ଭାରତୀୟ ଅର୍ଥନୀତି : ଭୂତ ଓ ଗୁଣିଆ କାହାଣୀ
ଜଣେ ଲୋକର ଘରେ ଭୂତ ରହୁଥିଲା । ରାତିରେ ସମସ୍ତେ ଶୋଇପଡିଲା ପରେ ଭୂତ ଘରର ସମସ୍ତ ଆସବାବପତ୍ରକୁ ହଲାଇ ଧଡଧଡ ଶବ୍ଦ ସୃଷ୍ଟି କରୁଥିଲା । ଏତେ ଜୋର ଶବ୍ଦ ଯୋଗୁଁ ସମସ୍ତଙ୍କର ନିଦ ଭାଙ୍ଗି ଯାଉଥିଲା । ରାତିସାରା ପରିବାରର କେହି ଶୋଇ ପାରୁ ନଥିଲେ । ଶେଷରେ ପରିବାର ମୂଖ୍ୟ ଜଣେ ଗୁଣିଆକୁ ଡାକିଲେ । ଗୁଣିଆ ସବୁକଥା ଭାବି କହିଲା ଯେ ଘରର ଆଲମିରାରେ ଗୋଟିଏ ଭୂତ ରହିଛି । କିନ୍ତୁ ଯେହେତୁ ଆଲମିରାଟି ପୂର୍ବମୁଖା ହୋଇ ରହିଛି ତେଣୁ ଭୂତ ହଇରାଣ କରୁଛି । ଗୁଣିଆର ପ୍ରସ୍ତାବ ଅନୁଯାୟୀ ଆଲମିରାକୁ ଟେକି ତାହାର ଦ୍ବାରକୁ ପଶ୍ଚିମମୁଖା କରି ରଖାଗଲା । କିନ୍ତୁ ଏହାପରେ ବି ସେଦିନ ରାତିରେ ଭୂତ ପୁଣି ଥରେ ରାତିରେ ପୂର୍ବ ଭଳି ଆଲମିରା ଓ ଅନ୍ୟାନ୍ୟ ଆସବାବପତ୍ରକୁ ବାଡ଼େଇଲା । ଏଥିରେ ବ୍ୟସ୍ତ ହୋଇ ମୁରବୀ ଆଉ ଜଣେ ଗୁଣିଆକୁ ଡାକିଲେ । ଏହି ଦ୍ବିତୀୟ ଗୁଣିଆଟି କିଛି ସମୟ ଚିନ୍ତା କରି କହିଲା ପ୍ରକୃତରେ ପ୍ରଥମ ଗୁଣିଆଟି ଭୁଲ୍ କହିଛି । ଆଲମିରାକୁ ପଶ୍ଚିମମୁଖା ନକରି ଦକ୍ଷିଣମୁଖା କରି ରଖିଲେ ଭୂତ ଆଉ ହଇରାଣ କରିବ ନାହିଁ । ମୂରବୀ ସେଇଆ କଲେ । ତଥାପି ସମସ୍ୟାର ସମାଧାନ ହେଲା ନାହିଁ । ରାତିରେ ଭୂତ ପୁଣି ହଇରାଣ କଲା । ଏଥର ତୃତୀୟ ଗୁଣିଆ ଆସିଲା । ତା ପ୍ରସ୍ତାବ ଅନୁଯାୟୀ ଆଲମିରାକୁ ଉତ୍ତର ମୁଖା କରି ରଖାଗଲା । ତଥାପି ରାତିରେ ଭୂତ ହଇରାଣ କଲା । ଶେଷରେ ଚତୁର୍ଥ ଗୁଣିଆ ଆସିଲା । ସେ ସବୁକଥା ଶୁଣିଲା ଓ ଦେଖିଲା । ସେ ମନ୍ତ୍ର ପଢି ଆଲମିରା ଖୋଲିଲା । ଆଲମିରାରେ ଥିବା ଛୋଟ କାଠବାକ୍ସ ଖୋଲିଲା । କାଠବାକ୍ସ ଭିତରୁ ଆଣି ଭୂତଟିକୁ ଗୋଟିଏ ଫରୁଆ ଭିତରେ ଭର୍ତ୍ତି କଲା ଏବଂ ଗାଁ ଓ ନଦୀ ଆରପାରିକୁ ନେଇଗଲା । ସେହି ଦିନୁଁ ରାତିରେ ପରିବାରର ଲୋକେ ଶାନ୍ତିରେ ଶୋଇଲେ ।
