ମଣିପୁରରେ ସବୁ ଠିକ୍ ଚାଲିଛି, ଆପଣ ଚୁପ୍ ରୁହନ୍ତୁ!!

ମଣିପୁରରେ ସବୁ ଠିକ୍ ଚାଲିଛି, ଆପଣ ଚୁପ୍ ରୁହନ୍ତୁ!!

ମଣିପୁରରେ ଯାହା ହେଲା ତାହା ଦୁର୍ଭାଗ୍ୟଜନକ, ହେଲେ ଏମିତି ଘଟଣା ତ ପଶ୍ଚିମ ବଙ୍ଗ ଓ ରାଜସ୍ଥାନରେ ବି ଘଟିଛି, ଆପଣ ପ୍ରଥମେ ଅନ୍ୟ ରାଜ୍ୟ କଥା କୁହନ୍ତୁ । ବିଜେପିର ସମର୍ଥକ ଓ ଭକ୍ତଙ୍କ ସବୁଠୁ ବଡ଼ ତର୍କ ଏଇଆ । ଆପଣ ହିଂସା ଓ ନାରୀ ନିର୍ଯ୍ୟାତନା ବିଷୟରେ ଯେଉଁଠି ବି ପ୍ରତିବାଦ କରିବେ ସେଠି ଶାସକଦଳର ଜଣେ ଭକ୍ତ ଆପଣଙ୍କୁ ଏଇ ସମାନ ପ୍ରଶ୍ନ ପଚାରିବ । ଏ କଥା ଉନ୍ନାଓରେ, କାଠୁଆରେ, ହାଥରସ୍ ରେ ଓ ଆଜି ମଣିପୁରରେ ସମାନ ଭାବରେ ଦେଖିବାକୁ ମିଳୁଛି । ସେଥିପାଇଁ ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ଅତି ଦମ୍ଭର ସହିତ କହିଲେ, "ଏମିତି ଶହ ଶହ ଘଟଣା ମଣିପୁରରେ ଘଟିଛି । ଏଇ ଗୋଟିଏ ଘଟଣାକୁ ନେଇ ଏତେ ହୋ ହଲ୍ଲା କାହିଁକି"। ରାଜ୍ୟପାଳ ଅନସୂୟା ଉକିଏ କହିଲେ, ତାଙ୍କ ଜୀବନକାଳରେ ସେ ମଣିପୁର ଭଳି ହିଂସା କେଉଁଠି ଦେଖିନାହାନ୍ତି । ସମାନ ସମୟରେ ବିଜେପିର ଆଇଟି ସେଲ୍ କହୁଛି, ମଣିପୁରରେ ସବୁ ଠିକ୍ ଅଛି, ବାକି ଯାହା ହେଉଛି ସେଥିପାଇଁ କଂଗ୍ରେସ ଦାୟୀ । ମୋଟାମୋଟି ଆମ ସମୟର ରାଜନୀତି ହେଉଛି ଏତିକି । ମଣିପୁରରେ ଅନ୍ୟାୟର ପ୍ରତିବାଦ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଉତ୍ତର ଦେବାକୁ ପଡିବ-

ଆପଣ ରାଜସ୍ଥାନ ପାଇଁ ଚୁପ୍ କାହିଁକି ?

ଆପଣ ପଶ୍ଚିମ ବଙ୍ଗ ପାଇଁ ଚୁପ୍ କାହିଁକି ?

ଆପଣ ନେହେରୁଙ୍କୁ ଏଥିପାଇଁ ଦାୟୀ କରିବେ ନାହିଁ କାହିଁକି ?

ଆପଣ କାଶ୍ମୀର ପଣ୍ଡିତଙ୍କ କଥା କହୁନାହାନ୍ତି କାହିଁକି ?

ମଣିପୁରରେ ଯେଉଁ ବିଭତ୍ସ ଓ ବର୍ବର କାଣ୍ଡ ଘଟି ଚାଲିଛି ତାହା ବିଜେପି ଶାସନରେ ହିଁ ଘଟୁଛି । ୨୦୧୭ରୁ ମଣିପୁରରେ ବିଜେପି ଶାସନ ଅଛି। ୨୦୧୭ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ କଂଗ୍ରେସ ସରକାରରେ ବରିଷ୍ଠ ମନ୍ତ୍ରୀ ଥିଲେ । କ୍ଷମତାର ଶୀର୍ଷରେ ୨୦ ବର୍ଷ ରହିଲା ପରେ ମଧ୍ୟ ଜଣେ ବ୍ୟକ୍ତି ନିଜ ରାଜ୍ୟ ସମ୍ଭାଳି ପାରୁନାହିଁ। ତାଙ୍କର ଅପାରଗତା ଓ ମଣିପୁର ବର୍ବରତାକୁ ବିଜେପି ନିଜର ସଫଳତା ଭାବରେ ପ୍ରଚାର କରୁଛି। ବୋଧହୁଏ ବିଜେପି ରାଜନୀତିର ଏ‌ହା ସବୁ ଠାରୁ ବଡ ସାର୍ଥକତା। ଯେତେ ଅନ୍ୟାୟ ଓ ଅତ୍ୟାଚାର କଲେ ମଧ୍ୟ ବିଜେପି ଭକ୍ତମାନେ ତାଙ୍କ ସରକାରକୁ ସମର୍ଥନ ଦେବେ। ଅନ୍ୟାୟ ତୁଳନାରେ ରାଜନୈତିକ ଅନୁରକ୍ତି ସେମାନଙ୍କ ପାଇଁ ପ୍ରାଥମିକତା ।

