କେନ୍ଦ୍ର ସରକାରଙ୍କ ଶିକ୍ଷା ସର୍ଭେ : ଏକ ନିରର୍ଥକ ବ୍ୟାପାର

କେନ୍ଦ୍ର ସରକାରଙ୍କ ଶିକ୍ଷା ସର୍ଭେ : ଏକ ନିରର୍ଥକ ବ୍ୟାପାର

କିଛି ଦିନ ପୂର୍ବେ କେନ୍ଦ୍ର ସରକାରଙ୍କର ଏକ ରିପୋର୍ଟରେ ପ୍ରକାଶ ପାଇଛି । ସେହି ରିପୋର୍ଟ କହୁଛି ଯେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର‌ ସ୍ଥାନ ଗୋଟିଏ ବର୍ଷ ମଧ୍ୟରେ ୧୦ରୁ ଖସି ଆସି ୨୪ରେ ପହଞ୍ଚି ଯାଇଛି ।  ସରକାରଙ୍କ ଠାରୁ ଏହାର ଏକ ଅନୁଶୀଳନପୂର୍ବକ ଓ ତଥ୍ୟଭିତ୍ତିକ ଉତ୍ତର ପାଇଁ ଅପେକ୍ଷା ରଖା ଯାଇପାରେ । କେବଳ ଏହାକୁ କେନ୍ଦ୍ର ସରକାରଙ୍କର ବିଜେଡି ସରକାର ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର କହିଲେ ହେବ ନାହିଁ। କେଉଁ କେଉଁ ପରିମାପରେ ଗତବର୍ଷ ଠାରୁ ଏବର୍ଷ କମ୍ ନମ୍ବର ରହିଲା ଓ କାହିଁକି ରହିଲା, ଯାହା ଫଳରେ ମୋଟ ନମ୍ବରରେ ଆମ ରାଜ୍ୟ ଏତେ ଅବିଶ୍ବସନୀୟ ଭାବେ ତଳକୁ ଖସିଗଲା, ତାହାର ଏକ ଉତ୍ତର ଆବଶ୍ୟକ । ଓଡ଼ିଶାରେ ସରକାରୀ ଶିକ୍ଷାର ସ୍ଥିତିକୁ ନେଇ ଏହି ରିପୋର୍ଟରେ ଯାହା ଦର୍ଶାଯାଇଛି ସେଥିରେ ଆମେ ହୁଏତ ସହମତ ହୋଇ ପାରିବା । କିନ୍ତୁ ମାତ୍ର ବର୍ଷକ ମଧ୍ୟରେ ଓଡିଶା, କିମ୍ବା ଆଉ ଯେ କୈାଣସି ରାଜ୍ୟର ହେଉ ପଛେ , ସ୍ଥାନରେ ଯଦି ଏତେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି, ତାହା ଏକ ସନ୍ଦେହ ସୃଷ୍ଟି କରୁଛି । ଏହି ଦୁଇ ବର୍ଷ ମଧ୍ୟରେ ପରିମାପର ସଂଖ୍ୟାରେ ପରିବର୍ତ୍ତନ ହୋଇନାହିଁ ତ ? ଡାଟାର ଗୁଣବତ୍ତାରେ ପରିବର୍ତ୍ତନ ହୋଇନାହିଁ ତ ? ରାଜ୍ୟ ଗୁଡିକରୁ ସଂଗୃହିତ କୈାଣସି ଡାଟା ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ ତାହାକୁ ବାଦ୍ ଦେଇ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ ତ, ଯାହାର ଉଦାହରଣ ଆଗରୁ ଦେଖା ଯାଇଛି ? ଯଦି ଏସବୁ ହୋଇଥାଏ ତେବେ ଦୁଇଟି ବର୍ଷର ତାଲିକାକୁ ଧରି ତୁଳନା କରିବା ଅର୍ଥହୀନ ଅଟେ । କେହି ହୁଏତ ଏମିତି ବି ପଚାରି ପାରେ ଗତ ବର୍ଷ ଓଡ଼ିଶା ୧୦ମ ସ୍ଥାନରେ ଥିଲା କିପରି ?

ଏପରି ସର୍ଭେରେ ପ୍ରୟୋଜନୀୟତା ନେଇ  କେତୋଟି ପ୍ରଶ୍ନ ଉଠିପାରେ।   ଅନେକ ରାଜ୍ୟରେ କଲେଜ ନିର୍ବାଚନ ବନ୍ଦ କରି ଦିଆ ଯାଇଛି । କଲେଜ ୟୁନିଅନ୍ ବର୍ଷ ତମାମ ବିଭିନ୍ନ ସମସ୍ୟାକୁ ନେଇ କଲେଜ ପ୍ରିନ୍ସିପାଲ୍ ଓ କର୍ତ୍ତୁପକ୍ଷଙ୍କୁ ଉତ୍ତରଦାୟୀ ରଖିଥାଏ ଏବଂ ସେଥିପାଇଁ ଆନ୍ଦୋଳନ କରିଥାଏ । ସେସବୁ ବନ୍ଦ କରି ଗୋଟିଏ ବାର୍ଷିକ ସର୍ଭେ ରିପୋର୍ଟ ଆଧାରରେ ସରକାରକୁ ଉତ୍ତରଦାୟୀ କରିବା କେବଳ ଦୁଇ ଦିନର ରାଜନୈତିକ ଝଡ଼ ସୃଷ୍ଟି କରିବା ଛଡା ଆଉ କିଛି କରିବ ନାହିଁ । 

