ପାକିସ୍ତାନୀ ହେଲେ ଭାବି ଆଉ ଭାରତୀୟ ହେଲେ ଦାଗୀ !

ପାକିସ୍ତାନୀ ହେଲେ ଭାବି ଆଉ ଭାରତୀୟ ହେଲେ ଦାଗୀ !

ଭାରତୀୟ ଖବର ବଜାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କ°ଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଛାଡିଦେଲେ ଯଦି ଆଉ କେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଥାଆନ୍ତି, ତା' ହେଲେ ସେ ଦୁଇ ଜଣ ହେଉଛନ୍ତି ଉତ୍ତରପ୍ରଦେଶର ଜ୍ୟୋତି ମୌର୍ୟ୍ୟା ଏବଂ ପାକିସ୍ତାନରୁ ଉତ୍ତରପ୍ରଦେଶ ଆସିଥିବା ସୀମା ହୈଦର୍। ଏ ଭିତରେ ଆପଣ ଏ ଦୁଇ ଜଣଙ୍କ କାହାଣୀ ଜାଣି ଥିବେ ନିଶ୍ଚିତ ଭାବରେ! ନାରୀ ମାନଙ୍କ କାମ ଏବଂ ବୁଦ୍ଧିକୁ ଭାରତୀୟ ସମାଜ ସବୁବେଳେ କଣଦେଖା କରେ ଏବଂ ଉଚିତ ସମ୍ମାନ ଦିଏନି ବୋଲି ଯେଉଁମାନେ ଅଭିଯୋଗ କରନ୍ତି, ସେମାନଙ୍କ ପାଇଁ ଜ୍ୟୋତି ଏବଂ ସୀମାଙ୍କୁ ନେଇ ଚର୍ଚ୍ଚା ଉଚିତ ଜବାବ। ଯେ, ନା' ସେସବୁ ମିଥ୍ୟାରୋପ। ବର° ଭାରତୀୟ ସମାଜ ନାରୀ ମାନଙ୍କ କାର୍ଯ୍ୟ ପ୍ରଣାଳୀକୁ ନେଇ ଖୁବ୍ ଅଧିକ ଚର୍ଚ୍ଚା କରେ। ମାନେ ଆଜି କାଲିକା ଭାଷାରେ #trendingnews ବନାଏ!

        ଜ୍ୟୋତି ମୌର୍ୟ୍ୟା ହେଉଛନ୍ତି ଉତ୍ତରପ୍ରଦେଶରେ UP PSC ପାଇ SDM ଭାବରେ କାର୍ଯ୍ୟରତ ଜଣେ ମହିଳା। ଗତ କିଛି ଦିନ ହେବ ନ୍ୟୁଜ୍ ଚ୍ୟାନେଲ୍ ଏବଂ ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା। ଚର୍ଚ୍ଚା ତାଙ୍କର ଉଚ୍ଚଶିକ୍ଷା କିମ୍ବା public service crack ପାଇଁ ନୁହେଁ। ସେ ପ୍ରକାର ତୁଚ୍ଛ, ନଗଣ୍ୟ କଥା ପ୍ରତି ଆମ ଦେଶର ଦର୍ଶକଙ୍କର ରୁଚି ନଥାଏ। ଏଥିରେ ରୋଚକ କିମ୍ବା ଉତ୍ତେଜିତ ହେଲା ପରି କିଛି ନାହିଁ। ଜ୍ୟୋତିଙ୍କୁ ନେଇ ଚର୍ଚ୍ଚା ହେଉଛି ସେ କାଳେ SDM ହେଲା ପରେ ତାଙ୍କ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଆଉ ପଚାରୁ ନାହାନ୍ତି। ବର୍ତ୍ତମାନ ସେ ଆଉ ଜଣେ ପୁରୁଷଙ୍କୁ ପସନ୍ଦ କରୁଛନ୍ତି। ସ୍ବାମୀକୁ ଛାଡପତ୍ର ଦେଇ ନିଜ ଜୀବନ ଅଲଗା ବିତାଇବାକୁ ଚାହୁଁଛନ୍ତି। ଯଦିଓ ଜ୍ୟୋତି ପାରିବାରିକ ଅଶାନ୍ତି ଏବଂ କନ୍ଦଳ କଥା କହୁଛନ୍ତି କିନ୍ତୁ ତାଙ୍କ ସ୍ବାମୀ ଅନେକ ନ୍ୟୁଜ୍ ଚ୍ୟାନେଲକୁ କାନ୍ଦି କାନ୍ଦି ବାଇଟ୍ ଦେବାଠୁ ଆରମ୍ଭ କରି ଅପମାନ ଏବଂ ଅସଦ ବ୍ୟବହାରର ଆରୋପ ଆଣିଛନ୍ତି। ଏହା ଆମ ଭାରତୀୟ ଦର୍ଶକ ଏବଂ ହଜାର ହଜାର ବର୍ଷର ଭାରତୀୟ ପରମ୍ପରାର ଠିକାଦାର ମାନଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ହେବ ବି କେମିତି? ଗୋଟିଏ ବିବାହିତ ନାରୀ କେମିତି ସ୍ବାମୀ ଥାଉ ଥାଉ ଆଉ ଜଣକୁ ପ୍ରେମ କରି, ଛାଡପତ୍ର କଥା ଚିନ୍ତା କରି ପାରିବ? ଏହା କ'ଣ ସମ୍ଭବ? ଏହା ନିଶ୍ଚିତ ଭାବରେ ଆମ ପରମ୍ପରାର ଖିଲାପି! ଏହା ପାପ! ଜ୍ୟୋତି ପରି ଝିଅ ମାନେ ଭାରତୀୟ ସମାଜ ଓ ପରମ୍ପରା ପ୍ରତି କଳଙ୍କ! କିଏ ଅଧିକାର ଦେଲା ସେ ଭାରତୀୟ ବିବାହିତ ଝିଅଟିକୁ ପ୍ରେମ କରିବା ପାଇଁ? ନା' ସେମିତି ଆଦୌ ହୋଇ ପାରିବ ନାହିଁ। ଆମ ଭାରତୀୟ ହିନ୍ଦୁ ସ୍ତ୍ରୀ ଏପରି ପ୍ରେମ କରିବା ବ୍ୟଭିଚାରରେ ଗଣା ହୁଏ। ଆମ ଶାସ୍ତ୍ର (?), ଧର୍ମ ଆଉ ମହାନ୍ ପରମ୍ପରା ଆମକୁ ଜ୍ୟୋତି ପରି ଭାରତୀୟ ଝିଅଟେର ଚରିତ୍ରର postmortem କରିବାର ସମ୍ପୂର୍ଣ୍ଣ ଅଧିକାର ଦେଇଛି! ଆମେ ତାକୁ ସର୍ବସମ୍ମୁଖରେ ଅପମାନିତ କରି ପାରିବା ଏବଂ ଗାଳି ଦେଇ ପାରିବା! ସେ ଏ ଭାରତୀୟ ସମାଜର ଦୋଷୀ! କିନ୍ତୁ ସେଇ ଉତ୍ତରପ୍ରଦେଶରେ ଏଇ ଭିତରେ ଆଉ ଗୋଟିଏ ଘଟଣା ମଧ୍ୟ ଖୁବ୍ ଚର୍ଚ୍ଚା ଧରିଛି। ସୀମା ହୈଦର ନାମ୍ନୀ ଜଣେ ବିବାହିତ ପାକିସ୍ତାନୀ ମହିଳା internet ରେ PUBG ଖେଳୁ ଖେଳୁ ଜଣେ ଭାରତୀୟ ଯୁବକର ପ୍ରେମରେ ପଡି, ସୀମା ଡେଇଁ ୪ଟି ଛୁଆ ଧରି ଭାରତ ପଳେଇ ଆସିଛନ୍ତି! ଯେତେବେଳେ ଏଇ ଦ୍ବିତୀୟ ଚର୍ଚ୍ଚିତ ମହିଳାଙ୍କ ବିଷୟରେ ପ୍ରଥମେ ଖବର ଉଠିଲା, ସେତେବେଳେ କୁହାଗଲା, ସୀମାଙ୍କ ସ୍ବାମୀ ସାଉଦି ଆରବରେ ରାଜମିସ୍ତ୍ରୀ କାମ କରୁଥିବା ବେଳେ ସୀମା ଚାରିଟି