ସ୍ଵାଧୀନତା ଆନ୍ଦୋଳନର ଅଗ୍ରଦୂତ ଗୋପବନ୍ଧୁ ଚୌଧୁରୀ

ସ୍ଵାଧୀନତା ଆନ୍ଦୋଳନର ଅଗ୍ରଦୂତ ଗୋପବନ୍ଧୁ ଚୌଧୁରୀ

ଅବିସ୍ମରଣୀୟ ଗାନ୍ଧୀବାଦୀ ନେତା ଓ ସମାଜସେବକ ଗୋପବନ୍ଧୁ ଚୌଧୁରୀଙ୍କ ତ୍ୟାଗ ଓ ଉଦ୍ୟମର ଚର୍ଚ୍ଚା ଆବଶ୍ୟକ । ସେ ଜୀବନର ଦୀର୍ଘ ୩୭ ବର୍ଷ ଓଡିଶାର ଗ୍ରାମାଞ୍ଚଳରେ ଗାନ୍ଧୀବାଦୀ କର୍ମଧାରାର ପ୍ରବଳ ପ୍ରସାର କରାଇଥିଲେ । ତାଙ୍କ ପିତା ଗୋକୁଳାନନ୍ଦ ଚୌଧୁରୀ ଜଗତ୍‌ସିଂହପୁର ଖେରସର ଜମିଦାର ଥିଲେ ମଧ୍ୟ କଟକରେ ଓକିଲାତି କରୁଥିଲେ । ସେ ମଧୁସୂଦନ ଦାସଙ୍କ ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀରେ ବହୁ କାର୍ଯ୍ୟ କରିଥିଲେ । ଗୋପବନ୍ଧୁ ୧୮୯୫ ମସିହା ମେ ୮ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୮ ମସିହା ଏପ୍ରିଲ ୨୯ରେ ମୃତ୍ୟୁ ବରଣ କରିଥିଲେ । କଲିକତାର ପ୍ରେସିଡେନ୍‌ସୀ କଲେଜରୁ ୧୯୧୪ ମସିହାରେ ଗଣିତରେ ଏମ.ଏ ପାସ୍ କରିଥିଲେ । ସେ ମଧ୍ୟ  କଲିକତା ବିଶ୍ୱବିଦ୍ୟାଳୟରେ ଗୋଟିଏ ବର୍ଷ ଆଇନ୍ ପଢିଥିଲେ । ତେବେ ୧୯୧୭ରେ ସେ ବିହାର ଓଡିଶା ସରକାର ଅଧୀନରେ ଡେପୁଟି ମାଜେିଷ୍ଟ୍ରଟ ହିସାବରେ ଚାକିରି  ଜାଜପୁରରେ ଆରମ୍ଭ କରିଥିଲେ । ସେ ସମୟରେ ସେ ମଧ୍ୟ କଟକର ଭାରତୀ ମନ୍ଦିର ଲାଇବ୍ରେରୀର ଗଠନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଚାକିରୀ ଜୀବନ ଅସ୍ଥାୟୀ ଥିଲା । ଯାଜପୁରର ସବ୍‌-ଡିଭିଜନାଲ ଅଫିସର ୧୯୨୦ରେ ତାଙ୍କୁ ଜାଜପୁର ବନ୍ୟା ଦୁର୍ଭିକ୍ଷ ସମ୍ପର୍କରେ ସରକାରଙ୍କୁ ପସନ୍ଦ ହେଲା ପରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବାରୁ ସେ ତାଙ୍କ ବିବରଣୀରେ ସତ୍ୟ ଘଟଣା ପ୍ରକାଶ କରିବାକୁ ଚାହିଁଲେ । ଏହୌି  ଘଟଣାଯୋଗୁଁ ତାଙ୍କୁ ବରଗଡକୁ ବଦଳି କରାଯାଇଥିଲା । ମାତ୍ର ଗୋପବନ୍ଧୁ ଚାକିରୀରୁ ଏହା ପରେ ଇସ୍ତଫା ଦେଇଥିଲେ । ୧୯୨୧ରୁ ୧୯୫୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଚୌଧୁରୀ ଦେଶସେବାରେ ମନ ଦେଇଥିଲେ । ସେ ଗୋପବନ୍ଧୁ ଦାସଙ୍କ ପ୍ରେରଣା ପାଇ ଗାନ୍ଧୀବାଦକୁ ଗ୍ରହଣ କରିଥିଲେ ଏବଂ ଓଡିଶାର ଗ୍ରମାଞ୍ଚଳରେ ଗାନ୍ଧୀ ଚିନ୍ତନ ଓ କର୍ମଧାରାର ପ୍ରବଳ ପ୍ରସାର କରାଇଥିଲେ । 


