ଇରାନ: ଛାତ୍ରୀଙ୍କ ଉପରେ ବିଷାକ୍ତ ଗ୍ୟାସ୍ ପ୍ରୟୋଗ ଅଭିଯୋଗ

ଇରାନ: ଛାତ୍ରୀଙ୍କ ଉପରେ ବିଷାକ୍ତ ଗ୍ୟାସ୍ ପ୍ରୟୋଗ ଅଭିଯୋଗ

ଆଗାମୀ ୮ ତାରିଖ ଦିନ ଆମେ ମାନେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସଭ୍ୟ ସମାଜକୁ ଚକିତ କରି ଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ତାହା ହେଉଛି, ଇରାନର ଅନେକ ଗୁଡ଼ିଏ ବାଳିକା ବିଦ୍ୟାଳୟରେ ବିଷାକ୍ତ ଗ୍ୟାସ୍ ର ପ୍ରୟୋଗ। ଏଇ ବୁଧବାର ସାରା ଇରାନର ପ୍ରାୟ ୨୬ଟି ସ୍କୁଲ୍ ରେ ଏଭଳି ଆକ୍ରମଣ ହୋଇଥିଲା। ସେଦିନ ଶ୍ବାସକ୍ରିୟାରେ କଷ୍ଟ ତଥା ମୁଣ୍ଡ ବୁଲାଇ ଦେଉଥିବା ଭଳି ସମସ୍ୟା ନେଇ ଅନେକ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବହୁ ଜଣ ପ୍ରଥମେ ପଚା ମାଛ ଭଳି ଗନ୍ଧ ଚାରିଆଡ଼େ ଭରିଯିବା ପରେ ସେମାନଙ୍କ ମୁଣ୍ଡ ବୁଲାଇ ଦେଉଥିବା ତଥା ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା ଦେଖା ଯାଉଥିବା କହିଛନ୍ତି।

ସେମାନଙ୍କ ମଧ୍ୟରୁ ଅନେକଙ୍କ ଚେହେରା ଲାଲ୍ ପଡିଯିବା ସହ କାଶ କାଶ ମଧ୍ୟ ହୋଇଥିଲା। ଅଭିଭାବକ ମାନଙ୍କ ଅଭିଯୋଗ ହେଉଛି, ଏଭଳି ଆକ୍ରମଣ ଗତ ବର୍ଷ ନଭେମ୍ବର ମାସରୁ ଚାଲୁ ରହିଛି। ତେବେ ଗତ ସପ୍ତାହରୁ ଏଭଳି ଆକ୍ରମଣ ବ୍ୟାପକ ହୋଇଛି।‌ ଏପର୍ଯ୍ୟନ୍ତ ଏଭଳି ଘଟଣାରେ ୧୨୦୦ ଛାତ୍ରୀଙ୍କୁ ଏଭଳି ଟାର୍ଗେଟ୍ କରାଯାଇଥିବା କୁହାଯାଉଛି। ଇରାନ ସରକାର ଘଟଣାର ଯାଞ୍ଚ୍ କରାଯିବ ବୋଲି କହିଥିଲେ ମଧ୍ୟ ଏଯାଏ କୌଣସି ଗିରଫଦାରୀ ହୋଇନାହିଁ। ଘଟଣାକୁ ନେଇ ଆମେରିକା ମଧ୍ୟ ଚିନ୍ତା ବ୍ୟକ୍ତ କରିଛି। ସମ୍ପୃକ୍ତ ଛାତ୍ରୀ ମାନେ ସରକାର ବିରୋଧୀ 'ହିଜାବ୍' ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କ ଉପରେ ଏଭଳି ପ୍ରତିଶୋଧମୂଳକ ପଦକ୍ଷେପ ନିଆଯାଉଥିବା ବହୁ ସଂଖ୍ୟକ ଇରାନବାସୀ ଆଶଙ୍କା କରୁଛନ୍ତି। ଏହାକୁ ନେଇ ଇରାନବାସୀଙ୍କ ମଧ୍ୟରେ କ୍ରୋଧ ଓ ହତାଶାବୋଧ ବୃଦ୍ଧି ପାଇବାରେ ଲାଗିଛି। ସେମାନେ କହିବା କଥା ହେଲା, ଅଧିକାରୀ ମାନେ ଏସବୁ ଘଟଣାରେ କେଉଁ ଗ୍ୟାସ୍ ପ୍ରୟୋଗ କରାଯାଉଛି ସେ ନେଇ ନିଜର ଅଜ୍ଞତା ପ୍ରକାଶ କରିବା ଆଦୋୖ ବିଶ୍ବାସଯୋଗ୍ୟ ନୁହେଁ। ହତାଶ ଲୋକଙ୍କର ସରକାରଙ୍କ ଠାରୁ ଏ ସମସ୍ୟାର ସମାଧାନ ନେଇ ବିଶେଷ ଆଶା ନାହିଁ। ସେମାନେ କେବଳ ବିକଳରେ ଚିତ୍କାର କରି ଏତିକି ସ୍ଳୋଗାନ ଦେଉଛନ୍ତି ଯେ, ପିଲା ମାନଙ୍କୁ ମାରୁଥିବା ସରକାର ବେଶି ଦିନ ତିଷ୍ଠି ରହିବ ନାହିଁ।

 ଯଦି କୌଣସି ଦେଶର ଶାସନ ଗାଦିକୁ ଏକଛତ୍ରବାଦୀ ଓ ଅହଙ୍କାରୀ ସତ୍ତା ହାତରେ ଅର୍ପଣ କରିଦିଆଯାଏ, ତା'ର ପରିଣତି ଯେ କେତେ ଭୟଙ୍କର ହୋଇପାରେ, ଇରାନର ବିଭିନ୍ନ ଡାକ୍ତରଖାନା ୱାର୍ଡରେ ଭର୍ତ୍ତି ହୋଇଥିବା ଛାତ୍ରୀ ମାନଙ୍କ କଷ୍ଟ ପ୍ରମାଣିତ କରିଛି।