ପି ବିଶ୍ଵନାଥ, ଅରୁଣା ଆସଫ ଅଲି ଓ ଇନ୍ଦିରା ଗାନ୍ଧୀ : ଜଣେ ସାମ୍ବାଦିକର ସ୍ମୃତି

ପି ବିଶ୍ଵନାଥ, ଅରୁଣା ଆସଫ ଅଲି ଓ ଇନ୍ଦିରା ଗାନ୍ଧୀ : ଜଣେ ସାମ୍ବାଦିକର ସ୍ମୃତି
ଫଟୋ - ପ୍ରଶାନ୍ତ ପଟ୍ଟନାୟକ

ରାଜନାରାୟଣଙ୍କ ଦ୍ୱାରା ଆଗତ ପିଟିସନ ଆଧାରରେ  ଆହ୍ଲାବାଦ୍‍ ହାଇକୋର୍ଟର ରାୟ ତତ୍କାଳୀନ  ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନକୁ ଅସିଦ୍ଧ ବୋଲି ଘୋଷଣା କରିବା ପରେ, ଯେ କୌଣସି ପ୍ରକାରେ ଶାସନ କ୍ଷମତାରେ ରହିବା ପାଇଁ ଶ୍ରୀମତି ଗାନ୍ଧି  ଜାତୀୟ ଆପାତ କାଳୀନ ପରିସ୍ଥିତି ଘୋଷଣା କରିଥିଲେ । ସେ ସମୟରେ ତାଙ୍କୁ ସମାଲୋଚନା କରୁଥିବା ବା ବିରୋଧ କରୁଥିବା ଶହ ଶହ ସଂଖ୍ୟକ ରାଜନେତାଙ୍କୁ କାରାବରଣ କରିବାକୁ ପଡୁଥିଲା । ସେହି ପ୍ରମୁଖ ନେତାମାନଙ୍କ ମଧ୍ୟରେ ଥିଲେ ଜୟପ୍ରକାଶ ନାରାୟଣ, ଜର୍ଜ ଫର୍ଣ୍ଣାଣ୍ଡିଜ, ଓଡିଶାରୁ ବିଜୁ ପଟ୍ଟନାୟକ, ରବି ରାୟ, ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ ।  ଜରୁରୀ କାଳୀନ ପରିସ୍ଥିତି ଜାରି ହେବା ପରେ ସମ୍ବାଦ ପ୍ରକାଶ ଉପରେ କଟକଣା ଜାରି କରାଯାଇଥିଲା ଓ କୌଣସି ପ୍ରକାର ସରକାରଙ୍କୁ ବା ଶ୍ରୀମତି ଗାନ୍ଧିଙ୍କ ବିରୁଦ୍ଧରେ ସମାଲୋଚନାତ୍ମକ ଲେଖା ପ୍ରକାଶ କରାଯାଉନଥିଲା । ସେତେବେଳେ ସମ୍ବାଦପତ୍ର ବ୍ୟତୀତ ଆଉ କୌଣସି ଘରୋଇ ଗଣମାଧ୍ୟମ ନଥିଲା । ତେଣୁ ଘରୋଇ ଗଣମାଧ୍ୟମଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ବ୍ୟବସ୍ଥା ଗ୍ରହଣ କରିଥିଲେ ଓ ପ୍ରତିଟି ସମ୍ବାଦକୁ ଯାଞ୍ଚ ପରେ ପ୍ରକାଶ କରିବାକୁ ଅନୁମତି ଦେଉଥିଲେ । ଯେଉଁମାନେ ଏହାର ଖିଲାପ କରୁଥିଲେ ସେମାନଙ୍କ ବିରୁଦ୍ଧରେ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଥିଲା । 


