ଅଶ୍ବିନୀ ବୈଷ୍ଣବ : ରେଳ ଦୁର୍ଘଟଣାର ରାଜଯୋଗ

ଅଶ୍ବିନୀ ବୈଷ୍ଣବ : ରେଳ ଦୁର୍ଘଟଣାର ରାଜଯୋଗ

ରାଜନୀତିରେ ନିର୍ଲଜତାର ସୀମା ବୋଲି କିଛି ନାଇଁ । ତାର ପ୍ରମାଣ ଖୋଜିବାକୁ ଆମକୁ ବିଶେଷ ପରିଶ୍ରମ କରିବାକୁ ପଡିବ ନାଇଁ

ଗତ କିଛି ଦିନ ଭିତରେ ଓଡିଶାରେ ଯେଉଁ ଖବର ଚର୍ଚ୍ଚାରେ ରହିଛି, ତା ହେଲା, ରେଳ ବିଭାଗର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କୁଆଡେ ବାଲେଶ୍ଵର ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ ଅଶ୍ଵନିନୀ ବୈଷ୍ଣବ ଯଦିଓ ବିଜେପିରେ ଅଛନ୍ତି ସେ ମୂଳତଃ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଘନିଷ୍ଠ , ତେଣୁ ତାଙ୍କୁ ବିଜେଡ଼ିର ସହଜ ସମର୍ଥନ ମିଳିବ ବୋଲି ଶୁଣାଯାଉଛି ମୋଦୀ ସରକାରର ପ୍ରାୟ ସବୁ ବଡ ମନ୍ତ୍ରୀ ରାଜ୍ୟସଭାରୁ ଆସିଛନ୍ତି, ତେଣୁ ସେମାନେ ସମସ୍ତେ ଲୋକସଭା ପାଇଁ ଳଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀଙ୍କ ଇଚ୍ଛା ଅନୁସାରେ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ୨୦୨୪ ନିର୍ବାଚନ ଲଢିବେ ବୋଲି ଆକଳନ କରାଯାଉଛି ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବାସିନ୍ଦା ଓ ପୂର୍ବରୁ ସେ ଓଡିଶାରୁ ଲୋକସଭା ଏବଂ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ହେଲେ ଅଶ୍ୱିନୀ ବୈଷ୍ଣବ ନିଜ ରାଜ୍ୟ ରାଜସ୍ଥାନ ଛାଡି ଓଡିଶାରୁ ନିର୍ବାଚନ ଲଢିବେ କାହିଁକି ? ଓଡିଶାରୁ, ସେ ପୁଣି ବାଲେଶ୍ବରରୁ- ଅଶ୍ୱିନୀଙ୍କର ଏ ବାଲେଶ୍ଵର ପ୍ରେମ ହଠାତ କାହିଁକି ?

ଏହାର ଗୋଟେ ସହଜ ଓ ଆଉ ଗୋଟେ ନିର୍ଲଜ ଉତ୍ତର ଅଛି ଅଶ୍ଵିନୀ ବୈଷ୍ଣବ ପୂର୍ବରୁ ବାଲେଶ୍ଵର ଜିଲାପାଳ ଥିଲେ, ତେଣୁ ସେଠି ତାଙ୍କର ପୁରୁଣା ଜନସମ୍ପର୍କ ରହିଛି ଦ୍ଵିତୀୟ କାରଣଟି ହେଲା, ବାଲେଶ୍ଵର ଜିଲାର ବାହାନଗାରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା ସେଥିରେ ବାବୁଙ୍କର ଜନ ସମ୍ପର୍କ ବହୁଗୁଣ ବଢିଯାଇଛି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯୩ ଜଣ ଯାତ୍ରୀଙ୍କର ଶବ ଉପରେ ବାବୁ ଅଶ୍ଵିନୀ ବୈଷ୍ଣବଙ୍କର ନୂଆ ରାଜନୈତିକ ସୁଯୋଗ ତିଆରି ହୋଇଛି ଏହି ସୁଯୋଗ ତିଆରି କରିବାରେ ବିଜେପିର ପ୍ରଚାରତନ୍ତ୍ର ଯେତିକି ଦାୟୀ, ତାଠୁ ଅଧିକ ଦାୟୀ ଓଡିଶାର ବିଜେଡି ସରକାର ଏବଂ ଓଡିଶାର ପରାଙ୍ଗପୁଷ୍ଟ ବୁଦ୍ଧିଜୀବୀଙ୍କର ବିଚାର । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮୦ରୁ ଅଧିକ ଯାତ୍ରୀଙ୍କର ପରିଚୟ ମିଳିନାହିଁ ଶହ ଶହ ଯାତ୍ରୀ ଏବେ ଅକର୍ମଣ୍ୟ ଓ ପଙ୍ଗୁ ଅବସ୍ଥାରେ ରହିଛନ୍ତି

