ଦୁଃଖ ର ଦସ୍ତାବିଜ, ମୁଁ ଓ ହାନ୍
' ମୁଁ ପ୍ରତିଦିନ ଏକୁଟିଆ ଲଢୁଛି। ମୁଁ ସେହି ନର୍କ ସାଥିରେ ଯୁଦ୍ଧ କରୁଛି। ମୁଁ ବଞ୍ଚିଯାଇଛି କିନ୍ତୁ ମୋ ନିଜ ଭିତରର ମାନବିକତା ପାଇଁ ପ୍ରତିଦିନ ଯୁଦ୍ଧ କରୁଛି। ବଞ୍ଚିବାର ଏକମାତ୍ର ରାସ୍ତା ମୃତ୍ୟୁ, ମତେ ଏହି ଭାବନା ସହ ପ୍ରତିଦିନ ହାତାହାତି ହେବାକୁ ପଡୁଛି।“
ହାନ୍ କାଙ୍ଗ୍
ସଂଘର୍ଷ ର ଅନ୍ୟନାମ ଜୀବନ। କିନ୍ତୁ ସେହି ଜୀବନ ର ମାପକାଠି ରେ ନିଜକୁ ସନ୍ତୁଳିତ କରି, ତିଷ୍ଠି ରହିବାରେ ସଫଳତା ମିଳେ, ଏହା ସାବ୍ୟସ୍ତ କରିପାରିଛନ୍ତି ଦକ୍ଷିଣ କୋରିଆର ସାହିତ୍ୟ ପାଇଁ 2024 ରେ ନୋବେଲ ପାଇଥିବା ହାନ୍ କାଙ୍ଗ୍ । ଚଉବନ ବର୍ଷିଆ ହାନ୍, ଜୀବନ ଓ ମୃତ୍ୟୁର ମଝିରେ ଥିବା ସୁକ୍ଷ୍ମ ଚେତନାକୁ ଭାବନାରେ ତରଙ୍ଗାୟିତ କରିଛନ୍ତି । ସେ ନାଟକ ପଛର ପରଦାକୁ ଦେଖିପାରିଛନ୍ତି ।
ଏହି କଥା ସବୁ ହାନ୍ କାଙ୍ଗ୍ ଙ୍କ ବିଷୟରେ ଆପଣ ସବୁଠି ପଢିପାରିବେ। କିନ୍ତୁ ମୁଁ କାହିଁକି ଖୁବ୍ ଜଡିତ ହୋଇଯାଉଥିବା ଅନୁଭବ କରୁଥିଲି ଏହି ମହିଳାଙ୍କ ସହିତ। ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ମହାନ୍ ବ୍ୟକ୍ତିତ୍ବଙ୍କ ସହିତ ମୋ ଭଳି ଏକ ସାଧାରଣ ମହିଳାଙ୍କ କ'ଣ ବା ହେଇପାରେ ସାମଞ୍ଜସ୍ୟ?