ଗପଟିର ସାରକଥା ହେଲା ଅନେକ ସମୟରେ ଆମେ କୈାଣସି ସମସ୍ୟାର ଉପରଠାଉରିଆ ଅଧ୍ୟୟନ କରି ଗୋଟିଏ ତାଳିପକା ସମାଧାନ କଥା ଚିନ୍ତା କରୁ କିମ୍ବା ଅଧାପନ୍ତରିଆ କ୍ଷଣସ୍ଥାୟୀ ସଫଳତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେଥିରେ ଖୁସି ହେବା ପାଇଁ ସମସ୍ତଙ୍କୁ କହିଥାଉ । କିନ୍ତୁ ସେଥିରେ ସମସ୍ୟାର ସମାଧାନ ହୁଏ ନାହିଁ । ଆମେ ଚତୁର୍ଥ ଗୁଣିଆର ଅପେକ୍ଷାରେ ରହିଛୁ । ତେବେ ଏହି ଭୁତ କାହାଣୀକୁ ଆମେ ପରେ ପୁଣି ଥରେ ଫେରିବା ।
ଗତ ବର୍ଷ ଆମ ଦେଶରେ ଆର୍ଥିକ ଅଭିବୃଦ୍ଧି ଦର ୭.୨% ହୋଇଛି, ଏହା ଆଶାଠୁ ଅଧିକ ହୋଇଛି ଏବଂ ଏହା ହେଉଛି ବିଶ୍ବର ସମସ୍ତ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ ବୋଲି ଆମ ଗଣମାଧ୍ୟମର ଏକ ବଡ଼ ଅଂଶ ଢୋଲ ପିଟି ଚାଲିଛନ୍ତି। କିନ୍ତୁ ଏପରି ଦାବୀ କାହିଁକି ନିରର୍ଥକ ଓ ଏହି ଅଭିବୃଦ୍ଧି ଦର କେଉଁ ଭାବେ ଅର୍ଜନ ହୋଇଛି ସେ ବିଷୟରେ ଏହି ଲେଖାର ପ୍ରଥମ ଭାଗରେ ଆଲୋଚନା ହୋଇଛି। ଯେଉଁମାନେ ତାହା ପଢି ନାହାନ୍ତି ସେମାନଙ୍କୁ ଅନୁରୋଧ ସେମାନେ ଏହି ପତ୍ରିକାରେ ଗତ ୭ ତାରିଖରେ ପ୍ରକାଶିତ 'ଜିଡିପି:ଢୋଲପିଟା ଅର୍ଥନିତୀ' ଶୀର୍ଷକ ଲେଖାଟିକୁ ପଢନ୍ତୁ । (ଯଦି ସମ୍ଭବ ହୁଏ ତାହାର ଲିଙ୍କ ଏଠାରେ ଦେବାକୁ କେଦାରବାବୁଙ୍କୁ ଅନୁରୋଧ) ।
ଗତବର୍ଷର ଏହି ୭.୨% ଅଭିବୃଦ୍ଧିରେ ସବୁ ଆର୍ଥିକ ବର୍ଗଙ୍କ ପାଇଁ ଜିଡିପି ସମାନ ଭାବରେ ବଢିଛି କି ? ଚାଲନ୍ତୁ କେତୋଟି ଘଟଣା ଉପରେ ନଜର ପକାଇ ତାହାର ଉତ୍ତର ଖୋଜିବା ।
ଦୁଇଚକିଆ ଯାନ ବିକ୍ରୀ
ଗତବର୍ଷ ବା ୨୦୨୨-୨୩ରେ ମୋଟର ସାଇକେଲ, ସ୍କୁଟର ଓ ମୋପେଡ୍ ମିଶି ମୋଟ ୧ କୋଟି ୫୮ ଲକ୍ଷ ଓ ୬୦ ହଜାରଟି ବିକ୍ରି ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏହା ୧୭% ଅଧିକ । ଭଲ କଥା । କିନ୍ତୁ ଏଥିରେ ଆମେ ଢୋଲ ପିଟିବା କି ? କାରଣ ୨୦୧୪-୧୫ରେ ବିକ୍ରି ହୋଇଥିବା ଦୁଇ ଚକିଆ ଯାନ ସଂଖ୍ୟା ଠାରୁ ଏହା ସାମାନ୍ୟ କମ୍ । ସେହି ବର୍ଷ ମୋଟ ୧ କୋଟି ୫୯ ଲକ୍ଷ ୮୦ ହଜାରଟି ଏହି ତିନି ପ୍ରକାରର ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା । ଏପରିକି ୨୦୧୮-୧୯ରେ ଏହି ପ୍ରକାର ଯାନରୁ ୨ କୋଟି ୧୧ ଲକ୍ଷ ୮୦ ହଜାରଟି ବିକ୍ରି ହୋଇଥିଲା । ତେଣୁ ଗତବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ବିକ୍ରି ହୋଇଛି ବୋଲି ନଦେଖି ଆମେ ଯଦି ଦୀର୍ଘସୁତ୍ରୀରେ ଏହାକୁ ଦେଖିବା ତେବେ ଆମେ ଦେଖିପାରିବା ଯେ ଏହି ବିକ୍ରିରେ ଆମେ ପ୍ରାୟ ୯ ବର୍ଷ ପଛରେ ରହିଛୁ ।
