ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତି ପ୍ରତି ଏ ଅପମାନ କାହିଁକି ?

ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତି ପ୍ରତି ଏ ଅପମାନ କାହିଁକି ?

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତି ପ୍ରତି ଅବମାନନା ହେବ, ଏହାକୁ କଳ୍ପନା କରିବା ମୁସ୍କିଲ । ନବକୃଷ୍ଣ ଚୌଧୁରୀ ଓଡିଶାର ଅନନ୍ୟ ମୁଖ୍ୟମନ୍ତ୍ରୀ । ଭାରତୀୟ ସ୍ଵାଧୀନତା ଆଂଦୋଳନର ଅନ୍ୟତମ ମହାନାୟକ । ତ୍ୟାଗ, ସମର୍ପଣ ଏବଂ ସ୍ବଚ୍ଛ ରାଜନୀତିର ସେ ସର୍ବଶ୍ରେଷ୍ଠ ରାଜନେତା । ଏସବୁ ଓଡିଶାର ଇତିହାସରେ ଲୋକେ ଜାଣିଥିବା ତଥ୍ୟ । ମୁଖ୍ୟମନ୍ତ୍ରୀ ପଦ ଛାଡିଲା ପରେ ସାଧାରଣ ଚଷାର ଜୀବନ ବାଛିଥିବା ନବକୃଷ୍ଣ ଚୌଧୁରୀଙ୍କ ବାଜି ରାଉତ ଛାତ୍ରାବାସ ଆଜି ଅବହେଳିତ । ନବ ବାବୁ ଏବଂ ମାଳତୀ ଦେବୀଙ୍କ ସ୍ଵପ୍ନର ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସ ଆଜି ଉଜୁଡି ଯାଉଛି ।

ଅନୁଗୁଳ ଜିଲା ପ୍ରଶାସନ ନବ ବାବୁଙ୍କ ଆଦର୍ଶର ବିରୋଧ କରି ସେହି ଅନୁଷ୍ଠାନର ତଥାକଥିତ ବିକାଶ କରିବାକୁ ଚାହେଁ । ନବ ବାବୁଙ୍କ ଆଦର୍ଶ ବିରୋଧରେ ତାଙ୍କ ସ୍ମୃତି ରକ୍ଷା ସମ୍ଭବ ନୁହେଁ ।  ଅନୁଗୁଳ ଜିଲାପାଳ ଅନେକାଂଶରେ ବାଜି ରାଉତ ଛାତ୍ରାବାସ ଓ ନବ ବାବୁଙ୍କ ପରିବାର ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁନଥିବାର ଅଭିଯୋଗ ଆସୁଛି । ନବ ବାବୁଙ୍କର ଏକ ପ୍ରତିମୂର୍ତ୍ତି ଅନୁଗୁଳ ପୌରପାଳିକା ବସାଇଛି ଯେଉଁଥିରେ ନିରାଡମ୍ବର ଜୀବନର ପ୍ରତୀକ ନବକୃଷ୍ଣ ଚୌଧୁରୀ ଶୁଟ ବୁଟ ପିନ୍ଧି ଠିଆ ହୋଇଛନ୍ତି । ନବ ବାବୁଙ୍କର ଶହ ଶହ ଛବି ରହିଛି ଯେଉଁଥିରେ ସେ ଖଦଡ ଧୋତି ଓ ଅଧା କୁର୍ତ୍ତା ପିନ୍ଧିଥାନ୍ତି । ଅନୁଗୁଳ ପ୍ରଶାସନର ଏ ଶୁଟ ବୁଟ ପ୍ରେମ କଣ ପାଇଁ ?

