ମି ଲର୍ଡ! ମର୍ଯାଦାପୂର୍ଣ୍ଣ ମୃତ୍ୟୁଦଣ୍ଡ କ’ଣ ହତ୍ୟା ନୁହେଁ ?
ମି ଲର୍ଡ! ଯଦି ସହରରେ ଥିବା କଂସେଇଖାନାର ମାଲିକମାନେ କିମ୍ବା ବ୍ରଏଲର କୁକୁଡା ବ୍ୟବସାୟୀମାନେ ଛେଳି ବା କୁକୁଡାଙ୍କ ଲାଗି ମର୍ଯ୍ୟଦାପୂର୍ଣ୍ଣ ଓ ସୁଖକର ମୃତ୍ୟୁର ଉପାୟ ବାହାର କରିବା ଲାଗି ଏକ କମିଟି ବସାଇବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୁଏ ତେବେ ଆପଣ ହସିବେ ନା କାନ୍ଦିବେ ନା ଦୁଃଖ ପ୍ରକାଶ କରିବେ?
ଏବେ ଆପଣଙ୍କ ବିଭିନ୍ନ ଜେଲରେ ୫୩୯ ଜଣ ବନ୍ଦୀ ଅଛନ୍ତି ଯାହାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଦିଆଯାଇଛି ଓ ସେମାନଙ୍କ ବିଚାର ଉପର କୋର୍ଟରେ ଚାଲିଛି ଅଥବା ରାଷ୍ଟ୍ରପତିଙ୍କ ନିକଟରେ ସେମାନଙ୍କ କ୍ଷମାଯାଚିକା ବିଚାରାଧୀନ ଅବସ୍ଥାରେ ରହିଛି। ମୃତ୍ୟୁଦଣ୍ଡ ଶୁଣାଯାଇଥିବା ସେହି ‘ଅପରାଧୀ’ମାନଙ୍କୁ ଫାଶୀ ସମୟରେ କଷ୍ଟ ହେବ ତେଣୁ ଏହାର ବିକଳ୍ପ ଲାଗି ଆପଣ ଚିନ୍ତା କରିବା କୁକୁଡା ଓ ଛେଳି ମାଲିକଙ୍କ ସମବେଦନା ଭଳି। ନୁହେଁ କି? କାରଣ ଫାଶୀଦଣ୍ଡ ଶୁଣାଯାଇଥିବା ବ୍ୟକ୍ତିମାନେ ଏବେ ଜେଲରେ। ସେମାନେ ଆପଣଙ୍କ ଏହି ବ୍ୟସ୍ତତାକୁ ନେଇ କ’ଣ ଭାବୁଛନ୍ତି ତାହା ଆମକୁ ଜଣାନାହିଁ।
ଦେଶର ବିଭିନ୍ନ ବିଚାରାଳୟ ଦ୍ଵାରା ଗଲା ବର୍ଷ (୨୦୨୨) ସମୁଦାୟ ୧୬୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିବାର ତଥ୍ୟ ଦିଲ୍ଲୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ରିପୋର୍ଟରେ ପ୍ରକାଶ ପାଏ। ଏହା ଗଲା କୋଡିଏ ବର୍ଷ ମଧ୍ୟରେ ସର୍ବାଧିକ। ଆପଣ ସମୀକ୍ଷା କରିବା ଜରୁରୀ ଥିଲା ଯେ କୌଣସି ବି ଅପରାଧୀକୁ ମୃତ୍ୟୁଦଣ୍ଡ ଦେବା ଦ୍ଵାରା କ’ଣ ସେହି ଅପରାଧ ସତେରେ ସମାଜରେ ବନ୍ଦ ହୋଇଯାଇଥାଏ?
