ନାଚ
ନାଚ ଚାଲିଚି ।
ମହୁରି ବଜେଇ
ପୁଚ୍ଛ ମେଲେଇ ମୟୂର ।
ମଣ୍ଡପ ଉପରେ
ସତୁରିବର୍ଷର ବୁଢା ବରଗଛ
ତିରିଶିବର୍ଷର ଓହଳକୁ
କାନ୍ଧରେ ପକେଇ ନାଚଭୋଳ ।
ମଣ୍ଡପ ବୋଲି ଗୋଟିଏକୁ
ପ୍ରକାରେ ପ୍ରକାରେ ନାଚ ।
ନାଚ ଚାଲିଚି ।
ମୁହଁରେ ବୋଳା
ପାଣିଫୋଟକା ଧୂସର ରଂଗ
ଅନ୍ତବୁଜୁଳାକୁ କାବୁ କରିଚି ଗାମୁଛା
ନାଚ ମଝିରେ
ବାଟୁଳି ମାରି ଭଂଗା ଚାଲିଚି ମାଠିଆ
ସାଇତା ଚାଲିଚି
ଗଗରା ଭିତରେ ଗୋଟିଗୋଟି କରି ଘୁଂଗୁର ।
ନାଚି ନାଚିକି
ପାଦରେ ଘୋଳି
ଅଣ୍ଟାରେ ରକା
କାନ୍ଧରେ ବୋଝ
ନାଚ ଚାଲିଚି ନାକେଦମ୍ ।
ମୟୂରମାନେ ନାଚିବାକଥା ନାଚିଲେ
ଏ ବୁଢାଟା କି ବୁଦ୍ଦୁ ?