କବି କୁମାର ହସନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

କବି କୁମାର ହସନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ କବି, ଗବେଷକ ଏବଂ ଅନୁବାଦକ କୁମାର ହାସନଙ୍କ ସ୍ମୃତିରେ ଲୋହିଆ ଏକାଡେମୀ ଠାରେ ଏକ ସ୍ମୃତି ସଭା ଗତ ୧୦ ଅଗଷ୍ଟ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ପ୍ରଗତିଶୀଳ ପତ୍ରିକା "ସମଦୃଷ୍ଟି" ଏବଂ ଲୋହିଆ ଏକାଡେମୀ ତରଫରୁ ଆୟୋଜିତ ଏହି ସଭାରେ କବି କୁମାର ହସନଙ୍କ ଜନବାଦୀ କବିତାର ଧାରା କାଳଜୟୀ ହୋଇ ରହିବ ବୋଲି ବିଶିଷ୍ଟ ଲେଖକ ଓ ସାମାଜିକ କର୍ମୀମାନେ ମତ ଦେଇଥିଲେ। ଜନତାଙ୍କ ଦୁଃଖ, ଦୁର୍ଦ୍ଦଶା ଓ ଶାସକ ଶ୍ରେଣୀର ଶୋଷଣ ଶାସନକୁ ନିଜ ଲେଖନୀ ମୂନରେ ଜୀବନ୍ତ ରୂପ ଦେଉଥିବା ଜନବାଦୀ କବି, ଲେଖକ, ସାମ୍ବାଦିକ ତଥା ଜୀବନ ବ୍ୟାପି ସଂଗ୍ରାମର ବାର୍ତ୍ତାବହ ଭାବରେ କବି କୁମାର ହସନଙ୍କୁ ଓଡିଶାର ଇତିହାସ ସବୁବେଳେ ମନେରଖିବ । 

କବି କେଦାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ଆଶୁତୋଷ ପରିଡ଼ା, ବାସୁଦେବ ସୁନାନୀ, ନିରାକାର ଦାସ, ଭାରତ ମାଝୀ, ସୂର୍ଯ୍ୟ ମିଶ୍ର, ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ, ସ୍ବାଧିନ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ରାଧାକାନ୍ତ ସେଠି, ସୁଧୀର ପଟ୍ଟନାୟକ, ସ୍ବୟଂ ପ୍ରଭା ପାଢ଼ୀ ପ୍ରମୁଖ ସ୍ବର୍ଗତ ହସନଙ୍କ ସୃଜନଶୀଳ ପ୍ରତିଭା ଓ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ସମଦୃଷ୍ଟିର ସହ ସମ୍ପାଦକ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।