ବିବିସିର ବୃତ୍ତଚିତ୍ର ଓ ଆମର ସତ୍ୟ ଜାଣିବାର ଅଧିକାର
Banning a BBC documentary on Modi's role in 2002 Gujarat riot is anti democratic
ବିବିସି ବା ଇଂଲଣ୍ଡ ସରକାରଙ୍କ ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଙ୍ଗ କର୍ପୋରେସନ ଗତ ଶହେରୁ ଅଧିକ ବର୍ଷ ଧରି ପୃଥିବୀର ଗଣମାଧ୍ୟମ ଇତିହାସରେ ଏକ ମାନକ ପ୍ରତିଷ୍ଠା କରିଛି । ପୃଥିବୀର ଏମିତି କିଛି ଘଟଣା ଘଟେନାହିଁ ଯାହାର ଖବର ବିବିସିକୁ ଜଣାନଥିବ । ଏକ ପେଷାଦାର, ନିରପେକ୍ଷ ଏବଂ ସ୍ଵଚ୍ଛ ଗଣମାଧ୍ୟମ ଭାବରେ ବିବିସିର ସୁନାମ ରହିଛି । ବ୍ରିଟିଶ ରାଜ ଦ୍ଵାରା ସ୍ଥାପିତ ଏବଂ ବ୍ରିଟିଶ ସଂସଦ ଦ୍ଵାରା ପ୍ରତିପାଳିତ ବିବିସି କିନ୍ତୁ କେବେହେଲେ ବ୍ରିଟିଶ ସରକାରଙ୍କ ନିୟନ୍ତ୍ରଣରେ କାମ କରିନାହିଁ । ଅନେକାଂଶରେ ବ୍ରିଟିଶ ସରକାର, ଏପରିକି ରାଜ ପରିବାରକୁ ମଧ୍ୟ କଠୋର ସମାଲୋଚନା କରିବାକୁ ବିବିସି କେବେହେଲେ ପଛଘୁଞ୍ଚା ଦେଇନାହିଁ । ଭାରତରେ ଆମେ ଯେଉଁମାନେ ଆକାଶବାଣୀ ଓ ଦୂରଦର୍ଶନ ଦେଖିଛୁ, ଆମ ଲାଗି ବିବିସି ଏକ ବ୍ୟତିକ୍ରମ । ଆଜିର ତାରଖରେ ପ୍ରାୟ ସରକାରୀ ଓ ବେସରକାରୀ ସବୁ ଭାରତୀୟ ଗଣମାଧ୍ୟମ ସଂସ୍ଥା ସରକାରର (ଅଳ୍ପ କିଛି ବ୍ୟତିକ୍ରମ ଅବଶ୍ୟ ଅଛନ୍ତି) ବୋଲକରା ଭାବରେ କାମ କରୁଥିବା ବେଳେ ହଠାତ ବିବିସିର ସାମ୍ବାଦିକତା ଉପରେ ଭାରତ ସରକାର କ୍ରୋଧିତ ହେବା ଏବଂ ସରକାରଙ୍କ ବୋଲକରା ସାମ୍ବାଦିକମାନେ ବିବିସି ବିରୋଧରେ ବିଷୋଦଗାର କରିବା, ଆମ ସମୟର ସବୁଠୁ ବଡ ହାସ୍ୟାସ୍ପଦ ଘଟଣା ବୋଲି କୁହାଯାଇପାରେ ।
ବିବିସି ବିଷୟରେ ଆଲୋଚନା ଆଜି ଜରୁରୀ ଏଇଥିପାଇଁ ଯେ ଏହି ସଂସ୍ଥା ଦ୍ଵାରା ପ୍ରସ୍ତୁତ ଦୁଇ ଭାଗରେ ପ୍ରସ୍ତୁତ ହୋଇଥିବା ଏକ ବୃତ୍ତଚିତ୍ର “ଇଣ୍ଡିଆ; ଦ ମୋଦୀ କୋଶ୍ଚେନ”କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ହୋଇଥିବା ପାତର ଅନ୍ତର ଓ ସେମାନଙ୍କ ପ୍ରତି ବଢି ଚାଲିଥିବା ହିଂସାର ବିସ୍ତ୍ରୁତ ବିବରଣୀ ଏଥିରେ ସ୍ଥାନିତ ହୋଇଛି । ୨୦୦୨ ମସିହାରେ ଗୁଜରାଟରେ ଘଟିଥିବା ନିର୍ମମ ଗୁଜରାଟ ଦଙ୍ଗାର