 ଏହି ଭଳି ଘଡିସନ୍ଧି ସମୟରେ ଏକଦା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନିକଟତମ ବ୍ୟକ୍ତି ଭାବରେ ପରିଚିତ ବମ୍ବେର ବିଖ୍ୟାତ ହୃଦରୋଗ ବିଷେଷଜ୍ଞ ଡକ୍ଟର ଏ.ଭି ବାଲିଗା, ନେହେରୁ ପରିବାରର  ଘନିଷ୍ଠ ଓ ଶୁଭେଚ୍ଛୁ ଭାବରେ ପରିଚିତ ଶ୍ରୀମତି ଅରୁଣା ଅସଫ୍‍ ଅଲୀ, ପ୍ରଖ୍ୟାତ ବାମପନ୍ଥୀ ସାମ୍ବାଦିକ ଶ୍ରୀ ଏଡେ ଟାଟା ନାରାୟଣ, ପି ବିଶ୍ୱନାଥ ପ୍ରମୁଖଙ୍କ ଦ୍ୱାରା ପ୍ରକାଶିତ ଦୈନିକ ‘ପ୍ୟାଟ୍ରିୟଟ୍‍’ ଓ ସାପ୍ତାହିକ ‘ଲିଙ୍କ୍‍’  ଆରମ୍ଭରୁ ଶ୍ରୀମତି ଗାନ୍ଧିଙ୍କ ସମାଜବାଦୀ କାର୍ଯ୍ୟକଳାପକୁ ଦୃଢ଼ ସମର୍ଥନ ଜଣାଇ ଆସୁଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଶ୍ରୀମତୀ ଗାନ୍ଧିଙ୍କ କନିଷ୍ଠ ପୁତ୍ର ଶ୍ରୀ ସଞ୍ଜୟ ଗାନ୍ଧିଙ୍କ ଅଚାନକ ଅଭ୍ୟୁତ୍ଥାନ ଓ ବିବଦମାନ କାର୍ଯ୍ୟକଳାପକୁ ସମର୍ଥନ କରୁନଥିଲେ । ତେଣୁ ବିଭିନ୍ନ ସମୟରେ ଏହାର ତୀବ୍ର ସମାଲୋଚନା କରି ସମ୍ବାଦମାନ ପ୍ରକାଶ କରୁଥିଲେ । ‘ପ୍ୟାଟ୍ରିୟଟ୍‍’ ଓ ‘ଲିଙ୍କ୍‍’ ସଞ୍ଜୟ ଗାନ୍ଧିଙ୍କୁ ‘କ୍ୟାକଷ୍‍’ ଏବଂ ‘ଏକ୍ସ୍ଟ୍ରା କନ୍ଷ୍ଟିଚ୍ୟୁସନାଲ  ପାୱାର୍‍ ଅଥୋରିଟି’ ଭାବରେ ଅବିହିତ କରିଥିଲେ । କ୍ରମେ ଭାରତୀୟ ସାମ୍ବାଦିକତାରେ ‘କ୍ୟାକସ୍‍’ ଏବଂ ’ଏକ୍ସ୍ଟ୍ରା କନ୍ଷ୍ଟିଚ୍ୟୁସନାଲ  ପାୱାର୍‍ ଅଥୋରିଟି’ ବହୁଳ ଭାବରେ ବ୍ୟବହୃତ ହେବାକୁ ଲାଗିଲା । ଯାହାକି ଶ୍ରୀମତି ଗାନ୍ଧି ଏବଂ ତାଙ୍କ ସମର୍ଥକମାନଙ୍କୁ ବସ୍ତୁତଃ ପ୍ରଚଣ୍ଡ ଆଘାତ ଦେଇଥିଲେ ମଧ୍ୟ ସେମାନେ ଆଇନତଃ ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ପାରୁନଥିଲେ । 


