ଫୁଲ
ମୋ ଝର୍କା ରୁ
ଟିକିଏ ସ୍ପଷ୍ଟ ,ବେଶୀ ଅସ୍ପଷ୍ଟ !
ନଟେଇରେ ଝୁଲୁଛି ଗୋଟେ ସ୍ତ୍ରୀ ଲୋକର ଦେହ !
ରଣଝଣ ପାଣିକାଚ,ଅଲରା ବାଳ
ପିନ୍ଧା ଲୁଗା ପ୍ରତି ନିଘା ନାହିଁ !
କନିଅର ଗଛ ସହ ବାକ୍ ଯୁଦ୍ଧ
ଆଉ ଦିଟା ହେଲେ, ହରି ଗୋସେଇଁ କୁ ଦେବି !
ରାତିର କଡେ ନିଦ ବାକି ଥାଇପାରେ !
ଫୁଲଗଛ ସବୁ କାକରର ସପପାରି ଶୋଇଥାଇପାରନ୍ତି !
ଫୁଲ ମାନଙ୍କର ଏନ୍ତୁଡ଼ିଶାଳରେ ନାଭି କଟା ଚାଲିଥାଇପାରେ !
ଅବା କେହି କେହି ଭୃଣରୁ ଜୀବଦାନ ଅପେକ୍ଷାରେ ଥିବେ !
ତଥାପି
ତା ମାନସିକ ର ବୋଝ
ତା ମକର ସଂକ୍ରାନ୍ତି ମକର ଚାଉଳ ଭୋଗ
ତା ଦୀପାବଳୀରେ ବଡବଡୁଆଙ୍କ ଡାକ
ତା ସୁଦଶାବ୍ରତର ସାତ ନମ୍ବର ଗଣ୍ଠି
ତା ମାଣବସାରେ ଖଟୁଲି ପୂଜାର ଝୋଟି
ତା ଯମ ଓଷାର ସ୍ତୋତ୍ର
ତା ରାମ ନବମୀ ହୋମ
ତା ଅନୁକୂଳରେ ପହିଲି ପ୍ରଥମ ଭୋଗ
ଏମାନେ ସବୁ ଜୀବନ ପାଆନ୍ତି
ସେ ଫୁଲ ଦେହରୁ ଝରିପଡିଥିବା ଅବଶୋଷର ମନ୍ତୁରା ପାଣିରୁ
ଯିଏ ଜୀବନ ପାଇବା ଆଗରୁ ତୋଳା ସରିଥାଏ
ଗଲା କାଲି ରାତିରୁ !