ଦ୍ବିତୀୟ ବିଷୟଟି ହେଲା ସ୍କୁଲ ମ୍ୟାନେଜମେଣ୍ଟ କମିଟିକୁ ନେଇ । ଶିକ୍ଷା ଅଧିକାର ଆଇନ ଆସିବା ପରେ ଏସବୁ ଗଠନ ହୋଇଥିଲେ ମଧ୍ୟ ସେଗୁଡିକ ପ୍ରକୃତରେ କେତେ କାର୍ଯ୍ୟକ୍ଷମ ଅଛନ୍ତି ? ନା କେବଳ ଆଇନ୍ ମାନିବା ପାଇଁ ସେସବୁ ଚାଲିଛି ?  ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଅଭିଭାବକ ସଦସ୍ୟମାନେ ସ୍କୁଲର ସମସ୍ୟା ବିଷୟରେ ଯେତିକି ଜାଣିଛନ୍ତି କିମ୍ବା କଲେଜ ୟୁନିଅନ୍ ନିଜ କଲେଜର ସମସ୍ୟା ବିଷୟରେ ଯେତିକି ଜାଣିଛି, ତାହା ନୀତି ଆୟୋଗର ସଦସ୍ୟମାନେ କିମ୍ବା କେନ୍ଦ୍ର ଶିକ୍ଷା ବିଭାଗର ଅଫିସରମାନେ ଏକ ସର୍ଭେ ମାଧ୍ୟମରେ  କଦାପି ଜାଣିପାରିବେ ନାହିଁ । କେତେକ ଅଫିସର ଓ ପରିସଂଖ୍ୟାନବିତ୍ ଦିଲ୍ଲୀରେ ବସି, ଲକ୍ଷ ଲକ୍ଷ ସ୍କୁଲର ଡାଟା ସଂଗ୍ରହ କରି, ସବୁ ରାଜ୍ୟର ସ୍ବତନ୍ତ୍ର ବସ୍ତୁସ୍ଥିତିକୁ ଉପେକ୍ଷା ପୂର୍ବକ ସମସ୍ତଙ୍କ ପାଇଁ ସମାନ ପରିମାପ ତିଆରି କରି, ବର୍ଷକେ ଥରେ ଯେଉଁ ରିପୋର୍ଟ ଦେବେ, ତାହା କେତେ ଯେ ଉପାଦେୟ ହେବ ତାହା ଉପରେ ନିଶ୍ଚୟ ପ୍ରଶ୍ନ ଅଛି । 

ଆଉ ଗୋଟିଏ କଥା । ଏହି ସବୁ ସର୍ଭେ ଅନୁସାରେ ଆମେ ସର୍ବନିମ୍ନ ଆବଶ୍ୟକତାକୁ ମାପିଥାଉ । ଅଷ୍ଟମ ଶ୍ରେଣୀର ପିଲାଟି ପଞ୍ଚମ ଶ୍ରେଣୀର ଅଙ୍କ କଷି ପାରୁଛି କି ନାହିଁ ତାହା ଆମେ 'ପ୍ରଥମ' ନାମକ ଏକ ସଂସ୍ଥାର ଅସର ରିପୋର୍ଟ ମାଧ୍ୟମରେ ଦେଖିଥାଉ । ଅବଶ୍ୟ ତାହା  ଜରୁରୀ । କିନ୍ତୁ ଏସବୁ ଆମର ଲକ୍ଷ ନହେଉ । ସର୍ବାଧିକକୁ  ମାପିବା ପାଇଁ କୈାଣସି ସର୍ଭେ ହେଉ ନାହିଁ । ନବେ ଦଶକରେ ନୂତନ ଅର୍ଥନିତୀ ଲାଗୁ ହେବା ପରେ ଆନ୍ତର୍ଜାତିକ ସ୍ତରରେ ସବୁ କ୍ଷେତ୍ରରେ ଆମ ପାଇଁ ପ୍ରତିଯୋଗିତାର  ସୀମା ଖୋଲି ଯାଇଛି । ଆମେ କେବଳ ପ୍ରଥମ ରିପୋର୍ଟ, ନିତି ଆୟୋଗ ରିପୋର୍ଟ କିମ୍ବା ଶିକ୍ଷା ବିଭାଗର ରିପୋର୍ଟକୁ ଧରି ବସିଲେ  ଚଳିବ ନାହିଁ । ବର୍ତମାନ ଆମକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଯୋଗିତା କରିବାକୁ ହେବ , ଯେଉଁଥିରେ ଆମ ଦେଶ ଦଶନ୍ଧି ଦଶନ୍ଧି ପଛରେ ଅଛି । ତାହା ନହେଲେ ଆମେ କେବଳ ଶିକ୍ଷା ନୁହେଁ, ଆର୍ଥିକ କ୍ଷେତ୍ରରେ ମଧ୍ୟ ବହୁତ ପଛରେ ପଡିଥିବା । 

ସରକାରୀ ସ୍କୁଲ୍ ପ୍ରାଇଭେଟ୍ ସ୍କୁଲ ସହିତ ମଧ୍ୟ  ଗୁଣବତ୍ତାରେ  ପ୍ରତିଯୋଗିତା କରୁ । ସରକାରୀ ସ୍କୁଲ ଏମିତି ଅଧିକ କ'ଣ ଦେଇ ପାରିବ ଯାହା ପ୍ରାଇଭେଟ୍ ସ୍କୁଲ ଦେଇ ପାରିବା କଷ୍ଟସାଧ୍ୟ ହେବ, ସେଥିନେଇ ବିଭିନ୍ନ ପ୍ରୟୋଗ ହେବା ଆବଶ୍ୟକ । ଏହାକୁ ଇଂରାଜୀରେ Add On ସୁବିଧା କୁହାଯାଏ । ଏହି ସନ୍ଦର୍ଭରେ ଦିଲ୍ଲୀ ସରକାରଙ୍କର ଏକ ସଫଳ ପ୍ରୟୋଗ ପାଠକମାନଙ୍କ ବିଚାର ପାଇଁ ଏଠାରେ ରଖୁଛି । 

ଜୟଭୀମ

୨୦୧୫ ମସିହାରେ ଅରବିନ୍ଦ କେଜରିୱାଲ ଦ୍ବିତୀୟ ଥର ମୂଖ୍ୟମନ୍ତ୍ରୀ ହେବାଠାରୁ ଦୁଇ ବର୍ଷର  କଠିନ ଚେଷ୍ଟା ପରେ ୨୦୧୭ ମସିହାରେ ଦିଲ୍ଲୀ ସରକାରୀ ସ୍କୁଲରୁ ୧୨ ଜଣ ପିଲା JEE Mains କ୍ଲିଅର କରିଥିଲେ । ଏଥିରେ ଶିକ୍ଷାମନ୍ତ୍ରୀ ମନୀଷ ଶିଶୋଦିଆଙ୍କୁ ଅନେକ ଲୋକ ପ୍ରଶଂସାରେ ପୋତି ପକେଇଲେ। ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଟୁଇଟକୁ ସର୍ବାଧିକ ଲୋକ ଲାଇକ୍ କରିଥିଲେ ।‌