ନବକୃଷ୍ଣ ଚୌଧୁରୀ ଓଡିଶାବାସୀଙ୍କର ଜନନେତା ହେଲେ ଆଜିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେ ପରିବାର ଲୋକ । ସମ୍ପର୍କରେ ନବକୃଷ୍ଣ ଚୌଧୁରୀ ବିଜୁ ବାବୁଙ୍କ ପିଉସାବିଜୁ ବାବୁ ଏବଂ ନବ ବାବୁଙ୍କ ସମ୍ପର୍କର ଘନିଷ୍ଠତାକୁ ନେଇ ଏକ ଚମତ୍କାର ଆଲେଖ୍ୟ ଲେଖିଥିଲେ ବିଜୁ ବାବୁଙ୍କ ଭାଣିଜୀ ଜୋଇଁ ଗିରିଜା ଭୂଷଣ ପଟ୍ଟନାୟକ ପ୍ରଖ୍ୟାତ ଚିନ୍ତାନାୟକ ଚିତ୍ତରଞ୍ଜନ ଦାସ ଲେଖିଥିବା ନବ ବାବୁଙ୍କ ଜୀବନୀର ମୁଖବନ୍ଧରେ ଗିରିଜା ଭୂଷଣ ପଟ୍ଟନାୟକ ଦୁଇଟି ଘଟଣାର ଉଲ୍ଲେଖ କରିଥିଲେ

“କଟକରେ ବିଜୁ ପଟ୍ଟନାୟକଙ୍କ ପୈତୃକ ଘରର ନାମ ଆନନ୍ଦ ଭବନ । କଟକର ତୁଳସୀପୁରରେ ଏହା ଅବସ୍ଥିତ। ଆନନ୍ଦ ଭବନରେ ଦୁଇଟି ଗେଟ । ଗୋଟିଏ ପଟରେ ଡାକ୍ତର ଜର୍ଜ ପଟ୍ଟନାୟକଙ୍କର ନାମଫଳକ । ଆଉ ଗୋଟେ ପଟରେ ବିଜୁ ପଟ୍ଟନାୟକଙ୍କର ନାମଫଳକ। ଯାହା ପାଖକୁ ଯିବାର କଥା ସେଇ ଗେଟ ଦେଇ ଯିବାକୁ ପଡେ । ବିଜୁ ବାବୁଙ୍କ ପାଖକୁ ଯାଉଥିବା ବ୍ୟକ୍ତିମାନେ ଜର୍ଜ ବାବୁଙ୍କ ଗେଟ ଦେଇ ଗଲେ ସେମାନଙ୍କୁ ଜର୍ଜ  ବାବୁଙ୍କର ବାଘୁଆ ପାଟି ଶୁଣିବାକୁ ପଡେ । ଜର୍ଜ ବାବୁ କହନ୍ତି-ସମସ୍ତଙ୍କୁ ପାରିଲି । ସମସ୍ତଙ୍କୁ ପାଟି କଲି । ମହତାବ ବାବୁଙ୍କ ପର୍ୟନ୍ତ । ସେ ହେଉଛନ୍ତି ନବ ବାବୁ । ସେ ନିଶ୍ଚୟ ଆମ ଗେଟ ଦେଇ ଆସିବେ । କହିବେ, ମୁଁ ଆସିଥିଲି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ (ବିଜୁ ଏବଂ ଜର୍ଜ ପଟ୍ଟନାୟକଙ୍କ ବାପା) ଘରକୁ । ବୋହୁ, ନାତି ନାତୁଣୀଙ୍କୁ ଦେଖିଯିବି । ବୋହୁ (ଜର୍ଜ ପଟ୍ଟନାୟକଙ୍କ ସ୍ତ୍ରୀ)ଙ୍କ ସହିତ କଥା ହେବେ । କିଛି ସମୟ ବିଶ୍ରାମ ନେବେ ।  ତା ପରେ କହିବେ- ଦେଖିଲ, ବିଜୁ ଅଛି କି ? ଆମ ସମସ୍ତଙ୍କ ପାଟି ବନ୍ଦ ।