ଛୁଆଙ୍କ ସହ ପାକିସ୍ତାନର ସିନ୍ଧ୍ ଅଞ୍ଚଳରେ ରହନ୍ତି। PUBG ଖେଳୁ ଖେଳୁ ୨୦୧୯ ମସିହାରୁ ସଚିନ ନାମକ ଜଣେ ଭାରତୀୟ ଯୁବକର ପ୍ରେମରେ ପଡି ୧୩ ଲକ୍ଷ ଟଙ୍କାରେ ନିଜ ଘର ବିକ୍ରି କରି (ଯଦିଓ ପରେ ପୁଣି ଖବର ଆସୁଛି ଯେ ସୀମା ତିନି ବର୍ଷ ହେଲା ଗୋଟିଏ ଭଡା ଘରେ ରହୁଥିଲେ), ଚାରିଟି ଛୁଆଙ୍କୁ ଧରି ଦୁବାଇ ବାଟେ ନେପାଳ ଆସି, ତା' ପରେ ବସରେ ଭାରତରେ ପ୍ରବେଶ କରିଛନ୍ତି। ଯଦିଓ ସୀମା ମାର୍ଚ୍ଚ ମାସରୁ ଭାରତ ଆସି ସଚିନ ସହ ତାଙ୍କ ଗ୍ରେଟର ନୋଏଡା, ଉତ୍ତରପ୍ରଦେଶ ସ୍ଥିତ ଘରେ ରହୁଥିଲେ କିନ୍ତୁ ଜୁଲାଇ ମାସରେ ଯେତେବେଳେ ଉଭୟ ବିବାହ କରିବା ପାଇଁ ଓକିଲଙ୍କ ପରାମର୍ଶ ନେବାକୁ ଗଲେ ଏବଂ ଉକ୍ତ ଓକିଲ ମହାଶୟ ସ୍ଥାନୀୟ ପୁଲିସକୁ ଖବର ଦେଲେ, ତା' ପରେ ଘଟଣା ପଦାକୁ ଆସିଛି। ଖବରଟି ପ୍ରଘଟ ହେଲା ପରେ ସ୍ଥାନୀୟ କିଛି ଲୋକ, ବୟସ୍କ ମଧ୍ୟ ଶାଢ଼ୀ, ଚୁଡିର ମୁହଁଦିଖାଇ ଉପହାର ଧରି ସୀମାକୁ ସ୍ବାଗତ କରିବା ପାଇଁ ପହଞ୍ଚିଛନ୍ତି! କେବଳ ସ୍ଥାନୀୟ ଲୋକ ନୁହନ୍ତି ଯଦି ଘଟଣା ପ୍ରଘଟ ହେବାର ପ୍ରାରମ୍ଭିକ ସମୟରେ ଆମ ଦେଶର ମିଡ଼ିଆର ପ୍ରଚାର, ରିପୋର୍ଟ ଓ କାହାଣୀ ଦେଖିବେ କି ଶୁଣିବେ, ଆପଣଙ୍କୁ ଖାଲି ଆଶ୍ଚର୍ଯ୍ୟ ଲାଗିବନି, ହାସ୍ୟାସ୍ପଦ ଓ ଘୃଣ୍ୟ ମଧ୍ୟ ଲାଗିବ! ଦେଶର କିଛି ଯୁବକଙ୍କ ବକ୍ତବ୍ୟ ତ ମୋତେ ଆହୁରି ଚକିତ କରିଥିଲା! ଗର୍ବରେ ସେମାନେ କହୁଥିଲେ "ଭାବି ଆୟି ହେ।"....

 ଏଁ! ଦୁଇ ଦିନ ଆଗରୁ ପରା ତୁମେ ମାନେ ନିଜ ବିବାହିତ ସ୍ବାମୀକୁ ଛାଡି ଆଉ ଜଣଙ୍କୁ ପ୍ରେମ କରୁଛି ଆଉ ଛାଡପତ୍ର ନେବାକୁ ଚାହୁଁଚି ବୋଲି ଗୋଟିଏ ଭାରତୀୟ ଝିଅର ଚିରିତ୍ର ଉଦ୍ଧାର କରି ତାକୁ ଅପରାଧୀ ଘୋଷଣା କରିଥିଲ….. ପୁଣି ଏବେ କ'ଣ ଆଉଜଣେ ପାକିସ୍ତାନୀ ବିବାହିତା ନାରୀ ତା' ସ୍ବାମୀକୁ ଛାଡି ଆସି ଆଉଜଣେ ଯୁବକ ସହ ରହୁଛି ବୋଲି ତୁମ ଛାତି ଗର୍ବରେ ଫାଟି ପଡୁଛି, ଭାବି ଭାବି ଡାକି ସମ୍ପର୍କ ଯୋଡି ସାରିଲଣି? ଏ କେମିତିକା ଦୋଗଲା ନୀତି?

