ହତ୍ୟାକାରୀ ସାମ୍ବାଦିକତାର ସୁବର୍ଣ୍ଣ ଯୁଗ

ହତ୍ୟାକାରୀ ସାମ୍ବାଦିକତାର ସୁବର୍ଣ୍ଣ ଯୁଗ

ଉତ୍ତର ପ୍ରଦେଶର ରାଜନେତା ଏବଂ ମାଫିଆ ଡନ୍ ଆତିକ୍ ଅହମ୍ମଦର ପୂରା ପରିବାରକୁ ଗତ ୭୨ ଘଣ୍ଟା ଭିତରେ ହତ୍ୟା କରାଯାଇଛି । ପୁଲିସର ଘେର ଭିତରେ ଗତକାଲି ଆତିକ୍ ଅହମ୍ମଦ ଓ ତା ଭାଇକୁ ଯେଉଁ ଭାବରେ ହତ୍ୟା କରାଗଲା, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ଏହି ହତ୍ୟାକାଣ୍ଡ ପଛରେ ପୁଲିସର ଗୋପନ ସହଯୋଗ ରହିଛି । ଗତ ଦୁଇ ସପ୍ତାହ ହେଲାଣି ଦିଲ୍ଲୀର ସବୁ ଟେଲିଭିଜନ ଚ୍ୟାନେଲରେ ଆତିକ୍ କୁ ହତ୍ୟା କରାଯିବ ବୋଲି ସ୍ପଷ୍ଟ ଭାବରେ କୁହାଯାଉଥିଲା । ଆତିକ୍ କୁ ଗୁଜରାଟରୁ ଉତ୍ତର ପ୍ରଦେଶ ଆଣିବାର ଏକମାତ୍ର ଅଭିପ୍ରାୟ ତାକୁ ହତ୍ୟା କରିବା ବୋଲି ସମସ୍ତେ ଜାଣିଥିଲେ । ଏ କଥା ଲୁଚାଛପା ନଥିଲା । ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଆତିକ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଗୁହାରୀ କରିଥିଲା ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ରାଜ୍ୟ ପୁଲିସ ସୁରକ୍ଷାରେ ଥିବାରୁ ତାଙ୍କର ଜୀବନ ସୁରକ୍ଷିତ ।    

ସବୁଠୁ ଆଶ୍ଚର୍ୟର କଥା ହେଉଛି, ଗୋଟେ ହତ୍ୟା କାଣ୍ଡ ଘଟିବାର ଅପେକ୍ଷାରେ ସବୁ ସାମ୍ବାଦିକ ଦିନ ରାତି ଆତିକ୍ ର ପିଛା କରୁଥିଲେ । ଗୋଟେ ପକ୍ଷରେ ଉତ୍ତର ପ୍ରଦେଶ ପୁଲିସ ଆତିକ୍ ସହିତ ପାକିସ୍ତାନ ଓ ଆଇଏସଆଇର ଲିଙ୍କ କଥା କହୁଥିବା ବେଳେ ତାକୁ ପ୍ରତି ମୁହୂର୍ତ୍ତରେ ମିଡିଆରେ ବକ୍ତବ୍ୟ ରଖିବାର ସୁଯୋଗ ଦେଉଥିଲେ। ଗୋଟେ ମାଫିଆ ଡନ୍ କୁ ହତ୍ୟା କରିବା ଉତ୍ତର ପ୍ରଦେଶ ସରକାରର ସବୁଠୁ ବଡ଼ ସଫଳତା ବୋଲି ଗଣମାଧ୍ୟମ ପ୍ରଚାର କରୁଥିଲେ । ହତ୍ୟାକାରୀ ଶାସନ ହିଁ ସବୁଠାରୁ ପ୍ରଭାବଶାଳୀ ଶାସନ ବୋଲି ଏକ ଧାରଣା ଦେଶ ସାରା ତିଆରି ଚାଲିଥିଲା ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ବୁଲି ବୁଲି ବିଭିନ୍ନ ଟେଲିଭିଜନରେ କହୁଥିଲେ ଯେ ସେ ଉତ୍ତର ପ୍ରଦେଶର ସବୁ ମାଫିଆଙ୍କୁ ମାଟିରେ ମିଶାଇ ଦେବେ।‌ ଆଦିତ୍ୟ ନାଥଙ୍କ ନାଁ ଶୁଣି ମାଫିଆ ମାନେ ମୁତି ପକାଉଛନ୍ତି ବୋଲି ସାମ୍ବାଦିକଙ୍କ ଚିତ୍କାର ଶୁଣି ଶୁଣି କାନ ତାବଦା ହୋଇ ସାରିଥିଲା। ଭାରତର ଗଣମାଧ୍ୟମ ସାମ୍ବିଧାନିକ ସରକାର ଏକ ହତ୍ୟାକାରୀ ସଙ୍ଗଠନ ଭାବରେ କାମ କରିବାର ବେଆଇନ ପ୍ରକ୍ରିୟା ପ୍ରତି ପୂର୍ଣ୍ଣ ସମର୍ଥନ ଦେବାର ଏହି ଐତିହାସିକ କଳଙ୍କକୁ ଆମେ କେମିତି ଦେଖିବା ?‌ ହତ୍ୟା କରିବା ପାଇଁ ପୁଲିସର ଅଧିକାର ରହିଛି ବୋଲି ଯେଉଁ ଗଣମାଧ୍ୟମ ଯୁକ୍ତି କରୁଛନ୍ତି, ସେମାନେ ଯେ ଗଣତାନ୍ତ୍ରିକ ଅନୁଷ୍ଠାନର ଅଂଶ ଏକଥା ବିଶ୍ଵାସ କରିବା ସମ୍ଭବ ନୁହେଁ ।

