ପଦେ ଗୀତ
ଏକଲା ରାସ୍ତାରେ ଡର ଲାଗିଲା ବେଳେ
ପଦେ ଗୀତର ଧୂନ୍ କୁ
ବଡପାଟିରେ ଗାଇ ପାରି
ହେଇଯିବି ଶୁନଶାନ୍ ଅନ୍ଧାରୀ ରାସ୍ତା ।
ନିଦ ନ ଆସିଲେ ରାତିରେ
ଝର୍କା ଖୋଲା ରଖି
ଆକାଶର ତରାଙ୍କୁ ଦେଖି ଦେଖି
ଓଲଟେଇ ପଢିବି
ମନର ସବୁଜ ଡାଏରୀ ପୃଷ୍ଠା ।
କୌଣସି ଶୂନ୍ୟ ସ୍ଥାନ ଶୂନ୍ୟସ୍ଥାନ
ହେଇ ରହେନି ଚିରଦିନ
ଯେମିତି ବି ହେଉ ତାକୁ ଭରି ଦିଏ ଜୀବନ।
କାନ୍ଥ ଘଣ୍ଟାରୁ ବ୍ୟାଟେରୀ ସରିଗଲେ
ସେଥିରେ ଖଞ୍ଜି ଦେବାକୁ ହେବ ନୂଆ ବ୍ୟାଟେରୀ,
କଣ୍ଟା ଚାଲୁ ନଥିବା ଘଣ୍ଟାକୁ ଚାହିଁ
ବେଳ ପରଖିଲେ ତ ସମୟ ଅଟକି ରହିବ
ଠପ୍ କରି ।
ଯାଃ ମୋଡି ମକଚି ଫୋପାଡି ଦେଲି
କଟା ଛଟା ହେଇଥିବା
କବିତାର ଧାଡ଼ି ପରି
ଅଯଥା ସମ୍ପର୍କ ମାନଙ୍କର ଘେରବନ୍ଦୀ,
ନୂଆ ଶବ୍ଦ ମାନଙ୍କୁ ଧରି
ଗୋଟେ ସାଦା ପୃଷ୍ଠା
ଏବେ ମୋତେ ଅପେକ୍ଷା କରିଛି ।
ଦେହକୁ ଛୋଟ ହେଉଥିବା
କେବକାର ପୋଷାକମାନଙ୍କୁ
ଆଲମାରୀ ରୁ କାଢି
ନୂଆ ପାଇଁ ସଜାଡି ରଖିଲି ଜାଗା,
କେବେ ଜଡେଇ ହେଇଥିଲେ
ମୋ ଦେହରେ ବୋଲି ଭାବି
ଅତିରିକ୍ତ ଆସକ୍ତିରେ
ଜାବୁଡ଼ି ଧରିବା ମାନେ ତ ଅଣନିଶ୍ବାସୀ ହେବା ।
କେବେ ସବୁଜ ହୋଇ ଥିଲା
ଗଛ ଡାଳରେ ବୋଲି ଭାବି
ବଗିଚାର ଶୁଖିଲା ପତ୍ରଙ୍କୁ
ଓଳେଇ ଫିଙ୍ଗି ନ ଦେବା ମାନେ ତ ଆବର୍ଜନା ଭିତରେ ରହିବା ।
ହିସାବ କରି ଦେଖିଲେ
ଗୀତର ସୁର,ସବୁଜ ଡାଏରୀ ପରି
ଅନେକ ପ୍ରାପ୍ତିଙ୍କ ଲମ୍ବା ଧାଡ଼ି ।
ତା ଭିତରେ
ମରୁଭୂମିର କଣ୍ଟା ଗଛ ପରି
ଯାହା ଥିଲା
ତାକୁ ଓପାଡ଼ି ଫୋପାଡି ଦେଲି ।
ଶୁନଶାନ୍ ଅନ୍ଧାର ରାସ୍ତା ହେଉ କି ଅନିଦ୍ରା ରାତି,
ଅପସରି ଯିବ ଏମିତି
ଗୋଟେ ଗୀତର ସୁର ପରା ମୋ ସାଥିରେ ଅଛି ।