୨୦୧୬ ମସିହା ପରଠାରୁ ଧର୍ଷଣ ଅପରାଧରେ ଅଧିକରୁ ଅଧିକ ସଂଖ୍ୟକ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଉଛି। ଏପରିକି ୨୦୨୨ ମସିହାରେ ମଧ୍ୟ ସମୁଦାୟ ୧୬୫ ଜଣଙ୍କ ମଧ୍ୟରୁ ୫୧% ‘ଅଭିଯୁକ୍ତ’ ଧର୍ଷଣ ଅପରାଧ ଲାଗି ମୃତ୍ୟୁଦଣ୍ଡ ବିଭିନ୍ନ କୋର୍ଟ ପାଇଛନ୍ତି। ଜାତୀୟ ଆଇନ କମିଶନ ନିଜର ୨୬୨ ତମ ରିପୋର୍ଟ (୨୦୧୫)ରେ ସୁପାରିସ କଲେ ଯେ ‘ଉଗ୍ରପନ୍ଥୀ’ ଓ ‘ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା’ ବ୍ୟତିରେକ ଅନ୍ୟ କୌଣସି ଅପରାଧ ଲାଗି ମୃତ୍ୟୁଦଣ୍ଡ ଦେବାର ପ୍ରବଧାନକୁ ଉଠାଇ ଦିଆଯାଉ। ମାତ୍ର ଆମର ବିଚାରାଳୟମାନେ ତାହାକୁ ନମାନିବାକୁ ନେଇ ମଧ୍ୟ କୋର୍ଟ ଚିନ୍ତିତ ହେଲେ ନାହିଁ। ମୃତ୍ୟୁଦଣ୍ଡର ସଂପୂର୍ଣ୍ଣ ଉଚ୍ଛେଦ ଲାଗି ମଧ୍ୟ କୋର୍ଟ ଚିନ୍ତିତ ନୁହନ୍ତି। କାହିଁକି ମି ଲର୍ଡ?
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ଦ୍ଵାରା ପ୍ରସ୍ତୁତ ତଥ୍ୟ ଅନୁସାରେ ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ମୃତ୍ୟୁଦଣ୍ଡ ଶୁଣାଯାଇଥିବା ସମସ୍ତ “ଅପରାଧୀ”ଙ୍କ ମଧ୍ୟରେ ୭୫% ଅପରାଧୀ ଦଳିତ, ଅନ୍ୟ ପଛୁଆ ବର୍ଗ ଓ ଅଳ୍ପସଂଖ୍ୟକ ଧର୍ମର ଅଟନ୍ତି। ୨୦୧୬ ମସିହାର ସେହି ରିପୋର୍ଟ ଅନୁସାରେ ୭୫% ହେଉଛନ୍ତି ଆର୍ଥିକ ଅନଗ୍ରସର ବର୍ଗର। ସେମାନେ ନାବାଳକ ଥିଲା ବେଳେ ସ୍କୁଲ ଯିବା ବଦଳରେ ଦିନ ମଜୁରୀଆ ଥିଲେ। ସେହିପରି ୮୦ % ‘ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ’ ସ୍କୁଲ ଶିକ୍ଷା ସମାପ୍ତି ମଧ୍ୟ କରିନାହାଁନ୍ତି ।
ଜାତୀୟ କ୍ରାଇମ ରେକର୍ଡ ବ୍ଯୁରୋର (୨୦୨୦) ତଥ୍ୟ ଅନୁସାରେ ସମୁଦାୟ ଜେଲ କଏଦୀଙ୍କ ମଧ୍ୟରୁ ୭୬ ପ୍ରତିଶତ ବିଚାରାଧୀନ କଏଦୀ। ସମୁଦାୟ କଏଦୀଙ୍କ ମଧ୍ୟରୁ ୬୮ ପ୍ରତିଶତ ସ୍କୁଲ ଶିକ୍ଷା ସମାପ୍ତି କରିପାରିନଥିବା ଗରିବ ପରିବାରର। ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ବିଚାରାଧୀନ କଏଦୀ ମୁସଲିମ ପରିବାରର, ୨୧ ପ୍ରତିଶତ ବିଚାରାଧୀନ କଏଦୀ ଦଳିତ ସଂପ୍ରଦାୟର ଓ ୧୦ ପ୍ରତିଶତ ବିଚାରାଧୀନ କଏଦୀ ଆଦିବାସୀ ସମ୍ପ୍ରଦାୟର। କିନ୍ତୁ ସମୁଦାୟ ଜନସଂଖ୍ୟାର ସେମାନେ ଯଥାକ୍ରମେ ୧୪%, ୧୬.୬% ଓ ୮.୬%।
ମି ଲର୍ଡ! ସମ୍ବିଧାନର ୩୯ ଏ ରେ ସମସ୍ତଙ୍କୁ ସମାନ ନ୍ୟାୟ ଦେବା ଓ ଆର୍ଥିକ ଅନଗ୍ରସର କାରଣରୁ କେହି ନ୍ୟାୟ ପାଇବାରେ ବଞ୍ଚିତ ନହେବା ଲାଗି ପ୍ରବଧାନ ରହିଲା। ତେବେ ‘ରାଷ୍ଟ୍ର’ ଯେ ଏହାର ଦାୟିତ୍ଵ ସୁଚାରୁରୂପୀ କରୁଛି କି ନାହିଁ ତାହାର ସମୀକ୍ଷା ରାଷ୍ଟ୍ରର ଏକ ଅନୁଷ୍ଠାନ ଭାବରେ ଉଚ୍ଚତମ କୋର୍ଟ କ’ଣ ଉପରୋକ୍ତ ତଥ୍ୟର ଆଧାରରେ କରିବା ଜରୁରୀ ନୁହେଁ? ଯଦି କୌଣସି କଏଦୀ ୧୦ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଲା ପରେ ନିର୍ଦ୍ଦୋଷରେ ଖଲାସ ହେଉଛି ଏହାର ଦୋଷ କୋର୍ଟ ନିଜ ଉପରକୁ ନେବାଲାଗି କେବେ ଚିନ୍ତା କରିଛି?
