କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି  ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ  ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । 

 ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality). ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ। ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି  ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ 'କୁନି'ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ  ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି 'ପ୍ରାରମ୍ଭ' ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।