ଅନ୍ଧଭକ୍ତ ଓ ଚାଲାକ ନେତା

ଅନ୍ଧଭକ୍ତ ଓ ଚାଲାକ ନେତା

ରାଜନୀତି  ସବୁବେଳେ ଏକ ବିଚିତ୍ର ଖେଳ । ଏଠି ସେନାପତିମାନେ ସବୁବେଳେ କ୍ଷମତା ଲାଗି ଦଳ ବଦଳ ଓ ବିଚାର ବଦଳ କରୁଥିବା ବେଳେ ପଦାତିକ କର୍ମୀମାନେ ନିଜ ନିଜ ଭିତରେ ଦଳ ଓ ବିଚାର ପାଇଁ ମାରପିଟ ହେଉଥାନ୍ତି । ନେତାମାନେ ବଡ ସହଜରେ ରାତାରାତି ଦଳ ବଦଳେଇ ରଙ୍ଗ ବଦଳେଇ ପାରନ୍ତି । ହେଲେ କର୍ମୀ ବେଚାରା ସବୁବେଳେ ଭକ୍ତ । ବଦଳି ଯାଉଥିବା ସେନାପତିର ଚେହେରାକୁ ସେ ଚିହ୍ନି ପାରେନା । ଗତକାଲି ତାର ଯେ ନେତା ଥିଲା, ସେ ଆଜି ଆଉ ଏକ ଦଳର ଆଉ କାହାର ନେତା ହୋଇ ହୋଇ ସିଂହାସନରେ ବସିଛି । କର୍ମୀ ବେଚାରା କିନ୍ତୁ ଜୀବନକୁ ବାଜି ଲଗେଇ ଦଳ ପାଇଁ କାମ କରୁଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ମନମୋହନ ସିଂ ସରକାରରେ ମନ୍ତ୍ରୀ, ମୋଦୀ ସରକାରରେ ବି ମନ୍ତ୍ରୀ । ହେମନ୍ତ ବିଶ୍ଵା ଶର୍ମା, କଂଗ୍ରେସ ରାଜୁତିରେ ବଡ ମନ୍ତ୍ରୀ, ବିଜେପି ରାଜୁତିରେ ମୁଖ୍ୟମନ୍ତ୍ରୀ । ଗୁଜରାଟ ବିଧାନସଭା ନିର୍ବାଚନ ଆଗରୁ ହାର୍ଦ୍ଦିକ ପଟେଲ ଥିଲେ ଭକ୍ତଙ୍କ ଲାଗି ସବୁଠୁ ବଡ ଦେଶଦ୍ରୋହୀ । ଏବେ ସେ ବିଜେପିର ଜଣେ ମାନ୍ୟବର ବିଧାୟକ ।  

ଦଳ ବଦଳ କରୁଥିବା ନେତାଙ୍କର ଏମିତି ଲମ୍ବା ତାଲିକା ରହିଛି । ଏମାନେ ବଡ ସହଜରେ ଏ ଦଳରୁ ସେ ଦଳକୁ ଡିଆଁ ମାରି ପାରନ୍ତି । ହେଲେ ସାଧାରଣ ସ୍ତରରେ ଯେଉଁ କର୍ମୀଟି ଦଳର ପଦାତିକ ସୈନିକ ହୋଇକି ଥାଏ, ସେ ବେଚାରା ଦଳ ଲାଗି, ନିଜ ଲୋକଙ୍କ ସହ ଝଗଡା କରୁଥାଏ । ଅନେକ ସମୟରେ ନିଜ ନେତା ଭକ୍ତିରେ ପାଗଳ ହୋଇ ଏଇ କର୍ମୀ ଟି ହିଁ ମରେ ବା ଅନ୍ୟଦଳର କର୍ମୀକୁ ମାରେ । ଭକ୍ତ ପାଲଟି ଏଇ ପଦାତିକ ବେଚାରା ସୋସିଆଲ ମିଡିଆରେ ଯାବତୀୟ ଉତ୍ପାତ କରୁଥାଏ । ଯେଉଁ  ନେତାକୁ ଭରସା କରି ବେଚାରାର ଏତେ ଉତ୍ପାତ, ସେ ନେତା ହଠାତ ଦଳ ବଦଳେଇ ଆଉ ଗୋଟେ ଶିବିରରେ ପହଞ୍ଚିଗଲା ପରେ, ବେଚାରା କର୍ମୀ ନିଜ ମୁହଁକୁ ଦର୍ପଣରେ ଦେଖିବାକୁ ଲାଜ କରେ ।