ସୁପ୍ରିମ କୋର୍ଟ ଫାଶି ଶୁଣାଇ ଦିଆଯାଉଥିବା ବ୍ୟକ୍ତିର ଅପରାଧକୁ କେତେବେଳେ “ବିରଳରୁ ବିରଳତମ ଘଟଣା” ତ ପୁଣି କେଉଁଠି ଦେଶର “ସାମୁହିକ ବିବେକ” (Collective conscience), “ବୈଚାରିକ ବିବେକ” (Judicial conscience) ଆଧାରରେ ତଳ କୋର୍ଟର ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି। ୧୯୮୦ ମସିହାରେ ସୁପ୍ରିମକୋର୍ଟ ବଚନ ସିଂ ବନାମ ପଂଜାବ ସରକାର କେସରେ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟାକରି “ବିରଳରୁ ବିରଳତମ ଘଟଣାରେ” ଫାଶିଦେବାର ଅଧିକାର ଜିଲ୍ଲା ଜଜଙ୍କର ରହିଥିବା ଦର୍ଶାଇଥିଲେI ସେବେଠାରୁ ଏହି ପ୍ରକ୍ରିୟା କାଏମ ରହିଛି।
ଏହି ବଚନ ସିଂ ବନାମ ପଂଜାବ ସରକାର ରାୟରେ ସୁପ୍ରିମକୋର୍ଟ ଏକଥାକୁ ଯୁକ୍ତିଯୁକ୍ତ ଦର୍ଶାଇଲେ, “ନିଷ୍ପତ୍ତି ନେବାର ପ୍ରକ୍ରିୟା ଜଣେ ବିଚାରପତି ପାଇଁ ସର୍ବଦା ବାସ୍ତବ ତଥ୍ୟ ଆଧାରିତ ହୋଇନପାରେI” ଅର୍ଥାତ ଜଜ କେବଳ ତଥ୍ୟ ଉପରେ ନିଜର ରାୟ ଶୁଣାଉନାହାନ୍ତି। ଯଦି ତାହା ନୁହେଁ ତେବେ ଅନ୍ୟ କ’ଣ ରହିଛି ଯାହା ବିଚାରପତିଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବାରେ ନିର୍ଦ୍ଦେଶିତ କରୁଥାଇପାରେ? ସର୍ବୋଚ୍ଚ କୋର୍ଟ ବିବେକ ଅନୁସାରେ ମୃତ୍ୟୁଦଣ୍ଡ ଶୁଣାଇବାର ଅଧିକାରକୁ ଗ୍ରହଣ କରିନେଇଛନ୍ତି। କ’ଣ କୌଣସି ମଣିଷର ବିବେକରୁ ଆସୁଥିବା ନିଷ୍ପତ୍ତି ତାଙ୍କର ଜାତି, ଲିଙ୍ଗ ଓ ଧର୍ମ ଦ୍ଵାରା ପ୍ରଭାବିତ ହୋଇନଥାଏ?
