ବିଜେଡି ବିଜେପି କଳି : ପୁରୁଣା ସୁଆଙ୍ଗ

ବିଜେଡି ବିଜେପି କଳି : ପୁରୁଣା ସୁଆଙ୍ଗ

ଆମେ ଓଡ଼ିଆମାନେ ଦଣ୍ଡ ଯାତ୍ରା ଦେଖିବାରେ ଅଭ୍ୟସ୍ତ। ଦଣ୍ଡ ଯାତ୍ରାରେ ପତ୍ର ଶଉରା ଓ ଶଉରୁଣୀ ନାମରେ ହଳେ ଚରିତ୍ର ଆସନ୍ତି। ଏ ଦୁହେଁ ସୁଖୀ ଦମ୍ପତି, ହେଲେ ଦୁହିଁଙ୍କ ଭିତରେ ଖିଟିର୍ ପିଟିର୍ ଲାଗିଥାଏ। ଦୁହେଁ ଦୁହିଁଙ୍କୁ ଗାଳି କରନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣନ୍ତି। ବେଳେ ବେଳେ କଥା ଟିକିଏ ଉପରକୁ ଯାଏ। ପତ୍ର ଶଉରୁଣୀ କହେ, ମୁଁ ତୋ ଘର ଛାଡ଼ି ଚାଲିଯିବି। ଶଉରା କହେ, ଯାଉନୁ, ମୁଁ ଆଉ ଗୋଟେ ବାହା ହୋଇପଡିବି। ଏମିତି ଝଗଡ଼ା ହେଉ ହେଉ ଦୁହେଁ ପୁଣି ପରସ୍ପରର ହାତ ଧରି ନାଚିବା ଆରମ୍ଭ କରନ୍ତି। ଦର୍ଶକ ଦୁହିଁଙ୍କ ପ୍ରେମ ଦେଖି ତାଳି ମାରନ୍ତି।

ଓଡ଼ିଶା ରାଜନୀତିରେ ଏବେ ଠିକ୍ ସେହି ସୁଆଙ୍ଗ ଚାଲିଛି। ଓଡ଼ିଶା ରାଜନୀତିରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ କଳିଗୋଳ ଚାଲିଛି। ବିଜେପି ନେତାମାନେ ବିଜେଡିକୁ ଗଣତନ୍ତ୍ର ବିରୋଧୀ ବୋଲି ଆକ୍ଷେପ କରୁଛନ୍ତି। ଜଣେ ସଚିବ ସ୍ତରୀୟ ଅଫିସର୍ ବିଜେଡି ଦଳ ଓ ସରକାରକୁ କବଜା କରି ନେଇଛନ୍ତି ବୋଲି ବିଜେପି ଅଭିଯୋଗ କରୁଛି। ବିଜେପିର ବରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଏବେ ବିଜେଡିକୁ ଆକ୍ରମଣ କରୁଛନ୍ତି। ତେବେ ଆକ୍ରମଣ କଲାବେଳେ ବିଜେପି ନେତାମାନେ ଯେଉଁ ଅଧିକାରୀଙ୍କ ବିରୋଧରେ କହୁଛନ୍ତି, ତାଙ୍କ ନାଁ ଧରିବାକୁ ମଧ୍ୟ ସାହସ କରୁନାହାନ୍ତି। ବିଜେଡି ମଧ୍ୟ ବିଜେପି ଅଭିଯୋଗର ଉତ୍ତର ନ ରଖି ପାଣିରେ ଗାର ପକାଉଛି । ଅସଲ କଥାଟି ହେଲା ଏ ଦୁଇ ଦଳ ପରସ୍ପରର ବିରୋଧୀ ବୋଲି ଦେଖାଇବାକୁ କେବଳ ଏକ ସୁଆଙ୍ଗ ରଚନା କରୁଛନ୍ତି।

