ସରକାରଙ୍କ ଦ୍ଵାରା ସଂସଦ ଅଚଳ

ସରକାରଙ୍କ ଦ୍ଵାରା ସଂସଦ ଅଚଳ

ପାର୍ଲାମେଂଟର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ଉଭୟ ଗୃହରେ ଏକ ଅଚଳ ଅବସ୍ଥା ଦେଖାଦେଇଛି । ସଂସଦର ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ଦେଶ ରକ୍ଷାମନ୍ତ୍ରୀ ଯିଏକି ଶାସକ ବିଜେପିର ଜଣେ ଅତି ଉଚ୍ଚସ୍ତରର ନେତା ଶ୍ରୀ ରାଜନାଥ ସିଂହ ଛିଡ଼ାହୋଇ ଲଣ୍ଡନର କେମ୍ବ୍ରିଜ୍ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧି ଦେଶର ଗଣତନ୍ତ୍ର ଉପରେ ଯେଉଁ ମତ ଦେଇଛନ୍ତି, ତାହା ଦେଶକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗିବା ପାଇଁ ଦାବି କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରାଜନାଥ ସିଂହଙ୍କ ବକ୍ତବ୍ୟ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଅନ୍ୟ ବିଜେପି ନେତାମାନେ ରାହୁଲ ଗାନ୍ଧି କ୍ଷମା ମାଗିବା ଦାବିକୁ ଦୋହରାଇ ଚାଲିଥିବା ସମୟରେ ବିରୋଧୀ ପକ୍ଷରୁ ଆଦାନୀ ବ୍ୟାପାର ଉପରେ ତଦନ୍ତ ନିମନ୍ତେ ଯୁଗ୍ମ ସଂସଦୀୟ କମିଟି ଗଠନ ଦାବିର ସ୍ଲୋଗାନ ଦେଇଥିଲେ ।

ରାଜ୍ୟସଭାରେ ଏହି ପ୍ରସଂଗ ଖୋଦ୍ ରାଜ୍ୟସଭା ନେତା ପିୟୁସ୍ ଗୋୟଲ ଉଠାଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବିକୁ ଅନ୍ୟ ସରକାରୀ ଦଳର ସଦସ୍ୟମାନେ ସମର୍ଥନ କରିଥିଲେ । ଅବଶ୍ୟ ରାହୁଲ ଗାନ୍ଧି ଲୋକସଭା ସଦସ୍ୟ ହୋଇଥିବାରୁ ତାଙ୍କ ସଂପର୍କରେ ରାଜ୍ୟସଭାରେ ଆଲୋଚନା କରାଯାଇପାରିବ ନାହିଁ ବୋଲି ଯୁକ୍ତି ଉପସ୍ଥାପିତ କରାଯିବା ପରେ ରାଜ୍ୟସଭାରେ ଏହାକୁ କେନ୍ଦ୍ର କରି ଅଧିକ ସମୟ ଅଚଳାବସ୍ଥା ରହିବ ନାହିଁ ବୋଲି ଅନୁମାନ କରାଯାଉଛି । କିନ୍ତୁ ରାଜ୍ୟସଭାକୁ ପରିଚାଳନା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନକଡ୍ ବାହାରେ ଏକ ସଭାରେ ରାହୁଲ ଗାନ୍ଧିଙ୍କ ପ୍ରତି ଲକ୍ଷ୍ୟ କରି କହିଛନ୍ତି ଯେ ଦେଶକୁ ଯେଉଁମାନେ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ ଲୋକମାନେ ସ୍ୱର ଉତ୍ତୋଳନ କରିବା ଉଚିତ୍ ।