        ଅବଶ୍ୟ ଭାରତୀୟ ସମାଜ ଏବଂ ମିଡ଼ିଆର ଏ ପ୍ରକାର ଦୋଗଲା ନୀତି ଖାଲି ଜ୍ୟୋତି-ସୀମାଙ୍କ ଖବର ଭିତରେ ସୀମିତ ନାହିଁ। ୫ ମେ' ୨୦୨୩ ଦିନ ପଞ୍ଜାବ ପୁଲିସ୍ Times Nowର ଭାବନା କିଶୋର ନାମକ ଜଣେ ରିପୋର୍ଟରଙ୍କୁ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ସହ ଗିରଫ କରିଥିବା କଥା ମନେ ଥିବ ନିଶ୍ଚୟ। ସେମାନେ ଲୁଧିଆନାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦ୍ବାରା ଉଦଘାଟିତ ହେବାକୁ ଥିବା "ମୋହଲ୍ଲା କ୍ଲିନିକ୍" କଭର କରିବା ପାଇଁ ଯିବା ସମୟରେ ଜଣେ ମହିଳାଙ୍କ ଦେହରେ ନିଜ ଗାଡି ବାଡେଇବା ସହ ତାଙ୍କ ପ୍ରତି ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ଆସିଥିଲା। ପଞ୍ଜାବ ପୁଲିସ୍ ସେହି ତିନି ଜଣଙ୍କୁ Scheduled Caste and Scheduled Tribe (Prevention of Atrocities) Act, 1989, Sections 279 (rash driving), 337 (hurting any person by acting rashly or negligently as to endanger human life) ଏବଂ ଭାରତୀୟ ପିଙ୍ଗଳ କୋଡ୍ 427 (commits mischief and thereby causes loss or damage) ଅନୁଯାୟୀ ହିରାସତକୁ ନେଇଥିଲା। ଏହା ପରେ Times Nowର Group Editor ନବୀକା କୁମାର ଏହି ଘଟଣାକୁ ବିରୋଧ କରି ପୂରା ଗୋଟିଏ ସୋ' ବନାଇ ଥିଲେ। ଭାବନା କିଶୋର କୋହରେ ଫାଟି ପଡିବା ବେଳେ ନବୀକା କୁମାର ତାଙ୍କୁ ଜଣେ ଆତ୍ମୀୟ ପରି କୁଣ୍ଢାଇଧରି, ମୁଣ୍ଡ ଆଉଁସି ପ୍ରବୋଧନା ଦେଇଥିଲେ (ଘଟଣା ସହ ଜଡିତ ଭିଡିଓ ଆପଣ ସର୍ଚ୍ଚ କରି ପାରନ୍ତି)। ୧୨ ଜୁଲାଇ ୨୦୨୩ ସେଇ Times Nowର ଆଉଜଣେ ରିପୋର୍ଟର ତେଜଶ୍ରୀ ପୁରନ୍ଦରେ, ମହିଳା କୁସ୍ତି ଖେଳାଳିଙ୍କ ଯୌନନିର୍ଯାତନା ଆରୋପରେ ଜଡ଼ିତ ସା°ସଦ ବ୍ରିଜଭୂଷଣ ଶରଣ ସି° ବିରୋଧରେ ଦିଲ୍ଲୀ ପୁଲିସର ଚାର୍ଜ-ସିଟ୍ ଦାଖଲ କରିବା ପରେ ତାଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ପଚାରିଥିଲେ, କ୍ୟାମେରା ସାମନାରେ ସା°ସଦ ମହାଶୟ ରିପୋର୍ଟରଙ୍କୁ "ଧେତ୍" କହିବା ସହ ତାଙ୍କ ହାତକୁ ଆଘାତ କଲା ପରି ନିଜ କାରର ଡୋରକୁ ଜବରଦସ୍ତି ବନ୍ଦ କରି ଦେଇଥିଲେ। ଉକ୍ତ ଘଟଣାରେ Times Nowର ମାଇକ୍ ଭାଙ୍ଗିବା ସହ ସର୍ବସମ୍ମୁଖରେ ତେଜଶ୍ରୀଙ୍କ ସହ ଘୋର୍ ଅପମାନଜକ ବ୍ୟବହାର ହୋଇଥିଲା। କିନ୍ତୁ ଏହି ଘଟଣାକୁ ନେଇ ଦେଶର ଜଣେ ଚର୍ଚ୍ଚିତ, ସାହସୀ ଏବଂ ଶକ୍ତିଶାଳୀ ଏଡିଟର ଭାବରେ ପରିଚିତ ନବୀକା କୁମାର କୌଣସି ସୋ' କରି ନଥିଲେ କିମ୍ବା ସମ୍ପୃକ୍ତ ସାମ୍ବାଦିକଙ୍କୁ କୁଣ୍ଢେଇ ବୁଝାଉଥିବାର ଗୋଟିଏ ମଧ୍ୟ ଭିଡିଓ ସାମନାକୁ ଆସି ନଥିଲା। ଭାବନା କିଶୋରଙ୍କ ସମୟରେ "ସନ୍ଧ୍ୟା ପରେ ଜଣେ ମହିଳାଙ୍କୁ ଗିରଫ କରିବା ନିୟମ ବିରୋଧୀ" ଘୋଷଣା କରୁଥିବା ଏବଂ ଏହାକୁ blanket attack ଆଖ୍ୟା ଦେଇଥିବା ମିଡିଆ ହାଉସ୍, ତେଜଶ୍ରୀଙ୍କ ସମୟରେ ଏମିତି ହଟଚମଟରୁ ନିବୃତ୍ତ ରହିଥିଲା!