ଗତ ପାଞ୍ଚ ବର୍ଷ ଭିତରେ କେନ୍ଦ୍ରରେ ବିଜେପି ଓ ବିଜେଡ଼ି ଗୋଟିଏ ଶିବିରରେ ରହି କାମ କରୁଛନ୍ତି। କାଶ୍ମୀର ପ୍ରସଙ୍ଗରେ ଏ ମାନେ ପରସ୍ପର ସାଙ୍ଗରେ ଥିଲେ। କୃଷି ଆଇନକୁ ବିଜେଡି ସମର୍ଥନ କରି ଏ ଦେଶର କୃଷକମାନଙ୍କ ସ୍ବାର୍ଥ ବିରୋଧରେ ଠିଆ ହୋଇଥିଲା। ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ବିଜେପି ପ୍ରାର୍ଥୀଙ୍କୁ ନିସର୍ତ୍ତ ସମର୍ଥନ ଦେଇଥିଲା। ବିଜେପିର ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ବିଜେଡି କେବେ ହେଲେ ପାଟି ଫିଟାଇ ନାହିଁ। ଏକଦା ବିଜେଡିର ଜଣେ ପ୍ରଭାବଶାଳୀ କର୍ମକର୍ତ୍ତା ମୋତେ କହିଥିଲେ - ଉପର ମହଲାରୁ ଆମକୁ କୁହାଯାଇଛି, ମୋଦୀ - ଶାହ ଓ ଧର୍ମେନ୍ଦ୍ରଙ୍କ ବିରୋଧରେ ପାଟି ନ ଖୋଲିବା ପାଇଁ। ବିଜେଡି ସେ ନୀତିରେ ଆଜି ମଧ୍ୟ ଅଟଳ ରହିଛି। ଜାତୀୟ ରାଜନୀତିରେ ବିଜେଡି ବିଜେପିର ସବୁଠୁ ବଡ଼ ସହଯୋଗୀର ଭୂମିକା ନିର୍ବାହ କରୁଛି।

ଯଦି କେନ୍ଦ୍ରରେ ବିଜେପି - ବିଜେଡି ସମ୍ପର୍କ ଏତେ ସୁଦୃଢ, ରାଜ୍ୟରେ ଏହାର ବିପରୀତ ଘଟୁଛି କାହିଁକି? ନାଁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧା ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭିକେ ପାଣ୍ଡିଆନ୍ ଙ୍କୁ ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର ଓ ଜୁଏଲ୍ ମଧ୍ୟ ଏହି ସମାନ କଥା ଦୋହରାଇଛନ୍ତି। ତେବେ ରାଜନୈତିକ ସମାଲୋଚନା କରିଥିବା ଏ ନେତାମାନେ କଣ ଜାଣନ୍ତି ନାହିଁ ଯେ ପାଣ୍ଡିଆନ୍ ଓଡ଼ିଶା କ୍ୟାଡ଼ର ର ଅଫିସର ହେଲେ ମଧ୍ୟ ତାଙ୍କ ଚାକିରୀର ଲଗାମ ପ୍ରଧାନମନ୍ତ୍ରୀଙ୍କ କାର୍ମିକ୍ ଓ ପର୍ସୋନେଲ୍ ବିଭାଗ ହାତରେ ରହିଛି । ଯଦି କୌଣସି ସର୍ବ ଭାରତୀୟ ଅଧିକାରୀ ନିଜ ସାମ୍ବିଧାନିକ ସୀମା ଟପି କାମ କରୁଛନ୍ତି ବୋଲି ବିଜେପି ନେତାମାନେ ଅନୁଭବ କରୁଛନ୍ତି, ତା ହେଲେ ସେମାନେ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି କି ? ଏ ପ୍ରସଙ୍ଗରେ ବିଜେପି ଲୋକ ପ୍ରତିନିଧିମାନେ କେତୋଟି ଅଭିଯୋଗ କାହାକୁ କରିଛନ୍ତି, ତାର ପ୍ରମାଣ ଆଜି ଦରକାର

 ବିଜେପି ନିଜ ହାତରେ ଥିବା ଦାୟିତ୍ଵ ନିର୍ବାହ ନକରି ଅଯଥା ବିଭ୍ରାନ୍ତିକର ରାଜନୀତି କରୁଛି ବୋଲି ଲୋକ ଠିକ ଜାଣନ୍ତି