ଭୟଙ୍କର ସ୍ମୃତି ଏହି ବୃତ୍ତଚିତ୍ରରେ ପୁଣିଥରେ ତାଜା ହୋଇଛି । ଗୋଧରା କାଣ୍ଡ ପରବର୍ତ୍ତୀ ମୁସଲମାନ ନରସଂହାର ଘଟଣାକୁ ରୋକିବାରେ ସେତେବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ନରେନ୍ଦ୍ର ମୋଦୀ ଯେ ବିଫଳ ହୋଇଥିଲେ, ଏହା ଇତିହାସର ଅଲିଭା ସତ୍ୟ । ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ସତ୍ୟକୁ ଲୋକେ ପାଶୋରି ଦେଇଛନ୍ତି ବୋଲି ଭାବୁଛନ୍ତି । ବିବିସିର ଏହି ବୃତ୍ତଚିତ୍ର ସେ ସମୟର ନିର୍ମମ ସତ୍ୟକୁ ଉଜାଗର କରିଛି । ଗୁଜରାଟ ଦଙ୍ଗା ସହିତ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ସାରା ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ବିଭିନ୍ନ ମାଧ୍ୟମରେ ନିର୍ଯାତନା ବଢିଛି । ଗୋରକ୍ଷା ନାମରେ ଅନେକ ଲୋକଙ୍କୁ ବିଚ ବଜାରରେ ପିଟି ପିଟି ମାରି ଦିଆଯାଇଛି । ମୁସଲମାନ ବହୁଳ ଜାମ୍ମୁ ଓ କାଶ୍ମୀର ରାଜ୍ୟରୁ କେବଳ ଧାରା ୩୭୦ ଉଚ୍ଛେଦ କରାଯାଇନି, ଏହି ରାଜ୍ୟର ସବୁପ୍ରକାର ଗଣତାନ୍ତ୍ରିକ ଅଧିକାର ଛଡାଇ ନିଆଯାଇଛି । ନୂଆ ନାଗରିକ ଆଇନ ବିରୋଧରେ ଦେଶରେ ହୋଇଥିବା ଆନ୍ଦୋଳନକୁ ହିଂସ୍ର ଭାବରେ ଦମନ କରାଯାଇଛି ।
ଏସବୁ ଅସତ୍ୟ ବୋଲି କେହି କହିପାରିବେ ନାହିଁ । ଊଣା ଅଧିକେ ଏ ବିଷୟରେ ଭାରତର ଗଣମାଧ୍ୟମ ମଧ୍ୟ ଲେଖିଛନ୍ତି ବା କହିଛନ୍ତି । ଏ ପ୍ରସଙ୍ଗ ବିବିସି କହିଲା ପରେ ହଠାତ ଏହାକୁ ନେଇ ମୋଦୀ ସରକାର ଅସୁରକ୍ଷିତ ହେବାର କାରଣ କଣ ? ଏହି ବୃତ୍ତଚିତ୍ରକୁ ସୋସିଆଲ ମିଡିଆ ଏବଂ ଇଣ୍ଟର୍ନେଟରେ ନିଷିଦ୍ଧ କରି ଭାରତ ସରକାର ନିଜର ଅଗଣତାନ୍ତ୍ରିକ ସ୍ଵେଚ୍ଚାଚାରକୁ ନିଜେ ପ୍ରମାଣପତ୍ର ଦେଇଛନ୍ତି । ପୃଥିବୀର ବୃହତ୍ତମ ଗଣତନ୍ତ୍ର ଓ ନିଜକୁ ଗଣତନ୍ତ୍ରର ଜନନୀ ବୋଲି ଦାବୀ କରୁଥିବା ଭାରତ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସଭ୍ୟ ସମାଲୋଚନାକୁ ଯଦି ବରଦାସ୍ତ କରିପାରୁନି, ତେବେ ଏହା ସ୍ଵାଭାବିକ ଭାବରେ ବିବିସି ଯାହା କହିଛି ତାକୁ ସତ୍ୟ ବୋଲି ପରୋକ୍ଷରେ ସ୍ଵୀକାର କରୁଛି । ବିବିସିର ଏହି ବୃତ୍ତଚିତ୍ର