କିନ୍ତୁ ଠିକ୍ ଏହାର ଛଅ ବର୍ଷ ପରେ JEE Mains clear କରିଥିବା ସରକାରୀ ସ୍କୁଲ୍ ପିଲାଙ୍କ ସଂଖ୍ୟା ବଢ଼ି ଯେତେବେଳେ ୭୨୦ରେ ପହଞ୍ଚିଲା ଓ ୧୦୭୪ ଜଣ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା NEET ପାଶ୍ କଲେ,  ସେତେବେଳେ ମନୀଷ ଶିଶୋଦିଆ ଜେଲ୍ ରେ ଅଛନ୍ତି।

୨୦୧୮ ମସିହାରେ ଦିଲ୍ଲୀ ସରକାର 'ଜୟ ଭୀମ ପ୍ରତିଭା ବିକାଶ' ନାମକ ଏକ ଯୋଜନା ଆରମ୍ଭ କରିଥିଲେ । ମେଡିକାଲ ଓ ଇଞ୍ଜିନିୟରିଂ ଭଳି ବିଭିନ୍ନ କୋର୍ସ୍ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କୁ ସଫଳ କରିବା ପାଇଁ ଏହି ଯୋଜନାରେ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କୋଚିଂ ଦେବା ଏହାର ଲକ୍ଷ ଥିଲା ।‌ ସେଥିପାଇଁ ସେମାନଙ୍କୁ ବଡ଼ ବଡ଼ ପ୍ରାଇଭେଟ୍ ନାମକରା କୋଚିଂ ସେଣ୍ଟରକୁ ପଠାଯାଏ ‌। 

୨୦୧୯ ମସିହାରେ ଏହି ଯୋଜନାରେ ଅନ୍ୟ ପଛୁଆ ଜାତି ଓ ସାଧାରଣ ବର୍ଗର ପିଲାମାନଙ୍କୁ ମଧ୍ୟ ଅନ୍ତର୍ଗତ କରିବାକୁ ଦିଲ୍ଲୀ ସରକାର ମଞ୍ଜୁରୀ ଦେଲେ । ଏଥିରେ ବ୍ୟବସ୍ଥା ରହିଲା ଯେ ଅନ୍ୟ ପଛୁଆ ଜାତି ଓ ସାଧାରଣ ବର୍ଗର ପିଲାମାନଙ୍କ ମଧ୍ୟରେ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଦୁଇ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେମାନଙ୍କ ପାଇଁ ସମସ୍ତ କୋଚିଂ ଖର୍ଚ୍ଚ ସରକାର ଦେବେ ଏବଂ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଦୁଇ ଲକ୍ଷ ଟଙ୍କାରୁ ଛଅ ଲକ୍ଷ ଟଙ୍କା ହୋଇଥିବ ସେମାନଙ୍କୁ ସରକାର କୋଚିଂ ଖର୍ଚ୍ଚର ୭୫% ଦେବେ । ବର୍ତ୍ତମାନ ଏହି ବାର୍ଷିକ ଆୟ ସୀମାକୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଅବଶ୍ୟ ସେତେବେଳେ ଏଥିରେ ଏ ପ୍ରାବଧାନ ମଧ୍ୟ ଥିଲା ଯେ ଏହି ୭୫% ରାଶି ୪୦ ହଜାର ଟଙ୍କାରେ ସୀମିତ ରହିବ । ପରେ ଏହି ସୀମାକୁ  ୧.୪୦ ଲକ୍ଷ ଟଙ୍କାକୁ ବଢାଇ ଦିଆଯାଇଛି । ଏହା ବ୍ୟତୀତ ବିଭିନ୍ନ ଖର୍ଚ୍ଚ ତୁଲାଇବା ପାଇଁ ପ୍ରତ୍ୟେକ ପିଲାକୁ ମାସକୁ ୨୫୦୦ ଟଙ୍କା ଲେଖାଏଁ ଦିଆ ଯାଉଛି । 

ଅନୁକରଣୀୟ ସଫଳତା

ଚଳିତ ବର୍ଷ  ୧୦୭୪ ଜଣ ଦିଲ୍ଲୀ ସରକାରୀ ସ୍କୁଲ୍ ପିଲା NEET ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏହି ସଂଖ୍ୟା ଅନେକ ବେଶି । କାହିଁକି ନା, ୨୦୨୦ରେ ୫୬୯ ଜଣ, ୨୦୨୧ରେ ୪୯୬ ଜଣ ଓ ୨୦୨୨ରେ ୬୪୮ ଜଣ ସରକାରୀ ସ୍କୁଲ୍ ପିଲା ଏଥିରେ କୃତକାର୍ଯ୍ୟ ହୋଇଥିଲେ । ଏବର୍ଷ ଏମାନଙ୍କ ମଧ୍ୟରୁ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ପାଇଥିବା ଛାତ୍ର ପିୟୁଷ ଝା ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତାରେ କୋଚିଙ୍ଗ ନେଇଥିଲା। 

ସେହିପରି ଏବର୍ଷ ୭୨୦ ଜଣ ଦିଲ୍ଲୀ ସ୍କୁଲ ଛାତ୍ରଛାତ୍ରୀ IIT - JEE Mains ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୨୦ରେ ଏହି ସଂଖ୍ୟା ୪୪୩, ୨୦୨୧ରେ ୩୮୪ ଓ ୨୦୨୨ରେ ୪୯୩ ଥିଲା । ଶିକ୍ଷାମନ୍ତ୍ରୀ ମନୀଷ ଶିଶୋଦିଆ ଗିରଫ ହେବାର ଏକ ସପ୍ତାହ ପୂର୍ବରୁ ଏବର୍ଷ ୪୫ ଜଣ ଏହିଭଳି କୃତି ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇଥିଲେ ଯେଉଁମାନେ JEE Mains ପ୍ରବେଶିକା ପରୀକ୍ଷାରେ ୯୮%ରୁ ଅଧିକ ନମ୍ବର ପାଇଥିଲେ । 

