ବିଦେଶ ନୀତି ନା ବିଜେପିର ପ୍ରଚାର ନୀତି?

ବିଦେଶ ନୀତି ନା ବିଜେପିର ପ୍ରଚାର ନୀତି?

ଯେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ନିର୍ବାଚନ ହାରନ୍ତି, ତା' ପରବର୍ତ୍ତୀ ପ୍ରଥମ ପଦକ୍ଷେପ ଭାବରେ ସେ ବିଦେଶ ଗସ୍ତରେ ଯାଆନ୍ତି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାକୁ ଡାକି ବିଶାଳ ସମାବେଶର ଆୟୋଜନ କରାଯାଏ। ଦେଶ ଛାଡି ବିଦେଶରେ ରହୁଥିବା ଏହି ପ୍ରବାସୀ ମାନେ ଦେଶପ୍ରେମର ଉଦାହରଣ ପ୍ରସ୍ତୁତ କରିବାକୁ ଯାଇ ମୋଦୀ....ମୋଦୀ... ବୋଲି ଚିତ୍କାର କରନ୍ତି। ତାକୁ ଦେଖାଇ ଭାରତର ଟେଲିଭିଜନ ଚ୍ୟାନେଲ ସବୁ ଗଳା ଫଟାଇ ଚିତ୍କାର କରନ୍ତି - ଦେଖନ୍ତୁ, ମୋଦୀଙ୍କ ଲୋକପ୍ରିୟତା କେତେ!! ଏ ସବୁ ଆୟୋଜନ ପ୍ରାୟୋଜିତ ଓ ଏହା ପଛରେ ନରେନ୍ଦ୍ର ମୋଦୀଙ୍କ ମଳିନ ପଡି ଆସୁଥିବା ଭାବମୂର୍ତ୍ତି ଚମକାଇବାକୁ ମୋଟା ଅଙ୍କର ଅର୍ଥ ବିନିଯୋଗ ହୋଇଥାଏ। ବିଦେଶରେ ଏହି ସବୁ ଆୟୋଜନ କରୁଥିବା ସଂସ୍ଥାଗୁଡିକ ପ୍ରାୟତଃ ବିଜେପି ଓ ଆରଏସଏସର ସହଯୋଗୀ। ବିଦେଶରେ ଏ ପ୍ରକାର ଆୟୋଜନ ଦେଶର ଲାଭ ପରିବର୍ତ୍ତେ କେବଳ ମୋଦୀ ପ୍ରଚାରର ମାଧ୍ୟମ ପାଲଟିଛି।


ପୂର୍ବରୁ ଦେଶର ବିଦେଶ ନୀତି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଧାରିତ ଥିଲା। ଏବେ ଏହା କେବଳ ପ୍ରବାସୀ ଭାରତୀୟଙ୍କ ମହୋତ୍ସବ ଭିତରେ ସୀମିତ ରହିଛି। କୌଣସି ଦେଶକୁ ଭାରତର ପ୍ରଧାନମନ୍ତ୍ରୀ ଗସ୍ତ କଲେ ତାର ସଫଳତା ନିର୍ଭର କରୁଥିଲା ଆମର ଚୁକ୍ତିନାମା ଓ ବ୍ୟାବସାୟିକ ସମ୍ପର୍କକୁ ନେଇ। ଏବେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ନିଜ ମହାନତାର ପ୍ରମାଣପତ୍ର ସଂଗ୍ରହ କରିବାର ନୂଆ ମାଧ୍ୟମ ପାଲଟିଛି। ଜଣେ ଦେଶର ରାଷ୍ଟ୍ର ମୁଖ୍ୟ ଆଉ ଜଣେ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ପ୍ରଶଂସା କରିବା ଏକ କୁଟନୈତିକ କୌଶଳ। ଏ ପ୍ରକାର ପ୍ରଶଂସାକୁ ମୋଦୀ ନିଜ ମହାନତାର ପ୍ରମାଣପତ୍ର ଭାବରେ ବ୍ୟବହାର କରୁଛନ୍ତି।

ଅଷ୍ଟ୍ରେଲିଆ, ଜାପାନ ଓ ପପୁଆ ନିଉ ଗିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ଼ ସଫଳତା ହେଉଛି -
୧-ଜୋ ବିଡେନ ତାଙ୍କର କୁଆଡେ ଅଟୋଗ୍ରାଫ୍ ମାଗିଲେ।
୨-ପପୁଆ ନିଉ ଗିନିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପାଦ ଛୁଇଁଲେ।
୩- ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବସ୍ ବୋଲି କହିଲେ।

ବାସ୍, ଆମ ବିଦେଶ ନୀତିର ସଫଳତା ହେଉଛି ଏତିକି ମାତ୍ର

ଭାରତୀୟ ସାମ୍ବାଦିକତାର ବିଦେଶନୀତି ଏବେ କେବଳ ନେତାଙ୍କ ସ୍ତବଗାନ ଭିତରେ ସୀମିତ ରହିଛି । ଋଷ ଏବଂ ଯୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ଭୂମିକାକୁ ନେଇ ଆନ୍ତର୍ଜାତିକ ଗଣମାଧ୍ୟମ ଏହି ସମୟ ଭିତରେ ଅନେକ ଜଟିଳ ପ୍ରଶ୍ନ ଉଠାଇଛନ୍ତି ଭାରତରେ ତାର କୌଣସି ଚର୍ଚ୍ଚା ବା ଆଲୋଚନା ହେଉନାଇଁ । କେବଳ ମୋଦୀ ବନ୍ଦନାରେ ସୀମିତ ରହିବା ଯଦି ଗଣମାଧ୍ୟମର ଉଦ୍ଦେଶ୍ୟ ହୁଏ, ତାହେଲେ ବିଦେଶ ନୀତିର ମହତ୍ତ୍ଵ କଣ ଅଛି ? ଅନେକ ସମୟରେ ଦେଖା ଯାଉଛି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ  ସହିତ ପ୍ରଧାନମନ୍ତ୍ରୀଙ୍କ ଭେଟର କୌଣସି ପ୍ରେସ ବିବରଣୀ ଆଉ ବିଦେଶ ବିଭାଗ ଦେଉନାହିଁ

ଦେଶ ଭିତରେ ସୂଚନା ଏବଂ ପ୍ରସାରଣ ବିଭାଗ ଯେଉଁ କମ କରୁଛି, ବିଦେଶରେ ବୈଦେଶିକ ବ୍ୟାପାର ବିଭାଗ ସେହି ସମାନ କାମ କରୁଛି