ଏଠାରେ ପ୍ରଶ୍ନ ଉଠିପାରେ ଆମେ ତ ଜିଡିପି ବୃଦ୍ଧି ସବୁ ଆର୍ଥିକ ବର୍ଗରେ ସମାନ ଭାବରେ ପ୍ରତିଫଳିତ ହୋଇଛି କି ନାହିଁ ସେ ବିଷୟରେ ଆଲୋଚନା କରିବାକୁ ଆରମ୍ଭ କରୁଥିଲୁ । ପୁଣି ଦୁଇ ଚକିଆ ଯାନ ବିଷୟଟି କାହିଁକି ଆଣିଲୁ ? ତେବେ ଦୁଇ ଚକିଆ ଯାନ ବିଷୟଟିର ଏହି ଆଲୋଚନାରେ ଏକ ସ୍ବତନ୍ତ୍ର ମହତ୍ତ୍ଵ ରହିଛି । ଅନେକ ପରିବାର ପାଇଁ ବାସଗୃହ ପରେ ଦୁଇ ଚକିଆ ଯାନ ହେଉଛି ଦ୍ବିତୀୟ ମହତ୍ବାକାଂକ୍ଷୀ ଓ ଦାମି ଜିନିଷ । ଦୁଇ ଚକିଆ ଯାନ କିଣିଲେ ଜଣେ ଲୋକକୁ ମଧ୍ୟମବର୍ଗୀୟ ବୋଲି ଧରାଯାଏ । ତେଣୁ ଏଥିରୁ ସୂଚନା ମିଳେ ଯେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ନିମ୍ନ ବର୍ଗ ମଧ୍ୟରୁ ଅନେକଙ୍କର ଆର୍ଥିକ ଶକ୍ତି ବଢ଼ି ନାହିଁ ଯାହା ଫଳରେ ଏହି ଦୁଇ ଚକିଆ ଯାନର ବିକ୍ରି ଏହି ସମୟ ମଧ୍ୟରେ ଏକ ଚତୁର୍ଥାଂଶ କମି ଯାଇଛି ।
ଅନ୍ୟ ପକ୍ଷରେ ଗତବର୍ଷର ୭.୨% ଜିଡିପି ବୃଦ୍ଧି ମଧ୍ୟ ପ୍ରତିଫଳିତ ହୋଇଛି କାର୍ ବିକ୍ରିରେ । ଏହି ସମୟରେ ରେକର୍ଡ ପରିମାଣର ୩୮.୯ ଲକ୍ଷ କାର୍ ବିକ୍ରି ହୋଇଛି । ଏହି କାର୍ ବିକ୍ରି ମଧ୍ୟରେ କମ୍ ଦାମ ବିଶିଷ୍ଟ ଛୋଟ କାର୍ ସଂଖ୍ୟା ମାତ୍ର ୨ ଲକ୍ଷ ୫୨ ହଜାର । ୨୦୧୬-୧୭ରେ ଏହି ଛୋଟ କାର ବିକ୍ରି ସଂଖ୍ୟା ୫ ଲକ୍ଷ ୮୩ ହଜାର ଥିଲା । ଅର୍ଥାତ୍ କମ୍ ଦାମର ଛୋଟ କାର ବିକ୍ରି ୨୦୧୬-୧୭ ତୁଳନାରେ ଗତବର୍ଷ ୫୭% କମିଛି । ଅବଶିଷ୍ଟ ଅଧିକ ବିକ୍ରି ହୋଇଛି ମହଙ୍ଗା କାର୍ ବା SUV ।
ଏସବୁ ଲେଖିବାର ଉଦ୍ଦେଶ୍ୟ ହେଉଛି ସମାଜର ବିଭିନ୍ନ ଆର୍ଥିକ ବର୍ଗ ମଧ୍ୟରୁ କେଉଁ ବର୍ଗର ଆର୍ଥିକ ଶକ୍ତି କିପରି ବଢ଼ିଛି ତାହାର ଏକ ଚିତ୍ର ଦେବା । ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି SUV ପର୍ଯ୍ୟନ୍ତ, ଯେଉଁ ଯାନ ଯେତେ ମହଙ୍ଗା ତାହା ସେତେ ଅଧିକ ବିକ୍ରି ହୋଇଛି । ତେଣୁ କେବଳ ମୋଟ ଜିଡିପିରେ ୭.୨% ବୃଦ୍ଧି ହୋଇଛି କହିଲେ ଦେଶ ଅର୍ଥନିତୀର ପ୍ରକୃତ ଚିତ୍ର ଜଣା ପଡ଼ିବ ନାହିଁ ।