        ଅବଶ୍ୟ ନିୟମକୁ ନେଇ ଦୋଗଲା ନୀତିର ଆମ ଦେଶରେ ଉଦାହରଣର ଅଭାବ ନାହିଁ। ନିୟମ ଅନୁସାରେ, ୨୦୧୬ ପରଠାରୁ ଆମ ଦେଶ ଭାରତର, ଜାରି କରାଯାଇଥିବା ରାଜନୈତିକ ମାନଚିତ୍ରକୁ ଖିଲାଫ, ଅସୁନ୍ଦର ବା distorted Indian map ପ୍ରଦର୍ଶିତ ବା ପ୍ରୟୋଗ କ୍ଷେତ୍ରରେ ୧୦୦ କୋଟି ଟଙ୍କା ଜରିମାନା ସହ ସର୍ବାଧିକ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶର ପ୍ରାବଧାନ ରହିଛି। କିନ୍ତୁ ୧୪ ଜୁଲାଇରେ ଭାଜପା ଦ୍ବାରା ଗୋଟିଏ ୧୨ ସେକେଣ୍ଡର ଆନିମେଟେଡ୍ ଭିଡିଓ ସେୟାର କରା ଯାଇଥିଲା। ସେଥିରେ କରୋନା ସମୟରେ ବିଶ୍ବକୁ ଟୀକା ଯୋଗାଇ ଆମେ କେମିତି ବିଶ୍ବଗୁରୁ ସାଜିଛେ ଦର୍ଶାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆନିମେଟେଡ୍ ରୂପ ଘୁରାଉଥିବା ଗ୍ଲୋବରେ ଥିବା ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀରର କିଛି ଅ°ଶ ପାକିସ୍ତାନ ଏବଂ ଚୀନ ଅଧିନ ପ୍ରଦର୍ଶିତ ଥିଲା। ଅନେକ ମହଲରୁ ବିରୋଧ ଉଠିବା ପରେ ଏହି ଭିଡିଓଟିକୁ ଯଦିଓ ଡିଲିଟ୍ କରି ଦିଆଯାଇଥିଲା କିନ୍ତୁ ଭାଜପା ତରଫରୁ କେହି ବି ଏହାର ଜିମ୍ମେଦାରୀ ନେଇ ନା' ଦୁଃଖ ପ୍ରକାଶ କରିଥିଲେ ନା' କ୍ଷମା ମାଗିଥିଲେ! କିନ୍ତୁ ଜାନୁଆରୀ ୨୦୧୫ରେ ସେହି ଭାଜପାର ଯୁବମୋର୍ଚ୍ଚା, ପଶ୍ଚିମ ବଙ୍ଗରେ ଆୟୋଜିତ International Kolkata Book Fairରେ ଯେତେବେଳେ ବା°ଲାଦେଶ tourism department ତରଫରୁ ଜାରି କରା ଯାଇଥିବା ଗୋଟିଏ ବୁକଲେଟରେ କାଶ୍ମୀରର କିଛି ଅ°ଶକୁ ପାକିସ୍ତାନ ଅଧିନସ୍ଥ କରି ଦେଖାଇଥିଲା, ସେତେବେଳେ ବା°ଲାଦେଶ ଷ୍ଟଲ ସାମନାରେ ଜୋରସୋରରେ ବିରୋଧ ପ୍ରଦର୍ଶନ କରିଥିଲା। ହେଲେ ୨୦୨୩ ବେଳକୁ ବୋଧେ ଭାରତ ମାନଚିତ୍ରକୁ ନେଇ ଘଟାଇ ଥିବା ତୃଟିକୁ ସ୍ବୀକାର କିମ୍ବା ନୈତିକ ଜିମ୍ମେଦାରୀ ନେବା ଜରୁରୀ ଏ ମାନସିକତା କୋଉଠି ଘୁମେଇ ପଡିଛି!