JEE Mains Advanced ପାଇଁ ହୋଇଥିବା  ପ୍ରବେଶିକା ପରୀକ୍ଷାରେ ୨୦୨୦ରେ ୫୩ ଜଣ, ୨୦୨୧ରେ ୬୪ ଜଣ , ୨୦୨୨ରେ ୭୩ ଜଣ ସରକାରୀ ସ୍କୁଲ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୧୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅସ୍ତୀକ ନାରାୟଣ ନାମକ ରାଧେଶ୍ୟାମ ପାର୍କ ଦିଲ୍ଲୀ ସରକାରୀ ସ୍କୁଲର ଛାତ୍ର ୧୦୦% ମାର୍କ ରଖିଛି । ଅସ୍ତୀକ ସେହି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ପଢି ଆସୁଥିଲା । ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସ୍ତୀକ ଓ ତାର ପରିବାରକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ସେଠାରେ ସେ ତାକୁ  ଆମ୍ବେଦକରଙ୍କ ସମୟ ଓ ଜୀବନୀ ସମ୍ପର୍କିତ ଏକ ବହି 'ବିକମିଂ ବାବାସାହେବ'  ଉପହାର ଦେଇଥିଲେ।‌

ପ୍ରତିବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀର ଯେଉଁ ପିଲାମାନେ ଅଧିକ ନମ୍ବର ରଖି ପାଶ୍ କରନ୍ତି କିମ୍ବା ଯେଉଁମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପାଶ୍ କରନ୍ତି ମନୀଷ ଶିଶୋଦିଆ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ  ଭେଟି କଥା ହୁଅନ୍ତି । 

#ବଞ୍ଚିତଙ୍କ ପାଇଁ ବ୍ୟବସ୍ଥା

ସାଧାରଣତଃ ପ୍ରତିକୁଳ ବ୍ୟବସ୍ଥା ଓ ଦାରିଦ୍ର୍ୟ ସତ୍ତ୍ୱେ ଯଦି କେହି ଗୋଟିଏ ଅପାଠୁଆ ପରିବାରରୁ ଆସି ଆଇଏଏସ୍ ହେବାର ଖବର ଆମେ ଖବରକାଗଜରେ ଦେଖୁ , ଆମେ ସେଥିରେ ବିସ୍ମିତ ହେଉ । କାରଣ ଏପରି ଘଟଣା ବିରଳ । ପୁଣି ଏବେ ଯଦି ଗୋଟିଏ ସରକାରୀ ବ୍ୟବସ୍ଥା ଏହି ବଞ୍ଚିତ ବର୍ଗର ପିଲାଙ୍କ ପାଇଁ ବରଦାନ ସଦୃଶ ହୁଏ , ତାହା ମଧ୍ୟ ବିରଳ । 

* ୨୦୧୮ ରେ ଦିଲ୍ଲୀ ସିବିଏସଇ ଦ୍ବାଦଶ ଶ୍ରେଣୀର ବିଜ୍ଞାନରେ ପ୍ରିନ୍ସ ଟପର୍ ହୋଇଥିଲା । ତା'ର ବାପା  ବଢେଇ କାମ କରନ୍ତି । ପ୍ରିନ୍ସ ଏକାନ୍ତରେ ପାଠ ପଢ଼ିବ ବୋଲି ସେ ଗାଧୁଆ ଘରକୁ ଏମିତି ପରିବର୍ତ୍ତନ କରିଥିଲେ ଯେମିତି ସେଠାରେ ପଢ଼ାପଢ଼ି ମଧ୍ୟ କରି ହେବ । ସେଠାରେ ପ୍ରିନ୍ସର ସାନ ଭଉଣୀ ମଧ୍ୟ ପଢୁଥିଲା । ବାପା ମା ରୋଷେଇ ଘରେ ଜାଗା ବାହାର କରି ସେଠାରେ ଶୋଉଥିଲେ । ସେତେବେଳକୁ ପ୍ରିନ୍ସକୁ ଟିବି ବେମାରୀ ହୋଇଥିଲା । ଏସବୁ ସତ୍ତ୍ୱେ ସେ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିଥିଲା ।  ମନୀଷ ଶିଶୋଦିଆଙ୍କୁ ସେ ଏକଥା କହିଥିଲା। 

* ୨୦୧୯ ମସିହାରେ ସୁପର ଥାର୍ଟି ନାଁରେ ବିଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାର ଦିଲ୍ଲୀର ବିଭିନ୍ନ ସ୍କୁଲ ବୁଲି ଦେଖିଥିଲେ। ସେହି ବର୍ଷଠାରୁ ସେ ପ୍ରତିମାସରେ ଥରେ ଆଇଆଇଟି ଓ ଜେଇଇ ପଢିବାକୁ ଇଛୁକ ପିଲାମାନଙ୍କୁ ଅନଲାଇନ କ୍ଲାସ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି । ଏହି ବର୍ଷ ଜୟଭୀମ ପ୍ରତିଭା ବିକାଶ ଯୋଜନାରେ  ୧୦୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ କୋଚିଙ୍ଗ ଇନଷ୍ଟିଚ୍ୟୁଟରେ କୋଚିଙ୍ଗ ନେଇଥିଲେ । ଏହା ଥିଲା ଯୋଜନାର ଆଦ୍ୟାବସ୍ଥା । ସେମାନଙ୍କ ମଧ୍ୟରୁ ୩୫ ଜଣ ଗରିବ ପରିବାରର ପିଲା JEE Mains ଓ NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ପିଲା ଏମିତି ଥିଲେ ଯେଉଁମାନେ ଲେଡି ହାଡିଂ କଲେଜ, ଆଇଆଇଟି-ଦିଲ୍ଲୀ, ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଏନଆଇଟି- ଦିଲ୍ଲୀ ଓ ବନାରସ ହିନ୍ଦୁ ୟୁନିଭର୍ସିଟି ଭଳି ନାମକରା ଟେକ୍ନିକାଲ ଓ ମେଡିକାଲ ପ୍ରତିଷ୍ଠାନରେ ନାମ ଲେଖାଇଥିଲେ। 