ମୋ ମନରେ ଏହା ସ୍ବତଃ ଆସିଗଲା, ଯେବେ ମୁଁ ଏକ ଜର୍ଣ୍ଣାଲ ରେ ପଢିଲି, ସ୍ବିଡିସ୍ ଆକାଡେମୀର ସେକ୍ରେଟାରୀ ମ୍ୟାଟ୍ସ ମାଲମ୍ ହାନ୍ ଙ୍କୁ ନୋବେଲ୍ ପାଇଥିବା ଖୁସି ଖବର ଦେବା ପାଇଁ କଲ କରିଥିଲେ, ହାନ୍ ସେହି ସମୟରେ ଏକ ସାଧାରଣ ମହିଳା ଭଳି ନିଜ ପୁଅ ସହ ଖାଇବା ସାରି ଫୋନ୍ ଉଠେଇଥିଲେ। ସେ ସେହି ସମୟକୁ ଓ ପାରିବାରିକ ସମ୍ପର୍କ କୁ ଏତେ ଗୁରୁତ୍ବ ଦେଉଥିଲେ ଯେ, ଏତେବଡ ସମ୍ମାନ ବା ଖୁସି ଖବର ପାଇ ଉଲ୍ଲସିତ ହୋଇନଥିଲେ। ବରଂ ପରେ କଥା ହେବେ କହିଥିଲେ। ନାରୀ, ପୃଥିବୀର ଯେକୌଣସି ଦେଶର ହୁଅନ୍ତୁ, ଯେତେ ସଫଳ ହୁଅନ୍ତୁ, ପରିବାର ଓ ସନ୍ତାନ ଆଗରେ ସବୁ ତୁଚ୍ଛ ମନେହୁଏ।
୧୯୭୦ ରେ ଦକ୍ଷିଣ କୋରିଆ ରେ ଜନ୍ମ ନେଇଥିବା ହାନ୍ ପାଖାପାଖି ୯ ବର୍ଷ ବେଳକୁ ରାଜଧାନୀ ସିଓଲ କୁ ଆସିଯାଇଥିଲେ। ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ, ପୋଲିସର ମାତ୍ରାଧିକ ଚାପ, ସେନାର ନୃଶଂସତା ଓ ତା ଭିତରେ ହଜିଯାଉଥିବା ମାନବିକତା ସହ ଏକ ଦୁର୍ବିସହ ପରିସ୍ଥିତିରେ ଗଢି ହେଇଥିବା ମହିଳା ହେଲେ ହାନ୍ କାଙ୍ଗ୍। ତେଣୁ ସେ ସହଜ ରେ କହିପାରିଛନ୍ତି ଧଳା ରଙ୍ଗ ଶାନ୍ତିର ନୁହଁ। ଯୋଉ ରଙ୍ଗ ରେ ସବୁ ରଙ୍ଗ ର ପରିସମାପ୍ତି ଘଟିଛି , ତାହା ଧଳା। ତେଣୁ ଧଳା ଜୀବନର ରଙ୍ଗ। ଧଳା ଲୁଣ ର ରଙ୍ଗ। ଧଳା ରଙ୍ଗ ରେ ରକ୍ତ ର ଗାଢ ନାରଙ୍ଗି ରଙ୍ଗ ଦେଖି ପାରୁଥିଲେ ହାନ୍। ପ୍ରତ୍ୟେକ ସମାଜରେ ପ୍ରତାଡିତ ନାରୀ ମାନେ , ଜୀବନର ଯେତେ ଦିଗନ୍ତ ଦେଖିପାରନ୍ତି, ବାକି ଦୁନିଆ ସେତିକି ଦେଖିବା ଦରକାର ପଡେନାହିଁ। ତେଣୁ ମୁଁ ନିଜକୁ ହାନ୍ ଙ୍କ ସହିତ ଯୋଡିପାରୁଛି।
ଏକ ସାହିତ୍ୟିକ ପରିବେଶ ରେ ସେ ବଢିଥିଲେ। ସେ କହନ୍ତି ଘରେ ମାତ୍ର ଚଳପ୍ରଚଳ ହେବା ସ୍ଥାନକୁ ଛାଡିଦେଲେ ସବୁଠି ବହି ଭର୍ତ୍ତିହୋଇ ଥାଏ। କ୍ରମେ ସେହି ପରିବେଶ ତାଙ୍କ ଅସ୍ଥିମଜ୍ଜା ଗତ ହୋଇ ହୃଦୟରେ ଥିବା କରୁଣ ଭାବନା ସବୁ କୁ ଶବ୍ଦ, ଗୀତ ତଥା ସାହିତ୍ୟର ରୁପ ନେଇ ସ୍ଥାନାନ୍ତରିତ ହୋଇଛି ବହି ରେ। ଅତୀତର ଦୁଃଖ ଓ ଜନ୍ତ୍ରଣାକୁ ସେ ଭୁଲିପାରିନାହାନ୍ତି। ତେଣୁ ଲେଖିଛନ୍ତି,