           ଅବଶ୍ୟ ନୈତିକତାକୁ ନେଇ ଆମ ଦେଶ, ସମାଜ ଏବଂ ଖାସ୍ କରି ରାଜନୀତିରେ କିଛି କମ୍ ଦୋଗଲାପଣ ଦେଖା ଯାଏନି। ଏଇ ଏବେ ଏବେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ନେତା ଓମ୍ ପ୍ରକାଶ ରାଜଭରଙ୍କ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତରେ ଭାଜପାରେ ଯୋଗ ଦେବା ଘଟଣା ବିଷୟ କଥା ଦେଖୁନାହାନ୍ତି। ଜାନୁଆରୀ ୨୦୨୨ରେ Lallantop channelକୁ ଦେଇଥିବା ଗୋଟିଏ ସାକ୍ଷାତକାରରେ ସେ କହିଥିଲେ "ସାକ୍ଷାତ ଭଗବାନବି ଯଦି ମୋ ସାମନାରେ ଆସି ଠିଆ ହୋଇ କୁହନ୍ତି, ତଥାପି ମୁଁ ଭାଜପାରେ ଯୋଗ ଦେବି ନାହିଁ।" (ଅବଶ୍ୟ ସେ ଭଗବାନଙ୍କ କଥାକୁ ମନା କରିବେ କହିଥିଲେ, ମଣିଷ କଥାକୁ ମନା କରିବେ କହି ନଥିଲେ, ନିହାତି ଆମର ଗ୍ରହଣ କରିବା ଶକ୍ତି କମ୍)। ଅବଶ୍ୟ କେବଳ ଉତ୍ତରପ୍ରଦେଶର ରାଜନେତାଙ୍କ ନୈତିକତାରେ ଦୋଗଲା ପଣ ଦେଖାଯାଏନି, ଏହାର ଉଦାହରଣର ଲିଷ୍ଟ ଲମ୍ବା। ଭ୍ରଷ୍ଟାଚାରର ଗ୍ୟାରେଣ୍ଟି ନେଇ, 'ନା' ଖାଉଙ୍ଗା, ନା' ଖାନେ ଦୁଙ୍ଗା'ର ନାରା ଲଗାଉଥିବା ଆମ ପ୍ରଧାନମନ୍ତ୍ରୀଙ୍କ ଦଳ ଭ୍ରଷ୍ଟାଚାର, ଘୋଟାଲାର ଆରୋପ ଲାଗିଥିବା ଏବଂ ବିଭିନ୍ନ ଜାଞ୍ଚ ଏଜେନ୍ସିର ସ୍କାନର ତଳେ ଥିବା ମହାରାଷ୍ଟ୍ର ନେତା ଅଜିତ ପାଓ୍ବାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ବନାଇ ଦିଏ ତ ହିମନ୍ତ ବିଶ୍ବ ଶର୍ମାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ, ସେମିତି ୨୦୨୩ ଉତ୍ତର-ପୂର୍ବ ନିର୍ବାଚନ ପରେ ଯେଉଁ କର୍ନାଡ୍ କେ ସାଙ୍ଗମାଙ୍କୁ କରପ୍ଟେଡ୍ ଘୋଷଣା କରନ୍ତି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ ସଭାରେ ଶ୍ରୀ ଅମିତ ଶାହ ନିଜେ ଯୋଗ ଦିଅନ୍ତି! କେବଳ ଭ୍ରଷ୍ଟାଚାର ନୁହେଁ ଯେଉଁ ପରିବାରବାଦର ରାଜନୀତିରୁ ଦେଶକୁ ମୁକ୍ତି ଦେବାକୁ ଭାଜପାର ନେତା ନିର୍ବାଚନ ପ୍ରଚାର ସଭାରେ ପ୍ରତ୍ୟେକଥର ଡାକରା ଦିଅନ୍ତି ତାଙ୍କ ଦଳରେ ବସୁନ୍ଧରା ରାଜେ ସିନ୍ଧିଆ (ତାଙ୍କ ମା' ବିଜୟା ରାଜେ ସିନ୍ଧିଆ, ତାଙ୍କ ପୁଅ ଦୁଃଶ୍ୟନ୍ତ ସି° ଏବଂ ଭଣଜା ଜ୍ୟୋତିରାଦିତ୍ୟ ସିନ୍ଧିଆ), କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସା°ସଦ ବରୁଣ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାବିସ୍ ଏବଂ ଆହୁରି ଅନେକ ସା°ସଦ ଓ ନେତା (ଆପଣ Google search କରି ପାରନ୍ତି) ଏମାନଙ୍କ ରାଜନୈତିକ ଜୀବନ ଏବଂ ଉପସ୍ଥିତି କେମିତି ପରିବାରବାଦ ପ୍ରଦତ୍ତ ନୁହେଁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ!