 ଶ୍ରୀମତୀ ଗାନ୍ଧି ତଥା ନେହେରୁ ପରିବାରର ଘନିଷ୍ଠ ସମର୍ଥକ ଭାବରେ ପରିଚିତ ଏହି ସମ୍ବାଦପତ୍ର ଓ ସମ୍ବାଦପତ୍ରିକା ଏବଂ ଏହା ସହ ସମ୍ପୃକ୍ତ ସାମ୍ବାଦିକମାନଙ୍କ ଆଚରଣକୁ ନେଇ ଶ୍ରୀମତି ଗାନ୍ଧି ଓ ତାଙ୍କୁ ଘେରି ରହିଥିବା କ୍ଷମତା ଚକ୍ରି ଗୋଷ୍ଠୀ ଯଥେଷ୍ଟ କ୍ଷୁବ୍ଧ ହୋଇଥିଲେ ମଧ୍ୟ ଶ୍ରୀମତୀ ଆସଫ୍‍ଅଲୀ, ଶ୍ରୀ ଏଡେ ଟାଟା ନାରାୟଣ ଓ ଶ୍ରୀ ବିଶ୍ୱନାଥଙ୍କ ଭଳି କଠୋର ସ୍ପଷ୍ଟବାଦୀ ବାମପନ୍ଥୀମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ପାରିନଥିଲେ । 


 ୧୯୫୮ ମସିହାରୁ ଭାରତର ସର୍ବପ୍ରଥମ ସମ୍ବାଦ ସାପ୍ତାହିକ ଭାବରେ ପ୍ରକାଶିତ ‘ଲିଙ୍କ୍‍’ ଏବଂ ୧୯୬୩ ମସିହାରୁ ପ୍ରକାଶିତ ‘ପ୍ୟାଟ୍ରିୟଟ୍‍’ ଦୈନିକ ଦେଶରେ ସାମ୍ୟବାଦୀ ଚିନ୍ତାଧାରର ମୁଖପତ୍ର ଭାବରେ ଯଥେଷ୍ଟ ଆଦୃତ ହୋଇଥିଲେ । ଶ୍ରୀ ନାରାୟଣ ଏହି ଦୁଇଟି ଯାକର ସମ୍ପାଦକ ମଣ୍ଡଳୀର ଅଧ୍ୟକ୍ଷ ଥିବା ସମୟରେ ଶ୍ରୀ ବିଶ୍ୱନାଥ ପ୍ୟାଟ୍ରିୟଟ୍‍ର ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଉଥିଲେ । ୧୯୭୫ ମସିହା ଜୁନ୍‍ ୨୬ ତାରିଖ ଦିନ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ   ଦେଶର ଅଧିକାଂଶ ସମ୍ବାଦପତ୍ର ଓ ସାମ୍ବାଦିକମାନେ ଆଖି ବୁଜି ଶ୍ରୀମତି ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି ସରକାରଙ୍କ କାର୍ଯ୍ୟକଳାପର ପ୍ରଶଂସାରେ ଶତମୁଖ ହୋଇପଡିଥିଲେ । ମାତ୍ର ‘ଲିଙ୍କ୍‍’ ଓ ‘ପ୍ୟାଟ୍ରିୟଟ୍‍’ର ସମ୍ପାଦକୀୟ ଆଭିମୁଖ୍ୟରେ ସାମାନ୍ୟତମ ପରିବର୍ତ୍ତନ ହୋଇନଥିଲା । 


 ଏହି ସମୟରେ ଶ୍ରୀ ବିଶ୍ୱନାଥ ଫୁସ୍‍ଫୁସ୍‍ କର୍କଟ ରୋଗରେ ପୀଡିତ ହେଲେ । ସେ ଅବିବାହିତ ଥିଲେ ଓ ପ୍ରଚୁର ସିଗାରେଟ୍‍ ପିଇବା ଥିଲା ତାଙ୍କର ଅଭ୍ୟାସ । ସେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ତଥା ବମ୍ବେର ଟାଟା ମେମୋରିଆଲ୍‍ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେବା ପରେ ଦିଲ୍ଲୀରେ ନିଜ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ହେତୁ ନିୟମିତ ଅଫିସ୍‍କୁ ଆସିବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା । 