* ୨୦୧୯ ମଧ୍ୟ ଥିଲା ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଇଁ ଏକ ସ୍ବତନ୍ତ୍ର ବର୍ଷ  । ସେହି ବର୍ଷ ଅରବିନ୍ଦଙ୍କ ପୁଅ ପୁଲକିତ ଆଇଆଇଟି ଦିଲ୍ଲୀରେ ଆଡ଼ମିଶନ ନେଇଥିଲା । ତା ସାଥିରେ ଆଉ ଜଣେ ଯିଏ ଆଇଆଇଟି ଦିଲ୍ଲୀରେ ଆଡ଼ମିଶନ ନେଇଥିଲା ସେ ଥିଲା ବିଜୟ କୁମାର । ବିଜୟ ଜୟଭୀମ ଯୋଜନାରେ କୋଚିଂ ନେଇଥିଲା । ବିଜୟର ବାପା ଜଣେ ଦରଜୀ । ଗୋଟିଏ ବଖରା ଘରେ ସେମାନଙ୍କର ପୁରା ପରିବାର ଚଳନ୍ତି । କେଜରିୱାଲ ସେତେବେଳେ କହିଥିଲେ " ପୁଲକିତ ଓ ବିଜୟ ଉଭୟ ମୋ ପୁଅ । ଦିଲ୍ଲୀରେ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ମୋ ପରିବାରର ଅଂଶ । " ବରୁଣ ଗାନ୍ଧୀ ନାମକ ଜଣେ ଦିଲ୍ଲୀ ବାସିନ୍ଦା ବିଜୟ କୁମାରଙ୍କ ଆଇଆଇଟି ପାଠପଢ଼ା ପାଇଁ ପ୍ରତିବର୍ଷ ୨ ଲକ୍ଷ ଟଙ୍କା ଦେବାକୁ ଆଗେଇ ଆସିଲେ । 

ଅମରଜିତ୍ । ଶ୍ରମିକ ବସ୍ତିର ଗୋଟିଏ ଛୋଟ କୁଡ଼ିଆରେ ରହୁଥିବା ଜଣେ ଦିନ ମଜୁରୀଆର ପୁଅ । ସେ ମଧ୍ୟ ଜୟ ଭୀମ ଯୋଜନାରେ କୋଚିଂ ନେଇଥିଲା। ୨୦୧୯ରେ ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ପ୍ରବେଶ କଲା । ଆପ୍ ନେତା ରାଜେଶ ଗୋଏଲ୍ ତାର ପଢା ଖର୍ଚ୍ଚ ବାବଦରେ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଦେବାକୁ ଆଗେଇ ଆସିଲେ। 

ଆଉ ଶଶି ବୋଲି ଯେଉଁ ଦଳିତ ଝିଅଟି । ତା ବାପା କାନ୍ଥ ପ୍ଲାଷ୍ଟରିଂ କରି ଦୈନିକ ୪୦୦ ଟଙ୍କା କମାନ୍ତି । ସେ ବି ଖବର ପାଇ ଜୟଭୀମ ଯୋଜନାରେ ସାମିଲ ହୋଇ ଗୋଟିଏ ପ୍ରାଇଭେଟ୍ କୋଚିଂ ସେଣ୍ଟରରେ ୪ ମାସ କୋଚିଂ ନେଇଥିଲା । ଶଶି NEET ପରେ ଲେଡି ହାଡିଂ କଲେଜ ଭଳି ଏକ ନାମକରା ମେଡିକାଲ କଲେଜର ନାମ ଲେଖାଇଛି । ପୂର୍ବତନ ଆପ୍ ମନ୍ତ୍ରୀ ରାଜେନ୍ଦ୍ର ପାଲ୍ ଗୈାତମ ତା ପାଠପଢାର ସବୁ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। 

* ୨୦୨୦ରେ ୫୬୯ ଜଣ ନିଟ୍ ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲା ତମନ୍ନା ଗୋଏଲ । ତା ବାପା ବେରୋଜଗାର । ମା ଅନ୍ୟ ଘରେ ପାଇଟି କରନ୍ତି । ତମନ୍ନା ସର୍ବଭାରତୀୟ ସ୍ତରରେ ୧୧ତମ ସ୍ଥାନ ପାଇଥିଲା । ଖୁସ୍ ଗର୍ଗ ହେଉଛି ଆଉ ଜଣେ ପିଲା ଯିଏ ଜୟଭୀମ ଯୋଜନାରେ ସାମିଲ ହୋଇ ନିଟ୍ ପ୍ରବେଶିକାରେ ସର୍ବଭାରତୀୟ ୪୫୩ ସ୍ଥାନରେ ଥିଲା । ତା ବାପା ନବମ ପାଶ । ଦୋକାନରେ କାମ କରେ । ହିମାଂଶି ଗୋଟିଏ ଡ୍ରାଇଭରର ଝିଅ । ସେ ୧୧୮୧ ସ୍ଥାନ ପାଇଲା । ଚାଷୀର ପୁଅ ଅମିତ୍ କୁମାର ୨୪୫୯ ରାଙ୍କ୍ ପାଇଲା । ବେକରୀ ଦୋକାନରେ କାମ କରୁଥିବା ଲୋକର ପୁଅ ଶୈଳେଶ ୩୬୭୯ ସ୍ଥାନରେ ଥିଲା । ଆକାଂକ୍ଷା ଗୁପ୍ତା ପିଲାଦିନରୁ ମା' ବାପାଙ୍କୁ ହରାଇ ମାମୁଁ ଘରେ ରହି ପଢ଼ୁଥିଲା । ସେ ସର୍ବଭାରତୀୟ ସ୍ତରରେ ୧୦୨୩୯ ସ୍ଥାନରେ ଥିଲା। ଜଣେ ଦରଜୀର ଝିଅ ଖୁସନୁମା ପରବିନକୁ ମିଳିଥିଲା ୬୯୮୨୦ ରାଙ୍କ୍ । ଏମାନେ ସମସ୍ତେ ଦିଲ୍ଲୀ ସରକାରଙ୍କ ଜୟଭୀମ ପ୍ରତିଭା ବିକାଶ ଯୋଜନାର ଆର୍ଥିକ ସହାୟତାରେ କୋଚିଙ୍ଗ୍ ନେଇଥିଲେ ଏବଂ ଏମାନେ ସମସ୍ତେ ହେଉଛନ୍ତି ସରକାରୀ ସ୍କୁଲ୍ ପିଲା। 

