ବ୍ରାଣ୍ଡ ଗାନ୍ଧୀ
ଜାଣିଛ ତ ଭାଇ
ଗୋଲାପୀମୁଣ୍ଡ ଗାନ୍ଧୀନୋଟର
ତାକତର ମର୍ମ...
ନିମିଷକେ ପଲଟେଇ ଦେଇପାରେ
ଆସନର ଭ୍ରମ
ନିମିଷକେ ଲିଭେଇଦିଏ କଳା କଳା
କଳଙ୍କିତ ଯେତେ କର୍ମ ।
ଗାନ୍ଧୀ ନାଁରେ ଏବେ ମିଛକୁ ବି
କରି ଦେଇହେଉଛି ସତ ପରି ଉଜ୍ଜ୍ବଳ
ସବୁ ଅନୀତିକୁ ଢାଙ୍କି ଦେଇପାରୁଛି ଖଦଡ଼ ପରି ଖଣ୍ଡେ ଖଦିଚାଦର...
ଅତରମଖା ଗୋଟେ ଶୁଭ୍ର ଆଟୋପ ଗାନ୍ଧୀଟୋପିର ।
ତମେ ଦେଖିଛ,
ମୃତ୍ୟୁକୁ ହସି ହସି ସାମ୍ନା କରୁଥିବା
ଗୋଟେ ଫକୀରର ହେ ରାମରେ ଲିଭିଗଲା କେମିତି
ଗୋଟେ ବିଚାରଧାରାକୁ ଜଳଉଥିବା ଅଖଣ୍ଡଦୀପ ସେଦିନ,
ଦେଖିଥିବ
ରାମଙ୍କ ନାଁରେ କେମିତି ହୁତହୁତ ଜଳିଉଠେ
ସହର ଓ ବସ୍ତି
ଜନ୍ମଭୂମି ନାଁରେ ରାତାରାତ୍ ଯେତେସବୁ
କ୍ଷମତାର ନୀଚ ପ୍ରଦର୍ଶନ,
ଶହେକୋଟି ଭୋକିଲାପେଟ
ଏବେ ବି ଅପୂରା...
ହେଲେ କଣ ଯାଏ
ଅଯୋଧ୍ୟାର ନା ଇନ୍ଦ୍ରପ୍ରସ୍ଥର,
କଣ ବା ଯାଏ ଆସେ
ମାର୍ବଲର ସ୍ନିଗ୍ଧ ହୃଦୟଧାରୀ
ରାମଲଲାଙ୍କର !
ଆଜି ବି ଥରି ଉଠୁଥିବ
ରାଜଘାଟ ସମାଧି ତଳେ
ସେଇ ସନ୍ୟାସୀର
ଅନିର୍ବାପିତ ହୃଦୟ ସଳିତା
ଦୁଃଖରେ ...ପୀଡ଼ାରେ ...
ତୁମେ କେବେ ଶୁଣିଛ
ସେଇ ନିରବ ଦୀର୍ଘଶ୍ବାସର ପ୍ରତିଧ୍ୱନି
ପବନକୁ ଶିହରେଇ ଦେଲାବେଳେ!!
ଗାନ୍ଧୀ କିନ୍ତୁ ଏବେ ଏକ ବ୍ରାଣ୍ଡ୍ ନେମ୍...
ଗୋଟିଚାଳନାର ଚତୁରାମୀରେ
ବହୁମୂଲ୍ୟ ଗୋଟେ ଗୋଟି...
ଗଡ଼ିଚାଲିଛି ଅନୀତିବାଜ ଖେଳାଳୀଙ୍କ
ହାତରୁ ହାତକୁ, ପଡ଼ି ଉଠି ଝୁଣ୍ଟି ।
ଗୋଲଚଷମା, ଗାନ୍ଧୀଲାଠି,
ଖଦଡ଼ର ଭେଳିକିରେ
କାନ୍ଦୁ କାନ୍ଦୁ ଆଙ୍କିଦିଏ
ଲୁହଭିଜା ପାଣିଚିଆ ହସର ଝୋଟି ।
ତୁମ ଆମ କବିତାରେ ଭାଇ,
ଅଣନିଃଶ୍ଵାସୀ ତା' ଅଦେହୀ-ଦେହ
ବାରବାର ମରୁଛି
ଗାନ୍ଧୀଗିରିର ତୁଚ୍ଛା ଶବ୍ଦଖେଳରେ,
ଭିନ୍ନ ଭିନ୍ନ ପ୍ରବଞ୍ଚନାର
ଗଡ଼ସେ-ଗୁଳିରେ
ହେ ରାମ ନ କହି ନିରବରେ ଟଳି ପଡୁଛି
ଅସହିଷ୍ଣୁ ନିଆଁର ଡରରେ ।
*****
ଭୁବନେଶ୍ୱର