  ଓଡିଶା ପ୍ରତି ଶ୍ରୀ ବିଶ୍ୱନାଥଙ୍କର ମନରେ ଅମାପ ସ୍ନେହ ଓ ଶ୍ରଦ୍ଧା ଥିଲା । ଭୁବନେଶ୍ୱରରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ କମିଟିର ଅଧିବେସନରେ ଯୋଗ ଦେବା ପାଇଁ ଆସି ସେ ଓଡିଶାକୁ ଭଲ ପାଇ ବସିଥିଲେ । ସେତେବେଳେ ଶ୍ରୀ ରାମହରି ମିଶ୍ର ପ୍ୟାଟ୍ରିୟଟ୍‍ର ସାମ୍ବାଦିକ  ଭାବରେ କାମ କରୁଥାଆନ୍ତି ।  ପରବର୍ତ୍ତୀ କାଳରେ ମୁଁ ପ୍ୟାଟ୍ରିୟଟ୍‍ରେ ଯୋଗ ଦେବା ପରେ ବିଶ୍ୱନାଥ ମତେ ଅତିମାତ୍ରାରେ ଶ୍ରଦ୍ଧା କରିବା ଆରମ୍ଭ କରିଥିଲେ ଓ ନିଜ ପରିବାରର ଜଣେ ଭଳି ବ୍ୟବହାର କରୁଥିଲେ । 


 ଜରୁରୀକାଳୀନ ପରିସ୍ଥିତି ସମୟରେ ମୁଁ ପଠାଉ ଥିବା ରିପୋର୍ଟଗୁଡିକ ସ୍ଥାନୀୟ ଯାଞ୍ଚ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ନ କରାଇ ସିଧାସଳଖ ଶ୍ରୀ ବିଶ୍ୱନାଥଙ୍କ ପାଖକୁ ପଠାଇ ଦେଉଥିଲେ ମଧ୍ୟ ସେ ମୋର ସମସ୍ତ ରିପୋର୍ଟ ପ୍ରକାଶ କରିବାରେ କୁଣ୍ଠିତ ହୋଇନଥିଲେ । ଏପରିକି ଜରୁରୀକାଳୀନ ପରିସ୍ଥିତିର ସୁଯୋଗ ନେଇ ରାଜ୍ୟର କେତେକ ପଦସ୍ଥ ଅମଲାତାନ୍ତ୍ରୀ ଆତ୍ମ ପ୍ରଚାର ପାଇଁ ଗଣମାଧ୍ୟମକୁ ବ୍ୟବହାର କରିବା ଲାଗି ଉଦ୍ୟମ କରୁଥିବା ସମ୍ପର୍କୀତ ମୋର ତଥ୍ୟ ସମ୍ବଳିତ ସମ୍ବାଦକୁ ମଧ୍ୟ ସେ ସ୍ଥାନୀତ କରୁଥିଲେ । ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀମତି ନନ୍ଦିନୀ ଶତପଥୀଙ୍କ କାର୍ଯ୍ୟକଳାପ ସମ୍ପର୍କୀତ ମୋର ସମାଲୋଚନା ମୂଳକ ସମ୍ବାଦ ପ୍ରକାଶ କରିବା ପାଇଁ ସେ କେବେହେଲେ କୁଣ୍ଠିତ ହୋଇନଥିଲେ । କୌଣସି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କୁତ୍ସାମୂଳକ ସମ୍ବାଦ ନଦେଇ ଓଡିଶାର ଜନସାଧାରଣଙ୍କୁ କରାଯାଉଥିବା ଅବହେଳା, ଅବିଚାର ସମ୍ପର୍କୀତ ସମାଜ ପଠାଉଥିବାରୁ ଶ୍ରୀ ବିଶ୍ୱନାଥ ସର୍ବଦା ଖୁସି ରହୁଥିଲେ । 


 ଶ୍ରୀ ବିଶ୍ୱନାଥଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମେ ଅବନତି ଘଟିବାରୁ ଦିନେ ସନ୍ଧ୍ୟାରେ ସେ ମତେ ଫୋନ କରି ତାଙ୍କୁ ଦେଖା କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଁ ତାଙ୍କ କଥା ମାନି ତା ପରଦିନ ଦିଲ୍ଲୀ ଯିବା ପାଇଁ ଟିକେଟ୍‍ କରିଥିଲି । ଦିଲ୍ଲୀରେ ପହଞ୍ଚିବା ପରେ ଅନୁଭବ କଲି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଅଧିକାଂଶ ସାମ୍ବାଦିକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ହୃଦୟ ଖୋଲି ଲେଖାଲେଖି କରିବାରୁ ବଞ୍ଚିତ ହୋଇ ‘ହିନ୍ଦୁସ୍ତାନ ଟାଇମ୍ସ’ର ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ଦାସ୍‍ ହୃଦରୋଗରେ ମୃତ୍ୟୁବରଣ କଲା ଭଳି ବହୁ ସାମ୍ବାଦିକ  ମାନସିକ ଚାପରେ ଏକ ପ୍ରକାର ଅସୁସ୍ଥ ହୋଇ ପଡିଛନ୍ତି । ଲିଙ୍କ୍‍ ହାଉସ୍‍ ପରିସର ମଧ୍ୟରେ ମଧ୍ୟ ତାହାର ପ୍ରତିଫଳନ ସ୍ପଷ୍ଟ ହେଉଥିଲା । 


 ମୁଁ ଦିଲ୍ଲୀରେ ପହଞ୍ଚିବା ପରେ ଶ୍ରୀମତି ଅରୁଣା ଆସଫ୍‍ ଅଲୀଙ୍କ ଦପ୍ତରରେ ବସି ତାଙ୍କ ସହ ଆଳାପ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀମତି ଗାନ୍ଧିଙ୍କ ଦପ୍ତରରୁ ଜନୈକ ପଦସ୍ଥ ଅଫିସର ଆସି ତାଙ୍କୁ ଦେଖା କରିବା ପାଇଁ ଅନୁମତି ଚାହିଁଥିଲେ ଓ ସେ ଅନୁମତି ଦେବା ପରେ ଭିତରେ ପଶି ତାଙ୍କୁ ଜଉ ମୁଦ ଦିଆ ଚିଠିଟେ ବଢ଼ାଇ ଦେଇଥିଲେ । ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ବସିବା ପାଇଁ ଅନୁରୋଧ କରି ଶ୍ରୀମତୀ ଆସଫ୍‍ ଅଲୀ ଚିଠିଟି ଖୋଲି ପଢ଼ିଲେ ଏବଂ ସଙ୍ଗେ ସଙ୍ଗେ ଉକ୍ତ ଭଦ୍ରଲୋକଙ୍କ ଉଦ୍ଦେଶ୍ୟରେ କହିଲେ, “ ଇନ୍ଦିରାଜୀଙ୍କ ଇଛାରେ ଆମେ କାହିଁକି ବାଧା ଦେବୁ  ବରଂ ତାଙ୍କୁ ସ୍ୱାଗତ କରିବୁ ।” 


  ଶ୍ରୀମତି ଆସଫ୍‍ ଅଲୀଙ୍କ ମୁହଁରୁ ଏତିକି ଶୁଣି ପତ୍ରବାହକ ସସମ୍ମାନେ ତାଙ୍କ ଠାରୁ ବିଦାୟ ନେଇଥିଲେ । 


 ସେ ଚାଲିଯିବା ପରେ ଅରୁଣାଜୀ ମୋ ହାତକୁ ଶ୍ରୀମତି ଗାନ୍ଧିଙ୍କ ଠାରୁ ଆସିଥିବା ଚିଠିଟି ବଢ଼ାଇ ଦେଇଥିଲେ । ଯେଉଁ ଥିରେ ଲେଖା ଥିଲା ଯେ ଶ୍ରୀ ବିଶ୍ୱନାଥଙ୍କ ଅସୁସ୍ଥତା ଯୋଗୁଁ ସେ ବିଶେଷ ଚିନ୍ତିତା ଏବଂ ଚିକିତ୍ସା ପାଇଁ ଶ୍ରୀ ବିଶ୍ୱନାଥ ବିଦେଶକୁ ଯିବା ପୂର୍ବରୁ ସେ ତାଙ୍କ ସହିତ ଦେଖା କରିବା ପାଇଁ ଆସନ୍ତା କାଲି ତାଙ୍କ ଘରକୁ ଆସିବେ । ତା ଛଡା ଶ୍ରୀ ବିଶ୍ୱନାଥଙ୍କ ଚିକିତ୍ସା ପାଇଁ ଯାହା କିଛି ଆବଶ୍ୟକ ସେ ସବୁ ବ୍ୟବସ୍ଥା କରିବା ଲାଗି ସେ ପ୍ରସ୍ତୁତ ଅଛନ୍ତି । 