' କିଛି ସ୍ମୃତି କେବେ ଠିକ୍ ନଥାଏ। ସମୟ ସାଥିରେ ସବୁ ଫିକା ପଡି ଆସିବା ବଦଳରେ ସେହି ଦୁଃଖ ଗୋଡାଇ ଥାଏ। ଏହି ଦୁନିଆ ଅନ୍ଧକାର ଦେଖାଯାଏ। ଯେପରି ବିଦ୍ୟୁତ ବଲବ୍ ସବୁ ଲିଭି ଆସେ ଗୋଟେ ଗୋଟେ କରି।'
ହଁ , ଏହା ବି ଗୋଟିଏ କାରଣ ଯେ ଝିଅଟେ ଛୋଟବେଳେ ଯାହା ଦେଖିଥାଏ, କ୍ରମଶଃ ତାହାକୁ ନେଇ ବଢେ। ଦୁଃଖ କୁ ସାଇତି ରଖିବା କଳା ଝିଅମାନେ ଖୁବ୍ ଜାଣନ୍ତି। ତେଣୁ ମୁଁ ହାନ୍ ଙ୍କ ସହିତ ନିଜକୁ ଯୋଡିପାରେ।
ସେ ମନୁଷ୍ଯ ଜୀବନର କୋମଳ ଭାବନା ସହିତ ଆଘାତରେ ମନ ଓ ହୃଦୟରେ ହେଉଥିବା ତୀବ୍ର ଯନ୍ତ୍ରଣା କୁ ତାଙ୍କ ଉପନ୍ୟାସ ' ଦି ଭେଜିଟେରିଅନ୍' ରେ ଦର୍ଶାଇଛନ୍ତି। ଆତ୍ମା, ମୃତ୍ୟୁ ଓ ଜୀବନ ସମ୍ବନ୍ଧିତ ଦର୍ଶନ ପାଇଁ ତାଙ୍କ ରଚନା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।
ହାନ୍ ଯୁଦ୍ଧ ବିରୁଦ୍ଧ ରେ ଲେଖିଛନ୍ତି। ସେ ସମସ୍ତ ପ୍ରକାର ଅନ୍ଯାୟ ଅତ୍ୟାଚାର ଓ ଶୋଷଣ ପାଇଁ ଅତ୍ୟନ୍ତ ମର୍ମାହତ ତାହା ସ୍ପଷ୍ଟ କରେ ତାଙ୍କରି ରଚନା। ମନ ଓ ଆତ୍ମା ର ସମ୍ପର୍କ କୁ ନେଇ ତାଙ୍କ କାହାଣୀ ଅଦଭୁତ ରୋମାଞ୍ଚକର।
ଆମ ସମାଜରେ ଝିଅଟି ବଡ ହେଉ ହେଉ ଜାଣିସାରିଥାଏ ଯେ, ସେ ତା ନିଜ ଇଛାରେ ବଞ୍ଚି ପାରିବ ନାହିଁ। କେବେ ସମାଜ ସହିତ ତ' କେବେ ପରିବାର ସହିତ ସାଲିସ କରି ତାକୁ ଆଗକୁ ବଢିବାକୁ ହୁଏ। ଏହି ପ୍ରକ୍ରିୟାରେ ତା ଆତ୍ମା ଯେ କେତେ ଆଘାତ ପାଇଥାଏ, ତାହା କେବଳ ସେହି ଝିଅଟି ଜାଣିପାରେ।
ହାନ୍ କାଙ୍ଗ୍ ଙ୍କ ଗୋଟିଏ ବାକ୍ଯ, ' ଏଠି ପୂର୍ଣ୍ଣତା ଓ ପ୍ରାୟଶ୍ଚିତ ପାଇଁ ସ୍ଥାନ ନାହିଁ ' , ନାରୀ ସମାଜ ପାଇଁ କେତେ ପ୍ରଯୁଜ୍ୟ ତାହା ଅନୁଭବ କରିହୁଏ। ଏହି ନୋବେଲ ପୁରସ୍କାର ପାଇଥିବା ନାରୀ ଟି ପ୍ରତି ମୋ ମନରେ ଆତ୍ମିୟତାର ଅଭାବ ନାହିଁ। ବୋଧହୁଏ ମୋ ହୃଦୟର କୋଉ ଗୋଟିଏ କୋଣରେ କରୁଣ ରାଗିଣୀ ଗାଉଥିବା ହାନ୍ ଉଦ୍ଜୀବିତ ଅଛି।