ବଦ୍ରୀ ନାରାୟଣଙ୍କ ଦୁଇଟି କବିତା

ବଦ୍ରୀ ନାରାୟଣଙ୍କ ଦୁଇଟି କବିତା

ସମକାଳୀନ ହିନ୍ଦୀ କବିତାର ଚର୍ଚ୍ଚିତ କବି ବଦ୍ରୀ ନାରାୟଣଙ୍କୁ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । "ସଚ ଶୁନେ କଇ ଦିନ ହୁଏ", "ଶବ୍ଦପଦୀୟମ", "ଖୁଦାଇ ମେ ହିଂସା" ଭଳି ଚର୍ଚ୍ଚିତ କବିତା ସଙ୍କଳନର ସ୍ରଷ୍ଟା ବଦରୀ ନାରାୟଣ ଜଣେ ଚର୍ଚ୍ଚିତ ଐତିହାସିକ ମଧ୍ୟ । ଉତ୍ତର ଭାରତର ରାଜନୈତିକ ଇତିହାସ ରଚନାରେ ତାଙ୍କର ବିପୁଳ ଖ୍ଯାତି ରହିଛି ।    

ମହାନାୟକ

ସେ ଏକ ଆଶ୍ଚର୍ୟ ସକାଳ ଥିଲା

ଯାହା ମୁଁ ଲେଖିବାକୁ ଚାହୁଁ ଥିଲି, ପାରୁ ନଥିଲି

ଯାହା ଭାବିବାକୁ ଚାହୁଁ ଥିଲି, ପାରୁ ନଥିଲି

ମୁଣ୍ଡକୁ ଆସୁନଥିଲା କିଛି ବି ଶବ୍ଦ

ଏପରିକି କମା, ହଳନ୍ତ ବି ହଜି

ଯାଇଥିଲେ ।   

 

ମୁଁ ଖୋଲିଦେଲି ସ୍ମୃତିର ସବୁ ଦୁଆର

ଖୋଲିଦେଲି ମନ ତଳର ସବୁ ଆଖି

ଦଶ ଦ୍ଵାର, ଚଉଦ ଭୁବନ, ଚଉରାଅଶୀ ଲୋକ

ଘୂରି ଆସିଲି

ମାଟି ଓ ଆକାଶ ଏକାକାର କଲି ।

 

କେଉଁଠି ବି ପାଇଲି ନାହିଁ ଗୋଟେ ଶବ୍ଦ

କି ଭୁଲ ହେଲା କେଜାଣି

ବୁଝି ପାରିଲିନି ।

 

ଧୀରେ ଧୀରେ ଏଇ ଝଟକାରୁ ମୁକୁଳିଲା ପରେ ବୁଝିଲି

ଇଏ ଥିଲା ମୋ ବିରୋଧରେ

ଶବ୍ଦମାନଙ୍କର ଏକ ମହାନ ବିଦ୍ରୋହ

ଏକ ମହାନ ମେଳି

ଏକ ସଚେତନ ପ୍ରତିବାଦ ।

 

ଏ ବିଦ୍ରୋହର କାରଣ – ଯେବେ ବି ମୁଁ ଶବ୍ଦ ଯୋଡିଛି

ବାକ୍ୟ ଇ ଲେଖିଛି

ମୁଁ ଶବ୍ଦମାନଙ୍କୁ ନିଜ ଲାଗି ଇ ଉପଯୋଗ କରିଛି ।

 

ନିଜ ବିଷୟରେ ଲେଖିଛି

ନିଜର ଗୁଣଗାନ କରିଛି  

ନିଜର ସୁଖକୁ ଗାଇଛି

ନିଜର ଦୁଃଖକୁ ଗାଇଛି

ମୁଁ ଶବ୍ଦରେ ନିଜକୁ କରିଛି ଗୌରବାନ୍ଵିତ

ଆତ୍ମସର୍ବସ୍ଵ: ଆତ୍ମରତିରେ ନିମଗ୍ନ ରହିଛି ।

 

ଶବ୍ଦମାନେ ଜାଣିଥିଲେ  

ଏଇ  ପ୍ରବୃତ୍ତି ମୋତେ ଏକଛତ୍ରବାଦୀ କରିଦେବ

ଅବା ମୋତେ କରିଦେବ ପାଗଳ କିମ୍ବା ବେକାର

ଶବ୍ଦମାନେ ଚାହୁଁ ନଥିଲେ ସେମିତି କିଛି ହେଉ ମୋର ।

 

ଶବ୍ଦମାନେ ଜାଣିଥିଲେ

ମୋ ଭିତରେ ନା ଅଛି ପ୍ରତିବାଦ

ନା ଅଛି ପ୍ରେମ

ନା ବଞ୍ଚିଛି ମୋ ଭିତରେ ପାଗଳ ପ୍ରେରଣା ।  

ସେଥିଲାଗି ଜଣେ ମହାନାୟକର ନେତୃତ୍ବରେ

ଶବ୍ଦମାନେ ମୋ ବିରୋଧରେ

ଘୋଷଣା  କରିଛନ୍ତି ବିଦ୍ରୋହ ।      

 

ପ୍ରେମପତ୍ର

ପ୍ରେତ ଆସିବ ତ ବହି ଭିତରୁ
ବାହାର କରି ନେଇଯିବ ପ୍ରେମପତ୍ର
ଶାଗୁଣା ତାକୁ ନେଇ
ପାହାଡ ଉପରେ ଝୁଣି ଝୁଣି ଖାଇବ ।

ଚୋର ଆସିବ ତ ଚୋରେଇ ନେବ ପ୍ରେମପତ୍ର
ଜୁଆରୀ ପ୍ରେମପତ୍ରକୁ
ଲଗାଇବ ବାଜିରେ
ଋଷି ଆସିଲେ ପ୍ରେମପତ୍ରକୁ ମାଗିବେ ଦାନରେ ।

ବର୍ଷା ଆସିବ ତ ଭିଜେଇ ଦେଇଯିବ ପ୍ରେମପତ୍ର
ନିଆଁ ଆସି ପୋଡି ଦେଇଯିବ ପ୍ରେମପତ୍ର
ସାପ ଆସିବ ତ ଦଂଶିବ ପ୍ରେମପତ୍ରକୁ
ଝିଙ୍କାରୀ ଚାଟି ଖାଇବ ପ୍ରେମପତ୍ର
କୀଟମାନେ ପ୍ରେମପତ୍ର ଇ କାଟିବେ ।

ପ୍ରଳୟ କାଳରେ ସପ୍ତର୍ଷି, ମନୁ ଓ ମତ୍ସ୍ୟାବତାର
ବଞ୍ଚେଇବେ ବେଦକୁ
କେହି ବଞ୍ଚାଇବାକୁ ନଥିବେ ପ୍ରେମପତ୍ର ।

କିଏ ବଞ୍ଚେଇବ ରୋମ କିଏ ବା ମଦିନା
କିଏ ବଞ୍ଚାଇବ ରୂପା କିଏ ବା ସୁନା
ମୁଁ ନିପଟ ଏକଲା
କେମିତି ବଞ୍ଚେଇ ରଖିବି ତୁମର ପ୍ରେମପତ୍ର !!

ଅନୁବାଦ - କେଦାର ମିଶ୍ର