ଭାରତ ପାକିସ୍ତାନ ଯୁଦ୍ଧ ହେବ ???

ଭାରତ ପାକିସ୍ତାନ ଯୁଦ୍ଧ ହେବ ???

ଭାରତ ଏବଂ ପାକିସ୍ତାନ ମଧ୍ୟରେ କେତେବେଳେ ବି ଯୁଦ୍ଧ ହୋଇପାରେ – ଏମିତି କିଛି ମନ୍ତବ୍ୟ ଦେଇ ଆମେରିକା ସରକାରକୁ ସତର୍କ କରାଇଛି ସେଠିକାର ଗୁପ୍ତଚର ବିଭାଗ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଦୁଇଟି କାରଣ ବିଷୟରେ ଆମେରିକାର ଜାତୀୟ ଗୁପ୍ତଚର ବିଭାଗ ସୂଚନା ଦେଇଛି।

ପ୍ରଥମ ସାମରିକ ସ୍ତରରେ ପାକିସ୍ତାନର ସୀମା ଉଲ୍ଲଙ୍ଘନର ଜବାବ ଭାରତ ଦେଇପାରେ।

ଦ୍ବିତୀୟ ଜାମ୍ମୁ କାଶ୍ମୀରରେ ହିଂସାକାଣ୍ଡ ବଢିବା ଏବଂ ବିସ୍ଫୋରଣ ଭଳି ଘଟଣାର ପ୍ରତିକ୍ରିୟାରେ ଯୁଦ୍ଧ ହୋଇପାରେ।

ତେବେ ଆମେରିକାର ଗୁପ୍ତଚର ସଂସ୍ଥା ଯାହା କହିନାହିଁ, ତାହା ହିଁ ଯୁଦ୍ଧର ଆଉ ଏକ କାରଣ ବୋଲି ପ୍ରାୟ ସବୁ ଭାରତୀୟ ଜାଣନ୍ତି। ନିର୍ବାଚନ ରାଜନୀତିରେ ସଫଳତା ପାଇବା ଲାଗି ପାକିସ୍ତାନ ସହିତ ଲଢେ଼ଇକୁ ବିଜେପି ଏକ ମାଧ୍ୟମ ଭାବରେ ଗତ ୯ ବର୍ଷ ଧରି ବ୍ୟବହାର କରିଆସିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୁଲଓ୍ବାମା ବିସ୍ଫୋରଣ ଏବଂ ଏହାର ଜବାବରେ ସେନାବାହିନୀର ଏୟାର ଷ୍ଟ୍ରାଇକକୁ ନିର୍ବାଚନୀ ପ୍ରସଙ୍ଗ ଭାବରେ ବିଜେପି ବ୍ୟବହାର କରିଥିଲା ଓ ସଫଳ ମଧ୍ୟ ହୋଇଥିଲା। ସେହି ସମୟରେ ବିଜେପିର ପ୍ରଚାରକ ଭାବରେ କାମ କରୁଥିବା ସାମ୍ବାଦିକ ଅର୍ଣବ ଗୋସ୍ୱାମୀ ଙ୍କ ଏକ ଗୋପନ ବାର୍ତ୍ତାରୁ ଏକଥା ସ୍ପଷ୍ଟ ଯେ, ନିର୍ବାଚନରେ ସଫଳତା ଲାଗି ଏହି ଘଟଣାକ୍ରମର ଭରପୂର ଫାଇଦା ବିଜେପି ଉଠାଇଥିଲା।

ପାକିସ୍ତାନ ସହିତ ଯୁଦ୍ଧ ହେଲେ ଭାରତର ଲାଭ କିଛି ହେବ କି ? ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । କାରଣ ଯୁଦ୍ଧରେ କୌଣସି ଦେଶ କେବେ କିଛି ଲାଭ ପାଏନାହିଁ । ଉଭୟ ହାରିଥିବା ଏବଂ ଜିତିଥିବା ଦେଶ କ୍ଷତି ସହିବାକୁ ବାଧ୍ୟ । ବର୍ତ୍ତମାନ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଯାହା ସେଥିରେ ଯୁଦ୍ଧର ଅର୍ଥ ହେଉଛି ସେମାନଙ୍କ ପାଇଁ ଆତ୍ମହତ୍ୟା । ତେବେ ଅର୍ଥନୈତିକ ବିଫଳତାକୁ ଚାପି ଦେବା ପାଇଁ ଓ ରାଜନୈତିକ ଭାବରେ କ୍ଷମତାରେ ନିଜ ପତିଆରା ବଜାୟ ରଖିବାକୁ ପାକିସ୍ତାନର ସେନାବାହିନୀ ଓ ରାଜନେତା ହୁଏତ ଯୁଦ୍ଧକୁ ଏକ ସହଜ ବାଟ ବୋଲି ଭାବିପାରନ୍ତି !!