ସେହି ୨୦୨୦ରେ ୪୪୩ ଜଣ ସରକାରୀ ସ୍କୁଲ ପିଲା JEE Mains ପାଶ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୫୩ ଜଣ JEE Advanced ପାଇଁ ଯୋଗ୍ୟତା ଅର୍ଜନ କଲେ । ଆୟୁଷ ବଂଶଲର ବାପା ବହି ଦୋକାନରେ କାମ କରେ। ସେ ସର୍ବଭାରତୀୟ ସ୍ତରରେ ୧୮୯ ସ୍ଥାନ ପାଇଁ ଆଇଆଇଟି ରୁର୍କିରେ ନାମ ଲେଖାଇଲା । ଦୁଧ ବିକୁଥିବା ଲୋକର  ଝିଅ ଶାଲୁ ୩୦୬ ରାଙ୍କ୍ ପାଇ ଆଇଆଇଟି ମଣ୍ଡିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଲା । ନିଖିଲର ବାପା ସାଇକେଲ ମରାମତି କରନ୍ତି ଓ ମା' ଗୃହିଣୀ । ସେ ୬୭୮ ସ୍ଥାନରେ ରହି ଆଇଆଇଟି ବମ୍ବେରେ ସିଟ୍ ପାଇଲା । ଜଣେ ଦିନ ମୁଲିଆର ପୁଅ ସନ୍ଦୀପ ୯୭୯ ସ୍ଥାନ ପାଇ‌ ଆଇଆଇଟି ଭୁବନେଶ୍ୱରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଲା । ଗର୍ବିତ ବାତ୍ରା, ଯାହାର ବାପା ଜଣେ ଏସି ମେକାନିକ୍, ସିଏ ୧୨୨୮ ସ୍ଥାନ ପାଇ ଆଇଆଇଟି ଖଡ଼ଗପୁରରେ ନାମ ଲେଖାଇଲା । ଜଣେ ବୁଲାବିକାଳୀର ପୁଅ ରାଜ୍ ୧୮୧୯ ସ୍ଥାନ ପାଇ ଆଇଆଇଟି ରୋପାରରେ କମ୍ପ୍ୟୁଟର ବିଜ୍ଞାନ ପଢିଲା । ଜଣେ ଦୋକାନୀର ପୁଅ ବୈଭବ ୩୫୭୮ ସ୍ଥାନ ପାଇ ଆଇଆଇଟି ରୁର୍କିରେ ପଢିଲା ।‌

୨୦୨୧ରେ ଜୟଭୀମ ଯୋଜନାର ଲାଭ ନେଇ ଦିଲ୍ଲୀ ସରକାରୀ ସ୍କୁଲରୁ ୪୯୬ ଜଣ ନିଟ୍ ପାଶ୍ କରିଥିଲେ, ୩୮୪ ଜଣ JEE Mains ପାଶ୍ କରିଥିଲେ ଓ ୬୪ ଜଣ JEE Advanced ପାଇଁ ଯୋଗ୍ୟ ହୋଇଥିଲେ । କୁଶଲ ଗର୍ଗ ଓ ଇସିକା ଜୈନ ପୂର୍ଣ ମାର୍କ ୭୨୦ରୁ ୭୦୦ ମାର୍କ ପାଇ ସେ ବର୍ଷ ନିଟ୍ ଟପରଙ୍କ ମଧ୍ୟରେ ଆସିଥିଲେ । କୁଶଲର ବାପା ମା କେବେ କଲେଜ ମାଟି ମାଡି ନାହାନ୍ତି । ତା ବାପା ବଢେଇ କାମ କରନ୍ତି । ଇସିକାର ବାପା ଷ୍ଟେସନାରୀ ଦୋକାନ ଚଳାନ୍ତି । 

#୨୦୨୨ରେ ଉଭୟ JEE ଏବଂ NEET ର ସର୍ବଭାରତୀୟ ୧୦୦୦ ଜଣଙ୍କ ମଧ୍ୟରୁ ଦିଲ୍ଲୀର ୨୮ ଜଣଙ୍କୁ ମୂଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ସେ ବର୍ଷ ମୋଟ ୧୧୪୧ ଜଣ କୃତକାର୍ଯ୍ୟ ହୋଇଥିଲେ, ଯେଉଁ ମାନଙ୍କ ମଧ୍ୟରୁ ୬୪୮ ଜଣ NEET ରେ ଓ ୪୯୩ ଜଣ JEE Mainsରେ କୃତକାର୍ଯ୍ୟ ହୋଇଥିଲେ । ତାହା ଛଡା ୭୩ ଜଣ JEE Advanced ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବଞ୍ଚିତ ଶ୍ରେଣୀର ଥିଲେ । 

#୨୦୨୩ରେ ପ୍ରଥମ ଥର ପାଇଁ ମେଡିକାଲ ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ସଂଖ୍ୟା ୪ ଅଙ୍କ ଓ ଆଇଆଇଟି ଜେଇ ଆଡଭାନସ୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାମାନଙ୍କ ସଂଖ୍ୟା ୩ ଅଙ୍କ ଛୁଇଁଲା । ଚଳିତ ବର୍ଷ ୧୦୭୪ ଦିଲ୍ଲୀ ସରକାରୀ ସ୍କୁଲ୍ ପିଲା ନିଟ୍, ୭୨୦ ଜଣ ଜେଇଇ ମେନ୍ସ ଓ ୧୦୪ ଜଣ ଜେଇଇ ଆଡଭାନସ୍ଡ ପ୍ରବେଶିକା ପରୀକ୍ଷାରେ ପାଶ୍‌ କଲେ । ସେମାନଙ୍କ ମଧ୍ୟରୁ ଅସ୍ତୀକ ଜେଇଇ ଓ ପିୟୁଷ ନିଟ୍ ରେ ଟପରଙ୍କ ମଧ୍ୟରେ ଅଛନ୍ତି । 

