ଡାଟା ଅନ୍ତଃବସ୍ତ୍ର

ଡାଟା ଅନ୍ତଃବସ୍ତ୍ର

ନା,ଏକଥା ପ୍ରଥମେ ନବଜୋତ ସିଦ୍ଧୁ କହି ନଥିଲେ । ଏକଥା କହିଥିଲେ ଆମେରିକାର ଅର୍ଥନିତୀ ପ୍ରୋଫେସର ଆରନ୍ ଲିଭେନଷ୍ଟାଇନ୍ ।‌

“Statistics are like bikinis. What they reveal is suggestive, but what they conceal is vital.” 

ଏହାର ପାଖାପାଖି ଓଡ଼ିଆ ଭାବାନୁବାଦ  ହେଉଛି, ପରିସଂଖ୍ୟାନ ବା ଡାଟା ମହିଳାଙ୍କ ଅନ୍ତଃବସ୍ତ୍ର ଭଳି ଅଟେ। ଏହା ବାହାରକୁ ଉଦ୍ଦୀପକ ହୋଇପାରେ କିନ୍ତୁ ଏହା ଯାହା ଘୋଡାଏ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ।


ଆଜିର ଯୁଗରେ ଯୁଆଡେ ଦେଖିବ ଡାଟା ହିଁ ଡାଟା । ଇଣ୍ଟରନେଟ ଯୁଗରେ ହାତରେ ମୋବାଇଲ୍ ଅଛି ମାନେ ଡାଟାର ପୃଥିବୀ ହାତରେ ଅଛି । କେଉଁ ଡାଟା ହ୍ବାଟସପ୍ ଫରଓ୍ବାର୍ଡ ମାଧ୍ୟମରେ ଆସୁଛି ତ କେଉଁଟି ଫେସବୁକ୍, ଟୁଇଟର କିମ୍ବା ଇନଷ୍ଟାଗ୍ରାମ୍ ମାଧ୍ୟମରେ ଆସୁଛି । ଆଉ କେଉଁଠି ଦେଖିବା ବେଳକୁ, ଜଣେ ଟିଭି ଆଙ୍କର୍  କଳାପଟାରେ ଲେଖି ବୁଝାଉଛି । କେବଳ ସେତିକି ନୁହେଁ, ମୂଖ୍ୟସ୍ରୋତ ଗଣମାଧ୍ୟମରେ ମଧ୍ୟ ବଡ଼ ବଡ଼ ରାଷ୍ଟ୍ରବାଦୀ ବିଶେଷଜ୍ଞ   ଖଣ୍ଡି ଡାଟା ଶୁଣାଇ ଚାଲିଛନ୍ତି । କିନ୍ତୁ ଏସବୁ କେତେ ସତ, କେତେ ଜରୁରୀ ଓ କେତେ ପୁର୍ଣାଙ୍ଗ ତାହା ଚିନ୍ତାର ବିଷୟ ।‌

 
ପୁଣି ଏଥିରୁ ଅନେକ ଡାଟା ଏମିତି ଅଛି ଯେଉଁ ଗୁଡିକ କେବଳ ଷ୍ଟକ୍ ମାର୍କେଟକୁ ପ୍ରଭାବିତ କରିବା ପାଇଁ କୁହାଯାଏ । ଏମାନେ ସବୁବେଳେ ଭଲ ସମୟ ଆସୁଛି ବୋଲି କହିଥାନ୍ତି । ଜାଣିବା ଲୋକେ ଏମାନଙ୍କୁ ଆଜିକାଲି କହୁଛନ୍ତି ଇନଫ୍ଲୁଏନ୍ସର୍  । 

ଏଗୁଡିକ ମଧ୍ୟରେ ରାଷ୍ଟ୍ରବାଦୀ ଡାଟା ମଧ୍ୟ ଅଛି । ଏହି ଡାଟା ସୁଚାଇ ଦିଏ ଯେ  ରାଷ୍ଟ୍ର ଠିକ୍ ବାଟରେ ଯାଉଛି, ଅନ୍ୟ ରାଷ୍ଟ୍ର ଠାରୁ ଆଗରେ ଅଛି ଏବଂ ଏପରିକି ପୃଥିବୀର ସବୁ ରାଷ୍ଟ୍ରଗୁଡିକ ମଧ୍ୟରେ ଆମ ରାଷ୍ଟ୍ର  ସବୁଠାରୁ ଆଗରେ ଅଛି । ଏଥିପାଇଁ ନୂଆ ନୂଆ ଅଜବ ଆର୍ଥିକ ପରିଭାଷା ତିଆରି ହେଉଛି ଯାହା ୨୦୧୪ ମସିହା ପୂର୍ବରୁ କେବେ ଶୁଣା ଯାଇ ନଥିଲା । ଏଇ ଯେମିତି ଫାଇଭ୍ ଟ୍ରିଲିଅନ ଡଲାର ଅର୍ଥନିତୀ । ଟ୍ରିଲିଅନ୍ ଗୋଟିଏ ଏପରି ଶବ୍ଦ ଯାହା କାନରେ ଏକ ବାଦ୍ୟଯନ୍ତ୍ରର  ଧ୍ବନି ସୃଷ୍ଟି କରେ । ଡଲାର ତ ଆମେରିକାର । ତେଣୁ ହେଡଲାଇନରେ ଏହି କଥା ପଢ଼ିବା ମାତ୍ରେ ଆପେ ଆପେ ଗୋଟିଏ ଧାରଣା ଜନ୍ମ ନେଉଛି ଯେ ଆମ ରାଷ୍ଟ୍ର କିଛି ଗୋଟାଏ ଅନ୍ତଃରାଷ୍ଟ୍ରୀୟ ଚମତ୍କାର କରିବା ପାଖାପାଖି ପହଞ୍ଚି ଗଲାଣି । ଏ ପ୍ରକାର ରାଷ୍ଟ୍ରବାଦ ରାଷ୍ଟ୍ରର କୈାଣସି ସମସ୍ୟା ଅଛି ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ତେବେ ଇଣ୍ଟରନେଟର ସମୁଦ୍ର ଓ ଛତୁ ଫୁଟିବା ଭଳି ସୃଷ୍ଟି ହୋଇଥିବା ଟେଲିଭିଜନ ଚ୍ୟାନେଲଗୁଡିକ  ଦେଉଥିବା ଏତେଗୁଡିଏ  ଡାଟା ସାମ୍ନାକୁ ଆସିବା ପରେ ହେଡଲାଇନ୍ ଟପି ଭିତରକୁ ଯିବା ପାଇଁ କାହା ପାଖରେ ସମୟ ଅଛି ଯେ ? 

