ସରକାର ସପକ୍ଷରେ ରାୟ ଦିଅ, ରାଜ୍ୟପାଳ ହୁଅ !!
ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର ଗତ ଜାନୁଆରୀ ୪ ତାରିଖରେ ଅବସର ଗ୍ରହଣ କଲେ ।
ଅବସର ଗ୍ରହଣର ୪୦ ଦିନ ଭିତରେ ଭାରତ ସରକାର ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତି ଦେଲେ ।
ସୁପ୍ରିମ କୋର୍ଟ ବିଚାରପତି ଭାବରେ ୧୭, ଫେବୃଆରୀ, ୨୦୧୭ ରୁ ୪, ଜାନୁଆରୀ, ୨୦୨୩ ପର୍ଯନ୍ତ ଜଷ୍ଟିସ ନାଜିର ସରକାର ପାଇଁ ଏମିତି କି କାମ କଲେ ଯେ ତାଙ୍କୁ ୪୦ ଦିନ ଭିତରେ ରାଜ୍ୟପାଳ ପଦବୀ ଯାଚି ଦିଆଗଲା ? ମୋଦୀ ସରକାର ସପକ୍ଷରେ ନିଜ ନ୍ୟାୟିକ ପଦବୀର ବ୍ୟବହାର କରିଥିବାରୁ ତାଙ୍କୁ ପୁରସ୍କୃତ କରାଗଲା ବୋଲି ଲୋକେ କାହିଁକି ଭାବିବେ ନାହିଁ ? ସର୍ବୋଚ୍ଚ ଅଦାଲତର ବିଚାରପତି ଯଦି ଅବସର ପରେ ପରେ ସରକାରୀ ଲଡୁ ଖାଇବାକୁ ଏତେ ନିର୍ଲଜ ଭାବରେ ଧାଡିରେ ଛିଡା ହେବେ, ତାହେଲେ ସାଧାରଣ ନାଗରିକ ଏମାନଙ୍କର ନ୍ୟାୟପରାୟଣତା ଉପରେ ଭରସା ରଖିବ କେମିତି ?
ଜଷ୍ଟିସ ନାଜିର ଗତ କିଛି ବର୍ଷ ଭିତରେ ସରକାରଙ୍କୁ ସୁଆଇଲା ଭଳି କିଛି ରାୟ ଦେଇଛନ୍ତି ନିଶ୍ଚୟ । ବିଚାରପତି ଭାବରେ ସେ ଦେଇଥିବା ରାୟକୁ ଆଜି ନିଷ୍ପକ୍ଷ ବୋଲି ଆଦୌ କୁହାଯାଇପାରିବ ନାହିଁ ।
ତେବେ ସରକାରକୁ ସୁଆହିଲା ଭଳି କି ରାୟ ସବୁ ଜଷ୍ଟିସ ନାଜିର ଦେଇଛନ୍ତି ତାକୁ ଦେଖାଯାଉ –
୧ ମୋଦୀ ସରକାର ତିନ ତଲାକ ଉଛେଦକୁ ନିଜର ସବୁଠୁ ବଡ ଅବଦାନ ବୋଲି କହୁଥିବା ବେଳେ ସୁପ୍ରିମ କୋର୍ଟରେ ଜଷ୍ଟିସ ନାଜିର ଏହା ବିପକ୍ଷରେ ରାୟ ଦେବା ସହିତ ସଂସଦ ଏଥିପାଇଁ ଆଇନ କରିବା ଦରକାର ବୋଲି କହିଥିଲେ । ସିଧାସଳଖ ତିନ ତଲାକକୁ ଅନ୍ୟ ସାଥି ବିଚାରପତିଙ୍କ ପରି ବେଆଇନ ନକହି ଏ ପ୍ରସଙ୍ଗରେ ସଂସଦ ଆଇନ ପ୍ରଣୟନ କରୁ ବୋଲି କହି ଏହି ମାମଲାରେ ସରକାରକୁ ଏହାର ରାଜନୈତିକ ଫାଇଦା ଉଠାଇବାକୁ ଜଷ୍ଟିସ ନାଜିର ଯଥେଷ୍ଟ ସୁଯୋଗ ଦେଇଥିଲେ ।
୨ ଚର୍ଚ୍ଚିତ ରାମ ମନ୍ଦିର ରାୟରେ ଜଷ୍ଟିସ ନାଜିର ଥିଲେ ଏକମାତ୍ର ମୁସଲମାନ ବିଚାରପତି । ଏହି ରାୟ ରାମ ମନ୍ଦିର ସପକ୍ଷରେ ଯାଇଥିଲା ଓ ଏଥିରେ ଜଷ୍ଟିସ ନାଜିର ସମ୍ମତ ହୋଇଥିଲେ ।
୩ ବିଚାରପତି ଭାବରେ ଅବସର ନେବାର ଦୁଇ ଦିନ ପୂର୍ବରୁ ଅର୍ଥାତ ୨ ଜାନୁଆରୀ, ୨୦୨୩ ରେ ୨୦୧୬ ମସିହାରେ ଭାରତ ସରକାର ରାତାରାତି ଲାଗୁ କରିଥିବା ବିମୁଦ୍ରାକରଣକୁ ସାମ୍ବିଧାନିକ ଭାବରେ ବୈଧ ବୋଲି ଜଷ୍ଟିସ ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ ।