ତାଙ୍କ ଗାନ୍ଧୀବାଦୀ କର୍ମଧାରାର ପ୍ରଥମ ମାଇଲ୍‌ଖୁଣ୍ଟ ଥିଲା ଅଳକାଶ୍ରମ । ୧୯୨୨ ଜାନୁଆରୀ ମାସରେ ଜଗତସିଂହପୁର ଅନ୍ତର୍ଗତ ଅଳକା ନଦୀ କୁଳରେ ଗୋପବନ୍ଧୁ ଚୌଧୁରୀ ଏବଂ କେତେକ ସ୍ୱଦେଶହିତୈଷୀଙ୍କ ଉଦ୍ୟମରେ ଏହି ଆଶ୍ରମ ଓ ଏହା ସଂଲଗ୍ନ ଜାତୀୟ ବିଦ୍ୟାଳୟ ଗାନ୍ଧୀବାଦୀ କାର୍ଯ୍ୟକ୍ରମର ଏକ କେନ୍ଦ୍ରସ୍ଥଳ ହୋଇପାରିଥିଲା । ଶିକ୍ଷା କିପରି ଆତ୍ମନିର୍ଭରଶୀଳତା ଆଣିପାରିବ ସେ ନିମନ୍ତେ ଗୋପବନ୍ଧୁ ଚୌଧୁରୀ ଏମଂ ତାଙ୍କର ସହଯୋଗୀମାନେ ଉଦ୍ୟମ କରିଥିଲେ । ଏହା ସହିତ ଗୋପବନ୍ଧୁଙ୍କର କଂଗ୍ରେସ କାର୍ଯ୍ୟକ୍ରମ ମଧ୍ୟ ବ୍ୟାପକ ହୋଇଥିଲା । ୧୯୨୪ ମସିହାରେ ଗୋପବନ୍ଧୁ ଓଡିଶାର ରାଜନୀତିରେ ଏକ ଉଚ୍ଚ ଆସନ ଲାଭ କରିଥିଲେ । ୧୯୨୪ ମସିହା ଜୁନ୍ ୨୮ରେ କଟକରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏହାର ଅଭ୍ୟର୍ଥନା ସମିତିର ସଭାପତି ଥିଲେ ଗୋପବନ୍ଧୁ ଚୌଧୁରୀ । ତାଙ୍କ ସଭାପତି ଭାଷଣ   ତାଙ୍କ ଅସାଧାରଣ ଚିନ୍ତନକୁ ଆଲୋକକୁ ଆଣିଥିଲା । ଏହି ଭାଷଣରେ ସେ ମଧୁସୂଦନ ଦାସଙ୍କ ଜାତୀୟବାଦୀ  ତଥା ଦେଶମିଶ୍ରଣ କର୍ମଧାରାର ଆଲୋଚନା କରି କହିଥିଲେ-ଓଡିଆ ଗୋଟିଏ ଜାତି । ଏ ଜାତୀୟ ଭାବ ଉତ୍କଳର ପ୍ରାଣରେ ମଧୁବାବୁ ପୂର୍ଣ୍ଣମାତ୍ରାରେ ଜାଗରିତ କରାଇଥିଲେ । ତେବେ ସେ ମଧ୍ୟ କହିଥିଲେ-ଉତ୍କଳ ଭାରତର ଗୋଟିଏ ଅଂଶ । ଭାରତର ସ୍ୱରାଜ୍ୟ ଯୁଦ୍ଧରେ ତାର କର୍ତ୍ତବ୍ୟ ଅଛି । ଏକଥା କେବଳ ମହାତ୍ମାଙ୍କ ବାଣୀ ଓଡିଆଙ୍କ ପ୍ରାଣରେ ଆଣି ଦେଇଛି । ସେହି ସ୍ରୋତରେ ଉତ୍କଳ ଅଳ୍ପ ବହୁତ ନିଜକୁ ଭସାଇ ଦେଇଛି । ଅସହଯୋଗ ପ୍ରଭାବରେ ଉତ୍କଳର ପ୍ରାଣରେ ନୂତନ ଶକ୍ତି ସଂଚାର ହୋଇଅଛି । ଉତ୍କଳ ସ୍ୱରାଜ ଯୁଦ୍ଧରେ ଯୋଗ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । 