 ଭାରତର ପ୍ରଧାନମନ୍ତ୍ରୀ ଲୌହମାନବୀ ଭାବରେ ପରିଚିତା ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ମନରେ ବିଶ୍ୱନାଥଙ୍କ ଭଳି ସାମ୍ବାଦିକଙ୍କ ପ୍ରତି ଥିବା ଦରଦ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇନଥିଲି । କାରଣ ଶ୍ରୀମତି ଗାନ୍ଧି, ଶ୍ରୀ ବିଜୁ ପଟ୍ଟନାୟକ, ଶ୍ରୀ ବିଶ୍ୱନାଥ ଏବଂ ଭିକେ କ୍ରିଷ୍ଣା ମେନନ୍‍ ପ୍ରଭୃତିଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଘନିଷ୍ଠତା ବିଷୟ ନିଜେ ଶ୍ରୀ ବିଶ୍ୱନାଥ ମୋ ସହ କୋଣାର୍କ  ଯାଇଥିବା ସମୟରେ ମତେ ପ୍ରାଞ୍ଜଳ ଭାବରେ କହିଥିଲେ । 


 ମୁଁ ଶ୍ରୀମତି ଆସଫ୍‍ ଅଲୀଙ୍କ ଠାରୁ ବିଦାୟ ନେଇ ଆସିବା ପୂର୍ବରୁ ଆସନ୍ତା କାଲି ସକାଳ ସାଢ଼େ ନଅଟା ସୁଦ୍ଧା ଲିଙ୍କ୍‍ ହାଉସରେ ପହଞ୍ଚିବା ପାଇଁ ମତେ ନିର୍ଦ୍ଦେଶ ଦେଇଥିଲେ । 


 ପରଦିନ ନିର୍ଦ୍ଧାରିତ ସମୟରେ ମୁଁ ପହଞ୍ଚିଲି । ଶ୍ରୀମତୀ ଆସଫ୍‍ ଅଲୀଙ୍କ ସହ କଫି ପିଇବା ପରେ ସେ ଉଠିପଡି କହିଲେ ଆମକୁ ଶ୍ରୀ ବିଶ୍ୱନାଥଙ୍କ ଘରକୁ ଯିବାକୁ ପଡିବ । ମୁଁ ଚାହେନା ଶ୍ରୀମତି ଗାନ୍ଧି ସେଠାକୁ ଆସିବା ଖବର ପ୍ରଚାରିତ ହେଉ ଏବଂ ସେଠାରେ ଭିଡ ଜମୁ । 


  ଶ୍ରୀ ବିଶ୍ୱନାଥଙ୍କ ଘରେ ପହଞ୍ଚି ଦେଖିଲି ସେ ପୂର୍ବାପେକ୍ଷା ଯଥେଷ୍ଟ ଦୁର୍ବଳ ହୋଇଯାଇଛନ୍ତି । କର୍କଟ ରୋଗରେ ଫୁସ୍‍ଫୁସ୍‍ ଆକ୍ରାନ୍ତ ହୋଇଥିବା ଯୋଗୁଁ କଥାବାର୍ତ୍ତା କରିବା ଲାଗି ତାଙ୍କୁ ମନା କରାଯାଇଛି । ମୁଁ ତାଙ୍କୁ ପ୍ରଣାମ ଜଣାଇବା ପରେ ସେ ମତେ ପାଖ ଚୌକିଟାରେ ବସିବା ପାଇଁ ଇସାରା ଦେଇ ନିର୍ଦ୍ଦେଶ ଦେଲେ । ଅରୁଣାଜୀ ମଧ୍ୟ ବାମପଟ ଚୌକୀରେ ବସିଲେ ।