         ଅବଶ୍ୟ ଆମ ଦେଶ, ସମାଜ, ମିଡିଆ ଓ ରାଜନେତା ମାନଙ୍କ ନୈତିକତାକୁ ନେଇ ଏ ଦୋଗଲାପଣ କେବଳ ଦଳବଦଳ, ଭ୍ରଷ୍ଟାଚାର କିମ୍ବା ପରିବାରବାଦକୁ ନେଇ ଦେଖା ଯାଏନି। ବ୍ୟବହାର, ବୟାନ ଏବଂ ଆଚାରକୁ ନେଇ ମଧ୍ୟ ଦେଖାଯାଏ। ଏଇ ଯେମିତି ଜୁନ୍ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ପରେ ଯେତେବେଳେ ଆମ ପ୍ରଧାନମନ୍ତ୍ରୀ କାଇରୋ, ଇଜପ୍ଟରେ ଅଲ୍-ହକିମ୍ ମସ୍କ ଯାଇ ସେଠିକାର ଦାଓ୍ବଦୀ ବୋହରା ମୁସଲମାନ୍ କମ୍ୟୁନିଟିକୁ ଭେଟି ବନ୍ଧୁତାପୂର୍ଣ୍ଣ ବାର୍ତ୍ତା ଦେଉଥିଲେ, ଠିକ୍ ସେଇ ସମୟରେ ଆମ ଦେଶର so called mainstream media ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା WSJ ସାମ୍ବାଦିକାଙ୍କ ଧର୍ମ ଓ ଆଚରଣକୁ ନେଇ ଖୁବ୍ ସମାଲୋଚନା, online harassment ଚଲାଇ ଥିଲେ। ସେମିତି ଏଇ ନିକଟରେ ଯେତେବେଳେ ପ୍ରଧାନମନ୍ତ୍ରୀ UAEରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି ହାତରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧୁଥିଲେ, ଭାରତରେ ଆସାମର ମୁଖ୍ୟମନ୍ତ୍ରୀ ଟମାଟୋର ଦରବୃଦ୍ଧି ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୁଦାୟକୁ ଦାୟୀ କରୁଥିଲେ! ସେମିତି ନିଜ ନିର୍ବାଚନ ପ୍ରଚାରରେ ସବୁଦିନେ ମେକ୍-ଇନ୍-ଇଣ୍ଡିଆ, ରାଷ୍ଟ୍ରବାଦ, ରାଷ୍ଟ୍ର ନିର୍ମାଣର ଆହ୍ୱାନ ଦେଉଥିବା ଏବଂ ଭାରତୀୟ ପରମ୍ପରାର ଦ୍ବାହି ଦେଉଥିବା ନେତା ମାନଙ୍କ ସନ୍ତାନ ମାନେ ବିଦେଶରେ ପାଠ ପଢନ୍ତି ଆଉ ଚାକିରୀ କରନ୍ତି (ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପୁଅ ଠାରୁ ଆରମ୍ଭ କରି ସା°ସଦ ନିଶିକାନ୍ତ ଦୁବେଙ୍କ ପୁଅ ପର୍ଯ୍ୟନ୍ତ)। ଏ ନୈତିକ ଦୋଗଲାପଣ କେବଳ ଆମ ବର୍ତ୍ତମାନର ମିଡିଆ କିମ୍ବା ରାଜନେତା ମାନଙ୍କ ମଧ୍ୟରେ ସୀମିତ ନାହିଁ। ଏହା ଜନତାଙ୍କ ମଧ୍ୟରେ ବି ଖୁବ୍ ଦେଖିବାକୁ ମିଳେ। ସେମାନେ ଫ୍ରାନ୍ସ ଏବଂ ପଶ୍ଚିମବଙ୍ଗର ଦଙ୍ଗା ତଥା ହି°ସାକୁ ନେଇ ଖୁବ ସମ୍ବେଦନଶୀଳ ହୋଇପଡନ୍ତି, ଖବର ପରେ ଖବର ଓ ଫଟୋ ସେୟାର