ଭାରତ ବିରୋଧୀ ଅପପ୍ରଚାର, ଏକପାଖିଆ ଏବଂ ଉପନିବେଶବାଦୀ ମାନସିକତାର ପ୍ରତିଫଳନ ବୋଲି ମୋଦୀ ସରକାର କହିଛନ୍ତି । ତେବେ ଏହା ପ୍ରଚାର କି ଅପପ୍ରଚାର ତାହା ନଦେଖି କେମିତି ମାନି ନିଆଯିବ ? ଗଣତନ୍ତ୍ରରେ ଲୋକ କଣ ଦେଖିବେ ସେ ନିଷ୍ପତ୍ତି ସରକାରଙ୍କ ଉପରେ କେହି ଛାଡି ଦିଅନ୍ତି ନାହିଁ । ସତ୍ୟ ବା ଅସତ୍ୟର ନିର୍ଣ୍ଣାୟକ ବୋଲି ସରକାର ନିଜକୁ ଦାବୀ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହାରାଜା ନୁହନ୍ତି । ତାଙ୍କୁ ତଥ୍ୟମୂଳକ ସମାଲୋଚନା କରିବାର ଅଧିକାର ଯେ କୌଣସି ଗଣମାଧ୍ୟମ ସଂସ୍ଥାର ରହିଛି ।
ଏହି ବୃତ୍ତଚିତ୍ର ଏକପାଖିଆ ବୋଲି ଭାରତ ସରକାର ଯାହା କହିଛନ୍ତି, ତାହା ଡାହା ମିଛ । ଏଥିରେ ବିଜେପି ନେତା ସ୍ବପନ ଦାସ ଗୁପ୍ତ, ସୁବ୍ରମଣ୍ୟମ ସ୍ଵାମୀ ଏବଂ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ଜଣେ ସଂଘ ସପକ୍ଷବାଦୀ ପ୍ରଫେସରଙ୍କ ମନ୍ତବ୍ୟକୁ ବାରମ୍ବାର ସ୍ଥାନିତ କରାଯାଇଛି ଓ ସେମାନେ ମୋଦୀ ସରକାର ସପକ୍ଷରେ ନିଜର ଯଥାସାଧ୍ୟ ଯୁକ୍ତି ବାଢିଛନ୍ତି । ତେଣୁ ଏହା ଆଡୁ ଏକପାଖିଆ ନୁହେଁ । ବିବିସିର ଇତିହାସ କଦାପି ଉପନିବେଶବାଦୀ ନଥିଲା । ଏହା ଅନେକ ସମୟରେ ଉପନିବେଶବାଦକୁ ଦୃଢ ସମାଲୋଚନା କରି କାର୍ଯକ୍ରମ ପ୍ରସ୍ତୁତ କରିଛି । ଅନେକ ସମୟରେ ଭାରତରେ ଦୁର୍ଭିକ୍ଷ ଏବଂ ଶୋଷଣ ଲାଗି ବିବିସି ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲଙ୍କୁ କଠୋର ସମାଲୋଚନା ମଧ୍ୟ କରିଛି । ଭାରତ ସରକାର ବୋଧେ ବିବିସିକୁ ଆମର ଆକାଶବାଣୀ ଓ ଦୂରଦର୍ଶନ ବୋଲି ଭାବୁଛନ୍ତି । ବିବିସି ସ୍ଵାଧୀନତା ଦୃଷ୍ଟିରୁ ଅତ୍ୟନ୍ତ ସ୍ଵାଧୀନ ଓ ଏହାର ନିରପେକ୍ଷତା ଗଣମାଧ୍ୟମ ସ୍ଵାଧୀନତାର ଇତିହାସରେ ଏକ ମାନକ ।
ବିବିସିର ବୃତ୍ତଚିତ୍ରକୁ ଭାରତରେ ନିଷିଦ୍ଧ କରି ମୋଦୀ ସରକାର ନିଜର ସ୍ଵେଚ୍ଛାଚାରୀ ମନୋବୃତ୍ତିକୁ ନିଜେ ପ୍ରମାଣିତ କରିଛନ୍ତି ଓ ଏହି ସ୍ଵେଚ୍ଛାଚାର ବିରୋଧରେ ଆଜି ସାରା ଦେଶର ଯୁବକ ଯୁବତୀ ଏକତ୍ରୀତ ହୋଇ ଏହି ସିନେମା ଦେଖିବାକୁ ରାଜରାସ୍ତାରେ ସଂଘର୍ଷ କରୁଛନ୍ତି ।