ସ୍ମାର୍ଟ ଫୋନ୍
୨୦୨୨ ମସିହାରେ ୨୦.୧ କୋଟି ମୋବାଇଲ ଫୋନ ଦେଶକୁ ଆସିଛି ଯାହା କି ୨୦୨୧ ସଂଖ୍ୟା ଠାରୁ ୧୨% କମ୍ । ଏହା ମଧ୍ୟରେ ଆପଲ୍ ଫୋନ୍ ଓ ପ୍ରିମିୟମ ଫୋନ୍ ବିକ୍ରି ବଢ଼ିଛି। ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ଟେଲି ସାନ୍ଧ୍ରତା ଗତ ପାଞ୍ଚ ବର୍ଷ ଧରି ବଢ଼ି ନାହିଁ ।
ବିମାନଯାତ୍ରା
ଆଜିକାଲି ଆପଣ ଟିଭି ପରଦାରେ ଦେଖୁଥିବେ ଯେ ବିମାନ ଯାତ୍ରା ସଂଖ୍ୟା ବଢ଼ିଛି । ଏହାକୁ ଆର୍ଥିକ ପ୍ରଗତିର ପ୍ରମାଣ ସ୍ବରୂପ ଦେଖା ଯାଉଛି । ଗତ ଏପ୍ରିଲ ୩୦ ତାରିଖ ଗୋଟିଏ ଦିନରେ ରେକର୍ଡ ୪,୫୬,୦୮୨ ଜଣ ବିମାନ ଯାତ୍ରା କରିଛନ୍ତି ବୋଲି କୁହା ଯାଇଛି । କିନ୍ତୁ ପ୍ରଥମ କଥା ହେଲା ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ସାଢେ଼ ୪ ଲକ୍ଷ ଲୋକଙ୍କ କାର୍ଯ୍ୟକଳାପକୁ ନେଇ କୈାଣସି ଏକ ନିଷ୍ପତ୍ତିରେ ପହଞ୍ଚିବା ଏକ ଦୁରୁହ ବ୍ୟାପାର । ପୁଣି ଇଣ୍ଡସ ଭ୍ୟାଲି ରିପୋର୍ଟ ଅନୁସାରେ ମାତ୍ର ୧% ଭାରତୀୟ ମୋଟ ବିମାନ ଯାତ୍ରାର ୪୫% ଯାତ୍ରା କରନ୍ତି ।
ତଥାପି ଯଦି ଆମେ ୨୦୨୨-୨୩ ପୁରା ବର୍ଷର ବିମାନ ଯାତ୍ରା ସଂଖ୍ୟାକୁ ଦେଖିବା ତାହେଲେ ସେ ବର୍ଷ ଦେଶ ଭିତରେ ମୋଟ ୧୩.୭ କୋଟି ଉଡାଣ ହୋଇଛି । ଏହା ପୂର୍ବ ଦୁଇ ବର୍ଷର ଉଡାଣ ସଂଖ୍ୟା ଠାରୁ ଅଧିକ ହୋଇଥିଲେ ହେଁ ୨୦୧୮-୧୯ର ୧୪.୧ କୋଟି ଓ ୨୦୧୯-୨୦ର ୧୪.୨ କୋଟି ଉଡାଣ ସଂଖ୍ୟା ଠାରୁ କମ୍ । ଏ ତ ଗଲା ଉଚ୍ଚ ସ୍ବସ୍ଥଳ ବର୍ଗଙ୍କ କଥା । ଏବେ ଆସନ୍ତୁ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ଦେଖିବା । ଗତବର୍ଷ ୬୪୪ କୋଟି ଟ୍ରେନ ଟିକେଟ ବିକ୍ରି ହୋଇଛି । ଏହା ୨୦୧୯-୨୦ରେ ବିକ୍ରି ହୋଇଥିବା ଟିକେଟ ଠାରୁ ୨୦% କମ୍ ଓ ୨୦୧୮-୧୯ ଠାରୁ ୨୪% କମ୍ । ତାହେଲେ ଯଦି ଅଭିବୃଦ୍ଧି ଦର ୭.୨% ହୋଇଛି, କାହା ପାଇଁ ହୋଇଛି ?
