ଉତ୍ସବ

ଉତ୍ସବ

ଦିନେ

କଇଁ ଗଡ଼ିଆ କଡ଼ରେ

ଥପଥପ ବହୁଥିବା

କୋଉ ଏକ କୁଆଁରୀର ଅଯାଚିତ ଲୁହଧାରକୁ

ସମ୍ଭ୍ରାନ୍ତ ଶ୍ରେଣୀର ନାରୀଜଣେ

ଚେଷ୍ଟା କରି ବି ଢ଼ାଳି ପାରୁ ନ ଥିବ

ଗୋଟେ କାଚଗ୍ଲାସ୍ ଭିତରେ !

 

ଘଞ୍ଚ ଜଙ୍ଗଲର

ସବୁଠୁ ଶେଷ ବରଗଛରେ

ଓହଳିଥିବା ଫାଶୀ ଦଉଡ଼ିର ଲମ୍ବ

ଦିନେ ପ୍ରେମହୀନତାର 

ଧାଡ଼ିଧାଡ଼ି ଫୁଲ ହେଇ ଫୁଟୁଥିବ

କୋଉ ଏକ ରାଜାର ବଗିଚାରେ !

 

ଏଇ ଯୋଡ଼ା ହଂସଙ୍କ ଦେହରୁ

ଖସି ପଡୁଥିବା ପର ସବୁ

ଦିନେ ମେଘଖଣ୍ଡ ହେଇ ଭାସିବେ

କୋଉ ଏକ ମରୁଭୂମିର ଆକାଶରେ !

 

ଅନେକ ଆଲୋକବର୍ଷ ସେପାଖୁ

ଭାସି ଆସୁଥିବା ଗୋଟେ ଅସ୍ପଷ୍ଟ ତଥାସ୍ତୁ

ଦିନେ ଅଧିକରୁ ଅଧିକ ସବୁଜ ଦିଶୁଥିବ

କୋଉ ଏକ ସଦ୍ୟଜାତର ଓଠରେ !

 

ଆମେରିକା ଆଉ ଆମ୍ରପଲ୍ଲୀ 

ଦିନେ ଏକଦମ୍ ଏକା ଦିଶୁଥିବେ

କୋଉ ଏକ ମହାକାଶ ଗଢ଼ୁଥିବା

ମଣିଷର ଆଖିରେ !

 

ହାତ ହତିଆର ଆଉ ଲାଲ୍ ରକ୍ତକୁ

ଜୀବନ ବୁଝିନେଇଥିବା ଆତତାୟୀ

ଦିନେ ଫଗୁଣ ଆରମ୍ଭରେ

ପ୍ରେମପତ୍ର ଲେଖୁଥିବ ଲାଲ୍ ରଙ୍ଗର ସ୍ୟାହିରେ !

 

ଟେଳା-ଟେଳା ମିଛ ଆଉ ଅହଂର ବିଷକୁ

ଭକ୍ ଭକ୍ ବାନ୍ତି କରୁଥିବା ଲୋକଟି

ଦିନେ ମାଟିଆ ରଙ୍ଗର କାଗଜ ଉପରେ

କବିତାର ଦେହ ପରି

ଲମ୍ବ ହେଇ ପଡ଼ିଥିବ ଅତି ନିରୋଳାରେ

ଚାରି ପୃଷ୍ଠାର ଓଜନ ଭିତରେ !

 

ହଁ...ଦିନେ ତୁମ ପରି ହସୁଥିବି ମୁଁ

ମୋ ପରି ଦିଶୁଥିବ ତୁମେ

ଆମ ପରି କାନ୍ଦୁଥିବେ ସେମାନେ

ସେମାନଙ୍କ ପରି ଲାଗୁଥିବେ ଅନ୍ୟମାନେ,

ଆଉ ଆମମାନଙ୍କ ଅପେକ୍ଷାରେ ଥିବ

ଗୋଟେ ବଦଳି ସାରିଥିବା ପୃଥିବୀ !