ଏକ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି ଯିଏକି ଜଣେ ନିରପେକ୍ଷ ଅମ୍ପାୟାର ଭାବରେ ରାଜ୍ୟସଭାକୁ ପରିଚାଳନା କରିବେ, ତାଙ୍କର ମତକୁ ଦେଖିଲେ ସେ କେଉଁ ପ୍ରକାର ବିତର୍କ ରାଜ୍ୟସଭାରେ ଚାହୁଁଛନ୍ତି, ତାହା ସ୍ପଷ୍ଟ ଜଣାପଡୁଛି । ଅସଲକଥା ହେଉଛି, ରାହୁଲ ଗାନ୍ଧିଙ୍କ ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ସେ କ୍ଷମା ମାଗନ୍ତୁ ବୋଲି ସରକାରୀ ଦଳର ନେତା ଓ ସଦସ୍ୟମାନେ ଯଦି ପାଟିତୁଣ୍ଡ କରି ପାର୍ଲାମେଂଟ କରାଇଦେଉ ନାହାନ୍ତି, ସେଥିରୁ ଯିଏ କେହି ଅନୁମାନ କରିବ ଯେ ସରକାର ପାର୍ଲାମେଂଟ ଚାଲୁ ବୋଲି ଚାହୁଁନାହାନ୍ତି । କାରଣ ପାର୍ଲାମେଂଟରେ ଚଳିତ ଅଧିବେଶନରେ ବିରୋଧୀ ଦଳମାନଙ୍କର ସର୍ବାଧିକ ପ୍ରଶ୍ନ ଆଦାନୀକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଘନିଷ୍ଠତାକୁ କେନ୍ଦ୍ର କରି କରାଯାଇଛି । ତା’ଛଡ଼ା ସମୁଦାୟ ବିରୋଧୀ ପକ୍ଷ ଆଦାନୀ କମ୍ପାନୀ ସଂକ୍ରାନ୍ତରେ ଆମେରିକୀୟ ଗବେଷଣା କମ୍ପାନୀ ହିଣ୍ଡେନ୍‌ବର୍ଗ ଦେଇଥିବା ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନଗୁଡିକ ଉପରେ ଏକ ମିଳିତ ସଂସଦୀୟ କମିଟି ତଦନ୍ତ କରିବାକୁ ଦାବି କରିଆସୁଛନ୍ତି । ଏଣୁ ପାର୍ଲାମେଂଟ ଅଧିବେଶନ ଚାଲିଲେ ବିରୋଧୀ ପକ୍ଷର ଏହି ମୂଳ ପ୍ରସଂଗଟି ସେମାନେ ବାରମ୍ବାର ଉତ୍‌ଥାପିତ କରିବେ । ଯେଉଁ ସରକାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଦାନୀ ସଂପର୍କ ନେଇ ଯେତେଗୁଡିଏ ଅଭିଯୋଗ ବା ତଥ୍ୟ ଉପସ୍ଥାପିତ ହୋଇଛି, ତା’ଉପରେ ସରକାର ବା ପ୍ରଧାନମନ୍ତ୍ରୀ କୌଣସି ଉତ୍ତର ଦେଇନାହାନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଆଦାନୀଙ୍କ ନାମ ନେବା ପାଇଁ ମଧ୍ୟ ପ୍ରସ୍ତୁତ ନାହାନ୍ତି । ତେଣୁ ବିରୋଧୀ ପକ୍ଷ ଭାବୁଛନ୍ତି ଯେ ଆଦାନୀ ପ୍ରସଂଗକୁ ଏଡ଼ାଇବା ପାଇଁ ରାହୁଲ ଗାନ୍ଧିଙ୍କ କ୍ଷମା ମାଗିବା ଦାବି ଉପରେ ବିଜେପି ଜିଦ୍ ଧରି ବସିଛି ।