ନିକଟରେ କେତେକ ବିଶେଷଜ୍ଞ କହିଲେ ଯେ ଆମଦାନୀ ପାଇଁ  ଚାଇନା ଉପରେ ଭାରତର ନିର୍ଭରଶୀଳତା କମୁଛି । ସତରେ ଏଇଟା ନିଶ୍ଚୟ ଏକ ରାଷ୍ଟ୍ରବାଦୀ ଡାଟା । ଚାଇନା ସହିତ ଆମର ସୀମାରେ ଉତ୍ତେଜନା ଘନେଇଛି । ତେଣୁ ଏ ସମୟରେ ଯଦି ଭାରତ ଚାଇନା ଠାରୁ ଆଣୁଥିବା ଜିନିଷ କମାଇଛି ତେବେ ଏହା ନିଶ୍ଚିତ ଖୁସିର ବିଷୟ ।   ଟିଭି ଚ୍ୟାନେଲମାନେ ଏଥିପାଇଁ ଗୋଟିଏ ବଢିଆ ଜିଙ୍ଗଲ୍ ନ୍ୟୁଜ୍ ତିଆରି କଲେ ହ୍ବାଟସପ୍ ଫରଓ୍ବାର୍ଡ ପାଇଁ ତାହା ବଢିଆ କାମରେ ଆସିବ । 

ଅବଶ୍ୟ ଏକଥା ସତ ଯେ  ଚାଇନା ଠାରୁ ଆମର ଆମଦାନୀର ବୃଦ୍ଧି କମିଛି । ଗତ  ୨୦୨୨-୨୩ ଆର୍ଥିକ ବର୍ଷରେ ଆମେ ଚାଇନାରୁ ୯୪.୬ ବିଲିଅନ୍ ଡଲାରର ସାମଗ୍ରୀ ଆମଦାନୀ କରିଥିଲୁ। ଗତବର୍ଷ ଆମ ଦେଶ ବିଦେଶରୁ କରିଥିବା  ମୋଟ୍ ଆମଦାନୀରେ ୬% ବୃଦ୍ଧି ହୋଇଥିବା ବେଳେ, ତା ମଧ୍ୟରୁ ଚାଇନାରୁ ହୋଇଥିବା ଆମଦାନୀରେ ୪% ବୃଦ୍ଧି ହୋଇଛି । ଯେହେତୁ ଆମର ମୋଟ ଆମଦାନୀ ୬% ବଢ଼ିଛି ଓ ତା' ମଧ୍ୟରୁ କେବଳ ଚାଇନାରୁ ଆମଦାନୀ ତାଠାରୁ କମ୍ ପ୍ରତିଶତ ବା ୪% ବଢ଼ିଛି, ସେଥିପାଇଁ କୁହା ଯାଉଛି ଯେ ଆମଦାନୀ କ୍ଷେତ୍ରରେ ଆମ ଦେଶର ଚାଇନା ଉପରେ ନିର୍ଭରଶୀଳତା କମିଛି ।  

ଚାଇନା ଉପରେ ଆମର ନିର୍ଭରଶୀଳତା କମିଛି ବୋଲି ଆଉ ଗୋଟିଏ ଡାଟା ମଧ୍ୟ ଦିଆ ଯାଉଛି । ଆମ ଦେଶର ମୋଟ ଆମଦାନୀରେ ଚାଇନାର ଅଂଶ ୨୦୨୧-୨୨ରେ ୧୫.୪% ଥିବା ବେଳେ ଗତବର୍ଷ ତାହା କମି ୧୩.୮%ରେ ପହଞ୍ଚିଛି । ତେଣୁ  ଆମେ କହି ପାରିବା ଯେ ଆମଦାନୀ ପାଇଁ ଚାଇନା ଉପରେ ଆମର ନିର୍ଭରଶୀଳତା କମିଛି । ଏତିକି ଗୋଟିଏ ରାଷ୍ଟ୍ରବାଦୀ ହେଡଲାଇନ୍ ପାଇଁ ଯଥେଷ୍ଟ ।  

ଆମେ ବିଦେଶରୁ ଯେତେ ଯାହା ଆମଦାନୀ କରୁ ତାହା ମଧ୍ୟରେ ଗୋଟିଏ ବଡ଼ ଭାଗ ହେଉଛି ପେଟ୍ରୋଲିୟମ ପଦାର୍ଥ ବା କଞ୍ଚାତେଲ । ଆମେ ଚାଇନାରୁ କେବେ ପେଟ୍ରୋଲିୟମ ଜିନିଷ ମଗାଉ ନାହିଁ । ତେଣୁ ଆମେ ଯଦି ମୋଟ ଆମଦାନୀରୁ ପେଟ୍ରୋଲଲିଅମ୍ ଆମଦାନୀ ଫେଡି ଦେଖିବା ତାହେଲେ ଗତ ବର୍ଷ ଆମର ମୋଟ ଆମଦାନୀରେ ଚାଇନାର ଭାଗ ୧୯.୪% ଥିଲା । ତାହା ପୂର୍ବ ବର୍ଷର ୨୦.୯% ଠାରୁ କମ୍ ଥିଲା । ଏଇଟା ବି ସ୍ବୀକାର୍ଯ୍ୟ । କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ପିଏଲଆଇ ଯୋଜନା ଯୋଗୁଁ ଏପରି ସଫଳତା ମିଳିଛି।‌ 

