କବିତାରେ ସରଳ ଜଟିଳ କିଛିନାହିଁ

କବିତାରେ ସରଳ ଜଟିଳ କିଛିନାହିଁ

(କବିତାରେ ସରଳ ଜଟିଳ କିଛିନାହିଁ: ସୌଭାଗ୍ୟ କୁମାର ମିଶ୍ର )

ଶବ୍ଦମାନେ ଯେ ବହୁରୂପୀ
ସରଳକୁ ପିଇଯାଆନ୍ତି, ଜଟିଳକୁ ଖାଇଯାଆନ୍ତି !

ସକାଳର ଦୀପ୍ତି ନେଇ 
ଅପରାହ୍ନ ଝୁଲିପଡିଲା ଗଛଡାଳରେ 
ଶବ୍ଦମାନେ ପରିଣତ ହୋଇଗଲେ ମହୁଫେଣାରେ ।

ଝୁଲ୍ ମହୁଫେଣା ଝୁଲ୍ 
ଫୁଲ୍ ମହୁମାଛି ମହୁପିଇ ଫୁଲ୍ ।

ଧଇଁସଇଁ ବର୍ତ୍ତମାନ ବିଶ୍ରାମ ଖୋଜେ ଭଂଗା ପୋଲ ଉପରେ 
ଏ ସରଳ, ଭଂଗା କାଂଥର ଫାଟରୁ 
ଧ୍ୱନି ହୋଇ ବାହାରିଆସେ, 
ଏ ଜଟିଳ, ଟାଙ୍ଗରା ପାହାଡର ସନ୍ଦିରୁ 
ଜଳଧାର ହୋଇ ବହିଆସେ ।

ଶବ୍ଦମାନେ ଯେ ବହୁରୂପୀ 
ସରଳକୁ କିପରି ଜାଣିବା ଶବ୍ଦ ଦେଇ ?
ଜଟିଳକୁ କିପରି ଜାଣିବା ଶବ୍ଦ ହେଇ ? 

ସେଇ ଭଂଗାପୋଲ ପାରି ହେଉ ହେଉ 
କବି ସୌଭାଗ୍ଯ କେଡେ ସହଜରେ କହିଦେଲେ 
(କବିତାରେ ସରଳ ଜଟିଳ କିଛି ନାହିଁ )
ସୌଭାଗ୍ଯଙ୍କ ସଂସାରର ଶବ୍ଦଲଟାରେ 
ଫୁଟିଥିବା ବୈଦୁର୍ଯ୍ୟ ତାଙ୍କର ସଂପତ୍ତି ନିଶ୍ଚୟ 
ଏଇଥିପାଇଁ ସେ କବି 
ଶବ୍ଦ ଯାହାଙ୍କ ଅମାରର ଧାନ 
କବିତା ଯାହାଙ୍କ ସିନ୍ଦୁକର ଦୌଲତ ।

ପୋଳତଳେ ପ୍ରଖର ଜଳ ଭଉଁରି 
ସରଳ ଜଳ, ଜଟିଳ ସୁଅ 
କବିତା ତ୍ରିଚର ; ଜଳ, ସ୍ଥଳ ଓ ଶୂନ୍ୟ 
କବିତାର ଲାଣ୍ଡସ୍କେପ୍ ରେ ଗୋଟିଏ ଗୋଟିଏ କ୍ଷେତ୍ରଫଳ ।

ଯେଯାଏଁ କବିତାରେ ଶବ୍ଦମାନଙ୍କର ଗୁଂଜରଣ 
ସେଯାଏଁ କବିତା ସଂଚରଣଶୀଳ 
ଭିତରେ ନୀରବତା, ବାହାରେ କଳରୋଳ ।

ସରଳମାନେ ଗଛଡାଳକୁ ଆସିଗଲେଣି ଫୁଲ ହେଇ, 
ଜଟିଳମାନେ ପାହାଡ ଉପରକୁ ଆସିଗଲେଣି ଫଳ ହେଇ, 
ସୂର୍ଯ୍ଯକିରଣକୁ ପିଇ ମାଂସପିଣ୍ଡୁଳାଟେ ହଲଚଲ ହେଲାଣି ନଈପଠାରେ, 
କାଳେସୀ ଲାଗିଲାଣି ଗାଁ' ଠାକୁରାଣୀଙ୍କ ଧୂଳିଦାଣ୍ଡରେ, 
ଗୁଆଘିଅର ବାସ୍ନା ଚହଟି ଆସିଲାଣି ବନମାଟି ମଖା ଜନ୍ତାଳ ହାଣ୍ଡିରେ,
(ରେଖା ଭରଦ୍ବାଜଙ୍କ ଗୀତରେ 
ପାସ୍ ହୋଇଗଲାଣି ରାଜ୍ୟର କାମଚଳା ବଜେଟ୍।)

ଏତିକିବେଳେ 
ସାପ ସହିତ ମୁଁ ଭାସିଚାଲିଛି 
ନଡାଛପର ଚାଳ ଉପରେ, ବଢିପାଣିର ପ୍ରଖର ସୁଅରେ 
ସାପ ନିଦଯାଏ, ମୁଁ ଜଗିରହେ 
ମୁଁ ନିଦଯାଏ,  ସାପ ଚୋଟମାରେ .... !!!

[ବନ୍ଧନୀ ଭିତରେ ଥିବା ପ୍ରଥମ ଧାଡିଟି କବି ସୌଭାଗ୍ୟ କୁମାର ମିଶ୍ରଙ୍କ କଥନର ଅଂଶ । ଦ୍ୱିତୀୟ ବନ୍ଧନୀରେ ତାଙ୍କ କବିତା 'ରାଶିଚକ୍ର'ରୁ ଦୁଇଧାଡି]