ଏବେ ବିଚାରପତି ମାନେ ବି ଦେଶଦ୍ରୋହୀ!!

ଏବେ ବିଚାରପତି ମାନେ ବି ଦେଶଦ୍ରୋହୀ!!

ଦେଶର ଆଇନ ମନ୍ତ୍ରୀ ଏବେ ଆଉ ଦଳେ ନୂଆ ଦେଶଦ୍ରୋହୀ ଙ୍କୁ ଠାବ କରିଛନ୍ତି। "ଇଣ୍ଡିଆ ଟୁଡେ" ପତ୍ରିକା ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ କିଛି ପୂର୍ବତନ ବିଚାରପତି ଏବେ ଭାରତ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଏବଂ ସେମାନେ ସୁପ୍ରିମକୋର୍ଟଙ୍କୁ ସରକାର ବିରୋଧୀ ହେବାକୁ ପ୍ରରୋଚିତ କରୁଛନ୍ତି। ସେମାନଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଇନ ମନ୍ତ୍ରୀ ଖୋଲାଖୋଲି ଧମକ ଦେଇଛନ୍ତି। ଭାରତ ଇତିହାସରେ ବୋଧହୁଏ ଏମିତି କେବେ କୌଣସି ମନ୍ତ୍ରୀ ଦେଶର ବିଚାରପତି ମାନଙ୍କୁ ଖୋଲାଖୋଲି ଧମକ ଦେଇନଥିଲେ। ଆଇନ ମନ୍ତ୍ରୀ ବୋଧହୁଏ ନିଜକୁ ଆଇନ ବୋଲି ଭାବୁଛନ୍ତି ଓ ତାଙ୍କ ମତରେ ସରକାରକୁ ସମାଲୋଚନା କରୁଥିବା ସବୁ ଲୋକ ଦେଶଦ୍ରୋହୀ। ଏପରିକି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିମାନେ ମଧ୍ୟ ଚୁପ୍ ହୋଇ ବସନ୍ତୁ ନଚେତ୍ ସେମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

ଗଣତନ୍ତ୍ରରେ ସବୁ ଅନୁଷ୍ଠାନର ଗୋଟେ ମର୍ଯ୍ୟାଦା ଥାଏ, ଯାହାକି ମୋଦୀ ଶାସନରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ‌‌। ମୋଦୀ ସରକାରର ଅନେକ ମନ୍ତ୍ରୀ ସାଧାରଣ ଟ୍ରୋଲ ଭଳି କଥାବାର୍ତ୍ତା କରୁଛନ୍ତି। ଦୁର୍ଭାଗ୍ୟର କଥା ହେଉଛି ଆଇନ ଓ ନ୍ୟାୟ ବିଭାଗର ମନ୍ତ୍ରୀ ବିଚାରପତି ମାନଙ୍କୁ ଧମକ ସେଇ ଟ୍ରୋଲମାନଙ୍କ ଭାଷାରେ ଇ ଧମକ ଦେଉଛନ୍ତି । 

ତେବେ ମନ୍ତ୍ରୀଙ୍କ ଏହି ଅକାରଣ କ୍ରୋଧର କାରଣ ଖୋଜିବାକୁ ଆମକୁ ଗତ ଫେବୃଆରୀରେ ଘଟିଥିବା ଏକ ଘଟଣାକୁ ଦେଖିବାକୁ ପଡିବ । ଗତ ଜାନୁଆରୀ ଓ ଫେବୃଆରୀ ମାସରେ କିରଣ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମ ବ୍ୟବସ୍ଥାକୁ ନିୟମିତ ସମାଲୋଚନା କରୁଥିଲେ । କଲେଜିୟମ ପ୍ରସଙ୍ଗରେ ଗତ ଫେବୃଆରୀ ୧୮ ତାରିଖ ଦିନ ଦିଲ୍ଲୀରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆବାହକତ୍ଵରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରେ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଲିତ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ଦୀପକ ଗୁପ୍ତା,  ଜଷ୍ଟିସ ଇନ୍ଦିରା ବାନାର୍ଜୀ, ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ଏପି ଶାହ, ଜଷ୍ଟିସ ଅଞ୍ଜନା ପ୍ରକାଶ ପ୍ରମୁଖ ଯୋଗଦାନ କରିଥିଲେ। ସ୍ବାଭାବିକ ଭାବରେ ଏଥିରେ ବିଚାରପତି ନିଯୁକ୍ତିରେ ସରକାରୀ ହସ୍ତକ୍ଷେପକୁ ନାପସନ୍ଦ କରାଯାଇଥିଲା।

ସମଗ୍ର ଆଲୋଚନା ଚକ୍ରରେ ଏ ସମ୍ପର୍କରେ ଉଚ୍ଚକୋଟୀର ଆଇନଗତ ବିଚାର ବିମର୍ଶ ହୋଇଥିଲା। ଏହାକୁ ଭାରତ ବିରୋଧୀ ବୋଲି ଆଇନ ମନ୍ତ୍ରୀ ଭାବିବା, ତାଙ୍କ ପଦବୀକୁ ଇ ଅପମାନିତ କରୁଛି। ଦେଶର ଅତ୍ୟନ୍ତ ସମ୍ମାନସ୍ପଦ ବିଚାରପତି ମାନଙ୍କୁ ଦେଶ ଦ୍ରୋହୀ ଆଖ୍ୟା ଦେଉଥିବା ସରକାର ସାଧାରଣ ନାଗରିକଙ୍କ ପ୍ରତି ଯେ କି ପ୍ରକାର ଆଚରଣ କରୁଥିବେ, ଏହା ସହଜରେ ଅନୁମେୟ।