ଆଉ ପଚାରନି
ମୁଁ ତାହେଲେ ଏତେଦିନ ଧରି କରୁଥିଲି କ’ଣ
ସକାଳେ ଖୋଲୁଥିଲି କବାଟ
ରାତିରେ ବନ୍ଦ କରୁଥିଲି
ଦେହ ଘୋରୁଥିଲା ବାକିତକ ବେଳ,
ବେଳ ଗଡିଗଲା ପରେ ଆଉ କେତେ କାଳ?
ପଛ ମୁହୂର୍ତ୍ତମାନେ
ମନଲୋଭା ପୋଷାକରେ ଅବତ୍ତୀର୍ଣ୍ଣ
କେତେ ଦର୍ଶନୀୟ
କେତେ ନିରାପଦ ସେମାନେ?
ଢଳିଆସୁଥିବା ଚେହେରା କ’ଣ ଚାହୁଁଛି
କି ପ୍ରକାର ପ୍ରସାଧନ
ବୟସର ଅତୁଟ ପ୍ରତିବିମ୍ବ
ଧରି ରଖିବାକୁ ଆଇନା ଆଖିରେ,
ଭଳି ଭଳି ହସ ଫିକା କେତେ
କେତେ ଗାଢା ଅପହଂଚ ଇଲାକାରେ?
ଝଡ ରାତିରେ ଦୀପଟିର ହାଲ
ବର୍ଷା ଚାପି ଦେଇଥିବା ଗୁଳ୍ମଟିର ଖବର
କଂସେଇ ପଛେପଛେ ଯାଇଥିବା
ମା’ ଚଲାବାଟ ଚାହିଁରହିଥିବା ଛେଳିଛୁଆ
କେଡେ ବିକଳ ସତରେ!
କେତେ ଯନ୍ତ୍ରଣାଦାୟକ
ଦୂରରୁ କାହାକୁ ଭଲ ପାଇବା,
ସାରା ରାତି ଚାଲୁଥିବା
ଏଇ ଅସହାୟ ରାସ୍ତା କ’ଣ କମ୍ ଏକୁଟିଆ!
ବର୍ତ୍ତମାନ କ’ଣ ପ୍ରକୃତରେ ନିଶ୍ଚିତ?
କେତେ ପରିଚିତ
ତା’ରି ବାରିପଟୁ ଅତୀତ ବାହାରିଯାଏ
ଦାଣ୍ଡରେ ଅପେକ୍ଷାରତ ଅଚିହ୍ନା ସମୟ
କି ରୂପରେ ଭେଟିବ କିଏ ଜାଣେ!
ରକ୍ତ ଲୁହ ଶୁଖିଗଲାପରେ
ମାଂସ ହାଡ ଝଡିଗଲାପରେ
ପଚାରନି ଆଉ କିଛି
ପବନର ଆଖି କାନ ଅଛି
ତାକୁ ବେଶ୍ ଜଣା
ଅନ୍ତରାଳରେ ଆଉ ଏକ
କାର୍ଯ୍ୟକ୍ରମ ଚାଲିଛି।
ସମୟ କଅଁଳୁଥିବ ଚିରହରିତ ଜଂଗଲରେ
ଉଜ୍ଜ୍ୱଳ ଆଲୋକ ଖସୁଥିବ ଅୟୁତାଧିକ ନକ୍ଷତ୍ରରୁ
ପ୍ରତ୍ୟାଶାହୀନ ନିରୋଳା ସନ୍ଧ୍ୟାରେ
ଶୂନ୍ୟସ୍ଥାନ ପାଇଯିବ ଛାଇ,
କବାଟ ନଥିବା ଘରେ
ଆରବା ମେଲାଇ ମୁଁ ବସିଥିବି
ଅନାହୂତ ଅତିଥିକୁ ଚାହିଁ।