ସ୍ଵାର୍ଥପର ରାଜନେତା ଓ ଅସହାୟ ରାଜନୈତିକ କର୍ମୀଙ୍କ ଦୁରବସ୍ଥା ବିଷୟରେ ଏକ ସ୍ପଷ୍ଟ ଚିତ୍ର ଆମେ ଦେଇପାରିବା । ଗତ ସାତ ବର୍ଷ ଭିତରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ତାଙ୍କ ଦଳର ସାଂସଦ ସୁବ୍ରମନ୍ୟମ ସ୍ବାମୀଙ୍କୁ ସବୁଠୁ ଅଧିକ ପଢିଥିବେ ନିଶ୍ଚୟ । କାରଣ ଡକ୍ଟର ସ୍ଵାମୀ କଂଗ୍ରେସ ବିରୋଧରେ ସବୁଠୁ ଅଧିକ ବିଷୋଦଗାର କରନ୍ତି । ଏମିତି ଦେଖିଲେ ଜଣେ ଭାବିନେବ ଯେ, ସୁବ୍ରମନ୍ଯମ ସ୍ଵାମୀ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ବିଜେପି ଆଦର୍ଶର ସବୁଠୁ ବଡ ନେତା । ରାଜନୈତିକ କର୍ମୀ ଓ ଭକ୍ତମାନେ ଇତିହାସ ପଢନ୍ତି ନାଇଁ । ତାଙ୍କ ଟେଲିଫୋନରେ ଦଳୀୟ ନେତାମାନେ ଯେଉଁ ମିଛ ପ୍ରଚାର କରନ୍ତି, ତାକୁ ସେମାନେ ଇତିହାସ ବୋଲି ଭାବନ୍ତି । ଡକ୍ଟର ସ୍ଵାମୀ ଗତ ୧୦ ବର୍ଷ ଭିତରେ କଂଗ୍ରେସ ଦଳ, ଗାନ୍ଧୀ ପରିବାର ଓ ଧର୍ମ ନିରପେକ୍ଷ ରାଜନୀତି ବିଷୟରେ ନିରନ୍ତର ଗପି ଆସିଥିଲେ ଓ ତାଙ୍କର ଭକ୍ତମାନେ ତାକୁ ଅମୃତ ବୋଲି ପିଉଥିଲେ । ଏବେ ହଠାତ ଦେଖିଲା ବେଳକୁ ସୁବ୍ରମନ୍ୟମ ସ୍ଵାମୀ ଆସିକି ନରେନ୍ଦ୍ର ମୋଦୀଙ୍କ ଘୋର ବିରୋଧୀ ମମତା ବାନାର୍ଜୀଙ୍କ ଶିବିରରେ ହାଜର । ସ୍ବାମୀଙ୍କୁ ମମତାଙ୍କ ଶିବିରରେ ଦେଖି ଭକ୍ତଙ୍କ ଅବସ୍ଥା ଆମେ କଳ୍ପନା କରିପାରିବା !! ଗତ କିଛି ଦିନ ହେଲାଣି ସ୍ଵାମୀ ମୋଦୀ ବିରୋଧୀ ସବୁଠୁ ବଡ କୁହାଳିଆ ନେତା !! 

