କିରଣ ରିଜିଜୁ ଆଇନ ମନ୍ତ୍ରୀ ପଦରୁ ବିଦା ହେଲେ କାହିଁକି?

କିରଣ ରିଜିଜୁ ଆଇନ ମନ୍ତ୍ରୀ ପଦରୁ ବିଦା ହେଲେ କାହିଁକି?

ଦେଶର ଗଣମାଧ୍ୟମ ଯେତେବେଳେ କର୍ଣାଟକ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ବୋବାଳି ଛାଡୁଥିଲା, ସେହି ସମୟରେ ଅକସ୍ମାତ୍ ମୋଦୀ ସରକାରର ଆଇନ ମନ୍ତ୍ରୀ ବଦଳି ଗଲେ। ମୋଦୀ ସରକାରର "ବ୍ଲୁ ଆଏଡ୍ ବୟ" ବା ଗେହ୍ଲା ପୁଅ ଭାବରେ କିରଣ ରିଜିଜୁ ଗତ ୯ ବର୍ଷ ଧରି କାମ କରି ଆସୁଛନ୍ତି। ତେବେ ହଠାତ୍ ତାଙ୍କୁ ପ୍ରଭାବଶାଳୀ ଆଇନ ମନ୍ତ୍ରୀ ପଦରୁ ବିଦା କରି ଏକ ଅନାମଧେୟ ଭୂ ବିଜ୍ଞାନ ବିଭାଗର ମନ୍ତ୍ରୀ କରିବା ପଛରେ କି କାରଣ ରହିଛି? ମନ୍ତ୍ରୀ ଅପେକ୍ଷା ସୋସିଆଲ ମିଡିଆରେ ଜଣେ ଟ୍ରୋଲ୍ ଭାବରେ କିରଣ ରିଜିଜୁଙ୍କର ବିଶେଷ ପରିଚୟ ରହିଥିଲା। ମୋଦୀ ସରକାରର ମନ୍ତ୍ରୀ ଥିବା ସ୍ମୃତି ଇରାନୀ ଏବଂ କିରଣ ରିଜିଜୁ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କର ସବୁଠୁ କଠୋର ସମାଲୋଚକ ଭାବରେ ମଧ୍ୟ ପରିଚିତ। ମୋଦୀଙ୍କ ପ୍ରତି ଏକନିଷ୍ଠ ସମର୍ପଣ ଏବଂ ବିରୋଧୀଙ୍କ ପ୍ରତି ମାତ୍ରାଧିକ ଅଭଦ୍ର ବ୍ୟବହାର ସତ୍ତ୍ୱେ ରିଜିଜୁଙ୍କୁ ଏହି ଦଣ୍ଡ ମିଳିବାର କାରଣ ଖୋଜିବା ଜରୁରୀ।

କିରଣ ରିଜିଜୁ ଭାରତର ଆଇନ ମନ୍ତ୍ରୀ ଭାବରେ ପାଖାପାଖି ବର୍ଷେ ୧୦ ମାସ କାମ କରିଛନ୍ତି। ଏହି ସମୟ ଖଣ୍ଡରେ ସେ ଏକମାତ୍ର ଆଇନ ମନ୍ତ୍ରୀ ଯିଏ ଦେଶର ସର୍ବୋଚ୍ଚ ଅଦାଲତ ବିରୋଧରେ ନିୟମିତ ଟୀକା ଟିପ୍ପଣୀ ଦେଇଛନ୍ତି। ବିଶେଷ କରି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତି ଦାୟିତ୍ବ ସିଧାସଳଖ ସରକାର ହାତକୁ ଆସୁ ବୋଲି ଦାବୀ କରିବା ସହିତ କଲେଜିୟମ୍ ବ୍ୟବସ୍ଥାକୁ ସେ କଟୁ ସମାଲୋଚନା କରିଛନ୍ତି। ନିୟମ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ବିଚାର ପ୍ରକ୍ରିୟା ବିଷୟରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ବେଶ୍ ମାପିଚୁପି କଥା ହେବା ଉଚିତ। କିରଣ ରିଜିଜୁ କିନ୍ତୁ ନିଜକୁ ଆଇନର ଉର୍ଦ୍ଧ୍ବରେ ରଖିବାକୁ ଚାହିଁଲେ। ଯାହାର ପରିଣାମ ହେଲା ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ମଧ୍ୟରେ ଏକ ଶୀତଳ ଯୁଦ୍ଧ।

