ରାଜ୍ୟସଭାରେ ରଞ୍ଜନ ଗୋଗୋଇ କରୁଛନ୍ତି କଣ ?
ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ମୋଦୀ ସରକାର ଦ୍ଵାରା ମନୋନୀତ ସଦସ୍ୟ ଭାବରେ ରାଜ୍ୟସଭାରେ ଯୋଗ ଦେବା ପରେ ତାଙ୍କର ସଂସଦ ପ୍ରତି ଅବଦାନ କଣ ଏ ପ୍ରଶ୍ନ ପଚାରିବା ବୋଧେ ଅନୁଚିତ ହେବନାହିଁ । ସଂସଦର ଏକ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟାନ୍ୟ ସାଂସଦଙ୍କ ସଂସଦରେ ଉପସ୍ଥାନ ହାର ୭୯% ହୋଇଥିବା ବେଳେ ଜଷ୍ଟିସ ଗୋଗୋଇ ମାତ୍ର ୩୦% ସମୟ ସଂସଦରେ ଉପସ୍ଥିତ ରହିଛନ୍ତି । ରାଜ୍ୟସଭାରେ ସେ କୌଣସି ବିତର୍କରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା କୌଣସି ପ୍ରଶ୍ନ ପଚାରି ନାହାନ୍ତି । ଏହି ସମୟ ଖଣ୍ଡରେ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଆଇନ ମନ୍ତ୍ରୀ ନିରନ୍ତର ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଥିଲେ ମଧ୍ୟ ରାଜ୍ୟସଭାରେ ସଦସ୍ୟ ଥିବା ସୁପ୍ରିମକୋର୍ଟର ଏହି ପୂର୍ବତନ ମୁଖ୍ୟ ବିଚାରପତି ମୁହଁ ଖୋଲିବାର ସାହସ କରିନାହାନ୍ତି । ତେବେ ସେ ରାଜ୍ୟସଭାରେ କରୁଛନତି କଣ ? କେବଳ ସରକାର ସପକ୍ଷରେ କାମ କରିଥିବାରୁ ତାଙ୍କୁ ରାଜ୍ୟସଭା ପୁରସ୍କାର ମିଳିଛି ବୋଲି ହେଉଥିବା ଅଭିଯୋଗକୁ ସେ ନିଜେ ପ୍ରମାଣିତ କରୁନାହାନ୍ତି କି ?
ଏ ପ୍ରସଙ୍ଗରେ ଟିକେ ପୁରୁଣା କଥା ମାନେ ପକାଇବା । ମଇ ମାସ ୧୯୯୮ରେ ଯେତେବେଳେ ଓଡିଶାରୁ ରାଜ୍ୟସଭା ସଦସ୍ୟ ଭାବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ରଙ୍ଗନାଥ ମିଶ୍ରଙ୍କୁ କଂଗ୍ରେସ ଦଳ ପଠାଇଲା, ସେତେବେଳେ ତାକୁ ନେଇ ସାରା ଓଡିଶାର ଗଣମାଧ୍ୟମ ଏକ ସ୍ଵରରେ ପ୍ରଶ୍ନ ପଚାରିଥିଲେ ଯେ, ଏହା ଜଷ୍ଟିସ ମିଶ୍ରଙ୍କର ପଦୋନ୍ନତି ନା ଆଦର୍ଶଗତ ଅଧୋଗତି। ବାସ୍ତବରେ ରାଜ୍ୟସଭା ଯିବା ପୂର୍ବରୁ ସୁପ୍ରିମ କୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଏବଂ ପ୍ରଥମ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବରେ ଜଷ୍ଟିସ ମିଶ୍ରଙ୍କର ଭାବମୂର୍ତ୍ତି ବେଶ ଉଜ୍ଜଳ ରହିଥିଲା। ଯଦିଓ ୧୯୮୪ ଦିଲ୍ଲୀ ଶିଖ ଦଙ୍ଗାର ଅନୁସନ୍ଧାନ ରେ ତାଙ୍କର ସରକାର ସପକ୍ଷବାଦୀ ରିପୋର୍ଟ ତାଙ୍କୁ ଜାତୀୟ ସ୍ତରରେ ନିନ୍ଦିତ କରିଥିଲା, ତଥାପି ଓଡିଶାରେ ତାଙ୍କର ଏକ ଭିନ୍ନ ପରିଚୟ ୧୯୯୮ ପର୍ୟନ୍ତ ରହିଥିଲା। ୧୯୯୮ରେ କଂଗ୍ରେସ ଟିକଟରେ ନିର୍ବାଚିତ ହେବା ପରେ ଜଷ୍ଟିସ ମିଶ୍ର ଓଡିଶାର ସାମାଜିକ ଜୀବନରେ ତାଙ୍କର ପୂର୍ବ ପରିଚୟ ହରାଇ ବସିଥିଲେ। ତାଙ୍କୁ ଯେଉଁ ସମ୍ମାନ ବିଚାରପତି ଭାବେ ମିଳୁଥିଲା, ସାଂସଦ ଭାବରେ ସେ ଲୋକଙ୍କ ଆଖିରେ ବହୁ ତଳକୁ ଖସି ଯାଇଥିଲେ।