ପରିବର୍ଦ୍ଧିତ ସୁବିଧା

କୋଭିଡ୍ ବର୍ଷ ସରକାରଙ୍କୁ ନ ଜଣାଇ କେତେକ ପ୍ରାଇଭେଟ୍ କୋଚିଂ ଇନଷ୍ଟିଚ୍ୟୁଟ୍ ପିଲାଙ୍କୁ ଆଡ଼ମିଶନ ଦେଇଥିଲେ । ଏଥିପାଇଁ କିଛିଟା ଅସୁବିଧା ସୃଷ୍ଟି ହୋଇଥିଲା ଏବଂ ସରକାର ସେମାନଙ୍କୁ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା । ସେଥିଯୋଗୁଁ ଦିଲ୍ଲୀ ସରକାର ୨୦୨୩-୨୪ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି । ଏଥର ୨୦ଟି କୋଚିଂ ଇନଷ୍ଟିଚ୍ୟୁଟ୍ ଅନୁବନ୍ଧିତ ହୋଇଛନ୍ତି ଏବଂ ପ୍ରତ୍ୟେକ ଇନଷ୍ଟିଚ୍ୟୁଟ ଜୟଭୀମ ପ୍ରତିଭା ବିକାଶ ଯୋଜନା ଅନ୍ତର୍ଗତ ସର୍ବାଧିକ ୩୦୦ ପିଲାଙ୍କୁ କୋଚିଂ ଦେଇ ପାରିବେ । ତେଣୁ ମୋଟ ୬୦୦୦ ପିଲାଙ୍କ ପାଇଁ ଏହି ସୁବିଧା କରାଯାଇଛି । କେବଳ ଦିଲ୍ଲୀ ସରକାରଙ୍କ ଡାଇରୋକ୍ଟୋରେଟ୍ ଅଫ୍ ଏଜୁକେଶନ ଦ୍ବାରା କମନ୍ ଏଣ୍ଠ୍ରାନ୍ସ ଟେଷ୍ଟରେ ବଛା ଯାଇଥିବା ପିଲାଙ୍କୁ ହିଁ ଏହି ଯୋଜନାରେ ସୁବିଧା ମିଳିବ । ଉଭୟ ଆଇଆଇଟି ଓ ନିଟ୍ ପାଇଁ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ୪ ବର୍ଷ ଓ ୧୧ଶ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ୨ ବର୍ଷ ଏହି ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟରେ କୋଚିଂ ଦିଆଯିବ । 

ଏସବୁ ଇନଷ୍ଟିଚ୍ୟୁଟରେ ମୋଟ ୭୫୦ ଘଣ୍ଟାର କୋଚିଂ ଦିଆଯାଏ । କମନ୍ ଏଣ୍ଠ୍ରାନ୍ସ ଟେଷ୍ଟର ମାର୍କ ଓ ଏକ କାଉନସେଲିଂ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ କୋଚିଂ ଇନଷ୍ଟିଚ୍ୟୁଟକୁ ପଠାଯାଏ । ପ୍ରତିଦିନ ସ୍କୁଲ୍ ସମୟ ବାହାରେ ଓ ସପ୍ତାହାନ୍ତ ଛୁଟି ଦିନ କିମ୍ବା ଇନଷ୍ଟିଚ୍ୟୁଟର ନିଷ୍ପତ୍ତି ଅନୁଯାୟୀ ଅନ୍ୟ ଛୁଟି ଦିନ ଏହି କୋଚିଂ ଦିଆଯାଏ । କେଉଁ ପିଲା କୋଚିଂ ନେଉଛି ଓ କିଏ ଅଧାରୁ ଛାଡି ଦେଉଛି ତାହା ଦେଖି ପ୍ରତି ୬ ମାସରେ ଥରେ ଦିଲ୍ଲୀ ସରକାର ଏହିସବୁ  ଇନଷ୍ଟିଚ୍ୟୁଟକୁ ଟଙ୍କା ଛାଡନ୍ତି । 

କୋଚିଂ ଇନଷ୍ଟିଚ୍ୟୁଟମାନଙ୍କୁ ଅନୁବନ୍ଧିତ କରିବା ପୂର୍ବରୁ ସେମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରି ସେମାନଙ୍କର ମୂଲ୍ୟାୟନ କରାଯାଏ । ଏଥିରେ ଗତ ୩ ବର୍ଷରେ ସେମାନଙ୍କର ସଫଳତାର ହାର ବିଚାରକୁ ନିଆଯାଏ । ସେମାନଙ୍କୁ ଅନୁବନ୍ଧିତ କରିବା ପରେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଓ କେତେକ ନିର୍ଦ୍ଦିଷ୍ଟ ପରିମାପ ଆଧାରରେ ସେମାନଙ୍କ କାର୍ଯ୍ୟ ଉପରେ ଦିଲ୍ଲୀ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି । କେତେ ପିଲା ଯୋଗ ଦେଉଛନ୍ତି, କ'ଣ ପଢା ଯାଉଛି, କେଉଁ ପିଲାର କେତେ ଉନ୍ନତି ହେଉଛି , କେଉଁ ପିଲା ମକ୍ ଟେଷ୍ଟରେ କେତେ ନମ୍ବର ରଖୁଛି - ଏସବୁର ଖବର ଦିଲ୍ଲୀ ସରକାର ଲଗାତର ରଖିଥାନ୍ତି । 