ସୁପ୍ରିମକୋର୍ଟ ବିରୋଧରେ କିରଣ ରିଜିଜୁଙ୍କର ଅନେକ ଅଭିଯୋଗ ପିଲାଳିଆ ଓ ଅପରିପକ୍ଵ ଥିଲା। ସାଧାରଣତଃ ସେ ଦେଶର ବିଚାର ଏବଂ ନ୍ୟାୟ ପ୍ରକ୍ରିୟା ଉପରେ ବିଜେପି ଆଇଟି ସେଲ୍ ର ଟ୍ରୋଲ୍ ଭଳି କଥାବାର୍ତ୍ତା କରୁଥିଲେ। ମୁହଁ ଟାଣ ଦେଖାଇ ବିଜେପି ରିଜିଜୁଙ୍କୁ ସମର୍ଥନ କରୁଥିଲେ ମଧ୍ୟ ତାଙ୍କ ବ୍ୟବହାର ଯେ ସରକାର ଓ ଦଳ ପାଇଁ ବୋଝ ପାଲଟି ଯାଉଛି, ସେ କଥା ସହଜରେ ବୁଝି ହେଉଥିଲା। ରିଜିଜୁଙ୍କୁ ଏକ ପ୍ରକାର ନୈତିକ ସାହସ ଦେଇ ଉପ ରାଷ୍ଟ୍ରପତି ଜଗଦୀପ ଧଙ୍କଡ ମଧ୍ୟ ସୁପ୍ରିମକୋର୍ଟ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସଂସଦ ଭିତରେ ଓ ବାହାରେ ଉପ ରାଷ୍ଟ୍ରପତି କଲେଜିୟମ୍ ବ୍ୟବସ୍ଥା ଏବଂ କେଶବାନନ୍ଦ ଭାରତୀ ରାୟକୁ ନିୟମିତ ଆକ୍ରମଣ କରୁଥିଲେ।‌ ଇତି ମଧ୍ୟରେ ହଠାତ୍ ଉପ ରାଷ୍ଟ୍ରପତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୁଡଙ୍କୁ ଅନାବଶ୍ୟକ ଭାବରେ ଗୁଡ଼ାଏ ପ୍ରଶଂସା କରିବା ପଛରେ ଗୋଟେ ଅଲଗା ରାଜନୀତି ବାରି ହୋଇ ପଡ଼ୁଥିଲା। ସେ ରାଜନୀତି ରିଜିଜୁଙ୍କୁ ଆଇନ ବିଭାଗରୁ ବାହାର କରିବା ପରେ ଅଧିକ ସ୍ପଷ୍ଟ ହୋଇଯାଇଛି

କଲେଜିୟମ ବ୍ୟବସ୍ଥାକୁ ବଦଳେଇ କେନ୍ଦ୍ର ସରକାର ଆଣିଥିବା ଏନଜେଏସି କୁ ସମ୍ବିଧାନ ବିରୋଧୀ କହି ଯେତେବେଳେ ସୁପ୍ରିମ କୋର୍ଟ ଖାରଜ କଲେ ସେତେବେଳେ ମୋଦୀ ସରକାରରେ ଅରୁଣ ଜେଟଲି ଆଇନ ମନ୍ତ୍ରୀ ଥିଲେ ।  ଅରୁଣ ଜେଟଲି ସୁପ୍ରିମକୋର୍ଟ ର ଅତ୍ୟନ୍ତ ନାମୀ ଓକିଲ ହୋଇଥିବା ସତ୍ତ୍ୱେ ସୁପ୍ରିମକୋର୍ଟର ରାୟ ବିରୋଧରେ ତାଙ୍କର ସମାଲୋଚନା ବେଶ ମାର୍ଜିତ ଥିଲା ଏ ପ୍ରସଙ୍ଗରେ ରିଜିଜୁ କିନ୍ତୁ ଏକ ପ୍ରକାର ହଙ୍ଗାମା ତିଆରି କରିବାକୁ ଚାହୁଁଥିଲେ ବୋଧେ ସେଇ ହଙ୍ଗାମା କରିବାର ପ୍ରବଣତା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ।

ଗତ କିଛିଦିନ ହେଲା ସୁପ୍ରିମକୋର୍ଟରେ ଭାରତ ସରକାର ଗୋଟେ ପରେ ଗୋଟେ ଝଟକା ଖାଇ ଚାଲିଛନ୍ତି ଦିଲ୍ଲୀ ଏବଂ ମହାରାଷ୍ଟ୍ର ପ୍ରସଙ୍ଗରେ ମୋଦୀ ସରକାରକୁ ଏକପ୍ରକାର ଅପଦସ୍ତ ହେବାକୁ ପଡିଛି । ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟରେ ଆହୁରି ଅନେକ ସଂବେଦନଶୀଳ ମାମଲାର ବିଚାର ହେବନିର୍ବାଚନ ବର୍ଷରେ ସୁପ୍ରିମକୋର୍ଟଙ୍କ ରାୟର ଏକ ବିଶେଷ ପ୍ରଭାବ ରହିବତେଣୁ ମୋଦୀ ସରକାର ଅନ୍ତତଃ ସାମୟିକ ଭାବରେ ସୁପ୍ରିମକୋର୍ଟଙ୍କୁ ନାରାଜ କରିବାକୁ କରିବାକୁ ଚାହାନ୍ତି ନାହିଁ ସରକାରର ଭାବମୂର୍ତ୍ତି ବଞ୍ଚାଇବାକୁ କିରଣ ରିଜିଜୁଙ୍କୁ ବଳିଆର ଛେଳି ଭାବରେ ମୋଦୀ ସରକାର ଅବିକା ବ୍ୟବହାର କରିଛନ୍ତି ।