ଗୁଣ୍ଡାଙ୍କ ସପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ !!

ଗୁଣ୍ଡାଙ୍କ ସପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ !!

ଗତକାଲି ରାଜ୍ୟ ବିଜେପି ତରଫରୁ ଏକ ଟୁଇଟ୍ ଜରିଆରେ କିଛି ଦିନ ତଳେ ବାଣୀ ବିହାରରେ ନିମନ୍ତ୍ରିତ ଅଧ୍ୟାପକଙ୍କୁ ମାଡ଼ ମାରି ଜେଲରେ ଥିବା ଅପରାଧୀଙ୍କୁ ଖୋଲା ଖୋଲି ସମର୍ଥନ ଦିଆଯାଇଛି । ରାଜ୍ୟ ବିଜେପି ର ମତ ହେଲା -

“ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଶର ସମ୍ବିଧାନ ଓ ସମ୍ପ୍ରଭୂତାକୁ ପ୍ରଶ୍ନ ଉଠାଉଥିବା ଲୋକମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କାରଣରୁ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଇଛି, ଯାହା ଦୁର୍ଭାଗ୍ୟଜନକ।

ରାଷ୍ଟ୍ରବାଦୀ ବିଚାରଧାରାକୁ ଚାବିବାକୁ ଉଦ୍ୟମ କଲେ, ଜେଲ କମ ପଡ଼ିଯିବ।“

ଏହି ଟୁଇଟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରିଟୁଇଟ୍ କରି ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ଦେଶର ଶିକ୍ଷା ମନ୍ତ୍ରୀ ଶିକ୍ଷାନୁଷ୍ଠାନ ଭିତରେ ହୋଇଥିବା ଗୁଣ୍ଡାମୀକୁ ସମର୍ଥନ କରିବାର ଏହା ବୋଧହୁଏ ଏକ ବିରଳ ଦୃଷ୍ଟାନ୍ତ। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଅନୁଷ୍ଠାନରେ ଗୁଣ୍ଡା ମାନେ ଏକ ଆଲୋଚନା ଚକ୍ରରେ ପଶି ଅଧ୍ୟାପକ ଏବଂ ଦେଶର ବିଶିଷ୍ଟ ବୁଦ୍ଧିଜୀବୀ ମାନଙ୍କୁ ମାଡ ମାରିଲେ, ସେ ଅନୁଷ୍ଠାନରେ ଏକଦା ଶିକ୍ଷା ମନ୍ତ୍ରୀ ଛାତ୍ର ଥିଲେ। ନିଜ ଶିକ୍ଷାନୁଷ୍ଠାନରେ ଖୋଦ୍ ଦେଶର ଶିକ୍ଷା ମନ୍ତ୍ରୀ ଯଦି ଗୁଣ୍ଡା ଏବଂ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେବେ, ତା ହେଲେ ଆମ ଶିକ୍ଷାବ୍ୟବସ୍ଥା ର ଭବିଷ୍ୟତ କ'ଣ ହେବ?

ବିଜେପି ବଡ଼ ଚତୁରତାର ସହିତ ବାଣୀ ବିହାରରେ ଘଟିଥିବା ଗୁଣ୍ଡାମୀକୁ ଦେଶପ୍ରେମର କାର୍ଯ୍ୟ ବୋଲି କହିଛି। ବାଣୀ ବିହାରର ସେମିନାରରେ ଦେଶର ସମ୍ବିଧାନ ଓ ସମ୍ପ୍ରଭୁତା ଉପରେ ପ୍ରଶ୍ନ ଉଠାଇଥିଲା କିଏ? ଏହି ସେମିନାରରେ ଆଲୋଚିତ ପ୍ରସଙ୍ଗରେ କେହି ମଧ୍ୟ ଦେଶର ସମ୍ବିଧାନ ଏବଂ ସମ୍ପ୍ରଭୁତା ଉପରେ ପ୍ରଶ୍ନ କରିନଥିଲେ। ଓଲଟି ସମ୍ବିଧାନ ଓ ଏହାର ଆଦର୍ଶକୁ ସୁରକ୍ଷିତ ରଖିବା ପାଇଁ ଏହି ସେମିନାରରେ ଆଲୋଚନା ଚାଲିଥିଲା। ଯେଉଁ ଅଣଛାତ୍ରମାନଙ୍କ ଗୁଣ୍ଡାମୀ ଯୋଗୁଁ ଏହି ସେମିନାରରେ ବିଭ୍ରାଟ ଘଟିଲା, ସେମାନେ କୌଣସି ଆଲୋଚନା କରିବାକୁ ଆସିନଥିଲେ। ସିଧାସଳଖ ସେମାନେ ହିଂସା ଆଚରଣ କରିଥିଲେ ଓ ଉପସ୍ଥିତ ଅଧ୍ୟାପକ ଏବଂ ଆୟୋଜକଙ୍କୁ ମାଡ଼ ମାରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ବିଜେପି ହିଂସା ତଥା ଗୁଣ୍ଡାମୀକୁ ଦେଶପ୍ରେମ ବୋଲି କହୁଛନ୍ତି କି?

ପୁନଶ୍ଚ ବାଣୀ ବିହାରରେ ଗୁଣ୍ଡାମୀ କରି ଗିରଫ ହୋଇଥିବା ବ୍ୟକ୍ତିମାନେ ଏହା ପୂର୍ବରୁ ମଧ୍ୟ ଅନେକ ସଭା ସମିତିରେ ଧସେଇ ପଶି ହିଂସା କରିଥିବାର ପୁରୁଣା ରେକର୍ଡ ରହିଛି। ଅନ୍ୟ ଲୋକଙ୍କୁ ମାଡ଼ ମାରି ସେମାନଙ୍କ ମୁହଁ ବନ୍ଦ ରଖିବାକୁ ଧମକ ଚମକ ଦେବା, ସମ୍ବିଧାନ ସୁରକ୍ଷାର ଅଂଶବିଶେଷ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବୁଛନ୍ତି କି?