ଅନଲାଇନ୍ କୋଚିଂ

ଏ ତ ଗଲା ଅଫଲାଇନ୍ କୋଚିଂର କଥା । ଦିଲ୍ଲୀ ସରକାର ଏସବୁ କୋଚିଂ ପାଇଁ ଅନଲାଇନ ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ତାହା ମଧ୍ୟ ଉପରେ ବର୍ଣ୍ଣିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଏହା ସମ୍ପୂର୍ଣ୍ଣ ମାଗଣା । ଏଥିପାଇଁ 'ଅବନ୍ତି ଫେଲୋଜ୍' ନାମକ ଏକ ଅନଲାଇନ କୋଚିଂ ସଂସ୍ଥା ସହ ୧୬୦ ପିଲାଙ୍କୁ ନେଇ ଏକ ପରୀକ୍ଷାମୂଳକ ଉଦ୍ୟମ ହୋଇଥିଲା । ଏହାର ଫଳାଫଳ ଉତ୍ସାହବର୍ଦ୍ଧକ ଥିଲା ।‌ ଏଥିରେ JEE Mains ରେ ୬୫%, JEE Advanced ରେ ୩୫% ଓ NEET ରେ ୯୦% ପିଲା କୃତକାର୍ଯ୍ୟ ହୋଇଥିଲେ । ତେଣୁ ଚଳିତବର୍ଷ ଠାରୁ ଏହା ପୁର୍ଣ ମାତ୍ରାରେ ଆରମ୍ଭ ହେଉଛି ଯେଉଁଥିରେ ସର୍ବାଧିକ ୬୦୦୦ ପିଲା ମାଗଣା ଅନଲାଇନ୍ କୋଚିଂ ପାଇବେ । ଏଥିରେ ସରକାରୀ ସ୍କୁଲର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲା କୋଚିଂ ପାଇବେ । ସେମାନଙ୍କର ମେଣ୍ଟର୍ ବା ମାର୍ଗଦର୍ଶକ ବି ରହିବେ ଯେଉଁମାନେ ଆଗରୁ ପଢାପଢିରେ ସଫଳ ହୋଇ ପ୍ରତିଷ୍ଠିତ ହୋଇଛନ୍ତି । ସେମାନେ ପିଲାଙ୍କୁ ବତେଇବେ କେମିତି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼େ, ଭବିଷ୍ୟତରେ ସେମାନଙ୍କ ପାଇଁ କଣ କଣ ଭଲ ସମ୍ଭାବନା ବା ମାର୍ଗ ରହିଛି ଏବଂ ସେମାନେ ନିଜ ନିଜ ଦାୟିତ୍ୱରେ ଥିବା ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରନ୍ତି । ଦିଲ୍ଲୀ ସରକାରଙ୍କ ଡାକରାରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମେଣ୍ଟର ହେବାକୁ ଆଗେଇ ଆସିଛନ୍ତି । ଏହା ଛଡ଼ା ପିଲାଙ୍କୁ ମାଗଣାରେ ମଡ୍ୟୁଲ ଓ ଟେଷ୍ଟ ସିରିଜ୍ ଯୋଗାଇ ଦିଆଯାଏ । ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସ୍କୁଲ ସମୟ ପରେ ଗୁଗଲମିଟ୍/ଜୁମ୍ ଜରିଆରେ ଦୁଇ ତିନି ଘଣ୍ଟା ଏହି କୋଚିଂ ଚାଲେ ଓ ପ୍ରତି ରବିବାର ଗୋଟିଏ ତିନି ଘଣ୍ଟାର ଟେଷ୍ଟ ହୁଏ । ପିଲାଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି ସେମାନଙ୍କର କେଉଁ ବିଷୟରେ ସନ୍ଦେହ ରହୁଛି ବା କେଉଁଠି ସେମାନେ ଅଟକୁଛନ୍ତି ତାହାର    ସମାଧାନ କରାଯାଏ । 

ଆଡମିଶନ୍ ପରେ

ଏହି ସାମାଜିକ ଓ ଆର୍ଥିକଭାବେ ବଞ୍ଚିତ ପରିବାରର ପିଲାମାନେ କୋଚିଂ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷାରେ ସିନା ପାଶ କରିଗଲେ । କିନ୍ତୁ ଆଡ଼ମିଶନ ପରେ ସେମାନେ ପଢିବାକୁ ଟଙ୍କା କୁଆଡୁ ଆଣିବେ ?  ଉଚ୍ଚଶିକ୍ଷାର ସୁଯୋଗ ପାଇବା ସମୟରେ ଦିଲ୍ଲୀ ସରକାର ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ ପ୍ରଦାନରେ ନିଜେ ବ୍ୟାଙ୍କ ପାଖରେ ଗ୍ୟାରେଣ୍ଟର ରହୁଛନ୍ତି । ଯଦି କୌଣସି କାରଣରୁ ଭବିଷ୍ୟତରେ ପିଲାଟି ଋଣ ସୁଝି ନପାରେ ତେବେ ଦିଲ୍ଲୀ ସରକାର ତାହା ସୁଝିବେ । ଚଳିତ ବର୍ଷ ଅରବିନ୍ଦ କେଜରିୱାଲ ସରକାର ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି । ଅନେକ ବାପା ମା ଅଛନ୍ତି ଯେଉଁମାନେ ତାଙ୍କ ପିଲାଏ ମେଧାବୀ ଥିଲେ ମଧ୍ୟ ସେମାନଙ୍କ ପାଠପଢା ଅଧାରୁ ବନ୍ଦ କରି ଦିଅନ୍ତି । କାରଣ ପିଲାକୁ ଅଧିକ ପଢାଇବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ ଓ ବ୍ୟାଙ୍କ ସେମାନଙ୍କୁ ଶିକ୍ଷା ଋଣ ଦେବା ନାହିଁ । କିନ୍ତୁ ଦିଲ୍ଲୀ ସରକାରଙ୍କ ଏହି ଶିକ୍ଷାଋଣ ବ୍ୟବସ୍ଥା ସେମାନଙ୍କୁ ଆଶା ଦେଉଛି । 

ଅର୍ଥହୀନ ସର୍ଭେ 

କେନ୍ଦ୍ର ସରକାରଙ୍କର ଏ ଯେଉଁ ସର୍ଭେ ରିପୋର୍ଟ ଆସିଛି ତାହା ଅର୍ଥହୀନ ଅଟେ । ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପରିମାପରେ ଲକ୍ଷାଧିକ ସ୍କୁଲରୁ ସର୍ବନିମ୍ନ ଆବଶ୍ୟକତା ସମ୍ବନ୍ଧୀୟ ଡାଟା ସଂଗ୍ରହ କରି ଯେଉଁ ରିପୋର୍ଟ ପ୍ରସ୍ତୁତ ହେଉଛି ତାହା କେବଳ ଏକ ରାଜନୈତିକ ଭଲିବଲ ଛଡ଼ା ଆଉ କିଛି ନୁହେଁ ।  ପ୍ରଥମ ସଂସ୍ଥାର ଅସର ରିପୋର୍ଟରେ ଭଲ ମାର୍କ ପାଇଲେ କେବଳ ଏତିକି ଜାଣି ଆମେ ଖୁସି ହେବା ଯେ ଏଣିକି ଅଷ୍ଟମ ଶ୍ରେଣୀର ପିଲା ପଞ୍ଚମ ଶ୍ରେଣୀର ବହି ପଢ଼ି ପାରୁଛନ୍ତି । କିନ୍ତୁ  ଦିଲ୍ଲୀ ସରକାର ନୂଆ କିଛି କରୁଛନ୍ତି । ପ୍ରକୃତ ପ୍ରଶ୍ନ ହେଉଛି,  ଓଡ଼ିଶାର ସ୍କୁଲଗୁଡ଼ିକରୁ ମଧ୍ୟ ଏହି ବଞ୍ଚିତ ବର୍ଗର ପିଲାଏ କାହିଁକି ଉତ୍କର୍ଷତାକୁ ଛୁଇଁବେ ନାହିଁ ?