ବର୍ତ୍ତମାନ ଏମିତି ଏକ ରାଜନୈତିକ ଦଳ ଆମ ଶାସନ ଦାୟିତ୍ବରେ ଅଛି ଯିଏ ନିଜ ବିଫଳତାର ଉତ୍ତର ଦେବା ପରିବର୍ତ୍ତେ ବିଫଳତାକୁ ଲୁଚାଇବାରେ ସବୁଠୁ ଅଧିକ ସମୟ ଦେଉଛି । ରାଜନୀତିରେ କ୍ଷମତା ମୋହ ସ୍ଵାଭାବିକ, ହେଲେ ସାଧାରଣ ନାଗରିକ ଯିଏ କ୍ଷମତାକୁ କେବଳ ଦୂରରୁ ଦେଖେ ସେ ଶାସକର ଅନ୍ୟାୟକୁ ଆଖିବୁଜି ବରଦାସ୍ତ କରୁଛି କାହିଁକି ? ଆଜି ରାଜନୈତିକ ଦଳ ସାଧାରଣ ନାଗରିକକୁ ପ୍ରଶ୍ନ ପଚାରୁଛି । ମଣିପୁରରେ ସରକାର, ଶାସନ ଓ ପୁଲିସର ବିଫଳତାକୁ ଢାଙ୍କିବାକୁ ଲୋକଙ୍କୁ ପଚରା ହେଉଛି, ତମେ ଅନ୍ୟ କଥାରେ ଚୁପ କାହିକି ଥିଲ ?

ସାଧାରଣ ନାଗରିକ ଭାବରେ ମୁଁ ନିଜକୁ ଦେଖେ ଯେ ମୁଁ ତ ସବୁବେଳେ ରାସ୍ତାରେ ଯିଏ ବି ସରକାରରେ ରହିଛି, ତାର ପ୍ରତିବାଦ କରିଛି । ଯେତେବେଳେ ଅଶୀ ଦଶକରେ ଓଡିଶାରେ ଛବିରାଣୀ ଧର୍ଷଣ ଓ ହତ୍ୟାକାଣ୍ଡ ଘଟିଥିଲା ସେତେବେଳେ ସ୍କୁଲପିଲା ଭାବରେ ଆମେ ରାସ୍ତାରେ ପ୍ରତିବାଦ କରିଥିଲୁ । ନବେ ଦଶକରେ ଅଞ୍ଜନା ଓ ଅନ୍ଧୁଣୀ ଛାତ୍ର ପ୍ରସଙ୍ଗରେ ଆମେ ରାସ୍ତାରେ ଠିଆ ହୋଇଥିଲୁ । ନିର୍ଭୟା ପାଇଁ ଆମେ ରାସ୍ତାରେ ଲଢିଥିଲୁ ।  ଅନ୍ୟାୟ ବିରୋଧରେ କହିବାକୁ ଆମେ ଦେଖୁନଥିଲୁ ଯେ ସରକାରରେ କିଏ ଅଛି । ଆମେ କେବେ କାହାକୁ ପଚାରି ନାହୁଁ ଯେ ତମେ ଆଜି ଯଦି କହୁଛ ସେବେ କାହିଁକି କହୁନଥିଲ ।  

ବାସ୍ତବ  କଥା ହେଉଛି, ଏ ପ୍ରକାର ପ୍ରଶ୍ନ ପଚାରୁଥିବା ଲୋକ କେବଳ ଜଣେ ଅନ୍ଧଭକ୍ତ । ହଜାର ଦଙ୍ଗା, ହଜାର ହିଂସାକାଣ୍ଡ, ହଜାର ମଣିପୁର ହେଲେ ବି ସେ ଅନ୍ଧଭକ୍ତ ହୋଇ ରହିବ । ସେ କେବଳ ନିଜ ମନ ଓ ବିବେକକୁ ବନ୍ଧା ପକାଇବା ଜାଣିଛି । ସେ ଭଳିଆ ପ୍ରଶ୍ନ କରୁଥିବା ଲୋକଙ୍କୁ ଦୟା କରିବା ଛଡା ଅଲଗା କିଛି କରାଯାଇ ପାରିବ ନାହିଁ ।