କରନ୍ତି କିନ୍ତୁ ମେ' ୩ରୁ ଜଳୁଥିବା ମଣିପୁର ବିଷୟରେ ପ୍ରଶ୍ନ ଉଠାଇବା ଜରୁରୀ ମନେ କରନ୍ତିନି! କିଛି ଲୋକ ଭାରତ ଖଣ୍ଡ-ଖଣ୍ଡ କେତେବେଳେ ହେଲା ଯେ 'ଭାରତ ଯୋଡୋ ଯାତ୍ରା'ର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ଆଉ କିଛି ବ୍ୟକ୍ତି 'ଅଖଣ୍ଡ ଭାରତ'ର ନାରା ଦେଇ ମାନଚିତ୍ର ଜାରୀ କରନ୍ତି! ୨୦୨୧- ୨୨ରେ କର୍ଣ୍ଣାଟକର ଉଡୁପ୍ପିରେ ହିଜାବକୁ ବିରୋଧ କରୁଥିବା ଏ ଦେଶର ମଣିଷମାନେ ଜୁଲାଇ ୨୦୨୩ ସୋସିଆଲ ମିଡିଆରେ ହିନ୍ଦୁ ଝିଅମାନେ ବି ବୁର୍ଖା ପିନ୍ଧିବା ଉଚିତ ମନେକରି ପୋଷ୍ଟ କରନ୍ତି! ସେମାନଙ୍କ ମତରେ ହିନ୍ଦୁ ଝିଅମାନଙ୍କ ପୋଷାକ ପିନ୍ଧା ଶୈଳୀ ହିଁ ସମାଜରେ ଦେଖାଯାଉଥିବା ଧର୍ଷଣ ଓ ମହିଳାବିରୋଧୀ ଗତିବିଧି ପାଇଁ ଦାୟୀ! "କେରଲା ଷ୍ଟୋରୀ" ପରି ଫିଲ୍ମର କାହାଣୀରେ ମହିଳା ବିରୋଧୀ ଗତିବିଧି ଏବଂ ଅତ୍ୟାଚାର ଦେଖି ଏ ଦେଶର ଯୁବକ ମାନଙ୍କ ଲହୁ ଟକମକ ହୋଇ ଫୁଟିଉଠେ! କିନ୍ତୁ ସର୍ବସମ୍ମୁଖରେ ବାଗେଶ୍ବର ବାବା ପରି ଜଣେ ମଣିଷ ଯେତେବେଳେ ଝିଅ ମାନଙ୍କୁ "ପ୍ଲଟ" ବା ପ୍ରପର୍ଟି କହେ, ସେମାନଙ୍କ ରକ୍ତ ଖାଲରେ ଜମି ପଚୁଥିବା ପାଣିଠାରୁ ବି ଅଧିକ ଶିଥିଳ ହୋଇଯାଏ। ସେହି ବ୍ୟକ୍ତିକୁ ପୂଜ୍ୟ ଏବଂ ଆରାଧ୍ୟ ଭାବେ ଗ୍ରହଣ କରି, ଫଟୋକୁ ଡିପି ରଖୁଥିବା ବ୍ୟକ୍ତି ମାନଙ୍କ ଝିଅ, ଭଉଣୀ, ସ୍ତ୍ରୀ, ମା' ଏଥର ଭାବିବା କଥା, ଯେ ତାଙ୍କ ସାମନାରେ ଥିବା ବ୍ୟକ୍ତିଟି ତାଙ୍କୁ ନେଇ କି ପ୍ରକାର ମାନସିକତା ରଖିଛି! ସେ ଅନ୍ୟର ଚରିତ୍ର ଉଦ୍ଧାର ହେଉ କି ସାମାଜିକ, ରାଜନୈତିକ, ନୈତିକ ଦୋଗଲାପଣ ହେଉ, ଆମ ଦେଶରେ ଏହାର ଉଦାହରଣ ଲେଖି ବସିଲେ ଶବ୍ଦ କମ୍ ପଡି ଯିବ! ଅବଶ୍ୟ ଏତିକି ଲେଖି ସାରିଲା ବେଳକୁ, ମୁଁ ଅନେକ ମାତ୍ରାରେ ବୁଝି ସାରିଲିଣି ଯେ କାହିଁକି ପାକିସ୍ତାନୀ ସୀମା ଭାବି ଆଉ ଭାରତୀୟ ଜ୍ୟୋତି ଦାଗୀ!

(ଲେଖାରେ ଦିଆ ଯାଇଥିବା ପ୍ରତ୍ୟେକ ଘଟଣା ଏବଂ ବୟାନକୁ ନେଇ ଆପଣ ଖବର ପଢି ପାରନ୍ତି, Google search କରି ଅଧିକ ତଥ୍ୟ ସ°ଗ୍ରହ କରି ପାରନ୍ତି। ଖବରର ଖବର ରଖନ୍ତୁ, ଦୋଗଲା ନୀତିର ଶିକାର ହେବାରୁ ବଞ୍ଚନ୍ତୁ।)