ତାଙ୍କ ପ୍ରସାରିତ ବକ୍ତବ୍ୟରେ ଓଡିଶାର ନାନା ସମସ୍ୟା ଉପରେ ଆଲୋକାପତ କରିଥିଲେ ।ବର୍ଷକୁ ବର୍ଷ ବଢି, ମରୁଡି, ଦୁର୍ଭିକ୍ଷ ଏବଂ ମେଲେରିଆ ଆସି କ୍ରମେ କ୍ରମେ ଗ୍ରାମମାନଙ୍କୁ ଛାରଖାର କରୁଥିବାର ସୂଚନା ଦେଇ ସେ କଂଗ୍ରେସର ରଚନାତ୍ମକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ । ଓଡିଶାରେ ଖଦୀ ପ୍ରସାର, କପା ଚାଷ ଉପରେ ସେ ଗୁରୁତ୍ୱ ଦେଇଥିଲେ ଏବଂ ଏ ଦିଗରେ ଓଡିଆମାନେ ସଦା ଜାଗ୍ରତ ବୋଲି ସେ ସୂଚାଇଥିଲେ । ଜଗନ୍ନାଥଙ୍କ ଦେଉଳ ତଳେ ଘର କରି ଓଡିଶାବାସୀ ତାଙ୍କ ସମାଜରୁ ଅସ୍ପୃଶ୍ୟତା ଦୂର କରିନାହାନ୍ତି ବୋଲି ସେ ମତ ଦେଇଥିଲେ । ତାଙ୍କ ମତରେ ଯେଉଁ ଶ୍ରୀକ୍ଷେତ୍ରରେ ବ୍ରାହ୍ମଣ ଚଣ୍ଡାଳ ଏକ ପାତ୍ରରେ ବସି ଭୋଜନ କରନ୍ତି , ଯେଉଁ କ୍ଷେତ୍ରରେ ଦିନେ ଚୈତନ୍ୟ ଦେବ ପ୍ରେମ ଧର୍ମ ପ୍ରଚାର କରି ଏହି ଅସ୍ପୃଶ୍ୟତା ଉଠାଇ ଦେଇଥିଲେ ସେହି କ୍ଷେତ୍ରରେ ଉତ୍କଳବାସୀ ଅସ୍ପୃଶ୍ୟତା ରଖିଛନ୍ତି । ସେ ସୂଚାଇ ଦେଇଥିଲେ-ଆଜି ପୁଣି ସେ ମହାତ୍ମାଙ୍କ ଗଂଭୀର ନିର୍ଘୋଷରେ ହିନ୍ଦୁଜାତିର ପ୍ରାଣରେ ଚହଳ ପଡିଛି , ଏତେବେଳେ ଉତ୍କଳ ଏ ବିଷୟରେ ନିଶ୍ଚେଷ୍ଟ ରହିଲେ ଚଳିବ କି? ତାଙ୍କ ଭାଷଣ ଗାନ୍ଧୀଚିନ୍ତନର ନବ ଦିଗନ୍ତ ଉନ୍ମୋଚିତ କରିଥିଲା । ୧୯୨୪ ମସିହାରୁ ସେ  ଚରଖା ଏବଂ ଖଦୀ ପ୍ରଚାର କରି ଗାନ୍ଧୀବାଦୀ କାର୍ଯ୍ୟକ୍ରମକୁ ଓଡିଶାର ଗ୍ରାମାଞ୍ଚଳରେ ପ୍ରସାରିତ କରିଥିଲେ । ୧୯୨୫ରେ ସେ ନିଖିଳ ଭାରତ ଚରଖା ସଂଘର ଓଡିଶା ଶାଖାର ସମ୍ପାଦକ ଥିଲେ । ଗୋପବନ୍ଧୁ ଦାସଙ୍କ ମୃତ୍ୟୁପରେ ଓଡିଶାରେ ଗାନ୍ଧୀ ସେବାସଂଘର ଦାୟିତ୍ୱ ନେଇ ଅରଟ ଏବଂ କପାଚାଷ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ।