ଏହି ଦୁର୍ଘଟଣା ପାଇଁ ଆଜି ପର୍ଯନ୍ତ ରେଳବିଭାଗର କାହାକୁ ଉତ୍ତରଦାୟୀ କରାଯାଇ ନାଇଁ ଦୁର୍ଘଟଣାର ତଦନ୍ତ କରିବା ଛଳରେ ସିବିଆଇ ବିଜେପିର ସାମ୍ପ୍ରଦାୟିକ ରାଜନୀତିର ସୁଆଙ୍ଗ କରୁଛି ଓ ସମାନ୍ତରାଳରେ ରେଳମନ୍ତ୍ରୀଙ୍କ ଲାଗି ନିର୍ବାଚନୀ ବାତାବରଣ ତିଆରି କରାହେଉଛି । ଓଡିଶାର ବୁଦ୍ଧିଜୀବୀମାନେ ରେଳମନ୍ତ୍ରୀଙ୍କୁ ନିଜ ଅପାରଗତା ପାଇଁ ଦାୟୀ କରିବା ପରିବର୍ତ୍ତେ, ତାଙ୍କ ପାଇଁ ପ୍ରଶସ୍ତିପତ୍ର ଲେଖୁଛନ୍ତି ଓଡିଶାର ବିଜେଡି ସରକାର ରେଳମନ୍ତ୍ରୀଙ୍କର କାମ ନିଜ କର୍ମଚାରୀଙ୍କୁ ଲଗାଇ କରୁଛନ୍ତି ଓ ପରୋକ୍ଷରେ ରେଳମନ୍ତ୍ରୀଙ୍କୁ ନିଜଲୋକ ବୋଲି ଦେଖାଇବାର ସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି

ଯିଏ ମଲା, ସିଏ ତା ଭାଗ୍ୟ ଦୋଷରୁ ମଲା। ସବୁ ମୃତ ଓ ଆହତଙ୍କ ଦୁଃଖ ଉପରେ ଏବେ ଅଶ୍ବିନୀ ବୈଷ୍ଣବ ରାଜମୁକୁଟ ପିନ୍ଧି ବସିବାକୁ ଯାଉଛନ୍ତି । ରେଳମନ୍ତ୍ରୀଙ୍କ ପ୍ରତି ଖାଲି ଯେ ବିଜେପି ସମର୍ଥକଙ୍କ ପ୍ରୀତି ଅଛି, ତା ନୁହେଁ- ତାଙ୍କ ପ୍ରତି ବିଜେଡି ଓ ଓଡିଶାର ପଢାଶୁଣା ଲୋକଙ୍କର ବିଚିତ୍ର ସମର୍ଥନ ଅଛି

