କଂଗ୍ରେସର କର୍ଣାଟକ ବିଜୟ: ମୋଦୀ ମ୍ୟାଜିକର ଅବକ୍ଷୟ

କଂଗ୍ରେସର କର୍ଣାଟକ ବିଜୟ: ମୋଦୀ ମ୍ୟାଜିକର ଅବକ୍ଷୟ

କର୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଜାତୀୟ ରାଜନୀତିରେ ଅନେକ କିଛି ନୂଆ ପରିବର୍ତ୍ତନର ସୂଚନା ଦେଉଛି। କର୍ଣ୍ଣାଟକରେ ବିଜେପି ପ୍ରଚାରର ଦାୟିତ୍ଵ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଂକ ହାତରେ ରହିଥିଲା। ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁୟୁରାପ୍ପା ପ୍ରମୁଖ କୋଣଠେସା ହୋଇ ରହିଥିଲେ। ମୋଦୀ-ଶାହାଙ୍କ ନେତୃତ୍ୱ ଭରସାରେ କର୍ଣାଟକ ବିଜେପି ନିର୍ବାଚନ ଲଢି ଲଜ୍ଜାଜନକ ପରାଜୟ ବରଣ କରିଛି। ତେଣୁ ଏହି ପରାଜୟର ଉତ୍ତର ଦାୟିତ୍ଵ ସ୍ବାଭାବିକ ଭାବରେ ମୋଦୀ-ଶାହାଙ୍କ ମୁଣ୍ଡରେ ପଡ଼ିବା କଥା । ହେଲେ ବିଜେପି ରାଜନୀତିରେ ସବୁବେଳେ ସଫଳତାର ଶ୍ରେୟ ମୋଦୀ ନେଉଥିବା ବେଳେ ବିଫଳତାର ବୋଝ ରାଜ୍ୟ ନେତାଙ୍କ ଉପରେ ଢାଳି ଦିଆଯାଉଛି। ଗଣମାଧ୍ୟମରେ ବିଜେପି ପ୍ରଚାରକ ଭାବରେ କାମ କରୁଥିବା କିଛି ସାମ୍ବାଦିକ ଏହି ପରାଜୟ କୁ ରାଜ୍ୟ ରେ ସୀମିତ ରଖି କେନ୍ଦ୍ରରେ ଆଜି ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି ବୋଲି ପ୍ରଚାର ଆରମ୍ଭ କରିବେ । ତେବେ କର୍ଣ୍ଣାଟକର ଫଳାଫଳରେ ଜାତୀୟ ରାଜନୀତି ପାଇଁ ଅନେକ ସଙ୍କେତ ଓ ସୂଚନା ଲୁଚି ରହିଛି

କର୍ଣ୍ଣାଟକ ନିର୍ବାଚନ ଓ ଏହାର ଫଳାଫଳକୁ ନେଇ ଜାତୀୟ ରାଜନୀତିରେ ଆସିଥିବା ନୂଆ ସମୀକରଣ ଓ ପ୍ରସଙ୍ଗ ସବୁ ହେଲା-