 ଶ୍ରୀ ବିଶ୍ୱନାଥଙ୍କର ଜନୈକା ସମ୍ପର୍କୀୟା ଓ ଜଣେ ନର୍ସଙ୍କ ବ୍ୟତୀତ ସେଠାରେ ଆଉ କେହି ନଥିଲେ । ଅଳ୍ପ ସମୟ ପରେ ଶ୍ରୀମତି ଗାନ୍ଧି ଆସୁଥିବାର ସୂଚନା ମିଳିଲା । ସୌଜନ୍ୟତା ଦୃଷ୍ଟିରୁ ମୁଁ ସେଠାରେ ଉପସ୍ଥିତ ରହିବା ଅନୁଚିତ ମନେ କରି ଅରୁଣାଜୀଙ୍କୁ ତାହା ଜଣାଇ ନିକଟସ୍ଥ ଲାଇବ୍ରେରୀ ରୁମ୍‍କୁ ଚାଲିଯାଇଥିଲି । ଅଳ୍ପ ସମୟ ପରେ ଶ୍ରୀମତି ଗାନ୍ଧି ଆସି ପହଞ୍ଚି ଥିଲେ । ସେ  ଅରୁଣାଜୀଙ୍କୁ ସମ୍ମାନ ଜଣାଇ ଶ୍ରୀ ବିଶ୍ୱନାଥଙ୍କ ଶଯ୍ୟା ନିକଟକୁ ଯାଇଥିଲେ  ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଶ୍ରୀ ବିଶ୍ୱନାଥ କଥା କହିବା ଲାଗି କଷ୍ଟ ଅନୁଭବ କରୁଥିବାରୁ ତାଙ୍କ ରିପୋର୍ଟଟିକୁ ଶ୍ରୀମତୀ ଗାନ୍ଧିଙ୍କ ହାତକୁ ବଢ଼ାଇ ଦେଇଥିଲେ । ଅଳ୍ପ ସମୟ ପରେ ଶ୍ରୀମତୀ ଗାନ୍ଧି ସେଠାରୁ ବିଦାୟ ନେବା ପୂର୍ବରୁ ଶ୍ରୀ ବିଶ୍ୱନାଥଙ୍କ ହାତକୁ ଧଳା ଲଫାପାଟିଏ ବଢ଼ାଇ ଦେଇଥିଲେ । 


 ଶ୍ରୀମତି ଗାନ୍ଧି ବିଦାୟ ନେବା ପରେ ମୁଁ ପୁର୍ନବାର ଶ୍ରୀ ବିଶ୍ୱନାଥଙ୍କ ଶଯ୍ୟା ନିକଟକୁ ଯାଇଥିଲି । ସେତେବେଳେ ଶ୍ରୀ ବିଶ୍ୱନାଥ ଶ୍ରୀମତି ଗାନ୍ଧି  ତାଙ୍କ ହାତକୁ ବଢ଼ାଇ ଦେଇଥିବା ଲଫାପାଟି ଖୋଲି ପଢ଼ିବା ପରେ ତାହା ଭିତରେ ଥିବା ମାତ୍ର ଚାରିଧାଡିର ଟାଇପ୍‍  କରା ଧଳା କାଗଜ ଖଣ୍ଡିକ ଅରୁଣାଜୀଙ୍କ ହାତକୁ ବଢ଼ାଇ ଦେଇଥିଲେ । ଅରୁଣାଜୀ କିଛି ସମୟ ପାଇଁ ସେହି ଲେଖାକୁ ନିରୀକ୍ଷଣ କଲା ପରେ ଅନୁଚ୍ଚ ସ୍ୱରରେ କହିଥିଲେ, “ ବଲ୍‍ ଇଜ୍‍ ଇନ୍‍ ଇୟୋର୍‍ କୋର୍ଟ । ୟୁ ହାଭ୍‍ ଟୁ ଡିସାଇଡ୍‍ ନାଓ ।” 