ସୁବ୍ରମନ୍ୟମ ସ୍ବାମୀଙ୍କ ଭଳି ନେତା ଆମକୁ ରାଜନୀତିରେ କୌଣସି ନେତାଙ୍କୁ ଅନ୍ଧ ଭାବରେ ବିଶ୍ଵାସ ନ କରିବାର ଶିକ୍ଷା ଦେଇଥାନ୍ତି । ହେଲେ ଆମେ ଶିଖିଲେ ତ !! ସ୍ବାମୀଙ୍କ ଇତିହାସ ବଡ ବିଚିତ୍ର । ସେ ସୋନିଆ ଗାନ୍ଧୀଙ୍କର ସବୁଠୁ ଭଲ ବନ୍ଧୁ ଓ ସବୁଠୁ ବଡ ଶତ୍ରୁ । ସେ ଗୋଟେ ସମୟରେ ସ୍ଵର୍ଗତା ଜୟଲଳିତାଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ଓ ପରେ ତାଙ୍କୁ ଜେଲ ପଠାଇବାରେ ମୁଖ୍ୟ ଭୂମିକା ମଧ୍ୟ ନେଇଥିଲେ । ସେମିତି ନରେନ୍ଦ୍ର ମୋଦୀ ଜୟ ଜୟ କହିଲା ପରେ ଏବେ ସେ ମୋଦୀଙ୍କ ପରମ ସମାଲୋଚକ । ସବୁଠୁ ବଡ କଥା ହେଉଛି, ଏକଦା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବିରୋଧରେ ସବୁଠୁ ଶକ୍ତିଶାଳୀ ଗବେଷଣା କରିଥିବା ଓ ସଂଘ ବିରୋଧରେ ନିରନ୍ତର ଲେଖିଥିବା ଏହି ବ୍ୟକ୍ତି ଗତ ଦଶ ବର୍ଷ ହେଲା ସଂଘର ସବୁଠୁ ବଡ ବିଚାରକ ଆସନରେ ବସିଥିଲେ ।

ସୁବ୍ରମନ୍ୟମ ସ୍ବାମୀଙ୍କ ଇତିହାସ ଯେ ଲୁଚାଛପା ତା ବି  ନୁହଁ । ରାଜନୈତିକ କର୍ମୀମାନେ ରାଜନୈତିକ ବିଚାର ବୁଝନ୍ତି ନାଇଁ । ସେମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧି ରାଜନୈତିକ ଭକ୍ତ ସାଜନ୍ତି । ସେମାନେ ନେତା ପ୍ରେମରେ ଏମିତି ବାଇ ହୁଅନ୍ତି ଯେ ନେତାର ସ୍ଖଳନ ତାଙ୍କୁ ଦେଖା ଯାଏନା । ଗଣତନ୍ତ୍ରରେ ଏ ପ୍ରକାର ଭକ୍ତ ସବୁଠୁ ବିପଜ୍ଜନକ ଶକ୍ତି । ଏମାନେ ସ୍ଵଭାବତଃ ନିଜ ମସ୍ତିସ୍କର ଚିନ୍ତାଶକ୍ତିକୁ ବନ୍ଧା ପକାଇ ଦେଇଥାନ୍ତି । ନେତାକୁ ପ୍ରଶ୍ନ କରିବା, ନେତାର ଆଚରଣ ଓ ଉଚ୍ଚାରଣକୁ ତଉଲି ଦେଖିବାର ଶକ୍ତି ଏମାନଙ୍କର ନଥାଏ । ଏଇ ଅନ୍ଧତ୍ଵର ସୁଯୋଗ ନେଇ ଚାଲାକ ନେତାମାନେ ଏମାନଙ୍କୁ ନିଜ ସ୍ଵାର୍ଥ ପାଇଁ ବଳି ପକାନ୍ତି ।

ସବୁଠୁ ମଜାକଥା ହେଉଛି, ବଳି ପଡ଼ିବାକୁ ଯାଉଥିବା ଭକ୍ତଟି ନିଜକୁ ତଥାପି ଅନ୍ଧ କରି ରଖିଥାଏ ।