ମାନବୀୟ ସଂବେଦନା ଓ ନୈତିକତା ଯେ ରାଜନୀତି ପାଇଁ ଅନାବଶ୍ୟକ, ସେ କଥା ଆମେ ବୁଝିସାରିଛୁ ଏହାଛଡା ଅଶ୍ଵିନୀ ବୈଷ୍ଣବ ଯେ ଜଣେ ଦକ୍ଷ ରାଜନେତା, ସେକଥା ଆମକୁ ମାନିବାକୁ ପଡିବ ୨୯୩ଟି ମୃତ ଦେହ ଉପରେ ଯିଏ ନିଜର ରାଜନୈତିକ ଭାବମୂର୍ତ୍ତି ନିର୍ମାଣ କରିପାରନ୍ତି ତାଙ୍କର ଦକ୍ଷତା ନିଶ୍ଚିତ ଭାବରେ ବିରଳ ।  “ବିପଦରେ ମଉକା” ଖୋଜୁଥିବା ବିଜେପି ସରକାରରେ ଅଶ୍ଵିନୀ ବୈଷ୍ଣବ ଜଣେ ବିଚକ୍ଷଣ ନେତା ବାହାନଗା ଦୁର୍ଘଟଣା ରେ ମରିଥିବା ଲୋକଙ୍କର ଗୋଟେ ବଡ ସାମାଜିକ ଅବଦାନ ହେଲା- ସେମାନେ ମରିଗଲେ ସତ, ହେଲେ ମରିବା ପରେ ସେମାନେ ରେଳମନ୍ତ୍ରୀଙ୍କ ଲାଗି ଗୋଟେ ନିର୍ବାଚନ ମଣ୍ଡଳୀ ଯୋଗାଡ କରି ଦେଇଗଲେ !!   

ଅଶ୍ଵିନୀ ବୈଷ୍ଣବ ଯେହେତୁ ବାଲେଶ୍ଵର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ ବୋଲି ଶୁଣା ଯାଉଛି, ସେଠି ଆଉ ଗୋଟେ କଥା ମଧ୍ୟ କହିବାକୁ ପଡିବ ବାଲେଶ୍ବରରୁ ବର୍ତ୍ତମାନ ସାଂସଦ ଅଛନ୍ତି ପ୍ରତାପ ଷଡଙ୍ଗୀ ୨୦୧୯ରେ ଯେତେବେଳେ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ କରାଗଲା ହଠାତ ସେ ଗଣମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ଦ୍ଵିତୀୟ ଅବତାର ପାଲଟିଗଲେ ତାଙ୍କ ଚାଳ ଘର, ତାଙ୍କ ଗାଡିଆ ଓ ସାଇକଲ, ତାଙ୍କ ସଂସ୍କୃତ ଭାଷଣ ଇତ୍ୟାଦିକୁ ନେଇ ସେତେବେଳେ ଏମିତି ଚର୍ଚ୍ଚା ଚାଲିଲା ଯେ, ଲୋକେ କହିଲେ – ସେ ଓଡିଶାର ନରେନ୍ଦ୍ର ମୋଦୀ ଦୁଇ ବର୍ଷ ଭିତରେ ପ୍ରତାପ ନନାଙ୍କ ସବୁ ପ୍ରତିଷ୍ଠା ପୋଛି ହୋଇଗଲା ଓ ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବିଦା କରି ଦିଆହେଲା । ଏବେ ତାଙ୍କୁ ଆଉ ଟିକଟ ମିଳିବ ନାଇଁ ବୋଲି ଶୁଣା ଯାଉଛି ଓ ତାଙ୍କ ଜାଗାରେ ରାଜସ୍ଥାନୀ ବାବୁ ଅଶ୍ଵିନୀ ବୈଷ୍ଣବଙ୍କୁ ଆମଦାନୀ କରି ଅଣା ହେଉଛି ।

 ଭୟଙ୍କର ବାହାନଗା ରେଳ ଦୁର୍ଘଟଣା ଏବେ ଅଶ୍ଵିନୀ ବୈଷ୍ଣବଙ୍କ ରାଜଯୋଗର ସଫଳ ସୂତ୍ର ହେବା ଆମ ରାଜନୀତିର ସବୁଠୁ ବଡ ବିଡମ୍ବନା ଓ ସେହି ବିଡମ୍ବନା ହିଁ ଆମ ପାଇଁ ଚରମ ଲଜ୍ଜା