୧୯୨୯ ମାର୍ଚ୍ଚ ୨୯/୩୦ରେ ବାଲେଶ୍ୱରଠାରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ଅଧିବେଶନରେ ସଭାପତି ହିସାବରେ ଗୋପବନ୍ଧୁ ଚୌଧୁରୀଙ୍କର ଅଭିଭାଷଣ ନାନା ପ୍ରସଂଗ ଉପରେ ଆଧାରିତ ଥିଲା । ସେ କହିଥିଲେ-ଉତ୍କଳରେ କଂଗ୍ରେସ ଆନ୍ଦୋଳନର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସ । ସେହି କଂଗ୍ରେସ ଭକ୍ତଙ୍କ ଉଦ୍ୟମରେ ଚକ୍ରଧରପୁରଠାରେ ଉତ୍କଳ ସମ୍ମିଳନୀ କଂଗ୍ରେସ ଉଦ୍ଦେଶ୍ୟ ଗ୍ରହଣ କରିବା ପରବର୍ତ୍ତୀ କାଳରେ ନୂତନ ପ୍ରାଦେଶିକ ସମ୍ମିଳନୀର ସୃଷ୍ଟି । ଅସହଯୋଗ ପର୍ଯ୍ୟାୟ ଉପରେ ମନ୍ତବ୍ୟ ଦେଇ ବ୍ରଟିଶ୍‍ ସାମ୍ରାଜ୍ୟବାଦୀ ଭାବନାକୁ କୁଠାରଘାତ କରି ସ୍ୱରାଜ ଲାଭ ଉଦ୍ଦେଶ୍ୟରେ ସେ ଜନତାଙ୍କୁ ନୂତନ ଚେତନାରେ ମନ୍ତ୍ରିତ କରିଥିଲେ । ବିଦେଶୀ ବସ୍ତ୍ର ବହିଷ୍କାର ଜାତୀୟ କଂଗ୍ରେସ କିପରି ସ୍ଥିର କରିଛି ତାହା ଦର୍ଶାଇବାବେଳେ ଅରଟ ସାହାଯ୍ୟରେ ଭାରତର ନଷ୍ଟ କୁଟୀରଶିଳ୍ପର ପୁନରୁଦ୍ଧାର ପ୍ରସଂଗର ଚର୍ଚ୍ଚା କରିଥିଲେ । ସେ ଏହି ପ୍ରସଂଗରେ କପାଚାଷ ଉପରେ ଗୁରୁତ୍ୱ ଦେଇଥିଲେ । କଂଗ୍ରେସ ଅନୁଷ୍ଠାନର ଦୃଢୀକରଣ ପ୍ରସଂଗରେ ସେ କହିଥିଲେ ନିମ୍ନତର ସ୍ତରରୁ କଂଗ୍ରେସକୁ ଗଢିନପାରିଲେ କଂଗ୍ରେସ ଚିରସ୍ଥାୟୀ ହେବନାହିଁ । ସେ ମତ ଦେଇଥିଲେ-ଭାରତର ଆକାଂକ୍ଷିତ ସ୍ୱରାଜରେ ଦୀନଦରିଦ୍ରମାନେ ମୁଠାଏ ଯେ ଖାଇବାକୁ ପାଇବେ ଖଣ୍ଡେ ପିନ୍ଧିବାକୁ ପାଇବେ ଏହି ସତ୍ୟ ପ୍ରତ୍ୟେକ ଦେଶବାସୀଙ୍କ ମନରେ ସଦା ଜାଗ୍ରତ ରଖିବାକୁ ହେବ । ନାରୀ ଜାଗରଣ ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ନାରୀର ଶିକ୍ଷା ବ୍ୟତୀତ ଉନ୍ନତ ଜାତି ଗଢିବା ଦୁରାଶା ମାତ୍ର । ମା କୋଳରେ ଶିକ୍ଷା, ମାନବଜୀବନରେ ପ୍ରଧାନ ଶିକ୍ଷା । ଶ୍ରମଜୀବୀ ଓ କୃଷକ ସଂଗଠନକୁ ସେ ଗୁରୁତ୍ୱ ଦେଇଥିଲେ । ଓଡିଶାର ଗଡଜାତମାନଙ୍କରେ ଆଦିବାସୀମାନଙ୍କର ଅବସ୍ଥାର ଉନ୍ନତି ଆବଶ୍ୟକ ବୋଲି ସେ ମଧ୍ୟ ମତ ଦେଇଥିଲେ । ସେ ପାଶ୍ଚାତ୍ୟ ଶିକ୍ଷାପ୍ରଣାଳୀକୁ ତୀବ୍ର ସମାଲୋଚନା କରିଥିଲେ । ସେ ମତ ଦେଇଥିଲେ, ଦେଶର ପ୍ରାଣ ଗ୍ରାମରେ, ଯେ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଗ୍ରାମବାସୀଙ୍କ ମଧ୍ୟରେ ଜାଗରଣ ନଆସିଛି, ସେମାନେ ସମସ୍ୟା ହୃଦୟଙ୍ଗମ ନକରିଛନ୍ତି ଏବଂ ଜାତିଟା କିପରି ଧ୍ୱଂସ ପଥରେ ଅଗ୍ରସର ହେଉଅଛି ନବୁଝିଛନ୍ତି ସେ ପର୍ଯ୍ୟନ୍ତ ପ୍ରତିକାର ଅସମ୍ଭବ ।