କିନ୍ତୁ ଦେଖିବାର ବିଷୟ ହେଉଛି ଯେ ତାହା ଏବେ ବି ୨୦୧୮-୧୯ ଓ ୨୦୧୯-୨୦ର ପ୍ରତିଶତ ଠାରୁ ଅଧିକ । ତେଣୁ କେବଳ ଗତ ୨ଟି ବର୍ଷର ଡାଟାକୁ ତୁଳନା କଲେ ଚଳିବ ନାହିଁ । 

ଚାଲନ୍ତୁ ଆମେ ଏବେ କେବଳ ଲାଙ୍ଗୁଡଟାକୁ ଧରି  ହାତୀକୁ ଏକ ସର୍ପ ଜାତୀୟ ପଶୁ ବୋଲି କହିବା ନାହିଁ।  ପୂର୍ଣ୍ଣାଙ୍ଗ ହାତୀଟିକୁ ଦେଖିବା ଚାଲନ୍ତୁ । ପ୍ରଶ୍ନ ହେଉଛି,  ଆମେ କଣ କେବଳ ଆମଦାନୀର ଡାଟା ଦେଖି କହିପାରିବା ଯେ ଦେଶର ଆର୍ଥିକ ଅବସ୍ଥା ଭଲ ଆଡ଼କୁ ଯାଉଛି ? ନା, ଆମଦାନୀ ସବୁକଥା କୁହେ ନାହିଁ । ଆମଦାନୀ ସହିତ ଆମକୁ ରପ୍ତାନୀ ମଧ୍ୟ ଦେଖିବାକୁ ପଡିବ । ପୁଣି ସବୁ ଆମଦାନୀ ଖରାପ ନୁହେଁ । ଅନେକ ଯନ୍ତ୍ରାଂଶ କିମ୍ବା କଞ୍ଚାମାଲର ଆମଦାନୀ ଆମଦେଶରେ ଉତ୍ପାଦନ ବଢାଏ ଓ ତା ସହିତ ସେହି ସବୁ ଉତ୍ପାଦିତ ଜିନିଷର ରପ୍ତାନି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ । ପ୍ରକୃତରେ  ଆମଦାନୀ ଓ ରପ୍ତାନି ମଧ୍ୟରେ ଫରକ୍ ଆମକୁ ଅର୍ଥନିତୀ ବିଷୟରେ ଅଧିକ ସ୍ପଷ୍ଟ ଚିତ୍ର ଦିଏ । ଆମେ ଚାଇନାରୁ ଆମଦାନୀ କରିବା ସଙ୍ଗେ ସଙ୍ଗେ ଚାଇନାକୁ ରପ୍ତାନୀ ମଧ୍ୟ କରୁ । ଯଦି ଆମଦାନୀ ରପ୍ତାନି ଠାରୁ ଅଧିକ ହୁଏ ତେବେ ଏହି ଦୁଇଟି ମଧ୍ୟରେ ବ୍ୟବଧାନକୁ ବାଣିଜ୍ୟ ନିଅଣ୍ଟ କୁହାଯାଏ । ଏହା ଦ୍ବାରା ଆମର ବୈଦେଶିକ ମୁଦ୍ରା ବେଶି ସରେ । କାରଣ ଆମେ ରପ୍ତାନୀ କରି ଯେତିକି ବୈଦେଶିକ ମୁଦ୍ରା ଅର୍ଜନ କରିଥାଉ ଆମଦାନୀରେ ତାହା ସାରିଦେଉ । ଚାଲନ୍ତୁ ଦେଖିବା ଏହି ବାଣିଜ୍ୟ ନିଅଣ୍ଟରେ ଚାଇନା ସଙ୍ଗେ ଭାରତର ସମୀକରଣ  କେମିତି ଅଛି ।

ଗତବର୍ଷ ବା ୨୦୨୨-୨୩ ଆର୍ଥିକ ବର୍ଷରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ଥିଲା ୮୩.୧ ବିଲିଅନ୍ ଡଲାର । ଅର୍ଥାତ୍ ସେହି ବର୍ଷ ଆମେ ଚାଇନାକୁ ଯେତିକି ରପ୍ତାନି କରିଥିଲୁ , ଚାଇନାରୁ ତାହାଠାରୁ ୮୩.୧ ବିଲିଅନ୍ ଡଲାରର ଅଧିକ ସାମଗ୍ରୀ ଆମଦାନୀ କରିଥିଲୁ। ଏହା ୨୦୨୧-୨୨ ଆର୍ଥିକ ବର୍ଷର ବାଣିଜ୍ୟ ନିଅଣ୍ଟ ଅପେକ୍ଷା ପ୍ରାୟ ୧୩.୨% ଅଧିକ । ଏହାର ମାନେ ହେଲା ଗତବର୍ଷ ଆମ ଦେଶ କେବଳ  ଚାଇନା ସଙ୍ଗେ କାରବାରରେ  ପୂର୍ବ ବର୍ଷ ଅପେକ୍ଷା  ଅଧିକ ବୈଦେଶିକ ମୁଦ୍ରା ସାରିଛି । କେବଳ ସେତିକି ନୁହେଁ, ୨୦୧୮-୧୯ରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ୫୩.୬ ବିଲିଅନ୍ ଡଲାର ଥିଲା । ସେହି ହିସାବରେ ଗତ ବର୍ଷ ଚାଇନା ସହିତ ଆମ ଦେଶର ବାଣିଜ୍ୟ ନିଅଣ୍ଟ ୨୦୧୮-୧୯ ଠାରୁ ୫୫% ଅଧିକ । 

