ବିଶ୍ଵ ଓଡିଆ ଭାଷା ସମ୍ମିଳନୀ : ଭାଷା ରାଜନୀତି ବନାମ ଭାଷାର ଗତି
କହିବାରେ ଦ୍ଵିଧା ନାହିଁ ଯେ ସ୍ଵାଧୀନତା ପରଠୁ ଓଡିଆ ଭାଷାକୁ ନେଇ ସରକାରୀ ସ୍ତରରେ ଏତେ ବଡ ଆୟୋଜନ କେବେ ହୋଇନଥିଲା । ଏହା ପୂର୍ବରୁ ଓଡିଶା ସାହିତ୍ୟ ଏକାଡ଼େମୀର ରୌପ୍ୟ ଜୟନ୍ତୀ ପାଳନ ଏବଂ ବିଜୁ ପଟ୍ଟନାୟକ ସରକାର ଅମଳରେ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ନେତୃତ୍ବରେ ପ୍ରଥମ ବିଶ୍ଵ ଓଡିଆ ସମ୍ମିଳନୀର ଆୟୋଜନ ହୋଇଥିଲା । ତେବେ ଗତ ଫେବୃଆରୀ ୩ ରୁ ୫ ତାରିଖ ଭିତରେ ଆୟୋଜିତ ହୋଇଥିବା “ବିଶ୍ଵ ଓଡିଆ ଭାଷା ସମ୍ମିଳନୀ”ର ଆକାର ପ୍ରକାର ଅତ୍ୟନ୍ତ ବିଶାଳ ଥିଲା । ଭାଷାକୁ ନେଇ ବିଦ୍ୟାଳୟ ସ୍ତରରୁ ଏକ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇ ଏକ ବିଶାଳ ସମାବେଶରେ ଏହାର ପୂର୍ଣ୍ଣାହୁତି ପଡିଛି । ଏହି ବିଶାଳ, ବ୍ୟୟବହୁଳ ଏବଂ ଭବ୍ୟ ଆୟୋଜନକୁ ନେଇ ଆଲୋଚନା ଏବଂ ସମାଲୋଚନା ହେବା ସ୍ଵାଭାବିକ । ହେଲେ ଏହି ସମ୍ମିଳନୀ ଯେ ଓଡିଆ ଭାଷାକୁ ଏକ ବଡ ମଞ୍ଚ ଦେଇଛି, ସେକଥା ସମସ୍ତେ ମାନିବାକୁ ବାଧ୍ୟ ।
ରାଜ୍ୟରେ ସାଧାରଣ ନିର୍ବାଚନ ମାତ୍ର ଆଉ ଗୋଟିଏ ମାସ ବାକି ଥିବାରୁ ଏହି ସମ୍ମିଳନୀ ପଛରେ ରାଜନୀତିର ଗନ୍ଧ ବାରି ହେବା ସ୍ଵାଭାବିକ । ତେବେ କେହି ଯଦି ରାଜ୍ୟର ଭାଷାକୁ କେନ୍ଦ୍ରରେ ରଖି ରାଜନୀତି କରୁଛି, ତାହା ରାଜ୍ୟ ଓ ଭାଷା ଉଭୟଙ୍କ ପାଇଁ ମଙ୍ଗଳ । ଧର୍ମ କିମ୍ବା ଜାତି ଆଧାରରେ ହେଉଥିବା ରାଜନୀତି ମଣିଷକୁ ଭାଙ୍ଗୁଥିବା ବେଳେ ଭାଷାର ରାଜନୀତି ଯୋଡିବା କାମ କରିଥାଏ । ରାଜ୍ୟର ପଞ୍ଚାୟତ ସ୍ତରରୁ ରାଜଧାନୀ ପର୍ଯନ୍ତ ଭାଷାର ଏହି ରାଜନୀତି ଓଡ଼ିଶାକୁ ଯୋଡିବାର କାମ କରିଛି । ତେଣୁ ଏ ରାଜନୀତିର ସୁଫଳ ଅନେକ ।
ଏହି ସମ୍ମିଳନୀକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ରୋଚକ ଏବଂ ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ଯୁଗରେ ଯେ କୌଣସି କାମକୁ ନେଇ ସହଜରେ ଗୋଟେ ବିବାଦ ଗଢାଯାଇପାରିବ । ଏହି ସମ୍ମିଳନୀ ସେଥିରୁ ବାଦ ପଡିନାହିଁ । ସମ୍ମିଳନୀର ଉଦଘାଟନୀ ସଭାରେ ଉଦଘୋଷିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ “କଣ୍ଠକବି” କହିବାକୁ ନେଇ ହଜାର ହଜାର ଓଡିଆଙ୍କର କ୍ଷୁବ୍ଧ ମତାମତ ସୋସିଆଲ ମିଡିଆରେ ଆମେ ଦେଖିଛୁ । ସଂହତି ନିହାତି ଭୁଲ କଥା କହିଛନ୍ତି, ହେଲେ ତାଙ୍କ ଭୁଲକୁ ଆଲୋଚନା କରିବା ପରିବର୍ତ୍ତେ ଆମେ ତାଙ୍କର ଚରିତ୍ର ସଂହାର ଭଳି ନିକୃଷ୍ଟ ସ୍ତରକୁ ଖସି ଆସୁଛୁ । ଆମେ ଏମିତି ଚିତ୍କାର କରୁଛୁ, ଯେମିତିକି ଗୋଟେ ଭୁଲ ଉଚ୍ଚାରଣ ଆମ ଭାଷା ସାହିତ୍ୟକୁ ଖତମ କରିଦେଇଛି !!