 
୧୯୩୦ ମସିହାରେ ଗୋପବନ୍ଧୁ ଚୌଧୁରୀ ମହାତ୍ମାଙ୍କ ଲବଣ ସତ୍ୟାଗ୍ରହ ଏବଂ ଆଇନ ଅମାନ୍ୟ ଆନ୍ଦୋଳନରେ ମୁଖ୍ୟ ପୁରୋଧା ରୂପେ କାର୍ଯ୍ୟ କରିଥିଲେ । ପରିଣତିରେ ସେ ଏପ୍ରିଲ ୬ ୧୯୩୦ରେ କାରାବରଣ କରିଥିଲେ ।୧୯୩୧ ମସିହାରେ ତାଙ୍କର ଇଞ୍ଚୁଡି ଲବଣ ସତ୍ୟାଗ୍ରହ ଉପରେ ଶ୍ରୀ ବିଜୟୀ ସତ୍ୟାଗ୍ରହ ବିଜୟ କବିତା  ସ୍ୱରାଜ ସାହିତ୍ୟ ମନ୍ଦିରରୁ ପ୍ରକାଶ କରିଥିଲେ । ସେଥିରେ ଲେଖାଯାଇଥଲା-

“ଜାତୀୟ ସଭାରେ ସ୍ୱାଧୀନତା ପାଇଁ ପଡିଲା ସମର ଡାକଯେ

ହିମାଳୟଠାରୁ କୁମାରିକାଯାଏ କମ୍ପିଲା ଭାରତ ଯାକଯେ

ଗାନ୍ଧୀ ସେନାପତି ହେଲେ

ସତ୍ୟାଗ୍ରହ ମନ୍ତ୍ର ଦିକ୍ଷା ଦେଲେ ଯେ । 

ଆମ ରାଇଜରେ ପଡିଗଲା ହୁରି

ଚଉଧୁରୀ ଗୋପବନ୍ଧୁ

ସେନାପତି ହୋଇ ଡାକ ଦେଲେ ଭାଇ

ଫିଟାଅ ବିଦେଶୀ ଫାନ୍ଦୁ

ଆମ ଏ ସୁନାରାଇଜ

ଝଟତିରେ ବୀରେ ହୁଅ ସଜ। "

ଜେଲରୁ ମୁକ୍ତ ହେବା ପରେ ସେ ପୁଣି ହରିଜନ କାର୍ଯ୍ୟରେ ସମୟ ବିତାଇଥିଲେ । ୧୯୩୩ରେ ଅଖିଳ ଭାରତ ହରିଜନ ସେବକ ସଂଘର ସେ ମଧ୍ୟ ଜଣେ ସଦସ୍ୟ ହୋଇ ଓଡିଶାରେ ହରିଜନ କାର୍ଯ୍ୟକ୍ରମକୁ ବ୍ୟାପକ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ଓଡିଶାରେ ୬ମେ ୧୯୩୪ରୁ ଜୁନ୍ ୨ ୧୯୩୪ମଧ୍ୟରେ ଯେଉଁ ହରିଜନ ଯାତ୍ର ବା ପତିତପାବନ ଯାତ୍ରା ହୋଇଥିଲା ସେଥିରେ ଗୋପବନ୍ଧୁ ଚୌଧୁରୀ ହରେକୃଷ୍ଣ ମହତାବଙ୍କ ସହିତ   ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । 