ଗତକାଲି ଗଣମାଧ୍ୟମର ଆଗରେ ଆତିକ୍ କୁ ହତ୍ୟା କରାଗଲା । ଟେଲିଭିଜନରେ ଏହି ହତ୍ୟାକାଣ୍ଡର ସିଧା ପ୍ରସାରଣ ସାରା ପୃଥିବୀ ଦେଖିଲେ ‌। ହତ୍ୟାକାରୀ ଭାବରେ ସାମ୍ବାଦିକଙ୍କ ଭିତରେ ରହି ତିନି ଜଣ ଅପରାଧୀ ଏହି ହତ୍ୟାକାଣ୍ଡ ଘଟାଇଲେ । ସାମ୍ବାଦିକଙ୍କ ଭିତରେ ଯେ ପୁଲିସ ହତ୍ୟାକାରୀକୁ ଲୁଚାଇ ରଖିପାରିବ ଓ ନିଜ ହୀନ ଉଦ୍ଦେଶ୍ୟ ସହଜରେ ସାଧନ କରିପାରିବ, ସେକଥା ମଧ୍ୟ ସ୍ପଷ୍ଟ ହୋଇଗଲା
ଏହି ଜଘନ୍ୟ ହତ୍ୟାକାଣ୍ଡକୁ ଗଣମାଧ୍ୟମରେ ସିଧା ପ୍ରସାରଣ କରି ଲୋକଙ୍କୁ ଡରିକି ରହିବା ପାଇଁ ବାର୍ତ୍ତା ଦିଆଗଲା।

ଏହି ହତ୍ୟାକାଣ୍ଡର ନିନ୍ଦା କରୁଥିବା ଲୋକଙ୍କୁ ଅନେକାଂଶରେ ମାଫିଆ ସମର୍ଥକ ବୋଲି ଏବେ କୁହାଯିବ। ଆଦିତ୍ୟନାଥ ସରକାର ମାଫିଆ ନିର୍ମୂଳ କରୁଛି ବୋଲି ପୋଷା ଗଣମାଧ୍ୟମ ପ୍ରଚାର କରିବ
ବିଜେପିକୁ ସମର୍ଥନ ଦେଉଥିବା ଉତ୍ତର ପ୍ରଦେଶର ମାଫିଆ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୈୟା, ବ୍ରଜେଶ ସିଂ, କୁଲଦୀପ ସେଙ୍ଗର, ଧନଞ୍ଜୟ ସିଂ ମାନଙ୍କୁ ସରକାରୀ ସୁରକ୍ଷା ମିଳି ଚାଲିବ ହତ୍ୟାକାରୀ ପୁଲିସ ଓ ପ୍ରଶାସନ ପ୍ରତି ଲୋକ ସମର୍ଥନ ଅଛି ବୋଲି ଗଣମାଧ୍ୟମ ପ୍ରଚାର କରିବ । ଉତ୍ତର ପ୍ରଦେଶ ସରକାର ଦିଲ୍ଲୀର ଗଣମାଧ୍ୟମକୁ ସବୁଠୁ ଅଧିକ ବିଜ୍ଞାପନ ଦେଉଥିବାରୁ ଗଣମାଧ୍ୟମ ସରକାରୀ ବନ୍ଦନା ଗାଇବାକୁ ବାଧ୍ୟ

ତେବେ ଅସଲ କଥା ହେଉଛି ସରକାର ନିଜ ବାଟରେ ଏବେ ଆଇନକୁ ବାଟେଇଵାର ଯୋଜନା କରିଛନ୍ତି- ସେକଥା ଆଉ କେହି ଆଲୋଚନା କରିବେ ନାଇଁ । ଆଇନ ଅଦାଲତର ଆଉ ଆବଶ୍ୟକତା ପଡିବ ନାହିଁ। ପୁଲିସ ଏବଂ ଅପରାଧୀଙ୍କ ଗୁଳି ଏବେ ଆଇନକୁ ଚଳାଇବ । ଉତ୍ତର ପ୍ରଦେଶର ଏହି ହତ୍ୟାକାରୀ ରାଜନୀତି ଗଣମାଧ୍ୟମକୁ ବଶୀଭୂତ କରିଛି ସବୁ ରକ୍ତ ଲାଗିଥିବା ରାଜନୈତିକ ହାତକୁ ଜିନ୍ଦାବାଦ ବୋଲି କହୁଥିବା ଆଜିର ହତ୍ୟାକାରୀ ଗଣମାଧ୍ୟମ ଦିନେ ଆମ ଗଣତନ୍ତ୍ରକୁ ମଧ୍ୟ ଖତମ କରିଦେବ ।