ଏହି ସମ୍ମିଳନୀରେ ଜଣେ ସାଧାରଣ ଦର୍ଶକ ଭାବରେ ଗୋଟେ ବିରଳ ଅନୁଭବ ମୋର ହୋଇଛି । ପ୍ରଥମଥର ଲାଗି ମୁଁ ଗୋଟେ ଭାଷା ସାହିତ୍ୟର କାର୍ଯକ୍ରମ ଦେଖିଲି ଯେଉଁଠି ଲେଖକଙ୍କ ତୁଳନାରେ ସାଧାରଣ ଲୋକଙ୍କ ସଂଖ୍ୟା ବହୁ ଅଧିକ । (ଓଡିଶା ସରକାର କେବଳ ବଡ ପୁରସ୍କାର ପାଇଥିବା ଲେଖକଙ୍କୁ ଏହି ସମ୍ମିଳନୀକୁ ଡ଼ାକିଥିଲେ । କେବଳ ପୁରସ୍କୃତ ଏବଂ ସରକାରୀ ପଦବୀଧାରୀ ଲେଖକ ଏହି ସମ୍ମିଳନୀରେ ଥିଲେ । ଯଦିଓ ବଡ ଲେଖକ ହେବା ସହିତ ପୁରସ୍କାର ବିଶେଷ କିଛି ସମ୍ପର୍କ ନାଇଁ । ଓଡିଆ ସାହିତ୍ୟର ସବୁଠୁ ଅଧିକ ପଢା ହୋଇଥିବା ଉପନ୍ୟାସ “ଅମାବାସ୍ୟାର ଚନ୍ଦ୍ର”ର ଲେଖକ ଗୋବିନ୍ଦ ଦାସ କିମ୍ବା “ଅମଡା ବାଟ”ର ଲେଖିକା ବସନ୍ତ କୁମାରୀ ଦେବୀ ପୁରସ୍କୃତ ଲେଖକ ନଥିଲେ । ) ଶହ ଶହ ଛାତ୍ର ଏବଂ ଅଧ୍ୟାପକ ଏହି ସମ୍ମିଳନୀର ଅଂଶ ହେବା ଏକ ଭିନ୍ନ ପ୍ରଭାବ ସୃଷ୍ଟି କରିଛି । ଭାଷା ସହିତ ଓଡିଶାର ନୂଆ ପିଲାଙ୍କୁ ଯୋଡିବା ଲାଗି ଏହା ଏକ ସୁନ୍ଦର ଉଦ୍ୟମ ।
ସବୁଠୁ ମଜା କଥାଟି ହେଲା, ନୂଆ ପ୍ରଜନ୍ମର ଦର୍ଶକଙ୍କୁ ଭାଷା ସାହିତ୍ୟ ବିଷୟରେ କହିବାକୁ ପୁରୁଣା ପ୍ରଜନ୍ମର ଲୋକଙ୍କୁ ବଛା ଯାଇଥିଲା । ସମ୍ମିଳନୀର ସବୁଠୁ ଦୁର୍ବଳ ଦିଗ ଥିଲା ଏହାର ଏକାଡେମିକ ଆଲୋଚନା। ଏହି ସବୁ ଆଲୋଚନା ନିର୍ଜୀବ ଶ୍ରେଣୀ ଗୃହର ପାଠପଢା ସ୍ତରରେ ରହି ଯାଇଥିଲା । ପ୍ରାୟ ଆଲୋଚନାରେ ପିଲାଏ ତାଙ୍କର ହୋ ହୋ ହେଉଥିବା ବେଳେ ଅଧ୍ୟାପକମାନେ ତାଙ୍କର ପୁରୁଣା ପାଠର ଘୋଷା ଆଲୋଚନା କରି ଚାଲିଥିଲେ । ପିଲାଙ୍କୁ ଆକୃଷ୍ଟ କରିପାରିଲା ଭଳି ଜଣେ ବି ବକ୍ତା ବୋଧେ ରାଜ୍ୟ ସରକାର ଖୋଜି ପାଇଲେ ନାହିଁ । ସେମିନାର ପରିବର୍ତ୍ତେ ରାଉଣ୍ଡ ଟେବୁଲ ଆଲୋଚନା, ମୁହାଁମୁହିଁ କଥାବାର୍ତ୍ତା ଇତ୍ୟାଦି ଆଜିର ସବୁଠୁ ବଡ ଆବଶ୍ୟକତା ।
ସୃଜନଶୀଳ ଲେଖାକୁ ସମ୍ମିଳନୀରୁ ସମ୍ପୂର୍ଣ୍ଣ ବାଦ ଦେବାର କାରଣ କେବଳ ସରକାର ଜାଣିଥିବେ । ସମ୍ମିଳନୀ ବାହାରେ ଏକ ଘରୋଇ ବିଶ୍ଵ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଅବ୍ୟବସ୍ଥିତ ଢଙ୍ଗରେ ଏକ କବିତା ପାଠର ଆୟୋଜନ ହୋଇଥିଲା ଯହିଁରେ ସାହିତ୍ୟର ସମ୍ମାନ ତୁଳନାରେ ଅପମାନ ଥିଲା ଅଧିକ ।
ଏହି ସମ୍ମିଳନୀର ଦୁଇଟି ସଫଳ ବିନ୍ଦୁ ଥିଲା, ଏହାର ସାଜସଜ୍ଜା ଏବଂ ପରିପାଟୀର ଚମତ୍କାରିତା ଏବଂ ଭାଷାର ଐତିହ୍ୟକୁ ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଲାଗି ଆୟୋଜିତ ହୋଇଥିବା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରଦର୍ଶନୀ ।
ଉତ୍ସବର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଜ୍ଞାନପୀଠ ବିଜେତା ଲେଖକ ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏଠି ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଜ୍ଞାନପୀଠ ପୁରସ୍କାର ଏକ ଘରୋଇ ସଂସ୍ଥା ଦ୍ଵାରା ଦିଆ ଯାଉଥିବା ପୁରସ୍କାର । ଜ୍ଞାନପୀଠ ଭଳି ସରସ୍ଵତୀ ସମ୍ମାନ ମଧ୍ୟ ଏକ ଘରୋଇ ସଂସ୍ଥା ଦ୍ଵାରା ଦିଆ ଯାଉଥିବା ସାହିତ୍ୟର ଆଉ ଏକ ସର୍ବୋଚ୍ଚ ପୁରସ୍କାର । ଏହି ପୁରସ୍କାରର ପ୍ରାପକ କବି ରାମାକାନ୍ତ ରଥ ଏବଂ ଜଗନ୍ନାଥ ପ୍ରସାଦ ଦାସଙ୍କୁ ଏହି ସମ୍ବର୍ଦ୍ଧନାରୁ ବଞ୍ଚିତ କରାଗଲା କାହିଁକି ? ରମାକାନ୍ତ ରଥ ସମକାଳୀନ ଓଡିଆ କବିତାର ସର୍ବୋଚ୍ଚ କବି ଏବଂ ସେ ମଧ୍ୟ ଭାରତର ସର୍ବୋଚ୍ଚ ସାହିତ୍ୟ ସଂସ୍ଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀର ନିର୍ବାଚିତ ସଭାପତି ରହିଥିଲେ । ଉଦଘାଟନୀ ମଞ୍ଚରେ ରମାକାନ୍ତ ରଥଙ୍କ ଅନୁପସ୍ଥିତି ଅସୁନ୍ଦର ନିଶ୍ଚୟ ।
ଏହି ସମ୍ମିଳନୀ ଆମ ସମୟର ଭାଷାକୁ ରାଜନୀତିର କେନ୍ଦ୍ରକୁ ନେଇ ଆସିଛି । ଏବେ ଦେଖିବାର କଥା, ଆଗକୁ ଏହା ଭାଷାକୁ ଉପରକୁ ଉଠାଇବାରେ କେତେ ଦୂର ସହାୟକ ହେଉଛି ।