ସରକାର ସପକ୍ଷରେ ରାୟ ଦେଇଥିବାରୁ ସମ୍ଭବତଃ ଜଷ୍ଟିସ ନାଜିରଙ୍କୁ ତୁରନ୍ତ ରାଜ୍ୟପାଳ ପଦବୀରେ ପୁରସ୍କୃତ କରାଯାଇଛି । ରାମ ମନ୍ଦିର ରାୟ ଦେଇଥିବା ତିନି ଜଣ ବିଚାରପତିଙ୍କୁ ମୋଦୀ ସରକାର ଅବସର ପରେ ବିଭିନ୍ନ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି । ଏହି ମାମଲାରେ ଅଧ୍ୟକ୍ଷତା କରିଥିବା ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରା ଯାଇଥିବା ବେଳେ, ଜଷ୍ଟିସ ଅଶୋକ ଭୂଷଣ NCLAT ର ଅଧ୍ୟକ୍ଷ ଏବଂ ଜଷ୍ଟିସ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଛି ।
ସ୍ଵାଧୀନତା ପରଠୁ ମାତ୍ର ଚାରି ଜଣ ସୁପ୍ରିମ କୋର୍ଟ ବିଚାରପତି ରାଜ୍ୟପାଳ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ସେଥିରୁ ଦୁଇଜଣ ମୋଦୀ ସରକାର ଅମଳରେ ଇ ନିଯୁକ୍ତି ପାଇଛନ୍ତି । ୧୯୫୨ରେ ପ୍ରଥମେ ଜଷ୍ଟିସ ଫଜଲ ଅଲିଙ୍କୁ ଓଡିଶା ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆ ଯାଇଥିଲା । ଏହି ନିଯୁକ୍ତିକୁ ସେତେବେଳେ ଭାରତର ଆଟର୍ଣ୍ଣି ଜେନେରାଲ ତଥା ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅତି ଘନିଷ୍ଠ ମୋତିଲାଲ ସିତଲବାଦ ନାପସନ୍ଦ କରିଥିଲେ ।
ଏହା ପରେ ୧୯୯୭ରେ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ ଏମ ଫାତିମା ବିବିଙ୍କୁ ଦେବେଗୌଡା ସରକାର ତାମିଲନାଡୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ଅବଶ୍ୟ ସେତେବେଳକୁ ଫାତିମା ବିବି ୧୯୯୨ରୁ ଅବସର ନେଇ ସାରିଥିଲେ ।
ଏପ୍ରିଲ ୨୦୧୪ ରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବରେ ଅବସର ନେବାର ୪ ମାସ ପରେ ପି. ସଦାଶିବମଙ୍କୁ କେରଳ ରାଜ୍ୟପାଳ ଭାବରେ ମୋଦୀ ସରକାର ନିଯୁକ୍ତି ଦେଇଥିଲେ ।
ବିଚାରପତିଙ୍କ ଅବସର ପରେ ସେମାନଙ୍କୁ ରାଜ୍ୟପାଳ ଭାବରେ ନିଯୁକ୍ତି ଦେବାରେ ହୁଏତ କୌଣସି ସାମ୍ବିଧାନିକ ପ୍ରତିବନ୍ଧକ ନାହିଁ । ହେଲେ ବିଚାରପତି ଭାବରେ ନିଜର ନିରପେକ୍ଷତା ଏବଂ ନ୍ୟାୟପରାୟଣତା ଅବସର ପରବର୍ତ୍ତୀ ଲାଭା ଆଶାରେ ଯେ ବିକ୍ରୀ ନ ହୋଇଥିବ, ସେ କଥା ଆଉ କୁହା ଯାଇପାରିବ ନାଇଁ ।
ସରକାର ସପକ୍ଷରେ ରାୟ ଦେଲେ ଅବସର ପରେ ଭଲ ପଦ ପଦବୀ ମିଳିବାର ଲୋଭରେ ଅନେକ ବିଚାରପତି ନିଜର ସାମ୍ବିଧାନିକ ନୈତିକତାକୁ ବଳି ପକାଇ ଚାଲିଛନ୍ତି । “ଆମ ସପକ୍ଷରେ ରାୟ ଦିଅ ଓ ଅବସର ପରେ ସୁଖରେ ରୁହ”- ଏହା ବୋଧ ହୁଏ ମୋଦୀ ସରକାରର ସୁପ୍ରିମକୋର୍ଟ ପାଇଁ ଏକ ଅଘୋଷିତ ବିଜ୍ଞାପନ !!
ମୋଦୀ ସରକାର ଗୋଟେ ପକ୍ଷରେ ଆଇନ ମନ୍ତ୍ରୀ ଓ ଉପ ରାଷ୍ଟ୍ରପତିଙ୍କୁ ଲଗାଇ ପ୍ରତିଦିନ ସୁପ୍ରିମକୋର୍ଟକୁ ସମାଲୋଚନା କରୁଥିବା ବେଳେ ଅପର ପକ୍ଷରେ ଲୋଭ ଓ ଲାଭର ଥୋପ ଦେଖାଇ ନ୍ୟାୟ ବ୍ୟବସ୍ଥାର ସ୍ବାଧିନତାକୁ ଅପହରଣ କରି ଚାଲିଛନ୍ତି ।