପାଇଁ ଭିତ୍ତି ନିର୍ମାଣ କରୁଛନ୍ତି ବୋଲି କିଶନ ପଟ୍ଟନାୟକ ୨୮ ବର୍ଷ ତଳୁ ସତର୍କ କରାଇ ଦେଇଥିଲେ।
ପ୍ରଣୟ ରାୟ ଯେଉଁ ଅର୍ଥନୀତିର "ସୋ ମ୍ୟାନ" ଭାବରେ ଉପରକୁ ଉଠିଥିଲେ ଓ ଦୁରଦର୍ଶନରୁ ଆସି ଏନଡିଟିଭି ପ୍ରତିଷ୍ଠା କରିଥିଲେ, ପରବର୍ତ୍ତୀ ସମୟରେ ସେହି ଅର୍ଥନୀତିର ସେ ସବୁଠୁ ବଡ଼ ଶିକାର ହୋଇଥିଲେ । ସାମ୍ବାଦିକତା କୁ ସୋମ୍ୟାନସିପ୍ କରିବାର ପରିଣାମ ହେଉଛି- ପଇସା ଯାହାର, ମିଡ଼ିଆ ତାହାର। ଆଜି ସାଧାରଣ ସାମ୍ବାଦିକ ପାଇଁ ଯଦି ସବୁ ବାଟ ବନ୍ଦ ହୋଇଯାଇଛି, ତାର ଏକମାତ୍ର କାରଣ ହେଉଛି ମିଡ଼ିଆରେ ଅକଳ୍ପନୀୟ ପୁଞ୍ଜି ର ପ୍ରୟୋଗ।
କିଶନ ପଟ୍ଟନାୟକ ସେତେବେଳେ ସତର୍କ କରାଇ ଦେଇଥିଲେ, ଏ ତାମସାର ପରିଣତି ଏଇଆ ହିଁ ହେବ। ତାହା ହେଲା ମଧ୍ୟ। ଜନମାନସରେ ଘୃଣା ର ରାଜନୀତିକୁ ବଳବତ୍ତର ରଖିବା ପାଇଁ ଏକଚାଟିଆ ଅଧିକାରକୁ ଏନଡିଟିଭି ଜରିଆରେ ଆୟତ୍ତ କରିବା ସହଜ ହେଲା, କାରଣ ପ୍ରଣୟ ରାୟ ସେ ବ୍ୟବସ୍ଥା ଭିତରେ ଫସି ସାରିଥିଲେ। ପୁଞ୍ଜି ର ଖେଳ ଭିତରେ ସ୍ବାଧୀନ ସାମ୍ବାଦିକତା ଯେ ବେଶୀ ଦିନ ଚାଲିବ ନାହିଁ ଏ କଥା ସ୍ପଷ୍ଟ।
ଲାଭ ଓ ଲୋଭର ଏ ବିଶାଳ ଜାଲରେ ରବିଶ କୁମାରଙ୍କ ଭୂମିକା ଅଭିମନ୍ୟୁ ପରି । ତେବେ ରବିଶ କୁମାର କେବଳ ଏକ ପ୍ରତୀକ । ତାଙ୍କ ପରି ହଜାର ହଜାର ସ୍ଵାଧୀନଚେତା ସାମ୍ବାଦିକ ଅଛନ୍ତି, ଯେଉଁମାନଙ୍କ ପାଖରେ ମତ ବ୍ୟକ୍ତ କରିବାର ମାଧ୍ୟମ ବୋଲି କିଛି ନାହିଁ । ଏହି ସାମ୍ବାଦିକମାନଙ୍କ ଭିତରେ ଲଢେ଼ଇ କରିବାର କଳା ଅଛି, ହେଲେ ଚକ୍ରବ୍ୟୁହ ରୁ ବାହାରି ପାରିବାର କଳା କାହାକୁ ଜଣା ନାହିଁ।
ଅନ୍ତତଃ ଆଜି ରବିଶ କୁମାର ମୁକ୍ତ । ବଜାର ଭିତରେ ସୋ ମ୍ୟାନ ହେବା ଅପେକ୍ଷା ମୁକ୍ତ ସାମ୍ବାଦିକ ହେବାର ମଜା ଅଲଗା। ତେବେ ଏ ମୁକ୍ତିର ମୂଲ୍ୟ ମଧ୍ୟ କିଛି କମ ନୁହେଁ । ଆଜି ଆମେ ୟୁଟ୍ୟୁବ ଏବଂ ଫେସବୁକ କୁ ଏକ ବିକଳ୍ପ ବୋଲି ଭାବୁଛେ। ହେଲେ ଏହାର ମାଲିକାନା ଏବଂ ନିୟନ୍ତ୍ରଣ କ୍ଷମତା ଅଧିକରୁ ଅଧିକ ସରକାର ହାତକୁ ଚାଲିଯାଉଛି । ସରକାର ଚାହିଁଲେ ଯେ କୌଣସି ମୁହୂର୍ତ୍ତରେ ଆପଣଙ୍କର ୟୁଟ୍ୟୁବ ଏବଂ ଫେସବୁକ ଏକାଉଣ୍ଟକୁ ବନ୍ଦ କରିଦେବ । ସରକାର ବିରୋଧୀ ଲଢେଇରେ ଜଣେ ସାଧାରଣ ସାମ୍ବାଦିକ ନିଜର ବାକ ଏବଂ ଅଭିବ୍ୟକ୍ତିର ସ୍ଵାଧୀନତାକୁ ବଞ୍ଚାଇ ରଖିବା ସହଜ କଥା ନୁହେଁ । ଜଣେ ସାମ୍ବାଦିକର ୟୁଟ୍ୟୁବ ଏବଂ ଫେସବୁକ ଏକାଉଣ୍ଟ ବନ୍ଦ ହୋଇଗଲେ ତାର ସବୁ ସାଧନ ଏବଂ ମାଧ୍ୟମ ଚାଲିଯିବ । ୟୁଟ୍ୟୁବ ଏବଂ ଫେସବୁକ ଏକାଉଣ୍ଟକୁ ଫେରିପାଇବା ଲାଗି ସହଜ ବାଟ କିଛି ନାହିଁ । ମୋଟାମୋଟି ସରକାର ହାତରେ ହିଁ ସାମାଜିକ ଗଣମାଧ୍ୟମର ନିୟନ୍ତ୍ରଣ ରହିଛି ଓ ଏହି ବିକଳ୍ପ ଆଦୌ ଭରସାଯୋଗ୍ୟ ନୁହେଁ ।