୧୯୩୪ ମସିହା ଅଗଷ୍ଟ ମାସରେ ଗୋପବନ୍ଧୁ ଚୌଧୁରୀ ଯାଜପୁର ଅନ୍ତର୍ଗତ ବରୀଠାରେ ବାଗଦା ଗ୍ରାମରେ ସେବାଘର ପ୍ରତିଷ୍ଠା କରି ମହାତ୍ମା ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମକୁ ପ୍ରସାରିିତ କରାଇଥିଲେ । ମହାତ୍ମାଙ୍କର ଓ୍ୟାର୍ଦ୍ଧା ଆଶ୍ରମର ନିୟମରେ ସେ ପ୍ରଭାବିତ ହୋଇ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେବାଘରର କର୍ମୀମାନେ ରାତି ୪ଟା ବେଳକୁ ଉଠୁଥିଲେ । ପ୍ରାର୍ଥନା ଓ ଗୀତା ଅଧ୍ୟୟନ ପରେ ପ୍ରାତଃଭୋଜନ । ସକାଳବେଳା କର୍ମୀମାନେ ନାନା କାମରେ ଲାଗୁଥିଲେ । ରୋଗୀମାନଙ୍କୁ ଔଷଧ ବଣ୍ଟନ, କର୍ମୀମାନଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା । ସୂତାକଟା କାମ ଉପରେ ଗୁରୁତ୍ୱ ଦିଆଯାଉଥିଲା । ଦୈନିକ ୧୦୦୦ ଗଜ ସୂତା କାଟିବାର ନିୟମ ଥିଲା । କର୍ମୀମାନେ ଖରାବେଳେ ହରିଜନ ବସ୍ତି ଓ ଅନ୍ୟାନ୍ୟ ସାହିରେ ସୂତାକଟା ଶିକ୍ଷା ଦେଉଥିଲେ । ରାତିରେ ପୁରୁଷ କର୍ମୀମାନେ ହରିଜନ ପଡାରେ ଶିକ୍ଷାଦାନ କରୁଥିଲେ । ୧୯୩୯ରେ ବରୀ ସେବାଘରଠାରୁ ଗୋପବନ୍ଧୁ ଚୌଧୁରୀଙ୍କ ସମ୍ପାଦନାରେ ସତ୍ୟାଗ୍ରହୀ ନାମକ ପତ୍ରିକା ପ୍ରକାଶ ପାଇଥିôଲା ।

ଏଥିରେ ମୁଖ୍ୟତଃ ଗୋପବନ୍ଧୁ ଚୌଧୁରୀ ହରିଜନ ପତ୍ରିକାର ରଚନାମାନ ଅନୁବାଦ କରି ପ୍ରକାଶ କରାଇଥିଲେ । ଦେଶକଥା ଖବରକାଗଜରେ ବରୀ ସେବାଘର ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦିଆଯାଇଥିଲେ ମଧ୍ୟ ଏହା ଦୀର୍ଘ ବର୍ଷ ଧରି ଗାନ୍ଧୀବାଦୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ପ୍ରସାରିତ କରାଇଥିଲା ଗୋପବନ୍ଧୁ ଏବଂ ତାଙ୍କ ପତ୍ନୀ ରମାଦେବୀଙ୍କ ଉଦ୍ୟମରେ । ନିନ୍ଦା ପ୍ରଶଂସାକୁ ଉପେକ୍ଷା କରି ଗୋପବନ୍ଧୁ ନିରବ କର୍ମୀ ହିସାବରେ କାର୍ଯ୍ୟ କରିଥିଲେ । 


୧୯୩୮ରେ ଗାନ୍ଧୀ ସେବାସଂଘର ଚତୁର୍ଥ ବାର୍ଷିକ ଅଧିବେଶନ , ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନର ପୁରୀ ଜିଲାର ଡେଲାଙ୍ଗଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପବନ୍ଧୁ ଚୌଧୁରୀ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ଗ୍ରାମ ସେବା ସଂଘ ନାମକ ଏକ ପତ୍ରିକା ସେ ସମ୍ପାଦନା କରିଥିଲେ । ସେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ । ୧୯୪୨ ମସିହାରେ ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ଗୋପବନ୍ଧୁ କାରା ବରଣ କରିଥିଲେ । ୧୯୪୫ ଜୁନ୍‌ରେ ଜେଲରୁ ମୁକ୍ତ ହୋଇ ସେ ଉତ୍କଳ ନବଜୀବନ ମଣ୍ଡଳ ଗଠନ କରିଥିଲେ । ବରୀ ମଧ୍ୟ ସେତେବେଳେ ତାଙ୍କ କର୍ମକେନ୍ଦ୍ର ଥିଲା । ଗୋପବନ୍ଧୁ ଚୌଧୁରୀଙ୍କର ଅନ୍ୟ ଦୁଇଟି ଗାନ୍ଧୀବାଦୀ କର୍ମପନ୍ଥା ଥିଲା ସର୍ବୋଦୟ ଏବଂ ଭୁଦାନ ଆନ୍ଦୋଳନ । 