ଏପରି କାହିଁକି ହେଲା ? ଗତବର୍ଷ ଚାଇନାରୁ ଆମର ଆମଦାନୀ ମାତ୍ର ୪% ବଢ଼ିଥିବା ବେଳେ ବାଣିଜ୍ୟ ନିଅଣ୍ଟ କାହିଁକି ୧୩.୨% ବଢ଼ିଗଲା ? ଏହାର କାରଣ ହେଉଛି ବାଣିଜ୍ୟ ନିଅଣ୍ଟ ଉଭୟ ଆମଦାନୀ ଓ ରତ୍ପାନୀକୁ ନେଇ ହିସାବ କରାଯାଏ । ଗତବର୍ଷ ଚାଇନାରୁ ଆମର ଆମଦାନୀ ବୃଦ୍ଧି କମିଛି ସତ, କିନ୍ତୁ ୨୦୨୧-୨୨ରେ ଆମର ଚାଇନାକୁ  ରପ୍ତାନୀ ୨୧.୨ ବିଲିଅନ୍ ଡଲାର ଥିବା ବେଳେ ୨୦୨୨-୨୩ରେ ତାହା କମି ଯାଇ ୧୫.୩ ବିଲିଅନ୍ ଡଲାର ହୋଇଛି । ଅର୍ଥାତ୍ ରପ୍ତାନୀ ପ୍ରାୟ ୨୮% କମିଛି । ସୁତରାଂ ଆମଦାନୀ ମାତ୍ର ୪% ବଢ଼ିଥିବା ବେଳେ ରପ୍ତାନି ୨୮% କମିଛି । ତେଣୁ ମୋଟ ଉପରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ୧୩.୨% ବଢ଼ି ଯାଇଛି । ତେଣୁ ଟିକିଏ ରାଷ୍ଟ୍ରଦ୍ରୋହୀ ବିବେଚିତ ହେବାର ରିସ୍କ ନେଇ ଆପଣ କହି ପାରିବେ ଯେ ଚାଇନା ସଙ୍ଗେ ବାଣିଜ୍ୟରେ ଗତ ବର୍ଷ ଆମେ ପୂର୍ବାପେକ୍ଷା ୧୩.୨% ଅଧିକ ବୈଦେଶିକ ମୁଦ୍ରା ସାରିଛୁ । କିନ୍ତୁ ହ୍ବାଟସପ୍ ଫରଓ୍ବାର୍ଡ ତ କେବେ ଏକଥା କହିବ ନାହିଁ ନା ?  

ମଦର୍ ଅଫ୍ ଡେମୋକ୍ରାସିରେ ଲାଭାର୍ଥୀ

୧୮୩୪ ମସିହାରେ ଇଁରାଜୀ କବି ଏସ୍.ଟି. କଲେରିଜ୍ ସମୂଦ୍ରରେ ନାଆ ଚଳାଇ ଯିବା ସମୟରେ ଲେଖିଥିବା The Rime of Ancient Mariner   କବିତାର ଦୁଇ ଧାଡ଼ି ଏମିତି ଥିଲା :

Water, water, every where,
Nor any drop to drink.

ଅର୍ଥାତ୍ ଚାରିଆଡ଼େ ସିନା ପାଣି ଅଛି, କିନ୍ତୁ ସେଥିରୁ ଗୋଟିଏ ବିନ୍ଦୁ ବି ପିଇ ହେବ ନାହିଁ ।  ସେହିପରି ଆମେ ମଧ୍ୟ ବିଚାର କରି ପାରିବା, ଚାରିଆଡ଼େ ସିନା ଡାଟା ଅଛି କିନ୍ତୁ ସେଥିରୁ କେତୋଟି ପ୍ରକୃତରେ  ବିଚାରଯୋଗ୍ୟ  । 

PLI ର ବିସ୍ତାରିତ ସ୍ଵରୁପ ହେଉଛି Production Linked Incentive । ଦେଶ ଭିତରେ ଉତ୍ପାଦନ ବଢାଇବା ପାଇଁ ସରକାର କେତେକ କମ୍ପାନୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି । ସେମାନେ ଯେତେ ବିକିବେ ସରକାର ତାହାର ବିକ୍ରୀ ମୂଲ୍ୟର ୬% ଟଙ୍କା ସେମାନଙ୍କୁ ଦେବେ । ମୂଖ୍ୟତଃ ୧୪ଟି ଜିନିଷର ଉତ୍ପାଦନ କ୍ଷେତ୍ରରେ ଥିବା କମ୍ପାନୀଗୁଡ଼ିକୁ ସରକାର ଏହା ଦେଉଛନ୍ତି । ଏହା ଦ୍ବାରା ଆମେ ଆମଦାନୀ କରୁଥିବା ଜିନିଷ ଦେଶ ଭିତରେ ବନେଇ ଆମର ଆମଦାନୀ ବିଲ୍ ହ୍ରାସ କରିବା ହେଉଛି ଏହାର ଉଦ୍ଦେଶ୍ୟ । ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନା ପାଞ୍ଚ ବର୍ଷ ଚାଲିବ ଓ ଏଥିରେ କେନ୍ଦ୍ର ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନା, ଏହାକୁ କେହି ଫ୍ରିବି କୁହନ୍ତି ନାହିଁ । ବରଂ କୁହାଯାଉଛି ଏହା ଏକ ରାଷ୍ଟ୍ରବାଦୀ ଆର୍ଥିକ ଚିନ୍ତାଧାରା । 

