ମଲ୍ଲିକା
ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ ନିର୍ମମ
ଦିନେ ତ ସମୟ ଥିଲା ଆମେ ଦୁହେଁ ଯାଉଥିଲୁ ବୁଲି
ଅବଶ୍ୟ ବାହାରେ ଯାଇ ବେଶୀ କିଛି ଲାଭ ନାଇଁ
ଖାଲି ଯାହା ନୂଆ ନୂଆ ଫ୍ରକ ତୋର ନଷ୍ଟ ହୁଏ
ଜମି ଜମି ପେଟ୍ରୋଲ ଓ ଧୂଳି ।
ମଲ୍ଲିକା, ଦେଖିଛି ତୋତେ କେତେ ରାତି କେତେ ଦ୍ଵିପହରେ
ଯୀଶୁଙ୍କର କ୍ରଶ ପରି ନିଷ୍ଠା ତୋର ମୋ ଆଖି ଓଠରେ
ମୋ ପିତା ଓ ପ୍ରପିତାମହଙ୍କ ରକ୍ତଠାରୁ ଆହୁରି ପ୍ରାଚୀନ
ସତରଟି ହାୟାସିନ୍ଥ ଫୁଲ ରହସ୍ୟର ଡୋରିଆ ସୂତାରେ
ଆରବ୍ୟ ରଜନୀ ପରି ତୋତେ ପରା ଯୋଡନ୍ତି ମଲ୍ଲିକା
ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ ନିଷ୍ଠୁର
ସିମେଣ୍ଟରେ ପଦ୍ମା ଲେଖେ, ଅର୍କେଷ୍ଟ୍ରାରେ ଝରାଏ ଶ୍ୟାମଳ ।
ତୋର କଣ ମନେ ଅଛି ଆମେ ଦୁହେଁ ଛୋଟ କ୍ଵାର୍ଟରରେ
ତମ ବାପା ଆମ ବାପା ପାଖାପାଖି ରହୁଥିବା ବେଳେ
ଗୀର୍ଜା ଆଡେ ବୁଲିଯାଉ, ନିସ୍ତୁକ ସନେଟ ପଢୁ ଜହ୍ନ ଆଲୁଅରେ
ଓ କେବେ ହଠାତ କେଉଁ ଅନ୍ଧକାର ଶିଡି ବାରଣ୍ଡାରେ
ତୋ ଦେହ ଜାବୁଡି ଧରି କାଉଣ୍ଟ ଅଫ ମଣ୍ଟେକ୍ରୀଷ୍ଟୋ ପରି
ମୁଁ କେବେ ଖାଇଲେ ଚୁମା, ବୁଜୁଥିଲୁ ତୁ ତୋ ଦୁଇ ଆଖି (ସିନେମାରୁ ଶିଖି) ।
ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ କର୍କଶ
ପ୍ରେମଠାରୁ ମୃତ୍ୟୁ ସତ୍ୟ, ପ୍ରାଣ ଠାରୁ ପରିଣାମ ସତ୍ୟ
ପ୍ରେମ ହିଁ ପ୍ରଥମ ମୃତ୍ୟୁ, ମୃତ୍ୟୁ ଏକ ଅଭିଶପ୍ତ ପ୍ରେମ
ମଲ୍ଲିକାରେ, ଏ ରାତିରେ କାର୍ତ୍ତିକର ହିମ ।