ଗାନ୍ଧୀ ଚିନ୍ତନ ଓ କର୍ମଧାରା ଉପରେ ଅଧିକ ଗୁରୁତ୍ୱ୍ ଦେଇ ୧୯୪୬ରେ ସେ ଗ୍ରାମସେବକ ପତ୍ରିକା ଆରମ୍ଭ କରି ରଚନାତ୍ମକ କର୍ମ ସମ୍ପର୍କରେ ନାନା ଚର୍ଚ୍ଚା କରିଥିଲେ । ତାଙ୍କର ରଚନା ମଧ୍ୟରେ ଗାନ୍ଧୀ ଓ ଓଡିଶା, ଚାଷୀ ମୁଲିଆ ଗାନ୍ଧୀ, ସୂତାକଟା ଶିକ୍ଷା, କଟାଳୀ ପୋଥି, ଅନୁବାଦ ପୁସ୍ତକ ଆତ୍ମ କଥା ବା ସତ୍ୟର ପ୍ରୟୋଗ, ଗୀତାବୋଧ, ସପ୍ତ ମହାବ୍ରତ, ମଙ୍ଗଳ ପ୍ରଭାତ, ଗାଁ କଥା, ଦିଲ୍ଲୀ ଡାଏରୀ ପ୍ରଧାନ । ଚାଷୀ ମୂଲିଆ ଗାନ୍ଧୀ ଗୋପବନ୍ଧୁ ଚୌଧୁରୀଙ୍କର ଏକ ବିଶିଷ୍ଟ ରଚନା । ଏହାର ପ୍ରଥମ ଭାଗ ୧୯୪୫ରେ ବରୀରୁ ପ୍ରକାଶ ପାଇଥିଲା । ୧୯୪୨ ଅଗଷ୍ଟରେ ସେ ବ୍ରହ୍ମପୁର ଜେଲରେ ଥବା ବେଳେ ଏହି ପୁସ୍ତକର ବିଷୟ ନିର୍ବାଚିତ ହୋଇଥିଲା । ସେ ଲକ୍ଷ୍ୟକରିଥିଲେ ସାଧାରଣ ଗାଁ କର୍ମାମାନଙ୍କ ଭିତରେ ଏକ ଦୈନଭାବ । ତାଙ୍କ ମତରେ ପଚିଶ ବର୍ଷର ଗାନ୍ଧୀ ଆନ୍ଦୋଳନ ତଳକୁ ଯେତେ ନିରୋଳା ହୋଇ ଭେଦିବାର କଥା ତାହା ଭେଦି ନଥିଲା । ସେ ମଧ୍ୟ ଲକ୍ଷ୍ୟ କରିଥିଲେ ଦେଶରେ ଗାନ୍ଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଯେ ନୈରାଶ୍ୟ ଥିଲା ତାହା ପୁରାପୁରି ଯାଇନଥିଲା । ବିଦ୍ୟାବଳ, ଧନବଳ, ଶସ୍ତ୍ରବଳ ନହେଲେ ସ୍ୱରାଜ୍ୟ ହେବା ଅସମ୍ଭବ ଏ ଭାବ ରହିଥିଲା । କିନ୍ତୁ ଗାନ୍ଧୀ ଆନ୍ଦୋଳନଏହି ଭୁଲ୍ ଧାରଣା, ଏହି ନିରାଶାକୁ ଦୂର କରିବାକୁ ସୃଷ୍ଟି ହୋଇଥିଲା । ସେ ଗାନ୍ଧୀଙ୍କର ପୁରୁଣା ପୁସ୍ତକ ପଢି ଅହିଂସା ଯୁଦ୍ଧରେ ଆତ୍ମବଳହିଁ ସାର ବୋଲି  ବୁଝିଥିଲେ ।

