ଭାସ୍କୋ ପୋପାଙ୍କ କବିତା
ଭାସ୍କୋ ପୋପା (୧୯୨୨-୧୯୯୧), ଯୁଗୋସ୍ଲୋଭିଆରର କବି । ଅତି ସରଳ ଭାବରେ ସବୁଠୁ ଜଟିଳ ଚିତ୍ରକୁ ଆଙ୍କି ପାରିବାର ବିଚିତ୍ର କଳା ତାଙ୍କ କବିତାରେ ରହିଥିଲା । ତାଙ୍କ ସମୟର ଲୋକପ୍ରିୟ କବିଙ୍କ ତାଲିକାରେ ସେ ହୁଏତ ନଥିଲେ । ହେଲେ କବିତାର ଚିହ୍ନରା ପାଠକଙ୍କ ଲାଗି ସେ ଏକ ଚମତ୍କାର କବି । ତାଙ୍କୁ ପଢିଲେ କବିତାକୁ ବୁଝିବା ସହଜ ହୋଇଯାଏ ।
ଲୁଚକାଳି
ଜଣେ ଆରଜଣକଠୁ ଲୁଚି ରହେ
ଜଣେ ନିଜକୁ ଲୁଚାଏ ତାର ଜିଭ ତଳେ
ଆରଜଣକ ତାକୁ ଖୋଜି ବୁଲୁଥାଏ
ମାଟିତଳେ ।
ଜଣେ ଲୁଚିଥାଏ ତାର କପାଳରେ
ଆରଜଣକ ତାକୁ ଖୋଜି ବୁଲୁଥାଏ
ସାରା ଆକାଶ ।
ଜଣେ ନିଜକୁ ଲୁଚାଇଥାଏ ତାର ବିସ୍ମରଣରେ
ଆରଜଣକ ତାକୁ ଖୋଜି ବୁଲୁଥାଏ
ଘାସରେ ।
ସେ ନିଜର ଖୋଜିବାକୁ ଖୋଜି ହେଉଥାଏ
ଏମିତି କିଛି ନଥାଏ ଯେଉଁଠି ସେ ଖୋଜିନଥାଏ ନିଜକୁ
ଖୋଜୁ ଖୋଜୁ ସେ ନିଜକୁ ହଜାଇ ଦିଏ ।
ମୋର ପୂର୍ବପୁରୁଷଙ୍କର ଗାଁରେ
କେହି ଜଣେ ମୋତେ କୋଳେଇ ନିଏ
ଆଉ କେହିଜଣେ ମୋ ଆଖକୁ ଦେଖେ
ଗଧିଆର ଡାହାଳ ଚାହାଣୀ ନେଇ
ଆଉ କେହି ତା ଟୋପି ଖୋଲି
ମୋତେ ଭଲକି ଦେଖାଏ ତାର ଚେହେରା
ହୁଏତ ମୁଁ ତାକୁ ଚିହ୍ନିପାରିବି ବୋଲି ଠିକରେ ।
ସମସ୍ତେ କହନ୍ତି ମୋତେ
ମୁଁ କେମିତି ସେମାନଙ୍କର ସମ୍ପର୍କୀୟ ।
ଅଚିହ୍ନା ବୁଢାବୁଢୀମାନେ
ମୋ ସ୍ମୃତିର ତରୁଣମାନଙ୍କ ସହ
ଯୋଡନ୍ତି ନିଜ ନାଁ କୁ ।
ସେମାନଙ୍କ ଭିତରୁ ମୁଁ ଜଣକୁ ପଚାରେ-
ଭଗବାନଙ୍କ ରାଣ ତମକୁ
କହିଲ, ତମ ଭିତରୁ କିଏ ଗଧିଆ ଗୋତ୍ରର
ମୋ ପୂର୍ବପୁରୁଷ- ଜର୍ଜ ।
ସେ ଲୋକ କହେ- ମୁଁ ପରା ସିଏ
ତାର ସ୍ଵର ଶୁଭୁଥାଏ ଆଉ ଗୋଟେ ପୃଥିବୀର ସ୍ଵର ପରି ।
ମୁଁ ତାର ହାତ ଧରି
ତା ଆଖିରେ ଆଖି ମିଶେଇ
କାକୁତି ମିନତି ହୋଇ ପଚାରେ
ମୁଁ ସତରେ ବଞ୍ଚିଛି ନା ତମ ଭିତରେ !!
ଅନୁବାଦ- କେଦାର ମିଶ୍ର