ଯଦିଓ ପାର୍ଲାମେଂଟର କୌଣସି ନିୟମରେ ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇପାରିବେ ନାହିଁ । କିନ୍ତୁ ରାହୁଲ ଗାନ୍ଧିଙ୍କ ଲଣ୍ଡନ ସଭାଗୁଡିକର ସଂପୂର୍ଣ୍ଣ ଭିଡିଓ ଉପଲବ୍ଧ ଅଛି ଓ ୟୁଟ୍ୟୁବ୍‌ରେ ତାହା ପ୍ରକାଶିତ ହୋଇଛି । ଯେଉଁ ପାର୍ଲାମେଂଟର ସଦସ୍ୟମାନେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି କହୁଛନ୍ତି ସେମାନେ ଏହି ସମସ୍ତ ଭିଡିଓ ବା ୟୁଟ୍ୟୁବ୍ ଦେଖିଛନ୍ତି କି ନାହିଁ କହିହେବ ନାହିଁ । କାରଣ କଂଗ୍ରେସର ଓଭରସିଜ୍ ସଂସ୍ଥାର ମୁଖ୍ୟ ସାମ୍ ପିଟ୍ରୋଡା ବିଭିନ୍ନ ଟ୍ୱିଟ୍‌ରେ ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଉଛନ୍ତି । ଲୋକସଭା ବାଚସ୍ପତି ଚାହିଁଲେ ବିବାଦ ସୃଷ୍ଟି କରୁଥିବା ରାହୁଲ ଗାନ୍ଧିଙ୍କ ଲଣ୍ଡନ ଭାଷଣଗୁଡିକର ଭିଡିଓ କପି ଦାଖଲ ପାଇଁ ରାହୁଲ ଗାନ୍ଧିଙ୍କୁ ନିର୍ଦ୍ଦେଶ ଦେଇପାରିବେ । ଏହି ଭିଡିଓଗୁଡିକ ଅନୁଧ୍ୟାନ ପାଇଁ ଏକ ସଂସଦୀୟ କମିଟି ମଧ୍ୟ ଗଢ଼ାଯାଇପାରିବ । ଏହି କମିଟି ଭିଡିଓଗୁଡିକ ଭଲ ଭାବରେ ଯାଞ୍ଚ କରି ଓ ତାଙ୍କ ବକ୍ତବ୍ୟ ଅନୁଧ୍ୟାନ କରି ଯଦି ମତ ଦିଅନ୍ତି ଯେ ସେ ପ୍ରଦାନ କରିଥିବା ମନ୍ତବ୍ୟଗୁଡିକ ଦେଶ ବିରୋଧୀ ଓ ଭାରତର ସମ୍ମାନ ହାନି କରିଛି, ତେବେ ରାହୁଲ ଗାନ୍ଧି କ୍ଷମା ମାଗିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇପାରିବେ ବା ପାର୍ଲାମେଂଟରେ ଏଥିପାଇଁ ପ୍ରସ୍ତାବ ପାରିତ ହୋଇପାରିବ । କିନ୍ତୁ ରାହୁଲ ଗାନ୍ଧି ଲଣ୍ଡନରେ ଯାହାସବୁ କହିଛନ୍ତି ସେଗୁଡିକ ସେ ବିଭିନ୍ନ ସମୟରେ ଦେଶରେ ମଧ୍ୟ ଓ ବିଶେଷ ଭାବରେ ଭାରତ ଯୋଡ଼ ଯାତ୍ରା ସମୟରେ ପ୍ରକାଶ କରିଛନ୍ତି ।

