ଗରିବର ପିଠି ଉପରେ ଦୁର୍ବଳ ଟଙ୍କାର ଭୟଙ୍କର ଚାବୁକ
ଆଜିକାଲି ପ୍ରତିଦିନ ଆପଣ ଦେଖୁଥିବେ ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୬ ମାସ ଭିତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୭% ହ୍ରାସ ପାଇଛି । ଏକ ଦୁର୍ବଳ ଅର୍ଥନୀତି ପାଇଁ ଏତିକି ସୂଚନା ଭୂମିକମ୍ପ ଭଳି ଲାଗିବା କଥା । ଭାରତରେ ଯେହେତୁ ଅର୍ଥନୀତିକୁ ନେଇ ଆମର ଚର୍ଚ୍ଚା ଅତ୍ୟନ୍ତ ସୀମିତ ସେଥିରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନକୁ ନେଇ ଗଣମାଧ୍ୟମରେ ସେତେ ବେଶୀ ଚର୍ଚ୍ଚା ହେଉନି । ୨୦୧୪ ପୂର୍ବରୁ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଟଙ୍କାର ଅବମୂଲ୍ୟାୟନକୁ କଠୋର ସମାଲୋଚନା କରାଯାଉଥିଲା । ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସାରା ବୁଲି ବୁଲି ଟଙ୍କାର ଅବମୂଲ୍ୟାୟନ ଲାଗି ମନମୋହନ ସିଂ ଙ୍କୁ ଅପାରଗ ବୋଲି କହୁଥିଲେ । ସେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୫୫ଟଙ୍କା ରହିଥିଲା ।
୨୦୧୩ ବେଳକୁ ଦେଶରେ ମୁଦ୍ରାସ୍ଫୀତି ୬% ହେବା ଫଳରେ ଦେଶରେ ଦରଦାମ ବଢିବା ଆରମ୍ଭ କରିଥିଲା ଓ ଏହାକୁ ନେଇ ସେତେବେଳେ ବିଜେପି ତରଫରୁ “ବହୁତ ହୁଇ ମେହେଙ୍ଗାଇ କି ମାର” ଅଭିଯାନ ଲୋକଙ୍କ ମନରେ ବେଶ ପ୍ରଭାବ ପକାଇଥିଲା । |
୨୦୧୪ ତୁଳନାରେ ଆଜିର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ୨୦୧୩ର ମୁଦ୍ରାସ୍ଫୀତି ହାର ୬% ୨୦୧୪ ବେଳକୁ ୩.୪% କୁ ଖସି ଆସିଥିଲା । ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ସମୟପୋଗୀ ପଦକ୍ଷେପ ଫଳରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରା ଯାଇପାରିଥିଲା । ସେତେବେଳର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଅର୍ଥନୀତିର ସବୁଠୁ ବଡ ଆବଶ୍ୟକତା ବୋଲି ବୁଝିଥିଲେ । ସେଦିନ ତୁଳନାରେ ଆଜିର ସ୍ଥିତି ଅଧିକ ଜଟିଳ ଓ ଦୁର୍ବଳ । କୋଭିଡ ସଙ୍କଟ ପରଠୁ ଦେଶର ମୁଦ୍ରାସ୍ଫୀତି ବଢି ଚାଲିଛି। ସରଳ ଭାବରେ କହିଲେ ଆମ ଖର୍ଚ୍ଚ ବହୁତ ଅଧିକ, କିନ୍ତୁ ଆୟର ପରିମାଣ କମି କମି ଚାଲିଛି । ସାଧାରଣ ଜନତା ଅର୍ଥନୀତିର ଏ ସବୁ ଜଟିଳ ସୂତ୍ର ବୁଝିପାରିବ ନାଇଁ ।ଅତି ସ୍ପଷ୍ଟ ଭାବରେ କହିଲେ ଦେଶରେ ଦଳର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାର ଅର୍ଥ ହେଉଛି ଆମ ପକେଟରୁ ପ୍ରତିଦିନ ଅଧିକରୁ ଅଧିକ ଟଙ୍କା ଖସିଯିବ । ବଜାରରେ ସବୁ ପ୍ରକାର ଜିନିଷର ଦାମ ବଢିଯିବ ।