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ ଲିଭରର ମାର୍କେଟିଂ ଅଧିକାରୀମାନଙ୍କ କହିବା ଅନୁସାରେ ଗତ ଦେଢ଼ ବର୍ଷ ହେଲା ଏସବୁ ସାମଗ୍ରୀର ପରିମାଣ ବିକ୍ରି ବଢୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଯେ ଗତ ୩ ବର୍ଷ ଧରି ମୁଦ୍ରାସ୍ଫିତି ହାର କ୍ରମାଗତ ଭାବରେ ବଢ଼ି ଚାଲିଛି । ଗ୍ରାମାଞ୍ଚଳରେ ଏହି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବିକ୍ରି ଅଧିକ କମିଛି । ତେଣୁ ୭.୨% ଦଳର ଅଭିବୃଦ୍ଧି ହାର ପୁରା ଆର୍ଥିକ ଚିତ୍ର ଦେଖାଉ ନାହିଁ ।
ମନରେଗା
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା । ଆପଣ ଜାଣିଛନ୍ତି ଯେ ଏଥିରେ କମ୍ ମଜୁରୀ ଥିବା ସତ୍ତ୍ୱେ ଜଣେ ଲୋକ ଏହି ଯୋଜନାରେ ସେତିକିବେଳେ କାମ ମାଗେ ଯେତେବେଳେ ତା ପାଖରେ ଆଉ କୈାଣସି କାମ ପାଇଁ ସୁଯୋଗ ନଥାଏ । କୋଭିଡ ଦୁଇ ବର୍ଷରେ ଏହି କାମ ପାଇଁ ଡିମାଣ୍ଡ ଅନେକ ବଢ଼ିଥିଲା । ଗତବର୍ଷ ଏହି କାମ ପାଇଁ ଡିମାଣ୍ଡ ହ୍ରାସ ପାଇଛି । କିନ୍ତୁ ତଥାପି ଏହା କୋଭିଡ ପୂର୍ବ ବର୍ଷ ଠାରୁ ଅଧିକ ରହିଛି । ତେଣୁ ଆମେ କେତେକ ଓଡ଼ିଆ ଖବରକାଗଜ କରିଥିବା ଶିରୋନାମା ଭଳି କହି ପାରିବା କି 'ଆଶାଠୁ ଅଧିକ ବେଗରେ ଦୌଡିଲା ଭାରତ' ? ଗତବର୍ଷ ଗ୍ରାମାଞ୍ଚଳରେ ରେକର୍ଡ ପରିମାଣ ୯ ଲକ୍ଷ ୫୦ ହଜାର ଟ୍ରାକ୍ଟର ବିକ୍ରି ହୋଇଛି । ତେଣୁ ଗ୍ରାମୀଣ ମନରେଗା ଯୋଜନାରେ କୋଭିଡ ପୂର୍ବ ବର୍ଷ ଅପେକ୍ଷା କାମର ଡିମାଣ୍ଡ ଅଧିକ ଥିବା ବେଳେ ଧନୀକମାନେ କିନ୍ତୁ ରେକର୍ଡ ସଂଖ୍ୟକ ଟ୍ରାକ୍ଟର କିଣିଛନ୍ତି ।
ପୁଞ୍ଜିନିବେଶ
ଆଜିକୁ ୧୫ ବର୍ଷ ପୂର୍ବେ ବା ୨୦୦୭-୦୮ ମସିହାରେ ମୋଟ ପୁଞ୍ଜିନିବେଶ ମୂଲ୍ୟ ଥିଲା ଜିଡିପିର ୩୫.୮୧% । ଗତବର୍ଷ ତାହା ହୋଇଛି ଜିଡିପିର ୨୯.୨୧% । ଗତବର୍ଷର ପୁଞ୍ଜିନିବେଶ ପ୍ରତିଶତ ତାହା ପୂର୍ବ ୩ ବର୍ଷ ଠାରୁ ଅଧିକ ହୋଇଥିଲେ ମଧ୍ୟ ୧୫ ବର୍ଷ ପୁର୍ବର ଜିଡିପି ପ୍ରତିଶତ ଠାରୁ କମ୍ । ଦେଖନ୍ତୁ, ଅନେକ ଲୋକ କୈାଣସି ତଥ୍ୟ ଦେବା ବେଳେ ପୂର୍ବ ବର୍ଷର ସଂଖ୍ୟା ସହ ଏବେକାର ସଂଖ୍ୟା ତୁଳନା କରନ୍ତି । ଏପରି କରିବା ଭୁଲ୍ ଅଟେ । କାରଣ ସେତେବେଳେ ଟଙ୍କାର ମୂଲ୍ୟ ବା କିଣିବା