ବିଶ୍ବଭୂଷଣଙ୍କୁ ବଦଳି : ସ୍ଵାଭାବିକ ନା ଉଦ୍ଦେଶ୍ୟମୂଳକ ?
ବିଶ୍ବଭୂଷଣ ହରିଚନ୍ଦନ, ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ବିଜେପିର ସବୁଠୁ ପ୍ରଭାବଶାଳୀ ଜନନେତା । ୮୮ ବର୍ଷ ବୟସ୍କ ଏହି ବରିଷ୍ଠ ରାଜନେତାଙ୍କୁ ରାତାରାତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦରୁ ଛତିଶଗଡ ବଦଳି କରାଗଲା କାହିଁକି ? ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀଙ୍କ ସରକାର ସହିତ ବିଜେପିର ମିତ୍ରଭାବ ରହିଛି । ତେଣୁ ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସେମିତି କିଛି ମନୋମାଳିନ୍ୟ ନଥିଲା । ବିରୋଧୀ ଶାସିତ ରାଜ୍ୟଗୁଡିକରେ ରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀ ଯୁଦ୍ଧ ଏବେ ଏକ ସାଧାରଣ ଘଟଣା । ତେବେ ବିଶ୍ବଭୂଷଣ ହରିଚନ୍ଦନ ଏ ପ୍ରକାର ବିବାଦରୁ ସବୁବେଳେ ଦୂରେଇ ରହିଆସିଛନ୍ତି । ସେ ବିଜେପିରେ ପୁରୁଣା ଜନସଙ୍ଘ ଅମଳର ନେତା । ତାଙ୍କର ମର୍ଯାଦାବୋଧ ସବୁବେଳେ ଅଲଗା । ସମ୍ଭବତଃ କଣ୍ଟାବାଡରେ ଲୁଗା ପକାଇ କଲି କରିବା ଭଳି ରାଜ୍ୟପାଳ ସେ ହୋଇପାରିବେ ନାହିଁ । ସେଥିପାଇଁ ବୋଧହୁଏ ତାଙ୍କୁ ଛତିଶଗଡ ବଦଳି କରି ଦିଆଗଲା ।
ଆନ୍ଧ୍ର ରାଜ୍ୟପାଳ ଭାବରେ ବିଶ୍ଵଭୂଷଣ ହରିଚନ୍ଦନ ଜୁଲାଇ ୨୦୧୯ ରୁ କାର୍ୟ କରୁଥିଲେ । ନିୟମତଃ ଆଉ ସତର ମାସ ତାଙ୍କର କାର୍ୟକାଳ ବାକି ଅଛି । ବାକି ସମୟ ହୁଏତ ସେ ଛତିଶଗଡ ରାଜ୍ୟପାଳ ରହିପାରନ୍ତି କିମ୍ବା ପୁଣି ତାଙ୍କୁ ବଦଳି କରାଯାଇପାରେ । ଦଳର ଅତି ବରିଷ୍ଠ ନେତାଙ୍କ ପ୍ରତି ଏହା ଅପମାନଜନକ ଆଚରଣ ନୁହେଁ କି ? ଜଣେ ରାଜ୍ୟପାଳ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି । ତେଣୁ ଅତ୍ୟାବଶ୍ୟକ ନହେଲେ ରାଜ୍ୟପାଳମାନଙ୍କୁ ବଦଳି କରାଯାଏ ନାହିଁ । ବିଶ୍ବଭୂଷଣ ବାବୁଙ୍କ ବଦଳି କ୍ଷେତ୍ରରେ ସେ ଆବଶ୍ୟକତା ଟି କଣ ?
ଗତ କିଛି ବର୍ଷ ହେଲାଣି ଛତିଶଗଡର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲ ଏବଂ ପୂର୍ବତନ ରାଜ୍ୟପାଳ ଅନୁସୂୟା ଉକିଏଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ହଠାତ ସେଠାରୁ ଅନୁସୂୟା ଉକିଏଙ୍କୁ ମଣିପୁର ବଦଳି କରାଯାଇ ତାଙ୍କ ସ୍ଥାନରେ ବିଶ୍ବଭୂଷଣଙ୍କୁ ଅବସ୍ଥାପିତ କରାଯାଇଛି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଥିବା ଜଣେ ରାଜ୍ୟପାଳଙ୍କୁ ହଠାତ ବଦଳି କରିବା ପଛରେ କିଛି ଗୋଟେ ରହସ୍ୟ ଯେ ରହିଛି, ଏ କଥା ଏଡାଇ ହେବ ନାଇଁ । ବିଶ୍ବଭୂଷଣ ରାଜନୀତିରେ ଅତ୍ୟନ୍ତ ଶାଳୀନ ଓ ମର୍ଯାଦାବନ୍ତ । ସେ ସମ୍ବିଧାନର ସୀମା ଉଲ୍ଲଂଘନ କରି ନିଜ ପଦର ଦୁରୁପଯୋଗ କରିବାର ସମ୍ଭାବନା କମ । ତଥାପି ତାଙ୍କୁ ଛତିଶଗଡ ପଠାଇବାର କାରଣ କଣ ଥାଇପାରେ ?
ଆନ୍ଧ୍ର ରାଜ୍ୟପାଳ ହେବା ପାଇଁ ସୁପ୍ରିମକୋର୍ଟ ର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିରଙ୍କୁ ମନାଇବାକୁ ଯାଇ ବିଶ୍ବଭୂଷଣ ବାବୁଙ୍କର ଏହି ବଦଳି ହୋଇଥାଇପାରେ ବୋଲି ରାଜନୈତିକ ସୂତ୍ରରୁ ଜଣାପଡୁଛି । ମାତ୍ରାଧିକ ମୁସ୍ଲିମ ବିରୋଧ ଓ ନିର୍ବାଚନୀ ରାଜନୀତିରେ ତାହାର କୁପ୍ରଭାବକୁ ଆଖି ଆଗରେ ରଖି ଜଷ୍ଟିସ ନାଜିରଙ୍କ ମାଧ୍ୟମରେ ମୁସଲମାନ ତୁଷ୍ଟିକରଣ ନୀତି ଏବେ ମୋଦୀ ରଣନୀତିର ନୂଆଦିଗ । ହଠାତ ବୋହରା ମୁସଲମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦରଦ ବଢିଯାଇଛି ଓ ସେ ନିଜାକୁଆ ତାଙ୍କ କୁଟୁମ୍ବର ଲୋକ ବୋଲି କହିଛନ୍ତି । ଜଷ୍ଟିସ ନାଜିରଙ୍କୁ ଆନ୍ଧ୍ର ରାଜ୍ୟପାଳ କରିବା ପଛରେ ତେଲେଙ୍ଗାନା ଏବଂ ଆନ୍ଧ୍ରର ମୁସଲମାନ ଭୋଟ ବ୍ୟାଙ୍କ ରାଜନୀତି କାମ କରୁଛି ।
ଜଷ୍ଟିସ ନାଜିର ନିଜ ପସନ୍ଦର ରାଜ୍ୟ ଚାହିଁବା କିମ୍ବା ତାଙ୍କୁ ବିଜେପି ପସନ୍ଦର ଏକ ରାଜ୍ୟ ଦେବାର ପ୍ରକ୍ରିୟାରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାତାରାତି ବଦଳି କରାଯାଇଛି । ଏହାକୁ ବଦଳି ନକହି ଏକପ୍ରକାର ପରୋକ୍ଷ ଅପମାନ ବୋଲି କହିବାରେ କିଛି ଅସୁବିଧା ଅଛି କି ?