  • କର୍ଣ୍ଣାଟକ ନିର୍ବାଚନ ଜାତୀୟ ରାଜନୀତିର ଦୁଇ ବଡ ବ୍ରାଣ୍ଡ ମୋଦୀ ଏବଂ ରାହୁଲଙ୍କୁ ଏକ ପରୀକ୍ଷାଗାରରେ ରଖିଥିଲା ଯେଉଁଥିରେ ମୋଦୀ ବ୍ରାଣ୍ଡର ଲୋକପ୍ରିୟତା ଭୟଙ୍କର ଭାବରେ କ୍ଷୁଣ୍ଣ ହୋଇଥିବା ବେଳେ ରାହୁଲ ବ୍ରାଣ୍ଡର ଲୋକପ୍ରିୟତା ବଢିଛି
  • କେବଳ ମୋଦୀଙ୍କୁ ଦେଖାଇ ବିଜେପି ଆଉ ନିର୍ବାଚନ ଜିତିବା ସ୍ଥିତିରେ ନାହିଁ ମୋଦୀଙ୍କ ରାଜାକୀୟ ଠାଣି, ମାତ୍ରାଧିକ ପ୍ରଚାର ଓ ଏକା ପ୍ରକାର ଭାଷଣ ଶୈଳୀ ଏବେ ବିରକ୍ତିକର ହେବା ଆରମ୍ଭ କଲାଣି
  • ନିଜ ସଫଳତାର କଥା କହିବା ଅପେକ୍ଷା କଂଗ୍ରେସକୁ ଗାଳି ଦେବାର ଅଭ୍ୟାସ ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ ବୋଲି କର୍ଣ୍ଣାଟକର ଜନ ସାଧାରଣ ସ୍ପଷ୍ଟ ଭାବରେ ସଙ୍କେତ ଦେଇଛନ୍ତି
  • ଧର୍ମ ନାମରେ ରାଜନୀତି କରିବା ଓ ସେଥିରୁ ସଫଳତା ମିଳିବାର ଏକ ସୀମା ଅଛି । ବିଜେପି ସେ ସୀମା ବହୁ ଆଗରୁ ଅତିକ୍ରମ କରିସାରିଛି ବଜରଙ୍ଗ ବଲିଙ୍କ ନାମରେ ଭକ୍ତି କରୁଥିବା ଲୋକେ ତାଙ୍କ ନାମରେ ଭୋଟ ଦେବେ ବୋଲି ଭାବିବା ଏକ ପ୍ରକାର ରାଜନୈତିକ ନିର୍ବୋଧତା । ସେହି ନିର୍ବୋଧତା ବିଜେପି ବିପର୍ଯୟର ମୁଖ୍ୟ କାରଣ ପାଲଟିଛି
  • ପ୍ରଧ୍ଗାନମନ୍ତ୍ରୀ ଯଦି ନିରନ୍ତର ନିଜ ଦଳର ପ୍ରଚାରମନ୍ତ୍ରୀ ଭାବରେ କାମ କରିବେ, ତା ହେଲେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ନିଶ୍ଚୟ ।  
  • ବିଜେପିର ନେତା ଓ ମୁଖପାତ୍ରମାନଙ୍କର ଅହଙ୍କାରୀ ଚରିତ୍ର ଦଳକୁ କ୍ରମଶଃ ଦୁର୍ବଳ କରିବା ଆରମ୍ଭ କରିଛି
  • ପ୍ରଧାନମନ୍ତ୍ରୀ ଯଦି କେରଳକୁ ବଦନାମ କରୁଥିବା ଗୋଟେ ସିନେମାର ପ୍ରଚାରକ ସାଜନ୍ତି, ତାହେଲେ ପ୍ରଧାନମନ୍ତ୍ରୀ ଭାବରେ ସେ ନିଜର ଅପାରଗତାକୁ ଇ ପ୍ରଚାର କରୁଛନ୍ତି- ଏ କଥା କର୍ଣ୍ଣାଟକବାସୀ ସ୍ପଷ୍ଟ ଭାବରେ ବାର୍ତ୍ତା ଦେଇଛନ୍ତି
  • କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ବିଜୟର ଭୂମିକା “ଭାରତ ଯୋଡୋ ଯାତ୍ରା” ମାଧ୍ୟମରେ ସୃଶତ୍ୟ ହୋଇଥିଲା ବହୁତ ବର୍ଷ ପରେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ନିଜର ସାମୁହିକ ଶକ୍ତି ଓ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଛି
  • ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପ୍ରଚାର ଅଞ୍ଚଳରେ ବିଜେପି ହାରିଥିବା ବେଳେ ରାହୁଲ-ପ୍ରିୟାଙ୍କାଙ୍କା ପ୍ରଚାର କ୍ଷେତ୍ରରେ କଂଗ୍ରେସ ବିପୁଳ ସଫଳତା ପାଇଛି
  • ପ୍ରଧାନମନ୍ତ୍ରୀ ମୋଦୀ କ୍ରମଶଃ ଜଣେ ନକାରାତ୍ମକ ବା ନେଗେଟିଭ ରାଜନେତା ଭାବରେ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହେବା ଆରମ୍ଭ କରିଛନ୍ତି ।
  • କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ରାଜସ୍ତାନରେ ନିଜ ଘର ସଜାଡିବା ଅତ୍ୟନ୍ତ ଜରୁରୀ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ସହିତ କଂଗ୍ରେସର ସିଧାସଳଖ ମୁକାବିଲା ହେବ ସେଥିରେ ସଫଳତା ପାଇଲେ ୨୦୨୪ ପାଇଁ ମୋଦୀଙ୍କୁ କଂଗ୍ରେସ ଏକ ବଡ ଆହ୍ଵାନ ଦେଇ ପାରିବ      
  • ପୂରା ଦକ୍ଷିଣ ଭାରତରେ ହିନ୍ଦୁତ୍ଵ ରାଜନୀତି ପରାସ୍ତ ହୋଇଛି ଏବଂ କର୍ଣ୍ଣାଟକର ହିନ୍ଦୁତ୍ଵକରଣରେ ବିଜେପି ସଫଳ ହୋଇନାହିଁ ।
  • କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ସ୍ଥାନୀୟ ନେତୃତ୍ଵ ଏକାଠି ଲଢି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହା ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ଭାବରେ କାମ କରିବ ।

ମୋଟାମୋଟି କର୍ଣ୍ଣାଟକ ସ୍ପଷ୍ଟ ଭାବରେ ଗୋଟେ ବାର୍ତ୍ତା ଦେଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ବିଜେପି ନିଜକୁ ଅଜେୟ ବୋଲି ଯେଉଁ ଧାରଣା ସୃଷ୍ଟି କରିଛନ୍ତି, ତାହା ସତ୍ୟ ନୁହେଁ ବିଜେପିକୁ ହରାଇ ପାରିବାର କ୍ଷମତା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି । ଏହି କ୍ଷମତାର ସଦୁପଯୋଗ ହେଲେ ମୋଦୀଙ୍କ ଭବିଷ୍ୟତ ଯୋଜନା ଅନେକାଂଶରେ ବିଗିଡିଯିବ