ଏହା ପଛରେ ଥିବା ଦର୍ଶନ ହେଉଛି ଯେ ପଛୁଆ ଦେଶରେ ସରକାର ଶିଶୁ କମ୍ପାନୀଗୁଡିକୁ ପ୍ରଥମେ ପ୍ରଥମେ ଆର୍ଥିକ ଓ ଅନ୍ୟାନ୍ୟ ନୀତିରେ ସାହାଯ୍ୟ କରନ୍ତୁ ଓ ପରେ ସେମାନେ ଶିଶୁରୁ ବଡ଼ ହୋଇଯିବା ପରେ ଏବଂ ସେମାନେ ଦର ଓ ଗୁଣବତ୍ତାରେ ବିଦେଶୀ ସାମଗ୍ରୀ ସହ ସଫଳ ପ୍ରତିଯୋଗିତା କରିବା ପରେ ସରକାର ଆଉ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ଦରକାର ପଡିବ ନାହିଁ । ଏହି ସମୟ ମଧ୍ୟରେ କାଳେ ଲୋକେ  ଶସ୍ତା ଓ ଗୁଣବତ୍ତା ବିଶିଷ୍ଟ ବିଦେଶୀ ସାମଗ୍ରୀ କିଣିବାକୁ ଚାହିଁବେ ସେଥିପାଇଁ ସେସବୁ ସାମଗ୍ରୀ ଦେଶରେ ପ୍ରବେଶ କରିବା  ମାତ୍ରେ ସରକାର ତାହା ଉପରେ ଚଢା ଶୁଳ୍କ ଲଗାଇ ଦେବେ ଯାହା ଫଳରେ ସେସବୁର ଦାମ୍ ଆମ ଦେଶରେ ମହଙ୍ଗା ହୋଇଯିବ । ଏତିକି ହେଲା ପିଏଲଆଇ ଯୋଜନା । 

ଏବେ ମୋବାଇଲ ଫୋନ୍ ଉଦାହରଣ ନିଆଯାଉ ।ଏହାର ଉତ୍ପାଦନ ପିଏଲଆଇ ଯୋଜନା ଭିତରେ ଆସୁଛି । ୨୦୧୭-୧୮ ରେ ଆମ ଦେଶ ୩୬୦ କୋଟି ଡ଼ଲାରର ମୋବାଇଲ ଫୋନ ଆମଦାନୀ କରିଥିବା ବେଳେ ବିଦେଶକୁ ମାତ୍ର ୩୩.୭ କୋଟି ଡଲାରର ମୋବାଇଲ ଫୋନ ରପ୍ତାନୀ କରିଥିଲା । ସେତେବେଳେ ପିଏଲଆଇ ଯୋଜନା ନଥିଲା । ତେବେ ଗତ ବର୍ଷ ଏହି ଆମଦାନୀ କମିଯାଇ ୧୧୦ କୋଟି ଡ଼ଲାର ହୋଇଗଲା ଏବଂ ରପ୍ତାନି ବଢିଯାଇ ୧୧୦୦ କୋଟି ଡ଼ଲାର ହୋଇଗଲା । ଚମତ୍କାର ନା ? ଏହାକୁ ପିଏଲଆଇ ଯୋଜନାର ଚମତ୍କାର ବୋଲି କୁହାଯାଉଛି । 

 ତେବେ ଯାହା ରାଷ୍ଟ୍ରବାଦୀ ଅର୍ଥନୀତିଜ୍ଞମାନ ଆପଣଙ୍କୁ କୁହନ୍ତି ନାହିଁ ତାହା ହେଲା, ଏହାକୁ ଚମତ୍କାର ବୋଲି କୁହାଯାଆନ୍ତା ଯଦି ମୋବାଇଲ ତିଆରି ପାଇଁ ଯେଉଁସବୁ ଯନ୍ତ୍ରାଂଶ ଆବଶ୍ୟକ ତାହା ଆମ ଦେଶରେ ଉତ୍ପାଦନ ହେଉଥାନ୍ତା । ନଚେତ୍ ଦେଖାଯିବ ଆମେ ମୋବାଇଲ ଆମଦାନୀ ସିନା କମେଇ ଦେଇଛୁ, କିନ୍ତୁ ମୋବାଇଲ ଯନ୍ତ୍ରାଂଶ ଆମଦାନୀ ବଢାଇ ଦେଇଛୁ । ପ୍ରକୃତରେ ତାହା ହିଁ ହେଉଛି। ଆମ ଦେଶ ମୋବାଇଲ ତିଆରି ପାଇଁ ସେମିକଣ୍ଡକ୍ଟର, ପିସିବିଏ, ଡିସପ୍ଲେ, କ୍ୟାମେରା ଓ ବ୍ୟାଟେରୀ ଇତ୍ୟାଦି ବିଦେଶରୁ ଆମଦାନୀ କରିଥାଏ । ଭାରତରେ  ପିଏଲଆଇ ଲାଭାର୍ଥୀମାନେ ଏହି ସବୁକୁ ଆସେମ୍ଲି କରି ବିଦେଶକୁ ରପ୍ତାନି କରୁଛନ୍ତି । ଖୋଦ୍ ଟେକ୍ନୋଲୋଜି ଓ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ କହିବା ଅନୁସାରେ ଭାରତ ଗତବର୍ଷ ୨୨୦୦ କୋଟି ଡଲାରର  ଏହି ସବୁ ଯନ୍ତ୍ରାଂଶ ଆମଦାନୀ କରିଛି । 

