ଓଡ଼ିଶାର ଖବର କାଗଜ : କିଛି ଅପ୍ରିୟ କଥା
ସମଗ୍ର ଗଣମାଧ୍ୟମ କ୍ଷମତା ଓ ପୁଞ୍ଜିର ଦାସତ୍ୱ ସ୍ୱୀକାର କରିନେଇଛନ୍ତି - ସୁତରାଂ ସେମାନଙ୍କଠୁ କୌଣସି ସାମାଜିକ ପ୍ରତିବଦ୍ଧତା ଆଶା କରିବା ବୃଥା ବୋଲି ଆମେ ମାନିନେବା କି? ସମାଜର ଶେଷଧାଡ଼ିରେ ଠିଆ ହୋଇଥିବା ଶୋଷିତମାନଙ୍କର ବ୍ୟଥା - ବେଦନା ଲେଖିବା ପାଇଁ ସାମ୍ବାଦିକଙ୍କର ସମୟ ନାହିଁ । ଏହା ହିଁ ଆଜିର ବିଡ଼ମ୍ବିତ ସତ୍ୟ କି? ବିଜ୍ଞାପନ ଦେଉଥିବା ଓ ହୱାଲା ମାଧ୍ୟମରେ କମ୍ପାନୀକୁ ମାଲାମାଲ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ମୁଖପତ୍ର ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିବେକକୁ ବନ୍ଧା ପକାଇବା କେତେଦୂର ଯଥାର୍ଥ? ଏହାର ବିକଳ୍ପ କିଛି ନାହିଁ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ପ୍ରତ୍ୟେକ ସଚେତନ ନାଗରିକ ପାଇଁ ଏଇ ପ୍ରଶ୍ନସବୁ ଆଜି ସବୁଠୁ ଗୁରୁତ୍ବପୂର୍ଣ । ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବିଫଳତାକୁ ସାମ୍ନା କରିବା ପାଇଁ ଗଣମାଧ୍ୟମ ଏକମାତ୍ର ସଫଳ ବିକଳ୍ପ । ଏହି ଅନ୍ତିମ ଆଶାଟି ଯଦି ନିଜତ୍ୱ ହରାଇ ବସେ, ସେଠି ଗଣତନ୍ତ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିବ ନିଶ୍ଚୟ । ଆଜିର ପରିପ୍ରେକ୍ଷୀରେ ଏହା ହିଁ ଘଟିଛି ଓଡ଼ିଶାରେ ।
ବିଧାନପାଳିକା ଓ କାର୍ଯ୍ୟପାଳିକାର ମଙ୍ଗୁଆଳମାନଙ୍କ ହାତରେ ଗଣମାଧ୍ୟମ ନିଜକୁ ବନ୍ଧା ପକାଇଦେଇଛି । ଓଡ଼ିଶା ରାଜନୀତିର ପ୍ରମୁଖ ଗଦିମାନ ଆବୋରି ବସିଥିବା ନେତାଙ୍କ ମର୍ଜି ମୁତାବକ ଆମେ ସାମ୍ବାଦିକମାନେ କଲମ ଚାଳନା କରୁଛୁ । କୌଣସି ନା କୌଣସି ରାଜନୈତିକ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ ଗଣମାଧ୍ୟମ ନିଜର ସାଧନ ଓ ସମ୍ବଳର ବିନିଯୋଗ କରିଚାଲିଛି । ଉଦାହରଣ ଆଦୌ ବିରଳ ନୁହେଁ । କୌଣସି ନା କୌଣସି ରାଜନୈତିକ ମଂଚରେ ବା ଦଳରେ ଆମେ ଆମ ରାଜ୍ୟର ଅଗ୍ରଣୀ ସମ୍ପାଦକମାନଙ୍କୁ ନିଶ୍ଚୟ ଦେଖୁଛୁ । ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଲୋକଙ୍କ ପାଖରୁ ପ୍ରତି ସକାଳେ ଟଙ୍କା ଆଦାୟ କରୁଥିବା ଆମ ସମ୍ବାଦପତ୍ର ଓ ଚ୍ୟାନେଲମାନେ ‘ନିରପେକ୍ଷତା’କୁ ଏକ ଅନ୍ଧବିଶ୍ୱାସ ବୋଲି କହିବାକୁ ଲଜ୍ଜିତ ହେଉନାହାନ୍ତି । କିଛି ବର୍ଷ ତଳେ ଓଡ଼ିଶାର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କ ଶ୍ରୀମୁଖରୁ ଆମେ ଏଇ ବାର୍ତ୍ତା ପାଇଥିଲୁ ଯେ, ‘ଖବର କାଗଜ ବ୍ୟବସାୟରେ ଲାଭର ଗୁରୁତ୍ୱ ସବୁଠୁ ବେଶୀ । ନିରପେକ୍ଷ ସମ୍ବାଦ ଆଦର୍ଶବାଦର ମୁଖା ପିନ୍ଧିଥିବା ଛଳନା ମାତ୍ର ।’ ତେବେ ଏହା ହିଁ ଆଜିର ବାସ୍ତବତା ଓ ସତ୍ୟ ।
ଗଣମାନସ ଓ ଗଣମାଧ୍ୟମର ଆଦର୍ଶ
ନିଜର ବିଚାର ଆଦର୍ଶ ପାଇଁ ସମ୍ବାଦପତ୍ରକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ ଏବଂ ତାଙ୍କରି ଅନୁସରଣରେ ଓଡ଼ିଶାର ଗୋପବନ୍ଧୁ ଦାସ । ‘ଇଣ୍ଡିଆନ୍ ଓପିନିଅନ୍’ ପ୍ରକାଶ କରିବାକୁ ଯାଇ ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ୨୬,୦୦୦ଟଙ୍କା କ୍ଷତିଭରଣ କରିଥିଲେ । ନିଜ ବିଚାର ଓ ଆଦର୍ଶର ପ୍ରଚାର ଲାଗି ବିଜ୍ଞାପନକୁ ପୁରାପୁରି ନିଷିଦ୍ଧ କରାଗଲା ଗୋଟେ ସମୟରେ । ଗାନ୍ଧୀ ଭଲଭାବରେ ଜାଣିଥିଲେ ବିଜ୍ଞାପନ ଛାପିବାର ଅର୍ଥ ସତ୍ୟ ଓ ସ୍ୱାଧୀନତାକୁ ବଳି ପକେଇବା । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପବନ୍ଧୁଙ୍କ ‘ସମାଜ’ ମଧ୍ୟ ଏହି ଆଦର୍ଶକୁ ପାଥେୟ କରି ପ୍ରତିଷ୍ଠା ଲାଭ କରିଥିଲା ।
ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ଓ ସଂସ୍କୃତିର ନବଜାଗରଣ ପାଇଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉକ୍ରଳ ଦୀପିକା’ ଜନ୍ମଲାଭ କରିଥିଲା । ତେବେ ଏଇଠି ମଧ୍ୟ ଆରମ୍ଭ ହୋଇଥିଲା ବିଜ୍ଞାପନ ସଂସ୍କୃତିର ଦୁରାରମ୍ଭ ଏବଂ ଧନୀକ ଗୋଷ୍ଠୀର ପ୍ରଶଂସା ପାଇଁ କାର୍ଯ୍ୟ କରିବାର ଦୁରାଗ୍ରହ । ଲୋକ ଜୀବନର ସମସ୍ୟା ଅପେକ୍ଷା ସମାଜବାଦୀ ଶାସକଙ୍କ ସୁଦୃଷ୍ଟି ଲାଭର ଆଙ୍କାକ୍ଷା କେତେକାଂଶରେ ‘ଦୀପିକା’ ପୃଷ୍ଠାରେ ଦେଖିବାକୁ ମିଳିଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦପତ୍ର’ ଥିଲା ସାମ୍ରାଜ୍ୟବାଦର ସୁଫଳ, ତେଣୁ ସାମ୍ରାଜ୍ୟବାଦ ପ୍ରତି ଏକ ପ୍ରକାର ସ୍ୱାଭାବିକ କୃତଜ୍ଞତା, ‘ଦୀପିକା’ ସମେତ ସମକାଳୀନ ଅନ୍ୟାନ୍ୟ ଭାରତୀୟ ଖବର କାଗଜରେ ଦୃଷ୍ଟିଗୋଚର ହୋଇଥାଏ । ଅନ୍ୟଦିଗରେ ଓଡ଼ିଶା ଗଠନର ସଂକଳ୍ପ, ଭାଷା-ସଂସ୍କୃତିର ପୁନର୍ଜାଗରଣ ଏବଂ ଜାତୀୟ ଜୀବନକୁ ଉଦ୍ବୁଦ୍ଧ କରିବାର ଦାୟିତ୍ୱ ଏମାନେ ବହନ କରିଥିଲେ । ‘ଉକ୍ରଳ ଦୀପିକା’ର ପ୍ରକାଶକ ଓ ସମ୍ପାଦକ ଥିଲେ ଉପନିବେଶବାଦୀ ସରକାରଙ୍କ ରାଜ କର୍ମଚାରୀ । ତଥାପି ବେଳେବେଳେ ସେମାନେ ଯେଉଁ ସାହସ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ତାର କୌଣସି ତୁଳନା ନାହିଁ ।୧୮୬୬ ର ଭୟଂକର ଦୁର୍ଭିକ୍ଷ ର ଗର୍ଭରୁ ଦୀପିକାର ଜନ୍ମ, ତେଣୁ ସ୍ବାଭାବିକ ଭାବରେ ଏଥିରେ ଭୋକ ଓ ବିଶ୍ବାସର ଭାଷା ସବୁଠୁ ବେଶୀ ପ୍ରତିଫଳିତ । ଅନେକ ସମୟରେ ବ୍ରିଟିଶ୍ ରାଜ୍ ର କଟୁ ସମାଲୋଚନା କଲାବେଳେ ଦୀପିକାର ସମ୍ପାଦକ ଓ ସାମ୍ବାଦିକମାନେ ଟିକେ ବି ପଛଘୁଞ୍ଚା ଦେଇ ନାହାନ୍ତି । ଦୀପିକା ର ପୃଷ୍ଠଭୂମିରୁ ଆମର ଗଣମାଧ୍ୟମ କିଛି ବି ଶିକ୍ଷାଲାଭ କରିନାହିଁ, ଏକଥା ନିରାଟ ସତ୍ୟ ।
ଆଜି ଯେତେବେଳେ ଓଡ଼ିଆ ସମ୍ବାଦପତ୍ରର ମାଲିକ/ସମ୍ପାଦକମାନେ ଛୋଟ ଛୋଟ ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବାଦିକତାର ପବିତ୍ର କର୍ତ୍ତବ୍ୟକୁ ବନ୍ଧା ପକାନ୍ତି, ସେଠି ପ୍ରତିବାଦ କରିବାପାଇଁ କୌଣସି ବିକଳ୍ପ ସ୍ୱର କ୍ଷୀଣ ଭାବରେ ନ ଶୁଭିବା, ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ । ଗତ କୋଡ଼ିଏବର୍ଷ ଭିତରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜନ ଆନ୍ଦୋଳନ ଗଢ଼ିଉଠିଛି - ତା’ର ସବିଶେଷ ବିବରଣୀ କୌଣସି ସମ୍ବାଦପତ୍ରରେ ମିଳିବ ନାହିଁ । ବାଲିଆପାଳର କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ଲାଞ୍ଜିଗଡ଼, କାଶୀପୁର, କଳିଙ୍ଗନଗର ଏସବୁର ଇତିହାସ ଲେଖିବା ପାଇଁ ସମ୍ବାଦପତ୍ରର ପୃଷ୍ଠା ଖୋଜିଲେ ଆମେ ଖୁବ୍ ବେଶି ସଫଳତା ପାଇବା ନାହିଁ । କାଁ ଭାଁ ଛୋଟ ଛୋଟ ଖବରକୁ ବାଦ୍ ଦେଲେ ଜନତାର ଆନ୍ଦୋଳନ ଏବଂ ପ୍ରତିରୋଧକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେଇନାହିଁ । ପ୍ରମାଣ ଦେବା ନିରର୍ଥକ । ଓଡ଼ିଶାର ସମ୍ବାଦପତ୍ର ମାଲିକ ବା ସମ୍ପାଦକ ଯେଉଁ ଦଳର ସମର୍ଥକ, ସେହି ଦଳର ମୁଖପତ୍ର ପରି ସମ୍ପୃକ୍ତ ସମ୍ବାଦପତ୍ର କାମ କରିଛି । ନିର୍ବାଚନ ଲଢ଼ୁଥିବା ସମ୍ପାଦକଙ୍କ ପ୍ରଚାର ପତ୍ର ହୋଇ ଅଥିବା ବ୍ୟବସାୟ କରୁଥିବା ମାଲିକଙ୍କ କଳାବଜାର ଲୁଚାଇର କମ୍ବଳ ହୋଇ,ଗଣମାଧ୍ୟମ ଆମ ରାଜ୍ୟରେ ବଞ୍ଚି ରହିଛି।
ସମ୍ବାଦିକର ଅଧର୍ମ
ଓଡ଼ିଶାରେ ପେଶାଦାର ସାମ୍ବାଦିକତାକୁ ମୂଳରୁ ଉଧେଇବାକୁ ଦିଆଗଲା ନାହିଁ । ରାଜନୀତିର ପ୍ରତିପତ୍ତି ଓ ପତିଆରା ଭୋଗ କରୁଥିବା କେତୋଟି ନିର୍ଦ୍ଦିଷ୍ଟ ପରିବାର ବଂଶାନୁକ୍ରମେ ସମ୍ପାଦକ ହେବାର ଯୋଗ୍ୟତା ପାଇଲେ । ଗଣମାଧ୍ୟମ ସଂସ୍ଥା ପାରିବାରିକ ଥଇଥାନ କେନ୍ଦ୍ର ପାଲଟିଲା । ଫଳରେ ପେଶାଦାର ମନୋଭାବ ନେଇ ଖୁବ୍ କମ୍ ସାମ୍ବାଦିକ ବୃତ୍ତିରେ ପ୍ରବେଶ କଲେ । ଓଡ଼ିଶାର ପ୍ରତ୍ୟେକ ସାମ୍ବାଦିକ ଆଜୀବନ ପାରିବାରିକ ଶାସନର ବୋଝ ମୁଣ୍ଡେଇ ଚାଲିଲେ । ସେମାନଙ୍କର ବୃତ୍ତିଗତ ଅଭିଳାଷ, ଚାକିରୀର ସ୍ଥାୟିତ୍ୱ, ଆର୍ଥିକ - ସାମାଜିକ ସୁରକ୍ଷା, ସଂସ୍ଥାର ଲାଭାଂଶରେ ଅଧିକାର ଇତ୍ୟାଦି ଆଦୌ ରହିଲା ନାହିଁ । ଗୋତି ଶ୍ରମିକ ପରି ସମ୍ପାଦକ/ସାମ୍ବାଦିକଙ୍କୁ ବ୍ୟବହାର ପ୍ରଦର୍ଶନ କଲେ । ଆମ୍ଭ ଜାଣିବାରେ ଓଡ଼ିଆ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ନବେ ଭାଗରୁ ଅଧିକ କର୍ମଚାରୀ ଆର୍ଥିକ ଓ ମାନସିକ ଶୋଷଣର ଶିକାର ହୋଇଥାନ୍ତି । ରାଜ୍ୟରେ ଅବଶ୍ୟ ସାମ୍ବାଦିକ ସଂଘର ଅଭାବ ନାହିଁ । ଆଜିପର୍ଯ୍ୟନ୍ତ ସାମ୍ବାଦିକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିନେବାର ପରିବେଶ ସାମ୍ବାଦିକ ସଂଘମାନେ ତିଆରି କରିପାରିନାହାନ୍ତି -ଏହା ସେମାନଙ୍କର ଚରମ ବିଫଳତା । ରାଜ୍ୟର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କ ପେଟ ଶୁଖିଲା, ଜିଭ ସ୍ଥାଣୁ, କଲମ ଅଚଳ ଓ ମନୋବଳ ଦୁର୍ବଳ । ଏମିତି ଏକ ପରିସ୍ଥିତିରେ ସମ୍ବାଦପତ୍ରଠାରୁ ଆମେ କ’ଣ ବା ଆଶା କରିବା ।
ଏକଥା ସତ ଯେ, ଜାତୀୟ ସ୍ତରରେ ସମ୍ବାଦପତ୍ରର ଅବକ୍ଷୟ ଘଟିଛି । କର୍ପୋରେଟ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି । ତେବେ ଆଦର୍ଶ ଓ ବିକଳ୍ପ ବିଚାରର କିଛି କିଛି ବାଟ ଏବେ ମଧ୍ୟ ଖୋଲାରହିଛି । ପେଶାଦାର ପ୍ରତିଯୋଗିତାର ପରିଣାମସ୍ୱରୂପ ପ୍ରକୃତ ସତ୍ୟ ଓ ତଥ୍ୟ ଲୋକଲୋଚନକୁ ଆସିପାରୁଛି । ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏଠି ସମ୍ବାଦପତ୍ରରେ ପେଶାଦାର ପ୍ରତିଯୋଗିତା ଅପେକ୍ଷା ବ୍ୟକ୍ତିଗତ ଅସହିଷ୍ଣୁଭାବର ପ୍ରତିଫଳନ ଯଥେଷ୍ଟ ଅଧିକ । ଆକ୍ଷେପ, ପ୍ରତିଆକ୍ଷେପ, ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ, ପରସ୍ପରକୁ ନୀଚ କରି ଦେଖାଇବାର ବାଲ୍ୟ ଚପଳତା, ନିଜକୁ ମହାପୁରୁଷ ଭାବରେ ପ୍ରଚାରିତ କରିବାର ନିର୍ଲଜ ଅଭିପ୍ରାୟ ଏବଂ ସର୍ବୋପରି କାଗଜର ପ୍ରତ୍ୟେକ ଇଞ୍ଚକୁ ଚଢ଼ାଦାମରେ ବିକିବାର ବଜାରୀ ମାନସିକତା - ଆମ ସମ୍ବାଦପତ୍ରମାନଙ୍କର କେତୋଟି ବିଶେଷ ଗୁଣ । ଏକନମ୍ବର ହେବାର ପ୍ରୟାସରେ ଆମେ ସାମ୍ବାଦିକତାର ଗୌରବ ଓ ସ୍ୱାଭିମାନକୁ ବଳି ପକେଇଛୁ । ସମ୍ବାଦପତ୍ରର ଧର୍ମକୁ ଆମରି ହାତରେ ହାଣ ଖୁଆଇବାକୁ ଆମର ମହାମାନ୍ୟ ମାଲିକ/ ସମ୍ବାଦକମାନେ ପ୍ରତିଜ୍ଞାବଦ୍ଧ ।
ସମ୍ବାଦପତ୍ର ରାଜନୈତିକ ଆଦର୍ଶକୁ ବରଣ କରିବା ଅସମୀଚୀନ ନୁହେଁ । ହେଲେ ରାଜନୈତିକ ଫାଇଦା ହାସଲ ପାଇଁ ସମ୍ବାଦପତ୍ରର ବ୍ୟବହାର ଗଣତନ୍ତ୍ରର ସବୁଠୁ ବଡ଼ ଅପରାଧ । ସେ ଦୃଷ୍ଟିରୁ ଆମର ସାମ୍ବାଦିକମାନେ ନିଜର ମୂଲ୍ୟାୟନ କରନ୍ତୁ।