ଉତ୍ତରପ୍ରଦେଶର ହାଥ୍ରାସ ଘଟଣାରେ କ’ଣ ହେଲା? ଜଣେ ୧୯-ବର୍ଷୀୟା ଦଳିତ ଯୁବତୀଙ୍କ ଗଣଧର୍ଷଣ ଓ ହତ୍ୟାର ଏଗାର ଦିନ ପରେ ପୁଲିସ ଏଫଆଇଆର କଲେ, ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର ନକରି ଅର୍ଦ୍ଧରାତ୍ରିରେ ପୋଡିଦେଲେ। ଏଭଳି ଗଣଧର୍ଷଣ ଓ ହତ୍ୟାର ପ୍ରତିବାଦ ସାରା ଦେଶରେ ହେଲା। ଅଥଚ ଏସସି ଆଣ୍ଡ ଏସଟି କୋର୍ଟଙ୍କ ରାୟ ଥିଲା ଯେ ଦଳିତ ଯୁବତୀଙ୍କର ଆଦୌ ଗଣଧର୍ଷଣ ହୋଇନାହିଁ। ଫଳରେ, ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ମୁକ୍ତ ହୋଇଗଲା ପରେ ମାତ୍ର ଜଣେ, ମୁଖ୍ୟ ଅଭିଯୁକ୍ତ, ଆଇପିସିର ଧାରା ୩୦୪ (କୌଣସି ଉଦ୍ଦେଶ୍ୟ ନଥାଇ ହତ୍ୟା) ଅନୁସାରେ ଆଜୀବନ କାରାଦଣ୍ଡ ପାଇଛନ୍ତି। ଏଠାରେ ସମସ୍ତ “ଅଭିଯୁକ୍ତ” ଉଚ୍ଚ ଜାତିର ଥିଲେ। ଦଳିତ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମଧ୍ୟ କୋର୍ଟ “ପ୍ରଶିକ୍ଷିତ” ହୋଇଥାଇପାରେ ବୋଲି ମନ୍ତବ୍ୟ ଦେଲେ। ଏଠାରେ “ବିବେକ” କଣ କହୁଛି? କାହିଁକି ଖରଲାଞ୍ଜି ଠାରୁ ବିଲିକିସ ବାନୁଙ୍କ ପର୍ଯ୍ୟନ୍ତ ତଳ କୋର୍ଟର ରାୟ ଅଭିଯୁକ୍ତ ଧନୀ ଉଚ୍ଚ ଜାତି ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା କାରଣରୁ ଗୋଟିଏ ପ୍ରକାର ହୋଇଛି?
ଦିଲ୍ଲୀର ୨୦୧୨ ମସିହାରେ ଘଟିଥିବା “ନିର୍ଭୟା” କେସରେ କ’ଣ ହୋଇଥିଲା? ୨୩ ବର୍ଷୀୟା ସହରୀ ମଧ୍ୟବିତ୍ତା ମେଡିକାଲ ଛାତ୍ରୀଙ୍କ ହତ୍ୟାକାରୀମାନେ ବସ୍ତିନିବାସୀ ଡ୍ରାଇଭର ଥିଲେ। ନିହାତି ଅପାଠୁଆ ଓ ଗରିବ ପରିବାରର। ଛାତ୍ରୀଜଣକ ଶିକ୍ଷିତା ଓ ମଧ୍ୟବିତ୍ତ ପରିବାରର। ଦିଲ୍ଲୀର “ନିର୍ଭୟା” କେସରେ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଲା ବେଳେ “ନିର୍ଭୟା”ର ଯୌନାଂଗରେ ଲୁହାରଡ଼ ଭର୍ତ୍ତି କରାଯିବା କଥାକୁ ନିଜର ୪୦୦ ପୃଷ୍ଠାର ରାୟରେ ୧୦୪ ଥର ଉଲ୍ଲେଖ ରଖି ଏହାକୁ “ବିରଳରୁ ବିରଳତମ ଘଟଣା” ଦର୍ଶାଇଛନ୍ତି I
