ଉତ୍ସବ
ଦିନେ
କଇଁ ଗଡ଼ିଆ କଡ଼ରେ
ଥପଥପ ବହୁଥିବା
କୋଉ ଏକ କୁଆଁରୀର ଅଯାଚିତ ଲୁହଧାରକୁ
ସମ୍ଭ୍ରାନ୍ତ ଶ୍ରେଣୀର ନାରୀଜଣେ
ଚେଷ୍ଟା କରି ବି ଢ଼ାଳି ପାରୁ ନ ଥିବ
ଗୋଟେ କାଚଗ୍ଲାସ୍ ଭିତରେ !
ଘଞ୍ଚ ଜଙ୍ଗଲର
ସବୁଠୁ ଶେଷ ବରଗଛରେ
ଓହଳିଥିବା ଫାଶୀ ଦଉଡ଼ିର ଲମ୍ବ
ଦିନେ ପ୍ରେମହୀନତାର
ଧାଡ଼ିଧାଡ଼ି ଫୁଲ ହେଇ ଫୁଟୁଥିବ
କୋଉ ଏକ ରାଜାର ବଗିଚାରେ !
ଏଇ ଯୋଡ଼ା ହଂସଙ୍କ ଦେହରୁ
ଖସି ପଡୁଥିବା ପର ସବୁ
ଦିନେ ମେଘଖଣ୍ଡ ହେଇ ଭାସିବେ
କୋଉ ଏକ ମରୁଭୂମିର ଆକାଶରେ !
ଅନେକ ଆଲୋକବର୍ଷ ସେପାଖୁ
ଭାସି ଆସୁଥିବା ଗୋଟେ ଅସ୍ପଷ୍ଟ ତଥାସ୍ତୁ
ଦିନେ ଅଧିକରୁ ଅଧିକ ସବୁଜ ଦିଶୁଥିବ
କୋଉ ଏକ ସଦ୍ୟଜାତର ଓଠରେ !
ଆମେରିକା ଆଉ ଆମ୍ରପଲ୍ଲୀ
ଦିନେ ଏକଦମ୍ ଏକା ଦିଶୁଥିବେ
କୋଉ ଏକ ମହାକାଶ ଗଢ଼ୁଥିବା
ମଣିଷର ଆଖିରେ !
ହାତ ହତିଆର ଆଉ ଲାଲ୍ ରକ୍ତକୁ
ଜୀବନ ବୁଝିନେଇଥିବା ଆତତାୟୀ
ଦିନେ ଫଗୁଣ ଆରମ୍ଭରେ
ପ୍ରେମପତ୍ର ଲେଖୁଥିବ ଲାଲ୍ ରଙ୍ଗର ସ୍ୟାହିରେ !
ଟେଳା-ଟେଳା ମିଛ ଆଉ ଅହଂର ବିଷକୁ
ଭକ୍ ଭକ୍ ବାନ୍ତି କରୁଥିବା ଲୋକଟି
ଦିନେ ମାଟିଆ ରଙ୍ଗର କାଗଜ ଉପରେ
କବିତାର ଦେହ ପରି
ଲମ୍ବ ହେଇ ପଡ଼ିଥିବ ଅତି ନିରୋଳାରେ
ଚାରି ପୃଷ୍ଠାର ଓଜନ ଭିତରେ !
ହଁ...ଦିନେ ତୁମ ପରି ହସୁଥିବି ମୁଁ
ମୋ ପରି ଦିଶୁଥିବ ତୁମେ
ଆମ ପରି କାନ୍ଦୁଥିବେ ସେମାନେ
ସେମାନଙ୍କ ପରି ଲାଗୁଥିବେ ଅନ୍ୟମାନେ,
ଆଉ ଆମମାନଙ୍କ ଅପେକ୍ଷାରେ ଥିବ
ଗୋଟେ ବଦଳି ସାରିଥିବା ପୃଥିବୀ !