ସମାନ କଥା ଓ ପ୍ରସଙ୍ଗ ଭାରତୀୟ ରାଜନୀତିରେ ମଧ୍ୟ ରହିଛି । ଯୁଦ୍ଧ କିମ୍ବା ଯୁଦ୍ଧ ଭଳିଆ ସ୍ଥିତିରୁ ରାଜନୈତିକ ଫାଇଦା ଉଠାଇବାର ସ୍ପଷ୍ଟ ଉଦାହରଣ ଆମେ ଗତ କିଛି ବର୍ଷ ଭିତରେ ଦେଖିଆସୁଛୁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୬ ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଆସନ୍ତା ଏପ୍ରିଲ-ମଇ ମାସରେ କର୍ଣ୍ଣାଟକ ଏବଂ ନଭେମ୍ବର-ଡିସେମ୍ବରରେ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିଧାନସଭା ନିର୍ବାଚନ ହେବ । ତେଲେଙ୍ଗାନା, କର୍ଣ୍ଣାଟକ, ଛତିଶଗଡ, ରାଜସ୍ଥାନ ଓ  ମଧ୍ୟପ୍ରଦେଶର ଲୋକସଭା ଆସନ ସଂଖ୍ୟା ୧୧୦ । ଏକ ପଞ୍ଚମାଂଶ ଲୋକସଭା ଆସନର ସ୍ଥିତିର ଏକ ସଙ୍କେତ ଏହି ନିର୍ବାଚନରୁ ମିଳିଯିବ । ୨୦୧୮ ନିର୍ବାଚନରେ ଏହି ସବୁ ରାଜ୍ୟରେ ବିଜେପିର ପରାଜୟ ଦଳକୁ ବିପଦରେ ପକାଇଥିଲା ।ସେହି ପୃଷ୍ଠଭୂମିରେ ୨୦୧୯ ଫେବୃଆରୀରେ ଘଟିଥିବା ପୁଲୱାମା ବିଷ୍ଫୋରଣ ଏବଂ ପରବର୍ତ୍ତୀ ସମୟର ବାଲାକୋଟ ଏୟାର ଷ୍ଟ୍ରାଇକ ବିଜେପିକୁ ନିଜ ସ୍ଥିତି ସୁଧାରିବାରେ ସହାୟକ ହୋଇଥିଲା ।

ସେହି ସମାନ ସ୍ଥିତି ଆଗକୁ ଯେ ନ ଘଟିବ ତାହା କହିବା ସମ୍ଭବ ନୁହେଁ। ଆମେରିକା ଗୁପ୍ତଚର ସଂସ୍ଥାର ଏହି ସତର୍କତାମୂଳକ ରିପୋର୍ଟର ଏକ ରାଜନୈତିକ ଅର୍ଥ ମଧ୍ୟ ରହିଛି । ଯଦି ବିଧାନସଭା ନିର୍ବାଚନରେ ଏହି ସବୁ ରାଜ୍ୟରେ ବିଜେପିର ପ୍ରଦର୍ଶନ ଉତ୍ସାହଜନକ ତେବେ ପୁରୁଣା ଯୁଦ୍ଧ କିମ୍ବା ଯୁଦ୍ଧ ଭଳିଆ ପରିବେଶ ନିର୍ମାଣକୁ ବିଜେପି ଗୁରୁତ୍ଵ ଦେବ ।

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଗୁଡିକ ଜରିଆରେ ଏ ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଧିକ ବୋଲି ଆମେରିକାର ଗୁପ୍ତଚର ସଂସ୍ଥା କହିଛି ।