ଜରୁରୀ କାଳୀନ ପରିସ୍ଥିତିର ପରବର୍ତ୍ତୀ ସମୟ । ନିର୍ବାଚନ ଆଗରେ । ନନ୍ଦିନୀ ଦେବୀ କଂଗ୍ରେସ ଛାଡିଥାନ୍ତି । ସେଇ ସମୟର କଥା । ଟିକେଟ ଦିଆ ଯାଉଛି । ନବ ବାବୁଙ୍କର ସନ ସାଇନ ପଡିଆ ଘରେ ଦୈବାତ ଭେଟ । ବିଶ୍ଵନାଥ ପଣ୍ଡିତ, ପ୍ରଦ୍ଯୁମ୍ନ ବଳ ଓ ମୁଁ । କୌଣସି ଏକ ବିଷୟ ନେଇ ନବ ବାବୁ ଫୋନ କଲେ ବିଜୁ ବାବୁଙ୍କୁ । ଫୋନ ଚାଲିଲା ପ୍ରାୟ ଘଣ୍ଟାଏ କାଳ । ଆରପଟରୁ ବିଜୁ ବାବୁ କଣ କହୁଛନ୍ତି ଆମେ ଶୁଣିବା ସମ୍ଭବ ନୁହେଁ । ଏ ପଟରୁ ନବ ବାବୁ କିନ୍ତୁ ଯାହା କହୁଥାନ୍ତି ତାକୁ ଆମେ ସ୍ତବ୍ଧ ହୋଇ ଶୁଣୁଥାଉ । ଉଚ୍ଚବାଚ ପର୍ଯନ୍ତ କଥା ଗଲା । ନବ ବାବୁ ଭୀଷଣ ଗାଳି ଦେଲେ ବିଜୁ ବାବୁଙ୍କୁ । ଏପରି କଠୋର କଥା ସବୁ କହିଲେ ଯେଉଁଥିରୁ ମନେହେଲା ଯେ ସେ ଦୁହିଙ୍କ ମଧ୍ୟରେ ବୋଧହୁଏ ବହୁକାଳ ଧରି ଆଉ କଥାବାର୍ତ୍ତା ବି ହେବ ନାଇଁ । ଆମେ ସବୁ ଫେରିଲୁ ।

ତା ପର ଦିନ ସକାଳୁ କାହିଁକି ମୋର ମନ ହେଲା ନବ ବାବୁଙ୍କୁ ଯାଇ ଦେଖି ଆସିବି । ଗଲା ବେଳକୁ ନବ ବାବୁ ବସିଛନ୍ତି ତକ୍ତା ଉପରେ ଆଉ ଦୀର୍ଘକାୟ ବିଜୁ ବାବୁ ବି ବସିଛନ୍ତି । ଦୁହିଙ୍କ ଭିତରେ କଥାବାର୍ତ୍ତା ଚାଲିଛି ନିବିଡ ଭାବରେ । ହସଖୁସି ଚାଲିଛି । ନୁମା ଆଣି ଚା ଦେଉଛନ୍ତି ଦୁଇ ଜଣଙ୍କୁ । ନବ ବାବୁ ବିଜୁ ବାବୁଙ୍କ ମୁଣ୍ଡ ପିଠିରେ କଣ କହି ଥାପୁଡାଉଛନ୍ତି । କାଲି ଯେ ଦୁହିଙ୍କ ଭିତରେ ଏମିତି ଏକ ତୁଫାନ ବୋହି ଯାଇଛି ତାର କୌଣସି ସୂଚନା ନାଇଁ । କାଲି କଥା କାଲିରେ ଇ ରହିଯାଇଛି । ଏମିତି ଏକ ମଣିଷ ନବ ବାବୁ ।“    

(ନବକୃଷ୍ଣ ଚୌଧୁରୀ-ଏକ ଜୀବନୀ, ଲେଖକ-ଚିତ୍ତରଞ୍ଜନ ଦାସ, ପ୍ରକାଶକ- ଦ ୟୁନିଭର୍ସ-କଟକ-୧୯୯୨)

ବିଜୁ ପଟ୍ଟନାୟକ ଏବଂ ନବକୃଷ୍ଣ ଚୌଧୁରୀ ପରିବାରର ନିବିଡ ସମ୍ପର୍କ ସତ୍ତ୍ୱେ ତାଙ୍କ ସ୍ମୃତି ପ୍ରତି ଏତେ ଅବହେଳାର କାରଣ କଣ ? ଅନୁଗୁଳ ଜିଲା ପ୍ରଶାସନ ଓଡିଶାର ତୁଙ୍ଗତମ ଜନନେତାଙ୍କ ସ୍ମୃତିକୁ ଅପମାନିତ କରିବାର ସାହସ କରୁଛି କେମିତି ଓ କାହିଁକି ?