ଚାଷୀ ମୂଲିଆ ଗାନ୍ଧୀ ରଚନା ମୂଳରେ ସାଧାରଣ ଗାଁ କର୍ମାଙ୍କ ମନର ଦାରିଦ୍ର‌୍ୟ ଘୁଞ୍ଚାଇବାର ପ୍ରୟାସ ବିଦ୍ୟମାନ । ଏହା ତିନି ଭାଗରେ ବିଭକ୍ତ ହୋଇଥିôଲା । ୧୯୫୦ ଦଶକରେ ଗୋପବନ୍ଧୁ ଚୌଧୁରୀ ସର୍ବୋଦୟ ଆନ୍ଦୋଳନର ପ୍ରଚାରରେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ପୂର୍ବରୁ ସର୍ବୋଦୟର ପ୍ରଚାର ପାଇଁ ସେ  ୧୯୫୭ ଶୀର୍ଷକ ଏକ କବିତା ପୁସ୍ତିକା ପ୍ରକାଶ କରିଥିଲେ । ସେଥିରେ ସର୍ବୋଦୟ ତତ୍ତ୍ୱର ଏକ ମନୋଜ୍ଞ ବିବରଣ ସ୍ଥାନିତ । ସେ ଲେଖିଥିଲେ-

“ଗାନ୍ଧୀ ଯାଆନ୍ତେ ଦେହଛାଡି।  ଆତ୍ମାଯେ ଥିଲା ବନ୍ଧାପଡି । 

ପଶିଲା ସର୍ବ ଦେହେ ଯାଇ ।  ସରବେ ଦେଲାକ ଚେତାଇ । 

ମିଳି ଅନୁଚର ସକଳେ । ବିଚାର କଲେ ଏକ ସ୍ଥଳେ ।

ପୂରଣ ଗାନ୍ଧୀଙ୍କ କରମ । କରିବେ ସର୍ବେ କେଉଁ କାମ । 

ଦୁଇଟି ଗାନ୍ଧୀ କରୁଥିଲେ । ଗୋଟିକୁ ଅଧା ରଖିଗଲେ । । 

ସଂଚାରି ଅହିଂସା ଶକତି । ସାଧିଲେ ଦେଶର ମୁକତି ।

ସ୍ୱରାଜ୍ୟ ଦରିଦ୍ର ଦୁଆରେ । ଆଣିଯେ ଦେବେ ସେ ଅଚିରେ ।

ଶେଷ କାମଟି ଅଧାଥିଲା । ଦଇବ ତାଙ୍କୁ ଘେନିଗଲା ।

ବହୁ ପୂର୍ବରୁ କହୁଥିଲେ । ସରବୋଦୟ ନଥାପିଲେ ।

ସ୍ୱରାଜ୍ୟ ପୂର୍ଣ୍ଣ ହେବନାହିଁ । ଗରୀବ ଦୁଃଖ ଥିବ ରହି ।

ତେଣୁ ମିଳି ସେ ଅନୁଚରେ । କଲେ ସଂକଳ୍ପ ଏକ ସ୍ୱରେ ।

ସର୍ବୋଦୟର ଆଦରଶେ । ଗଢିବେ  ସମାଜ ଏ ଦେଶେ ।”  


ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ କର୍ମମୟ ଜୀବନର ଚର୍ଚ୍ଚା କଲାବେଳେ ତାଙ୍କ ଗାନ୍ଧୀବାଦୀ କର୍ମଧାରା ଓ ଚିନ୍ତନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ତାଙ୍କୁ ନୀରବ କର୍ମୀ ବୋଲି ଦେବାନ୍ ବାହାଦୂର୍ ଶ୍ରୀକୃଷ୍ଣ ମହାପାତ୍ର ସହକାର ମାସିକ ପତ୍ରିକାରେ ଯେଉଁ ବର୍ଣ୍ଣନା କରିଛିନ୍ତି ତାହା ସତ୍ୟ । ସେ ଲେଖିଥିଲେ-ନୀରବ କର୍ମୀ ପ୍ରଶଂସା ଓ ସମ୍ମାନ ପ୍ରୟାସୀ ନହୋଇ ସୁଦ୍ଧା ବିପୁଳ ପ୍ରଶଂସା ଓ ସମ୍ମାନ ଲାଭ କରିପାରନ୍ତି, ନୀରବ କର୍ମୀଙ୍କ ସ୍ଥାନ ଉଚ୍ଚ ସ୍ତରରେ, ନୀରବ କର୍ମୀ ଜଗତର ଆଦର୍ଶ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଜଣେ ନୀରବ କର୍ମୀ ।