ଅର୍ଥାତ୍ ଆଗରୁ ଉଲ୍ଲେଖ ହୋଇଥିବା ଅନୁଯାୟୀ ଗତ ବର୍ଷ ଆମେ ୧୧୦୦ କୋଟି ଡଲାରର  ମୋବାଇଲ ଫୋନ ରପ୍ତାନି କରିଛୁ ଓ ସେହି ସମୟରେ ୨୨୦୦ କୋଟି ଡଲାରର  ମୋବାଇଲ ଯନ୍ତ୍ରାଂଶ ଆମଦାନୀ କରିଛୁ । ଅବଶ୍ୟ ଆମେ ଯେଉଁ ୨୨୦୦ କୋଟି ଡଲାରର  ଯନ୍ତ୍ରାଂଶ ଆମଦାନୀ କରିଛୁ, ସେଥିରୁ ସବୁଯାକ ଯନ୍ତ୍ରାଂଶ କେବଳ ରପ୍ତାନି ହୋଇଥିବା ମୋବାଇଲରେ ଲାଗି ନଥିବ । ତାହାର କିଛି ଅଂଶ  ଭାରତୀୟ ବଜାରରେ ବିକ୍ରି ହୋଇଥିବା ମୋବାଇଲ ଫୋନରେ ମଧ୍ୟ ଲାଗିଥିବ । ଏଠାରେ କହିବା ମୁସ୍କିଲ ଯେ ଆମଦାନୀ ହୋଇଥିବା ୨୨୦୦ କୋଟି ଡଲାରର  ମୋବାଇଲ ଯନ୍ତ୍ରାଂଶ ମଧ୍ୟରୁ କେତେ ରପ୍ତାନୀ ହୋଇଥିବା ମୋବାଇଲରେ ଲାଗିଛି ଓ କେତେ ଦେଶ ଭିତରେ ବିକ୍ରି ପାଇଁ ଥିବା ମୋବାଇଲରେ ଲାଗିଛି ।‌ ପିଏଲଆଇ ଯୋଜନାର ଲାଭ ପାଇବା ପାଇଁ କମ୍ପାନୀମାନେ ବିଦେଶରୁ ଯନ୍ତ୍ରାଂଶ ଆମଦାନୀ କରି ମୋବାଇଲ ଫୋନ୍  ଉତ୍ପାଦନ ବଢାଇ ଚାଲିଛନ୍ତି ।

ରାହୁଲ ଚୈହାନ, ରୋହିତ ଲାମ୍ବା ଓ ରଘୁରାମ ରାଜନ ସେମାନଙ୍କର ଏକ ବିଶ୍ଳେଷଣରେ ଲେଖିଛନ୍ତି ଯେ ଗତ ବର୍ଷ ଭାରତରେ ମୋବାଇଲର ଚାହିଦାର ବୃଦ୍ଧି ସ୍ତରକୁ  ଲକ୍ଷ କରି କୁହାଯାଇ ପାରିବ ଯେ ଉଭୟ ମୋବାଇଲ ଓ ଏହାର ଯନ୍ତ୍ରାଂଶକୁ ହିସାବକୁ ନେଲେ ଆମର ଆମଦାନୀ-ରପ୍ତାନୀରେ ବିଶେଷ ଫରକ ଆସିନାହିଁ । 

ସୁତରାଂ କାହାଣୀର ସାରକଥା ହେଲା, ଆମେ ପିଏଲଆଇ ଯୋଜନାରେ ଅଧିକ  ମୋବାଇଲ ତିଆରି କରି ତାହାର  ରପ୍ତାନି  ବଢାଇଛୁ   ଓ ତାହାର ଆମଦାନୀ  କମାଇଛୁ ସତ , କିନ୍ତୁ ଆମର ମୋବାଇଲ ଯନ୍ତ୍ରାଂଶ ଆମଦାନୀ ବଢ଼ି ଯାଇଛି । ମୋବାଇଲ ଆମଦାନୀ ପାଇଁ ଆମେ ଡଲାର ଦେଉ ଓ ମୋବାଇଲ ଯନ୍ତ୍ରାଂଶ ଆମଦାନୀ ପାଇଁ ମଧ୍ୟ ଆମେ ଡଲାର ଦେଉ । ତେଣୁ ଗୋଟିଏ ଜିନିଷର ଆମଦାନୀ କମାଇ ସେଥିପାଇଁ ଅନ୍ୟ ଜିନିଷର ଆମଦାନୀ ବଢ଼ାଇବାରେ, ଆର୍ଥିକ ଦୃଷ୍ଟିରୁ ଆପଣ କିଛି ଫରକ ଦେଖିଲେ କି  ? 

କେତେକ କୁହନ୍ତି ଯେ  ପିଏଲଆଇ ଯୋଜନାରେ ୫ ବର୍ଷରେ ଯଦି ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହା କ'ଣ ବେଶି ହୋଇଗଲା ? ଏହା ପାଞ୍ଚ ବର୍ଷରେ ହୋଇଥିବା ଜିଡିପିର ୧%ର 
୧୦% ବି ନୁହେଁ ।‌ ଅବଶ୍ୟ ଏ ଯୁକ୍ତି ଠିକ୍ ହୋଇପାରେ । କିନ୍ତୁ ଏହାର ଅନ୍ୟ ଦିଗକୁ ମଧ୍ୟ ଦେଖିବାକୁ ପଡିବ ।‌

