ଦେଶପ୍ରେମୀଙ୍କ ଭ୍ରଷ୍ଟାଚାର

ସୁଇସ ବ୍ୟାଙ୍କ ହେଉଛି ଭାରତୀୟର କଳ୍ପନାରେ ସେ କଳା ଟଙ୍କାର ଭଣ୍ଡାର ଯାହାର କୌଣସି କଳନା ନାହିଁ। କାନ ଉଠିଲା ଦିନୁ ଆମେ ଶୁଣି ଆସୁଛୁ, ସୁଇଜରଲାଣ୍ଡ ର ବ୍ୟାଙ୍କରେ ଆମ ଦେଶର ଧନଶାଳୀ ଲୋକମାନେ କୋଟି କୋଟି ଟଙ୍କା ଲୁଚେଇକି ରଖିଛନ୍ତି। ସୁଇସ ବ୍ୟାଙ୍କରେ ରହୁଥିବା ଟଙ୍କା ଅତ୍ୟନ୍ତ ଗୋପନୀୟ ଓ ସୁରକ୍ଷିତ, ତେଣୁ ନିଜ ଦେଶର ସରକାରକୁ ଫାଙ୍କି ଧନୀ ଲୋକମାନେ ନିଜ କଳା ଟଙ୍କାକୁ ସେଠି ଜମା କରନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସୁଇସ ବ୍ୟାଙ୍କରେ ଗଚ୍ଛିତ କଳା ଟଙ୍କା ସରକାର ଗଢିବାର ୧୦୦ ଦିନ ଭିତରେ ଫେରେଇ ଆଣିବେ ବୋଲି ଆଜିକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ୧୦୦ ଦିନ କେଉଁ କାଳରୁ ବିତିସାରି ଏବେ ମୋଦୀ ସରକାରର ଦଶବର୍ଷ ପୂରିବାକୁ ବସିଲାଣି। କଳା ଟଙ୍କାକୁ ନେଇ ବହୁ ଉଚ୍ଚାଙ୍ଗ ଭାଷଣ ଓ ପ୍ରତିଶ୍ରୁତିର ମିଠା ବଚନ ଆମେ ଶୁଣି ସାରିଲୁଣି। ହେଲେ କଳା ଟଙ୍କା କଣ ଓ କେମିତି ଦିଶେ ସେକଥା ଆମେ ଜାଣିପାରିଲୁନି। ବିଦେଶରେ ଗଚ୍ଛିତ କଳା ଟଙ୍କା ଫେରି ଆସିଲେ ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଖାତାରେ ଅତି କାମରେ ୧୫ ଲକ୍ଷ ଟଙ୍କା ଜମା ହେବ ବୋଲି ୨୦୧୪ ରେ ଆମକୁ କୁହାଯାଇଥିଲା। ୧୫ ଲକ୍ଷ ତ ଦୂରର କଥା, ୧୫ ଟଙ୍କା ମଧ୍ୟ ଆମ ବ୍ୟାଙ୍କ ଖାତାକୁ ଆସିନାହିଁ। ଓଲଟି ୫୦୦ ଟଙ୍କାରୁ କମ ଜମା ଥିବା ପାସବୁକ ରୁ ବ୍ୟାଙ୍କ ଗୁଡିକ କୋଟି କୋଟି ଟଙ୍କାର ଜରିମାନା ଅସୁଲ କରୁଛନ୍ତି। ଗରିବ ପେଟରେ ବ୍ୟାଙ୍କ ଗୁଡିକ ଗୋଇଠା ମାରୁଥିବା ବେଳେ ଧନୀ ମାନେ ବ୍ୟାଙ୍କରୁ ଟଙ୍କା ନେଇ ବିଦେଶରେ ଆରାମ କରୁଛନ୍ତି।