ନିର୍ଭୟାଙ୍କ ହତ୍ୟାକାରୀକୁ ଫାଶିଦେବା ଲାଗି ଦେଶରେ ଏକ ବିରାଟ ସଂଖ୍ୟକ ଲୋକ ୨୦୧୩ ମସିହାରେ ରାସ୍ତାକୁ ଆସିଥିଲେ। ଏହି କେସରେ ତଥ୍ୟ ପ୍ରମାଣ ଅପେକ୍ଷା ଜିଲ୍ଲା ଜଜ୍ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତେ ମେଡିକାଲ ଛାତ୍ରୀଙ୍କୁ ନ୍ୟାୟ ଦେବା ନାମରେ “ସାମୁହିକ ବିବେକ” ପ୍ରସଂଗ ବାରମ୍ବାର ଉତ୍ଥାନ କରିଛନ୍ତି I କିନ୍ତୁ ହାଥ୍ରାସ କେସରେ ଏହି “ସାମୁହିକ ବିବେକ” ଅଭିଯୁକ୍ତଙ୍କୁ ସହାୟକ ହୋଇଛି, ମୃତ ଦଳିତ ଯୁବତୀଙ୍କ ଲାଗି ନୁହେଁ ।
ମି ଲର୍ଡ! ଆଜି ଭାରତରେ ଦୁର୍ନୀତି ହେତୁ ଝୁଲନ୍ତା ବ୍ରିଜ ଭାଙ୍ଗିବା ଠାରୁ ହସ୍ପିଟାଲରେ ନିଆଁ ଲାଗିବା ପର୍ଯ୍ୟନ୍ତ ସବୁଠାରେ ସାଧାରଣ ମଣିଷ ମୃତ୍ୟୁ ବରଣ କରୁଛନ୍ତି। ମୃତ୍ୟୁବରଣ କରୁଥିବା ମହିଳା, ପିଲା ଓ ବୟସ୍କ ବ୍ୟକ୍ତି ଜଣେ ବା ଦୁଇ ଜଣ ନୁହନ୍ତି ବରଂ ଶହେରୁ ଉର୍ଦ୍ଧ। ଏହା କ’ଣ “ବିରଳରୁ ବିରଳତମ ଘଟଣା” ନୁହେଁ? ଏହା କ’ଣ ସାମୁହିକ ବିବେକର ପ୍ରଶ୍ନ ନୁହେଁ? ଦୁର୍ନୀତି ବିରୁଦ୍ଧରେ ଦେଶରେ ପ୍ରତିବାଦ ପ୍ରଚଣ୍ଡ ହୋଇଛି। ସରକାର ହୁଏତ ବଦଳିଯାଇଛି। କିନ୍ତୁ କାହିଁକି କୌଣସି କୋର୍ଟ ଦୁର୍ନୀତିଗ୍ରସ୍ତ ଅଫିସର, ଡାକ୍ତର ବା ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଶୁଣାଉନାହାନ୍ତି? କୋର୍ଟଙ୍କ “ସାମୁହିକ ବିବେକ” କାହିଁକି ନୀରବ ହେଉଛି?
ମି ଲର୍ଡ! ଏହା ନିଶ୍ଚିତ ଯେ ଯଦି ଦେଶର କୌଣସି ବି ଜିଲ୍ଲା କୋର୍ଟ କୌଣସି ଦିନ ଦୁର୍ନୀତି କାରଣରୁ ଅଫିସର ଓ ଠିକାଦାରଙ୍କୁ କୌଣସି ବଡ ଦୁର୍ଘଟଣା ଲାଗି ଅଥବା ମନୁଷ୍ୟକୃତ ଦୁର୍ବିପାକର କାରଣ ହେତୁ କୌଣସି କମ୍ପାନୀର ମାଲିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଦିଅନ୍ତି ତେବେ ଏହା ନିଶ୍ଚିତ ଯେ ସୁପ୍ରିମକୋର୍ଟଙ୍କ ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଏହାର ଉଚ୍ଛେଦ ଲାଗି ଉଦ୍ୟମ କରିବେ ଓ ସତେରେ ତାହା ହୋଇଯିବ ମଧ୍ୟ। ମି ଲର୍ଡ! ମୃତ୍ୟୁଦଣ୍ଡର ସଂପୂର୍ଣ୍ଣ ଉଚ୍ଛେଦ ଲାଗି ଆମକୁ ସେହିଭଳି ଜଣେ ପ୍ରଗତିଶୀଳ ଜିଲ୍ଲା ଜଜଙ୍କୁ ଅପେକ୍ଷା କରିବାକୁ ହେବ, ଆପଣଙ୍କ ଠାରୁ ନୁହେଁ।