ମୋଦୀ + ଆଦାନୀ = ଭାରତ ???

ମୋଦୀ + ଆଦାନୀ = ଭାରତ ???

ଗୋଟେ ସମୟ ଥିଲା ଓ ଜଣେ ଲୁହାର ଛାତି ଥିବା ନେତ୍ରୀ ଥିଲେ ।

ସେତେବେଳେ ତାଙ୍କ ଦରବାରର ଜଣେ ଭାଟ ଥିଲେ । ସେ କହିଥିଲେ, ଆମ ନେତ୍ରୀ ଇ ଆମର ଦେଶ ।

ଇଏ ସତୁରୀ ଦଶକର କଥା । ସେତେବେଳେ କଂଗ୍ରେସର ଜାତୀୟ ସଭାପତି ଦେବକାନ୍ତ ବରୁଆ କହିଥିଲେ “ଇନ୍ଦିରା ଇଜ ଇଣ୍ଡିଆ” । ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଯିଏ କହିଲା ତାକୁ ଦେଶ ବିରୋଧୀ ବୋଲି ସେତେବେଳେ ପ୍ରଚାର ଚାଲିଥିଲା । ଆଜି ସମାନ କଥା ଘଟୁଛି । ଇତିହାସର ଗତି ସବୁବେଳେ ଏମିତି : ବର୍ତ୍ତୁଳ । ବୁଲି ବୁଲି ସମାନ ବିନ୍ଦୁରେ ରାଜନୈତିକ ଘଟଣାଚକ୍ର ପହଞ୍ଚିଯାଏ । ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଯେଉଁମାନେ ରାଜନୀତି ଆରମ୍ଭ କରିଥିଲେ, ଆଜି ସେମାନେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ପଥର ପଥିକ । ସତୁରୀ ଦଶକରେ ଗୋଟେ କଥା କୁହା ଯାଉଥିଲା- ଭାରତ ବିରୋଧରେ ବିଦେଶୀ ଷଡଯନ୍ତ୍ର ଚାଲିଛି । ସେତେବେଳେ ବିରୋଧୀ ଦଳର ବଡ ନେତା ଜୟପ୍ରକାଶ ନାରାୟଣ ଏବଂ ମୋରାରଜୀ ଭାଇ ଦେଶାଇଙ୍କୁ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏର ଏଜେଣ୍ଟ ବୋଲି କଂଗ୍ରେସ କର୍ମୀମାନେ ଗାଳି କରୁଥିଲେ । ସେଦିନ କଂଗ୍ରେସ କର୍ମୀ ଯାହା କରୁଥିଲେ, ଆଜି ବିଜେପି କର୍ମୀ ଠିକ ସେୟା କରୁଛନ୍ତି ।

ସେଦିନ ଓ ଆଜି ଭିତରେ କେବଳ ଗୋଟିଏ ଫରକ । ସେଦିନ ପ୍ରଧାନମନ୍ତ୍ରୀ କୌଣସି ବ୍ୟାବସାୟିକ ସଂସ୍ଥାକୁ (ସେବେ କର୍ପୋରେଟ ଶବ୍ଦ ଆସିନଥିଲା) ନିଜ ପଦ ମର୍ଯାଦା ସହିତ ଯୋଡିନଥିଲେ । ଆଜି ପ୍ରଧାନମନ୍ତ୍ରୀ ଓ ଗୋଟେ ନିନ୍ଦିତ କର୍ପୋରେଟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପାଲଟି ଯାଇଛନ୍ତି । ଗୋଟେ ବ୍ୟାବସାୟିକ ସଂସ୍ଥାକୁ ବଦନାମରୁ ବଞ୍ଚାଇବାକୁ ଯାଇ ଓ ତାର ସବୁ ପାପକୁ ଲୁଚାଇବାକୁ ଯାଇ ଆଜି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳ ଯେ କୌଣସି ସ୍ତରକୁ ଆସିବା ପାଇଁ ପ୍ରସ୍ତୁତ । ଆଦାନୀ ବିରୋଧରେ ଆଜି ଯାହାସବୁ ଅଭିଯୋଗ ଆସିଛି, ସେସବୁ ଗମ୍ଭୀର ଅର୍ଥନୈତିକ ଅପରାଧ । ଏହି ଅପରାଧର ପର୍ଦ୍ଦାଫାଶ ହେଲା ପରେ ଆଦାନୀ ପ୍ରାୟ ୧୩୦ ବିଲିଅନ ଡଲାରର ବଜାର ସମ୍ପତ୍ତି ହରାଇଛି । ହେଲେ ଭାରତ ସରକାର ଏ ପ୍ରସଙ୍ଗରେ କୌଣସି ତଦନ୍ତ ପାଇଁ ପ୍ରସ୍ତୁତ ନୁହନ୍ତି । ଆଦାନୀକୁ ସମାଲୋଚନା କଲେ ଉକ୍ତ ସଂସ୍ଥାର କର୍ମଚାରୀ ଆଉ ଉତ୍ତର ରଖୁନାହାନ୍ତି, ଏବେ ସିଧା ସିଧା ଆଦାନୀକୁ ବଞ୍ଚାଇବାକୁ ଶାସକ ଦଳର ମୁଖପାତ୍ର, ମନ୍ତ୍ରୀ ଓ ତାଙ୍କର ପୋଷା ଗଣମାଧ୍ୟମର ଚଣାଖିଆ ଶୁଆମାନେ ଅଣ୍ଟା ଭିଡି ବାହାରି ପଡୁଛନ୍ତି ।