ଭାରତୀୟ ଗଣତନ୍ତ୍ର ନିଶ୍ଚିତ ଭାବରେ ବିଶ୍ୱର ବୃହତମ ଗଣତନ୍ତ୍ର । ୧୪୦ କୋଟି ଲୋକଙ୍କର ଏହି ଦେଶରେ ଗଣତନ୍ତ୍ର ଦୁର୍ବଳ ହେଲେ ସମୁଦାୟ ବିଶ୍ୱକୁ ତାହା ପ୍ରଭାବିତ କରିବ । ଏଣୁ ଭାରତରେ ଗଣତନ୍ତ୍ରର ଅବସ୍ଥା ସଂପର୍କରେ ବିଶ୍ୱରେ ଗଣତନ୍ତ୍ର ସୁରକ୍ଷା ପାଇଁ ଅନାବରତ ଉଦ୍ୟମ କରୁଥିବା ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଧ୍ୟାନ ଦେବାକୁ ରାହୁଲ ଗାନ୍ଧି ଗୋଟିଏ ବକ୍ତବ୍ୟରେ କହିଥିଲେ ମଧ୍ୟ ପରଦିନ ସେ ସ୍ପଷ୍ଟ ଭାବରେ କହିଦେଇଛନ୍ତି ଯେ ଭାରତୀୟ ଗଣତନ୍ତ୍ର ଦୁର୍ବଳତା ସଂପର୍କରେ ଭାରତୀୟମାନେ ହିଁ ଲଢ଼େଇ କରି ପରିସ୍ଥିତିକୁ ବାଟକୁ ଆଣିବେ । କିନ୍ତୁ ରାହୁଲଙ୍କ ପ୍ରତ୍ୟେକଟି ଭିଡିଓ ଅନୁଧ୍ୟାନ ନହେଲା ପର୍ଯ୍ୟନ୍ତ ସେ ବିଦେଶରେ ଭାରତକୁ ଅସମ୍ମାନ କରିଥିବା ବକ୍ତବ୍ୟକୁ ଗ୍ରହଣ କରାଯିବ ନାହିଁ । କାରଣ ଏହିପରି ବକ୍ତବ୍ୟ ଖୋଦ୍ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଦେଶ ସଭାରେ ଭାରତର ଅତୀତ ସରକାରଗୁଡିକ ବିଷୟରେ କଟୁ ମନ୍ତବ୍ୟ ଦେଇଛନ୍ତି ।

ଅବଶ୍ୟ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ଖୁସି ହେବ ଯେ ପାର୍ଲାମେଂଟରେ ରାହୁଲଙ୍କ ମନ୍ତବ୍ୟ ମୁଖ୍ୟ ପ୍ରସଂଗ ଭାବେ ରହିଛି । ଅପରପକ୍ଷରେ ଏହି ପ୍ରସଂଗ ଉଠାଉଥିବା ବିଜେପି ବଜେଟ୍ ଅଧିବେଶନ ସମୟରେ ଆଦାନୀ ପ୍ରସଂଗକୁ ଏଡ଼ାଇବା ସହିତ ୨୦୨୪ ନିମନ୍ତେ ଲଢ଼େଇକୁ ମୋଦି ବନାମ ରାହୁଲ ଭିତରେ ସୀମାବଦ୍ଧ କରିବାକୁ ଚାହାନ୍ତି । ଯଦିଓ ବିଜେପି ଭଲ ଭାବେ ଜାଣିଛି ଯେ ବହୁ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କ ସହିତ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ । ୨୦୨୪ରେ ବାସ୍ତବରେ ମୋଦିଙ୍କ କିଏ ପ୍ରତିଦ୍ୱନ୍ଦ୍ୱୀ ହେବ ତାହା ବିରୋଧୀ ଦଳଗୁଡିକ ଭିତରେ ବିଭିନ୍ନ ଆଲୋଚନା ପରେ ସ୍ଥିରିକୃତ ହେବ । କିନ୍ତୁ ବିଜେପି ଏହି ଲଢ଼େଇକୁ ମୋଦି ଓ ରାହୁଲଙ୍କ ଭିତରେ ସୀମାବଦ୍ଧ କରି ରଖିଲେ ଫାଇଦା ବିଜେପିକୁ ମିଳିବ ବୋଲି ଧରିନେଇଛନ୍ତି । କାରଣ ଭାରତବର୍ଷର ବହୁ ରାଜ୍ୟରେ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଭାରତଯୋଡ଼ ଯାତ୍ରା ଓ କଂଗ୍ରେସର ଗାନ୍ଧି ପରିବାର ବାହାରେ ଜଣେ ନୂଆ ସଭାପତି ସତ୍ତ୍ୱେ କଂଗ୍ରେସର ଯେଉଁ ରାଜ୍ୟଗୁଡିକରେ ସାଂଗଠନିକ ସ୍ଥିତି ଦୁର୍ବଳ ସେଠାରେ କୌଣସି ପରିବର୍ତ୍ତନର ସୂଚନା ମିଳିପାରି ନାହିଁ ।


ମୋ-୮୦୧୮୦୯୪୪୫୫