 ପାଖ ଟି ପଏ ଉପରେ ପଡିଥିବା ସେ ଦିନର ସଂସ୍କରଣ ପ୍ୟାଟ୍ରିୟଟ୍‍ଟିକୁ ଉଠାଇ ଆଣି ଶ୍ରୀ ବିଶ୍ୱନାଥ କିଛି ସମୟ ପାଇଁ ଦେଖିଲେ । ତା ପରେ ଅରୁଣାଜୀଙ୍କ ଆଖିକୁ ଚାହିଁ ରହିଲେ । ଅରୁଣାଜୀ ଶ୍ରୀମତୀ ଗାନ୍ଧି ଦେଇଯାଇଥିବା କାଗଜଟି ପୁର୍ନବାର ଶ୍ରୀ ବିଶ୍ୱନାଥଙ୍କୁ ବଢ଼ାଇ ଦେଇଥିଲେ । 


 କେଇଟି ନିର୍ବାକ ମୁହୂର୍ତ୍ତ ବିତିଯିବା ପରେ ଶ୍ରୀ ବିଶ୍ୱନାଥ ମୋ ହାତକୁ ସେଇ କାଗଜ ଖଣ୍ଡିକ ବଢ଼ାଇ ଦେଇ ସେଇଟିକୁ ତୁରନ୍ତ ଲାଇଟର୍‍ ଲଗାଇ ପୋଡି ଦେବା ଲାଗି ଇସାରା ଦେଇଥିଲେ । ରାଷ୍ଟ୍ରୀୟ ଅର୍ଥରେ  ବିଦେଶର ସର୍ବାଧୁନିକ କ୍ୟାନ୍‍ସର୍‍ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆରୋଗ୍ୟ ହେବା ଅଥବା ଆଉ କିଛିଦିନ ବଞ୍ଚିବାର ଲୋଭ ତାଙ୍କୁ ତିଳେ ମାତ୍ର ପ୍ରଭାବିତ କରିପାରିନଥିଲା । ମୁଁ ଦେଖିଲି ସେ ଧରି ଥିବା ପ୍ୟାଟ୍ରିୟଟ୍‍ ସମ୍ବାଦପତ୍ର ଉପରେ ତାଙ୍କର ଦୁଇଟୋପା ଲୁହ । ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଗସ୍ତ ତାଙ୍କୁ ହୁଏତ ସାମାନ୍ୟତମ ଆନନ୍ଦ ଦେଇପାରିନଥିଲା । ଏହାର କାରଣ ସେତେବେଳେ ମୁଁ ଖୋଜି ପାଇନଥିଲେ ମଧ୍ୟ ପରେ ଅରୁଣାଜୀ ମତେ କହିଥିଲେ, “ସଞ୍ଜୟ ଗାନ୍ଧିଙ୍କ ପ୍ରତି କଠୋର ନହେବା ଲାଗି ଶ୍ରୀମତି ଗାନ୍ଧି ସେଇ କାଗଜ ଖଣ୍ଡିକରେ ତାଙ୍କୁ ଅନୁରୋଧ କରିଥିଲେ ।” 


 ଗୋଟିଏ ପଟେ ଶ୍ରୀମତି ଗାନ୍ଧିଙ୍କର ପୁଅ ପ୍ରତି ପ୍ରଚଣ୍ଡ ମମତା ଓ ଅନ୍ୟପଟେ ନିଜର ନୀତି, ଆଦର୍ଶ ଓ ନିଷ୍ଠା ପ୍ରତି ଶ୍ରୀ ବିଶ୍ୱନାଥଙ୍କ ପ୍ରତିଜ୍ଞାବଦ୍ଧତା ମତେ ସ୍ତମ୍ଭୀଭୂତ କରି ପକାଇଥିଲା ।