କଳା ଟଙ୍କା ବିରୋଧରେ ମୋଦୀ ସରକାର ମହାଯୁଦ୍ଧ ଲଢୁଛନ୍ତି ଓ ଦେଶର ସମ୍ପତ୍ତିକୁ ପହରାଦାର ଭାବରେ ମୋଦୀ ଜଗିକି ବସିଛନ୍ତି ବୋଲି ପ୍ରଚାର ଚାଲିଛି। ବିମୁଦ୍ରାକରଣ ପରେ ଦେଶରେ ଆଉ କଳା ଟଙ୍କା ରହିବ ନାହିଁ ବୋଲି ଆଉ ଏକ ଦିବାସ୍ଵପ୍ନ ଆମକୁ ଦେଖେଇ ଦିଆଯାଇଥିଲା। ସେ ସ୍ଵପ୍ନ ଆଜି ଭାଙ୍ଗି ଯାଇଛି। ଗତ କେଇ ବର୍ଷ ଭିତରେ ସୁଇସ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଭାରତୀୟ ମାନଙ୍କ ସୁଇସ ବ୍ୟାଙ୍କ ଜମାରାଶି ୫୦% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏ ବର୍ଷ ୧.୨ ବିଲିଅନ ସୁଇସ ଫ୍ରାଙ୍କ ବା ଭାରତୀୟ ମୂଲ୍ୟରେ ପ୍ରାୟ ୭୦୦୦ କୋଟି ଟଙ୍କାର ଜମାରାଶି ବିଦେଶକୁ ଚାଲି ଯାଇଛି। ସାରା ପୃଥିବୀର ପରିସଂଖ୍ୟାନ ଦେଖିଲେ, ସୁଇସ ବ୍ୟାଙ୍କରେ ଅର୍ଥରାଶି ମାତ୍ର ୩% ବଢିଛି, ହେଲେ ଭାରତର ଭାରତର ଜମାରାଶିର ଅଭିବୃଦ୍ଧି ହେଉଛି ୫୦%। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସୁଇସ ବ୍ୟାଙ୍କରେ ଆଜି ମଧ୍ୟ କଳାଧନର ବ୍ୟାପକ କାରବାର ଚାଲିଛି ଓ ତାକୁ ରୋକିବାରେ ମୋଦୀ ସରକାର ସଫଳ ହୋଇନାହାନ୍ତି। ଆମ ପଡୋଶୀ ପାକିସ୍ତାନ ଏହି ସମୟ ଭିତରେ ନିଜ ଦେଶରୁ କଳା ଟଙ୍କାର ପ୍ରବାହ ରୋକିବାରେ ସମର୍ଥ ହୋଇଛି। ସେଇ ସମାନ ସୁଇସ ବ୍ୟାଙ୍କ ରିପୋର୍ଟ କହୁଛି, ଗତବର୍ଷ ୧.୩୮ ବିଲିଅନ ସୁଇସ ଫ୍ରାଙ୍କ ଜମାକରିଥିବା ପାକିସ୍ତାନରୁ ଏଥର ୧.୧ ବିଲିଅନ ସୁଇସ ଫ୍ରାଙ୍କ ଜମାହୋଇଛି। ଅର୍ଥାତ ପାକିସ୍ତାନରୁ ସୁଇସ ବ୍ୟାଙ୍କକୁ କଳାଧନର ପ୍ରବାହ କମିଥିବା ବେଳେ ଭାରତରୁ ଏହା ଯଥେଷ୍ଟ ବଢିଛି।
ଏହି ରିପୋର୍ଟ କୁ ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ଆହୁରି ଆଶ୍ଚର୍ୟଜନକ। କଂଗ୍ରେସ ସରକାର ଅମଳରେ ସୁଇସ ବ୍ୟାଙ୍କର ଜମାରାଶିକୁ କଳା ଟଙ୍କା ଓ ଏହା ଅବୈଧ ବୋଲି କହୁଥିବା ସ୍ଵର୍ଗତ ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଭାବରେ କହିଥିଲେ ଯେ ସୁଇସ ବ୍ୟାଙ୍କରେ ଥିବା ସବୁ ଟଙ୍କା କଳା ନୁହେଁ। ଏଠି ପ୍ରଶ୍ନ ଉଠୁଛି, ଦେଶର ବ୍ୟାଙ୍କ ଗୁଡିକରେ ଜମା ନକରି ସୁଇସ ବ୍ୟାଙ୍କରେ ଜଣେ ନିଜର ଧଳା ବା ଗୋଲାପୀ ଟଙ୍କା ରଖିବ କାହିଁକି ? ଯଦି କଂଗ୍ରେସ ଅମଳରେ ସୁଇସ ବ୍ୟାଙ୍କର ସବୁଟଙ୍କା କଳା ଥିଲା, ଆଜି ବିଜେପି ସରକାର ବେଳକୁ ସେସବୁ ଧଳା ହୋଇଗଲା କେମିତି? ଗତ ଚାରି ବର୍ଷରେ ବିଭିନ୍ନ ବିଦେଶୀ ବ୍ୟାଙ୍କରେ ଭାରତୀୟମାନଙ୍କର କଳା ଟଙ୍କା ରହିଥିବାର ରିପୋର୍ଟ ପ୍ରକାଶ ପାଇଛି। ପାନାମା ପେପର୍ସ, ପାରାଡାଇଜ ପେପର୍ସ ତଥା ଉଇକି ଲିକ୍ସ ଜରିଆରେ ବହୁ ବଡ ବଡ ଲୋକଙ୍କ ନାମରେ କଳା ଟଙ୍କା ରହିଥିବାର ଖୁଲାସା ହୋଇଛି। ହେଲେ କୌଣସି ବି ଅଭିଯୋଗର ସଠିକ ତଦନ୍ତ ଭାରତ ସରକାର କରିନାହାନ୍ତି। କଳା ଟଙ୍କା ବିଦେଶରେ ଜମା କରିବା ଅଭିଯୋଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ପଦ ହରାଇଥିବା ବେଳେ ଆମ ଦେଶରେ ଏଇ ମାମଲାରେ ଶୁଖିଲା ପତ୍ରଟିଏ ମଧ୍ୟ ଖସି ନାହିଁ।
କେବଳ ମିଛ କହି ଓ ଭୁଆଁ ବୁଲେଇ ଦେଶରେ ସ୍ବଚ୍ଛ ଶାସନର ଭ୍ରମ ସୃଷ୍ଟି କରାଯାଇଛି। କଂଗ୍ରେସ ସରକାର ତୁଳନାରେ ଆଜିର ମୋଦୀ ସରକାର ଅଧିକ ଭ୍ରଷ୍ଟ ଓ ଏମାନେ ଅଧିକରୁ ଅଧିକ କଳାଧନ ଦେଶ ବାହାରକୁ ପଠାଇବାରେ ସହାୟକ ସାଜିଛନ୍ତି। ସାଧାରଣ ଲୋକଙ୍କ ପକେଟ କାଟି କଳା ବେପାରୀ ଓ କଳା ଟଙ୍କାର କୁବେର ମାନଙ୍କୁ ଏ ସରକାର ନିରନ୍ତର ସହାୟତା ଦେଇ ଚାଲିଛି।
ତେବେ ୟା ଭିତରେ ଗୋଟେ ମାତ୍ର ପରିବର୍ତ୍ତନ ଘଟିଛି- ଆଗରୁ କଂଗ୍ରେସ ସମୟରେ ଯାହାକୁ ଆମେ ଦୁର୍ନୀତି ବୋଲି କହୁଥିଲୁ, ମୋଦୀ ସରକାର ସମୟରେ ତାହା ଦେଶପ୍ରେମ ପାଲଟି ଯାଇଛି । ମୋଦୀଙ୍କ ଭକ୍ତମାନେ ବୁଝିଯାଇଛନ୍ତି ଯେ ପାନାମା ପେପର୍ସ ହେଉ ବା ହିଣ୍ଡେନବର୍ଗ ରିପୋର୍ଟ, ସବୁ ଦୁର୍ନୀତି କେବଳ ଦେଶପ୍ରେମ । ଏ ପ୍ରସଙ୍ଗରେ ଆମେ ଆଉ ଗୋଟେ କଥା ମନେପକାଇ ଦେବାକୁ ଚାହୁଁ- ମୋଦୀ ସରକାର ଗଠନ ହେବା ପରେ ପରେ ୨୦୧୪ରେ ଜଷ୍ଟିସ ଶାହ ଓ ଜଷ୍ଟିସ ପଶାୟତଙ୍କ ନେତୃତ୍ବରେ କଳାଧନର ତଦନ୍ତ କରିବାକୁ ଏକ କମିଶନ ଗଠନ କରାଯାଇଥିଲା । ସେ କମିଶନର ଖୋଜଖବର କିଛି ଅଛି କି ??