ଆମେ ପ୍ରାୟତଃ ଆମଦାନୀ ଉପରେ ନିର୍ଭରଶୀଳ ଏକ ଦେଶ । ପେଟ୍ରୋଲିୟମ ଠୁ ଖାଇବା ତେଲ, ସବୁକିଛି ଆମେ ବିଦେଶରୁ ଆମଦାନୀ କରୁଛୁ । ଆମଦାନୀ କରିବା ଲାଗି ଆମେ ଆମେରିକୀୟ ଡଲାର ଦେଉଛୁ ଓ ତାକୁ ଦେଶରେ ଟଙ୍କାରେ ବିକୁଛୁ । ସ୍ଵାଭାବିକ ଭାବରେ ଡଲାରର ମୂଲ୍ୟ ଅଧିକ ଥିବାରୁ ଆମକୁ ଅଧିକ ମୁଦ୍ରା ଦେବାକୁ ପଡୁଛି ଓ ତାର ଚାପ ଆମ ଲୋକଙ୍କ ଉପରେ ପଡୁଛି । ଗତ କିଛଦିନ ହେଲାଣି ଆମର ମୁଦ୍ରାସ୍ଫୀତି ୭% ରୁ ଅଧିକ ରହୁଛି । ଏ ସ୍ଥିତି ଅନ୍ତତଃ ସୁଧୁରିବାର ସମ୍ଭାବନା ନାଇଁ ବୋଲି ରିଜର୍ଭ ବ୍ୟାଙ୍କ କହିସାରିଛି । ଆହୁରି କିଛି ମାସ ସାଧାରଣ ଜନତାଙ୍କ ଉପରେ ଦରଦାମର ମାଡ ବଢି ଚାଲିବ । ଖାଲି ସେତିକି ନୁହେଁ, କେନ୍ଦ୍ର ସରକାର ଚାଉଳ ଓ ଅଟା ଭଳି ଅତ୍ୟାବଶ୍ୟକ ଖାଦ୍ୟପଦାର୍ଥ ଉପରେ ଜିଏସଟି ବସାଇଥିବାରୁ ସ୍ଥିତି ଅଧିକ ଉତ୍କଟ ହେବ ।
ଅନ୍ୟ ସମୟ ହୋଇଥିଲେ ମୁଦ୍ରାସ୍ଫୀତିର କିଛିଟା ଲାଭ ରପ୍ତାନୀ କ୍ଷେତ୍ରରୁ ମିଳିଥାଏ । ଆମଦାନୀ ପାଇଁ ଆମକୁ ଅଧିକ ପଇସା ଗଣିବାକୁ ପଡୁଥିବା ବେଳେ ରପ୍ତାନୀରୁ ଅଧିକ ଲାଭ ଉଠିଯାଏ । ୟୁକ୍ରେନ ଯୁଦ୍ଧ ପରଠୁ ଭାରତର ରପ୍ତାନୀ ସ୍ଥିତି ମଧ୍ୟ ବେଶ ଦୁର୍ବଳ । ଏହା ସହିତ ଦେଶରେ ବିଦେଶୀ ପୁଞ୍ଜିଲଗାଣ ମଧ୍ୟ କମୁଛି । ଇତି ମଧ୍ୟରେ ୨୮.୪ ନିୟୁତ ଡଲାରର ପୁଞ୍ଜି ଦେଶରୁ ପ୍ରତ୍ୟାହୃତ ହୋଇଛି । ରପ୍ତାନୀ ନାଇଁ, ଆମଦାନୀ ଅଧିକ, ପୁଞ୍ଜି ଲଗାଣ କମ ଏବଂ ବିଦେଶୀ ବଜାରରେ ପେଟ୍ରୋଲିୟମ ଦର ବଢୁଥିବାରୁ- ଦେଶର ଅର୍ଥନୈତିକ ମେରୁଦଣ୍ଡ ଦୁର୍ବଳ ସ୍ଥିତିରେ ରହିଛି ।
ଦେଶର ଅର୍ଥନୀତି ଦୁର୍ବଳ ହେଲେ ଏହାର ପରିଣତିରେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବା ସହଜ ହୋଇଯାଏ । ଏ କଥା କହିଲେ କିଛି ଲୋକ ଅବିଶ୍ଵାସ କରିଥାନ୍ତି । ଆମକୁ ମାନେ ରଖିବାକୁ ପଡିବ ଯେ ଜୁଲାଇ ୨୦୨୧ ବେଳକୁ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ହାର ୫.୭% ରହିଥିଲା । ବର୍ଷେ ଭିତରେ ଏହା ୫୪.୬%ରେ ପହଞ୍ଚି ଯାଇଛି । ଭାରତରେ ଗତ ୬ ମାସ ହେଲା ମୁଦ୍ରାସ୍ଫୀତି ୬% ରୁ ଅଧିକ ରହୁଛି । ଗତ ୩୩ ମାସ ଧରି ଆମର ମୁଦ୍ରାସ୍ଫୀତି ହାର ୪% ରୁ ଅଧିକ ।ଏଥିରୁ ଗୋଟିଏ ସଙ୍କଟ ସ୍ପଷ୍ଟ ଯେ ଆମ ଅର୍ଥନୈତିକ ସ୍ଵାସ୍ଥ୍ୟାବସ୍ଥା ଆଦୌ ଭଲ ନାଇଁ । ତାରି ଭିତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୦+ ରେ ପହଞ୍ଚି ସାରିଛି । ଏହି ପରିସ୍ଥିତି ଜାରି ରହିଲେ ଯଥାଶୀଘ୍ର ଆମ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୧୦୦ରେ ଯଥାଶୀଘ୍ର ପହଞ୍ଚିବ । ସେହି ସ୍ଥିତିରେ ଆମର ଆର୍ଥିକ ସ୍ଥିତି ଯେ ଦୁର୍ବଳତାର ହେବ, ତାହା ଅତ୍ୟନ୍ତ ସ୍ପଷ୍ଟ । ହୁଏତ ଆଉ କିଛି ଦିନ ପରେ କିଣି ଖାଇବାର ସାଧାରଣ ଯୋଗ୍ୟତା ଗରୀବ ଲୋକ ପାଖରେ ଆଉ ନଥିବ ।