ଶକ୍ତି ଯାହା ଥିଲା ଏବେ ଆଉ ତାହା ନାହିଁ । ତେଣୁ ପ୍ରାୟ ସବୁ ଆର୍ଥିକ ସଂଖ୍ୟାକୁ ଜିଡିପିର ପ୍ରତିଶତ ଭାବେ ନିଆଯାଇ କୈାଣସି ତୁଳନା କରାଯାଏ । ତେବେ ସେ ଯାହା, ମୋଟ ଜିଡିପିର ଆକାର ବଢୁଥିବା ବେଳେ (ଯାହାକି ସବୁବେଳେ ବଢେ) ପୁଞ୍ଜି ନିବେଶ ଯଦି ସେହି ଅନୁପାତରେ ବଢୁ ନାହିଁ, ତାହାର ଅର୍ଥ ହେଉଛି ସେହି ଅନୁପାତରେ ରୋଜଗାର ମଧ୍ୟ ସୃଷ୍ଟି ହେଉ ନାହିଁ । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଆୟ ଓ କ୍ରୟଶକ୍ତି ଉପରେ ପଡୁଛି ।
ଏହି ପୁଞ୍ଜିନିବେଶ ମଧ୍ୟରେ ଅଛି ପାରିବାରିକ ପୁଞ୍ଜିନିବେଶ ଓ ଘରୋଇ କମ୍ପାନୀଙ୍କ ପୁଞ୍ଜିନିବେଶ । ୨୦୧୧-୧୨ ମସିହାରେ ପାରିବାରିକ ପୁଞ୍ଜିନିବେଶ ଜିଡିପିର ୧୫.୯% ଥିବା ବେଳେ ୨୦୨୧-୨୨ ବେଳେ ତାହା ୧୧.୮% କୁ ଖସି ଆସିଛି । ଏହି ହ୍ରାସର ଧାରା କୋଭିଡ ପୂର୍ବ ବର୍ଷରୁ ଆରମ୍ଭ ହୋଇସାରିଛି । ଏବେ ଆସନ୍ତୁ ପ୍ରାଇଭେଟ୍ କମ୍ପାନୀଙ୍କ ଦ୍ବାରା ହେଉଥିବା ପୁଞ୍ଜିନିବେଶକୁ । ଏହା ୨୦୦୭-୦୮ରେ ଜିଡିପିର ୨୧% ଥିବା ବେଳେ ୨୦୨୧-୨୨ରେ ୧୦.୮%କୁ ଖସିଛି । ଅବଶ୍ୟ ଟିଭି ଚ୍ୟାନେଲରେ ବୟାନ ଦେଉଥିବା ପ୍ରାଇଭେଟ୍ କମ୍ପାନୀ ମାଲିକମାନେ ବହୁତ ଆଶାବାଦୀ ଜଣା ପଡନ୍ତି ବା ଷ୍ଟକ୍ ମାର୍କେଟ ଭାଷାରେ ବୁଲିସ୍ ଜଣାପଡନ୍ତି । କାରଣ ସେମାନେ ଷ୍ଟକ୍ ମାର୍କେଟର ସେଣ୍ଟିମେଣ୍ଟକୁ ଓ ସରକାରଙ୍କ ମୁଡ୍ କୁ ଖରାପ କରିବା ପାଇଁ ଚାହାନ୍ତି ନାହିଁ ।
ପୁଞ୍ଜିନିବେଶ ପାଇଁ ବ୍ୟାଙ୍କ ଋଣ
ୟୁପିଏ ସରକାର ସମୟରେ ପୁଞ୍ଜିନିବେଶ ପାଇଁ ଅନେକ ଋଣ ଦିଆ ଯାଇଥିଲା ଯାହା ପରବର୍ତ୍ତୀ ସମୟରେ ଆଦାୟ ହୋଇ ନ ପାରି ବୁଡିଗଲା । ତାହାର କାରଣ ହେଉଛି ସେତେବେଳେ ଅର୍ଥନିତୀ ଯେଉଁଭଳି ଆଗେଇବ ବୋଲି ଆଶା କରା ଯାଉଥିଲା, ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ତାହା ହୋଇ ପାରିଲା ନାହିଁ ଏବଂ ଯେଉଁମାନେ ଋଣ ନେଇଥିଲେ ସେମାନେ ଫେରାଇ ପାରିଲେ ନାହିଁ । ପୁଣି ଏହାକୁ ଖୁବ୍ କମ୍ ଲୋକ ଅସ୍ବୀକାର କରିବେ ଯେ ଅନେକଗୁଡ଼ିଏ ଋଣ ଅବିଚାରିତ ଭାବେ ଦିଆ ଯାଇଥିଲା । ତେଣୁ ୨୦୧୨-୧୩ରେ ପ୍ରାଇଭେଟ୍ କମ୍ପାନୀଗୁଡିକୁ ଦିଆଯାଇଥିବା ବ୍ୟାଙ୍କ ଋଣର ପରିମାଣ ଯଦି ଜିଡିପିର ୨୨.୪୩% ଥିଲା ଏବଂ ୨୦୨୨-୨୩ ବେଳକୁ ଯଦି ତାହା ହ୍ରାସ ପାଇ ୧୨.୨୭%କୁ ଖସି ଆସିଛି, ଏଥିରେ ହୁଏତ ଅନେକ ଲୋକ ଆଶ୍ଚର୍ଯ୍ୟ ହେବେ ନାହିଁ ।
ତେବେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଚାଲନ୍ତୁ ଆଉ ଟିକିଏ ଆଳୁ ବା ଡାଟାକୁ ଖୋଳିବା । ଏକଥା ସମସ୍ତେ ଜାଣନ୍ତି ଯେ ଦେଶରେ ମଧ୍ୟମ, କ୍ଷୁଦ୍ର ଓ ଅଣୁଶିଳ୍ପ ବା MSME କ୍ଷେତ୍ର ସବୁଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥାନ୍ତି । ବଡ଼ ପ୍ରାଇଭେଟ୍ କମ୍ପାନୀମାନେ ପୁଞ୍ଜି ନିବେଶ ପାଇଁ ବ୍ୟାଙ୍କ ଋଣ ନ ମିଳିଲେ ଅନ୍ୟ ସୁତ୍ରରୁ ତାହା ବନ୍ଦୋବସ୍ତ କରି ପାରନ୍ତି । କିନ୍ତୁ ଏହି କ୍ଷେତ୍ର କେବଳ ବ୍ୟାଙ୍କ ଋଣ ଉପରେ ନିର୍ଭରଶୀଳ ରହିଥାଏ । ୨୦୦୯-୧୦ରେ ଏହି କ୍ଷେତ୍ରକୁ ବ୍ୟାଙ୍କଋଣ ଜିଡିପିର ୫.୩୨% ଥିବା ବେଳେ ୨୦୧୯-୨୦ ବେଳକୁ ( ମନେ ପକାନ୍ତୁ, ସେତେବେଳକୁ କୋଭିଡ ଲକଡାଉନ୍ ଆରମ୍ଭ ହୋଇନାହିଁ) ତାହା ୨.୪୭% ଥିଲା । ପରେ ଅବଶ୍ୟ ବୃଦ୍ଧି ପାଇଁ ଏହା ୨୦୨୧-୨୨ରେ ୩.୧୮% ଓ ୨୦୨୨-୨୩ରେ ୩.୧୪% ରେ ପହଞ୍ଚିଲା ।
ନୂଆ ପ୍ରୋଜେକ୍ଟ ଘୋଷଣା
ସିଏମଆଇଇ ନାମକ ସଂସ୍ଥା ତରଫରୁ ନିୟମିତ ଭାବେ ଏହି ବିଷୟରେ ତଥ୍ୟ ଘୋଷଣା ହୋଇଥାଏ । ସରକାରଙ୍କ ଚାଟୁ ଟିଭି ଚ୍ୟାନେଲମାନେ ଏଥିରୁ ମନପସନ୍ଦ ତଥ୍ୟ ବାଛି ନେଇ ଏକ ଗୋଲାପି ଚିତ୍ର ପ୍ରଦାନ କରିଥାନ୍ତି । କିନ୍ତୁ ଆପଣଙ୍କ ଭଳି ଶିକ୍ଷିତ ପାଠକମାନେ, ଯେଉଁମାନଙ୍କର ଟିକିନିଖି ଭିତରକୁ ଯିବାର ଧୈର୍ଯ୍ୟ ଓ ଶୋଷ ରହିଥାଏ, ସେମାନେ ଅନ୍ଧକାର ଭିତରେ ରୁହନ୍ତି ନାହିଁ। କୁହାଯାଉଛି ୨୦୨୨-୨୩ରେ ଯେତିକି ନୂଆ ପ୍ରୋଜେକ୍ଟ ଘୋଷଣା ହୋଇଛି ତାହା ହେଉଛି ଏକ ସର୍ବକାଳୀନ ରେକର୍ଡ଼ । ଏହାର ମୋଟ ପରିମାଣ ହେଉଛି ୨୯.୮୭ ଲକ୍ଷ କୋଟି ଟଙ୍କା । ଏକଥା ମଧ୍ୟ ସତ । କିନ୍ତୁ ଏହି ଠାରେ ଟିକିଏ ରହି ଚିନ୍ତା କରନ୍ତୁ । ୨୦୦୮-୦୯ରେ ଘୋଷଣା ହୋଇଥିବା ୨୭.୩୨ ଲକ୍ଷ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଠାରୁ ଏହା ବିଶେଷ ଅଧିକ କି ? ପୁଣି ଆପଣ ତ ଜାଣନ୍ତି , ମୁଦ୍ରାସ୍ଫିତି ବଢୁ ଥିବା ଯୋଗୁଁ ୨୦୦୮-୦୯ରେ ୨୭.୩୨ ଲକ୍ଷ କୋଟି ଟଙ୍କା ଏବେ ବହୁତ ଅଧିକ ହେବ । କେବଳ ସେତିକି ନୁହେଁ, ୨୦୨୨-୨୩ରେ ଘୋଷଣା ହୋଇଥିବା ପ୍ରୋଜେକ୍ଟ ମଧ୍ୟରୁ ୧୫.