ପିଏଲଆଇ ଯୋଜନା ଅନ୍ତର୍ଗତ ଯେଉଁସବୁ ଉତ୍ପାଦନ ହେଉଛି ସେଗୁଡିକ ପାଇଁ ଆମଦାନୀ ଶୁଳ୍କ ମଧ୍ୟ ଭାରି ମାତ୍ରାରେ ବଢାଇ ଦିଆଯାଇଛି । କେନ୍ଦ୍ର ସରକାର ଗତ କିଛି ବର୍ଷ ହେଲା ମୋବାଇଲ ଫୋନ  ଉପରେ ଆମଦାନୀ ଶୁଳ୍କ ବଢାଇ ଚାଲିଛନ୍ତି । ତା ବାଦ ଫେବୃଆରୀ ୨୦୧୭ରେ ୧୦% ଓ ଫେବୃଆରୀ ୨୦୧୮ରେ ୨୦% ସୀମା ଶୁଳ୍କ ମଧ୍ୟ ଲଗାଇଛନ୍ତି । ଏହା ଦ୍ବାରା ବିଦେଶରୁ ଆସୁଥିବା ମୋବାଇଲ ଫୋନ୍  ଭାରତରେ ମହଙ୍ଗା ହୋଇଛି । ବଜାରର ଖେଳ ଅନୁଯାୟୀ ତା ଦ୍ବାରା ଦେଶରେ ତିଆରି ମୋବାଇଲ ଫୋନ୍ ମଧ୍ୟ ଦେଶ ଭିତରେ ମହଙ୍ଗା ହୋଇଛି । ଉପଭୋକ୍ତା ମୂଲ୍ୟ ସୁଚକାଙ୍କରୁ ଜଣା ପଡ଼ିଛି ଯେ ୨୦୧୫ ମାର୍ଚ୍ଚରୁ  ୨୦୧୯ ମାର୍ଚ୍ଚ ମଧ୍ୟରେ ଭାରତରେ ହାରାହାରି ମୋବାଇଲ ଫୋନ ଦାମ୍ ୭% ବଢ଼ିଥିବା ବେଳେ ୨୦୧୯ ମାର୍ଚ୍ଚରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ଏହାର ଦାମ୍ ୧୮% ବଢ଼ିଛି । ତେଣୁ ପିଏଲଆଇ ଯୋଜନା ଓ ଶୁଳ୍କ ବଢାଇ ଆମଦାନୀ କମାଇବା ଚେଷ୍ଟାରେ ଭାରତୀୟ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । 

ଏଠାରେ ଗୋଟିଏ ମଜାଦାର ଘଟଣା ଉପରେ ଧ୍ୟାନ ଦିଅନ୍ତୁ । ଏହି ଯୋଜନାରେ ସରକାର ଆମ ଟ୍ୟାକ୍ସ୍ ଟଙ୍କାରୁ , ବିନା କୌଣସି ହାୟ ହାଲ୍ଲାରେ, ମୋବାଇଲ ଉତ୍ପାଦନକାରୀ ହିତାଧିକାରୀ କମ୍ପାନୀମାନଙ୍କୁ ତ ଟଙ୍କା ଦେଇ ଚାଲିଛନ୍ତି । ଅନ୍ୟ ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା ମୋବାଇଲ ଦର ବୃଦ୍ଧି ପରେ  ଉପଭୋକ୍ତାମାନେ ଏଥିରେ ଯେଉଁ ଅତିରିକ୍ତ ଟଙ୍କା ଦେଉଛନ୍ତି, ତାହା ସେମାନେ ଅନ୍ୟ ଜିନିଷ କିଣିବାରେ ଖର୍ଚ୍ଚ କରି ପାରିଥାନ୍ତେ, ଯେଉଁ ଜିନିଷର ଉତ୍ପାଦନ ପାଇଁ କୈାଣସି ପିଏଲଆଇ ପ୍ରୋତ୍ସାହନ ନାହିଁ । ତେଣୁ ସେସବୁ ଜିନିଷର ବିକ୍ରି ଓ ଉତ୍ପାଦନରେ ବାଧା ସୃଷ୍ଟି ହେବା ଯୋଗୁଁ ସେସବୁର ଉତ୍ପାଦନ ପାଇଁ ଇନଭେଷ୍ଟମେଣ୍ଟ ଓ ରୋଜଗାର ସୃଷ୍ଟି ମଧ୍ୟ ବାଧାପ୍ରାପ୍ତ ହେଉଛି । 

ତା'ପରେ ? 
 
ବର୍ତମାନ ଚାଲୁଥିବା ଏହି ପିଏଲଆଇ ଯୋଜନା ୨୦୨୫ରେ ସରିବ । ତାପରେ ଯଦି ସରକାର ଏହି ଯୋଜନାର ସମୟ ନ ବଢାନ୍ତି ? ଏ ଯୋଜନା ବନ୍ଦ ହୋଇଯିବା ପରେ ଲାଭିର୍ଥୀମାନେ  ସେମାନଙ୍କର ଉତ୍ପାଦନ ଜାରି ରଖିବେ ତ ? ହୁଏତ ଏହାର ସମୟ ବଢାଇବା ପାଇଁ ବଡ଼ ବଡ଼ ଦୈନିକ ବିଜିନେସ ଖବରକାଗଜରେ ସମ୍ପାଦକୀୟ ଲେଖା ଯିବ । ଆମ ପାଖକୁ ହ୍ବାଟସପ୍ ଫରଓ୍ବାର୍ଡ ଜରିଆରେ ଡାଟା ଆସିବ , ଦେଖ ପିଏଲଆଇ ଯୋଜନା ଯୋଗୁଁ କେମିତି ଅମୁକ ଜିନିଷର ଆମଦାନୀ କମୁଛି ଓ ରପ୍ତାନୀ ବଢୁଛି । ତା ଛଡା ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଏହି ସବୁ କମ୍ପାନୀମାନଙ୍କର ସରକାରୀ ଦଳ ସହିତ ନିବିଡ଼ ସମ୍ପର୍କ ତ ଥିବ । ଚିନ୍ତା କରନ୍ତୁ, ସରକାର ଯଦି ମୋବାଇଲ ବିକ୍ରି ମୂଲ୍ୟର ୬% ଦେଉଛନ୍ତି ଲାଭାର୍ଥୀ କମ୍ପାନୀମାନେ ଉତ୍ପାଦିତ ଜିନିଷର ଗୁଣବତ୍ତାରେ ଉନ୍ନତି ଆଣିବା କିମ୍ବା ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ କାହିଁକି ଚେଷ୍ଟା କରିବେ ?  ୨୦୧୯ ମସିହା ମଧ୍ୟଭାଗରେ ଅଧିକ ଇନଭେଷ୍ଟମେଣ୍ଟ ପାଇଁ  ସରକାର ସେମାନଙ୍କ ପାଇଁ ଦେଇଥିବା ଭାରି ଟିକସ ହ୍ରାସ ଟଙ୍କାକୁ ସେମାନେ ଖାଇଗଲେ , ଏ ପିଏଲଆଇ ଟଙ୍କାକୁ ମଧ୍ୟ ଖାଇଯିବେ । ପିଏଲଆଇ ବନ୍ଦ ତ ଉତ୍ପାଦନ ବନ୍ଦ । 