ସଂସଦରେ ଆଦାନୀକୁ ସମାଲୋଚନା କରିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରିଭିଲେଜ ମୋଶନ ଆସିଛି । ତାଙ୍କ ବକ୍ତବ୍ୟକୁ ସଂସଦର ରେକର୍ଡରୁ କାଟି ଦିଆଯାଇଛି । ସୁପ୍ରିମକୋର୍ଟରେ ସରକାର କହୁଛନ୍ତି, ଆଦାନୀ ବିଷୟରେ ତଦନ୍ତ କରିବାକୁ ଗୋଟେ ଗୋପନୀୟ କମିଟି ଗଠନ ହେଉ । ଭାରତର ଇତିହାସରେ ଗୋଟେ ବ୍ୟାବସାୟିକ ସଂସ୍ଥାକୁ ଘଣ୍ଟା ଘୋଡାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କର ପୁରା ତାକତ ଲଗାଇ ଦେଇଥିବାର ଉଦାହରଣ ଖୋଜିଲେ ମିଳିବ ନାଇଁ । ଆଜି ବିଜେପି ପରୋକ୍ଷରେ ସ୍ଵୀକାର କରୁଛି ଯେ ଆଦାନୀକୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ଵ ଓ ସେମାନେ ସେଇ କାମ କରି ଚାଲିଛନ୍ତି ।

ଅପରପକ୍ଷରେ ବିଶ୍ଵ ବଜାରରେ ଆଦାନୀର ସ୍ଥିତି ବିଗିଡି ଚାଲିଛି । ଭାରତୀୟ ବଜାରରେ ଆଦାନୀ ବଞ୍ଚାଅ ଅଭିଯାନର ନେତୃତ୍ଵ ଖୋଦ ପ୍ରଧାନମନ୍ତ୍ରୀ ନେଉଥିବାରୁ ବିଶ୍ଵର ବଡ ବଡ ପୁଞ୍ଜିପତି ଏବେ ମୋଦୀ ସରକାରର ଆଲୋଚନା କରୁଛନ୍ତି । ହଙ୍ଗେରୀରେ ଜନ୍ମିତ ୯୨ ବର୍ଷ ବୟସ୍କ ଆମେରିକୀୟ ଇନଭେଷ୍ଟର ଜର୍ଜ ସୋରୋସ ଗୋଟେ ବକ୍ତବ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଆଦାନୀ ସମ୍ପର୍କ ପ୍ରସଙ୍ଗ ଉଠାଇଛନ୍ତି । ସୋରୋସଙ୍କ ବକ୍ତବ୍ୟ ପରେ ବିଜେପି ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । “ଏହା ଭାରତ ଉପରେ ଆକ୍ରମଣ” ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ପୂର୍ବରୁ ଆଦାନୀ ଓ ତାଙ୍କ ପରିବାରର କଳାଧନ ବିଷୟରେ ଆଲୋଚନା କରିବାକୁ ମଧ୍ୟ ଭାରତ ବିରୋଧରେ ଆକ୍ରମଣ ବୋଲି ବିଜେପି ବୋବାଳି ଛାଡୁଛି । ଅର୍ଥାତ ତଥାକଥିତ ବିଶ୍ଵଗୁରୁ ଭାରତ ଉପରେ ଏବେ ସବୁଠୁ କୁଆଡେ ଅଧିକ ବିଦେଶୀ ଆକ୍ରମଣ କରୁଛନ୍ତି । ଭାରତ ଉପରେ ଆଉ ପାକିସ୍ତାନ ବା ଚୀନ ନୁହେଁ, ବରଂ ଇଂଲଣ୍ଡର ଗଣମାଧ୍ୟମ ସଂସ୍ଥା, ଆମେରିକାନ ଇନଭେଷ୍ଟର ଏବଂ ହଲିଉଡ ତାରକାମାନେ ଆକ୍ରମଣ କରୁଛନ୍ତି । ବିଦେଶରେ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଚିହ୍ନ ଲାଗି ସାରିଛି । ଦେଶ ଭିତରେ ବିରୋଧୀ ସ୍ଵରକୁ ଛାପି ଦେଇ ନିଜକୁ ଗଣତନ୍ତ୍ରର ଦେବଦୂତ ବୋଲି କହିଲେ, ପୃଥିବୀବାସୀ ଆମକୁ ବିଶ୍ଵାସ କରିବେ ବୋଲି ଭାବିବା ଆମର ନିର୍ବୋଧତା ।

ଜର୍ଜ ସୋରୋସ କଣ କହିଲେ ବା ନ କହିଲେ, ସେଥିରେ ଭାରତ ଏତେ କାଣ୍ଡିବାର କାରଣ କଣ ? ମୋଦୀ ସରକାରର ମନ୍ତ୍ରୀମାନେ ଏହାକୁ ନେଇ ଯେଉଁପ୍ରକାର ପ୍ରତିକ୍ରିୟା ପ୍ରକାଶହ କରୁଛନ୍ତି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ସରକାର ଭିତରେ ଅସୁରକ୍ଷାର ଭାବନା ବଢିଚାଲିଛି ।

ଆଦାନୀ ଏବଂ ମୋଦୀଙ୍କୁ ମିଶାଣ କରି ତାହା ହିଁ ଆମର ଦେଶ ବୋଲି ପ୍ରଚାର କରିବା ଏ ଦେଶର ସବୁଠୁ ବଡ ଦୁର୍ଭାଗ୍ୟ ।