୧୫, ମାର୍ଚ୍ଚ, ୨୦୨୦ ତାରିଖ ଦିନ ଯେତେବେଳେ ଭାରତର ରାଷ୍ଟ୍ରପତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କଲେ, ସେତେବେଳେ ହଠାତ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ପ୍ରସଙ୍ଗ ମଧ୍ୟ ଉଠିଲା। କଂଗ୍ରେସ ଯେହେତୁ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଇଥିଲା, ତେଣୁ ବିଜେପି ଜଷ୍ଟିସ ଗୋଗୋଇଙ୍କୁ ପଠାଇବାରେ କିଛି ଅସୁବିଧା ନାହିଁ ବୋଲି କୁହାଗଲା। ତେବେ ରଙ୍ଗନାଥ ମିଶ୍ର ଓ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ଯିବାର ପ୍ରକ୍ରିୟା ଏବଂ ପୃଷ୍ଠଭୂମି ଭିନ୍ନ। ରଙ୍ଗନାଥ ମିଶ୍ର ୧୯୮୪ ଦଙ୍ଗା ରିପୋର୍ଟ ଦେବାପରେ ବରିଷ୍ଠତା ଭିତ୍ତିରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ନେବା ସମୟରେ କେନ୍ଦ୍ରରେ ବିଶ୍ଵନାଥ ପ୍ରତାପ ସିଂଙ୍କ ନେତୃତ୍ବରେ ଅଣ କଂଗ୍ରେସ ସରକାର ରହିଥିଲା। ସେହିପରି ସୁପ୍ରିମ କୋର୍ଟରୁ ଅବସର ନେବାର ୬ ବର୍ଷ ପରେ ସେ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ। ୧୯୯୮ରେ ଯଦିଓ ଓଡିଶାରେ କଂଗ୍ରେସ ସରକାର ରହିଥିଲା, ସେତେବେଳେ କେନ୍ଦ୍ରରେ ବିଜେପି ନେତୃତ୍ବରେ ବାଜପାୟୀ ସରକାର ଚାଲିଥିଲା। ବାସ୍ତବରେ ଜଷ୍ଟିସ ମିଶ୍ର ରାଜ୍ୟସଭାରେ ଜଣେ ବିରୋଧୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଓଡିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ଜଷ୍ଟିସ ମିଶ୍ର ଓ ବିଶିଷ୍ଟ ଐତିହାସିକ ମନ୍ମଥନାଥ ଦାସଙ୍କର ପରିଚୟ ବୁଦ୍ଧିଜୀବୀ ଭାବେ ହିଁ ଦେଇଥିଲେ।
ଜଷ୍ଟିସ ଗୋଗୋଇଙ୍କ କ୍ଷେତ୍ରରେ ପ୍ରଶ୍ନ ଓ ପ୍ରସଙ୍ଗ ପୂରା ଅଲଗା। ଶ୍ରୀ ଗୋଗୋଇ ମାତ୍ର ଚାରି ମାସ ତଳେ ସୁପ୍ରିମ କୋର୍ଟରୁ ଅବସର ନେଇଥିଲେ। ତାଙ୍କ ନେତୃତ୍ବରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି, ସେଥିରୁ ଅଧିକାଂଶ ସରକାର ସପକ୍ଷରେ ହିଁ ଯାଇଛି। ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ବେଆଇନ ଭାବେ ବହିସ୍କାର କରିବା ମାମଲା ହେଉ ବା ରାଫାଲେ ଯୁଦ୍ଧ ବିମାନ ମାମଲା, ରାମ ଜନ୍ମଭୂମି ରାୟ ହେଉ ବା ସବରିମାଳା ମନ୍ଦିର ରାୟ ର ସମୀକ୍ଷା, ସବୁଥିରେ ଶାସକ ଦଳ ଓ ଶାସକ ଦଳର ଆଦର୍ଶକୁ ଶ୍ରୀ ଗୋଗୋଇ ଏକ ପ୍ରକାର ବୈଧାନିକ ସମର୍ଥନ ଦେଇଥିଲେ। ମୁଖ୍ୟ ବିଚାରପତି ହେବା ପୂର୍ବରୁ ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ବିଚାରର ପ୍ରବକ୍ତା ସାଜି ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଗୋଗୋଇ ପରବର୍ତ୍ତୀ ସମୟରେ ସରକାରଙ୍କ ଦୃଢ ସମର୍ଥକ ଭଳି ବ୍ୟବହାର ଦେଖାଇଥିଲେ।
ଜଷ୍ଟିସ ଗୋଗୋଇଙ୍କ ସରକାରୀ ସପକ୍ଷବାଦୀ ହେବାର ପୁରସ୍କାର ସ୍ଵରୂପ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। ଶ୍ରୀ ଗୋଗୋଇଙ୍କର ଆଉ କିଛି ସାଥି ଇତି ମଧ୍ୟରେ ବିଭିନ୍ନ ପଦପଦବୀରେ ବସି ସରକାରୀ ଅନୁଗ୍ରହ ଭୋଗ କରୁଛନ୍ତି । ଅଯୋଧ୍ୟା ମାମଲାରେ ଜଷ୍ଟିସ ଗୋଗୋଇଙ୍କ ସାଙ୍ଗରେ ଥିବା ଆଉ ଜଣେ ବିଚାରପତି ଅବିକା ଆନ୍ଧ୍ର ରାଜ୍ୟପାଳ ଭାବରେ ବସିଲେଣି । ଦେଶର ସର୍ବୋଚ୍ଚ ବିଚାରପତି ଭାବେ ଏମାନେ ଯେଉଁମାନଙ୍କ ବିରୋଧରେ ବିଚାର କରୁଥିଲେ, ଆଜି ସେଇମାନଙ୍କ ସହ ଏକାଠି ବସି ଏମାନେ କିଛି କରିବା ଅବସ୍ଥାରେ ନାହନତୀ ।
ଏକଦା ସାମ୍ବିଧାନିକ ବ୍ୟବସ୍ଥା ଅନ୍ତର୍ଗତ ସ୍ଵାଧୀନ ବିଚାର ବ୍ୟବସ୍ଥା ଓ ସରକାର ନିୟନ୍ତ୍ରିତ ଅଦାଲତ ବିଷୟରେ ତୁଳନା କରି ଭାରତର ଶ୍ରେଷ୍ଠତମ ଆଇନଜୀବୀ ସ୍ଵର୍ଗତ ନନୀ ପାଲକିବାଲା କହିଥିଲେ-Once the judiciary becomes subservient to the executive and to the philosophy of the party for the time being in power, no enumeration of fundamental rights in the Constitution can be of any avail to the citizen, because the courts of Justice would then be replaced by the government's court.
ରଞ୍ଜନ ଗୋଗୋଇ କିମ୍ବା ଅବ୍ଦୁଲ ନାଜିର ସୁପ୍ରିମ କୋର୍ଟର ବିଚାରପତି ଭାବେ ଦେଇଥିବା ରାୟ ଓ ନିର୍ଦ୍ଦେଶକୁ ପ୍ରଶ୍ନ କରିବା ହୁଏତ, ଆଇନ ଦୃଷ୍ଟିରୁ ଠିକ ହେବନାହିଁ। ହେଲେ ସାମ୍ବିଧାନିକ ନୈତିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଧିରେ ଏମାନଙ୍କୁ ଲୋକଙ୍କ କାଠଗଡାରେ ଠିଆ ହେବାକୁ ପଡିବ। ଅବସର ପରେ ପଦ-ପଦବୀ ପାଇବାକୁ ଦେଶର ବିଚାର ବ୍ୟବସ୍ଥାକୁ ବନ୍ଧା ପକାଇବାର ଅନୈତିକତା ଦୋଷରେ ଏମାନେ ଲୋକଙ୍କ ଅଦାଲତରେ ଠିଆ ହେବାକୁ ବାଧ୍ୟ।