ଆଜ୍ଞା ଭାରତୀୟ ଖାଦ୍ୟ ନିଗମରୁ  ଉଦବୃତ ଖାଦ୍ୟଶସ୍ୟ କାଢି ୮୦ କୋଟି ଲୋକଙ୍କୁ ତାହା ଦେବାପରେ ଉତ୍ତରପ୍ରଦେଶ ଭଳି ଗରିବ ଓ ଆକାଂକ୍ଷାଶୂନ୍ୟ ରାଜ୍ୟରେ ହିତାଧିକାରୀ ଓ ଲାଭାର୍ଥୀମାନେ ଯେପରି ଭୋଟ ଅଜାଡ଼ି ପକାଇ ଗଣତନ୍ତ୍ର ମଜଭୁତ କରୁଛନ୍ତି, ଏହି ପିଏଲଆଇ ଯୋଜନାର ଲାଭାର୍ଥୀମାନେ ଯେ କେନ୍ଦ୍ରରେ ଥିବା ସରକାରୀ ଦଳକୁ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଗୁପ୍ତଚାନ୍ଦା ଦେଇ ଗଣତନ୍ତ୍ରକୁ ମଜବୁତ୍ କରୁ ନଥିବେ ସେକଥା କିଏ କହିବ ? ଆମେ ପରା ପ୍ରଧାନମନ୍ତ୍ରୀଙ୍କ ଭାଷାରେ ମଦର୍ ଅଫ୍ ଡେମୋକ୍ରାସି ? ଅବଶ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଆମେରିକା ଗସ୍ତ ସମୟରେ ୮୦ କୋଟି ଲାଭାର୍ଥୀମାନଙ୍କ ବିଷୟରେ କିଛି କହି ନାହାନ୍ତି । 

ଟ୍ରିଲିଅନ୍  ମାନସାଙ୍କ 

ଲେଖାଟି ଶେଷ କରିବା ପୁର୍ବରୁ ଚାଲନ୍ତୁ ଗୋଟିଏ ଛୋଟିଆ ମାନସାଙ୍କ ପ୍ରଶ୍ନ ଉପରେ ଧ୍ୟାନ ଦେବା । ଆମ ଓଡ଼ିଆ ଟିଭି ଚ୍ୟାନେଲରେ ମଧ୍ୟ ଆଜିକାଲି ଅନେକ ରାଷ୍ଟ୍ରବାଦୀ  ବିଶେଷଜ୍ଞମାନେ ଏହି କଥା କହିଲେଣି । 

ଭାରତ ଖୁବ୍ ଶୀଘ୍ର ୫ ଟ୍ରିଲିଅନ୍ ଡଲାର ଅର୍ଥନିତୀ ହେବାକୁ ଯାଉଛି । ବର୍ତମାନ ଜିଡିପିରେ ଭାରତ ବିଶ୍ଵରେ ପଞ୍ଚମ ସ୍ଥାନରେ ଅଛି । ୨୦୨୪ରେ ଭାରତର ୫ ଟ୍ରିଲିଅନ ଜିଡିପି  ହେବା ବେଳକୁ ଭାରତ ତୃତୀୟ ସ୍ଥାନକୁ ଚାଲି ଯାଇଥିବ । ଆପଣ ଏହା ଅନେକ ଥର ଶୁଣିଥିବେ ଓ ପଢିଥିବେ । ଆଶ୍ଚର୍ଯ୍ୟ ଲାଗୁଛି ଯେ ଫାଇଭ୍ ଟ୍ରିଲିଅନ୍ ଇକୋନୋମିର ଏକ ମୋବାଇଲ କଲରଟ୍ୟୁନ୍ ଏପର୍ଯ୍ୟନ୍ତ କାହିଁକି ବାହାରି ନାହିଁ ।

ପାଠକେ । ସିଙ୍ଗାପୁର ଜିଡିପିରେ ବିଶ୍ବର ୩୦ ତମ ସ୍ଥାନରେ ଅଛି । ତା‌ହେଲେ କ'ଣ ସିଙ୍ଗାପୁର ଭାରତ ଠାରୁ ଗରିବ ଦେଶ ? 

ମନେ ରଖନ୍ତୁ, ସିଙ୍ଗାପୁର ମୁଣ୍ଡପିଛା ଜିଡିପିରେ ବିଶ୍ବର ୧୧ତମ ସ୍ଥାନରେ ଥିବା ବେଳେ ଭାରତ ୧୫୮ ତମ ସ୍ଥାନରେ ଅଛି ।