୧ ଲକ୍ଷ୍ୟ କୋଟି ଟଙ୍କାର ପ୍ରୋଜେକ୍ଟ ପରେ ବାତିଲ ହୋଇଛି । ୨୦୨୧-୨୨ରେ ପୂର୍ବଘୋଷିତ ପ୍ରୋଜେକ୍ଟ ମଧ୍ୟରୁ ବାତିଲ ହୋଇଥିବା ପ୍ରୋଜେକ୍ଟ ମୂଲ୍ୟ ହେଉଛି ୧୩.୫୯ ଲକ୍ଷ କୋଟି ଟଙ୍କା । ବିଶ୍ବାସ କରନ୍ତୁ, ସକାଳୁ ସକାଳୁ ବିଜିନେସ୍ ଚ୍ୟାନେଲ ଦେଖୁଥିବା ବେଳେ ଆପଣଙ୍କ ଚା'ର ସ୍ବାଦ ଖରାପ କରିବା ଉଦ୍ଦେଶ୍ୟ ମୋର ଆଦୌ ନାହିଁ ।
ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ)
ସରକାରୀ ବାବାମାନେ ଟିଭିରେ କହିବେ ଓ ଗୋଲାପି ବିଜିନେସ ଖବରକାଗଜରେ ଛପାଯିବ ଯେ ଭାରତକୁ ଏଫଡିଆଇର ସୁଅ ଛୁଟୁଛି । କିନ୍ତୁ ସେମାନେ ପ୍ରତିବର୍ଷ ବଢୁଥିବା ଜିଡିପି ବା ଅର୍ଥନିତୀର ଆକାରକୁ ହିସାବକୁ ନିଅନ୍ତି ନାହିଁ କିମ୍ବା ଭାରତରୁ କେତେ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ହୋଇ ଚାଲି ଯାଉଛି ତାହାକୁ ମଧ୍ୟ ହିସାବକୁ ନିଅନ୍ତି ନାହିଁ । ତେବେ ଏସବୁକୁ ହିସାବକୁ ନିଆଗଲେ ଦେଖାଯିବ ସବୁଠାରୁ ଅଧିକ ନେଟ୍ ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା ୨୦୦୮-୦୯ ମସିହାରେ, ଯେତେବେଳେ ତାହା ଜିଡିପିର ୩.୫% ହୋଇଥିଲା । ୨୦୨୨-୨୩ରେ ତାହା ୧.୨% ହୋଇଛି। ଗତ ଦଶ ବର୍ଷରେ ତାହା ଜିଡିପିର ୧.୨%ରୁ ୨.୧% ମଧ୍ୟରେ ରହିଛି ।
ରୋଜଗାର
ସିଏମଆଇଇ ସର୍ଭେ ବାରମ୍ବାର କହି ଆସୁଛି ଯେ ଭାରତରେ ଶ୍ରମଶକ୍ତି ଅଂଶଗ୍ରହଣ ଦର କ୍ରମାଗତ ଭାବରେ କମି ଚାଲିଛି । ଶ୍ରମଶକ୍ତି ଅଂଶଗ୍ରହଣ ଦର କ'ଣ ତାହା ବୁଝିବାକୁ ହେଲେ ଆମକୁ ତା ଆଗରୁ ବୁଝିବାକୁ ହେବ ଶ୍ରମଶକ୍ତି କାହାକୁ କୁହାଯାଏ । ଦୁଇଟି ଜିନିଷର ମିଶାଣକୁ ଶ୍ରମଶକ୍ତି କୁହାଯାଏ । ଗୋଟିଏ ହେଉଛି ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ମଧ୍ୟରୁ ଯେଉଁମାନେ ରୋଜଗାର ପାଇ ସାରିଛନ୍ତି । ଅନ୍ୟଟି ହେଲା ୧୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁମାନେ ରୋଜଗାର ନ ପାଇ ସକ୍ରୀୟ ଭାବେ ରୋଜଗାର ଖୋଜୁଛନ୍ତି । ବେଳେବେଳେ ରୋଜଗାର ନ ପାଇ କେତେକ ବ୍ୟକ୍ତି ରୋଜଗାର ଖୋଜିବା ବନ୍ଦ କରି ଦିଅନ୍ତି ବା ଶ୍ରମଶକ୍ତି ପରିତ୍ୟାଗ କରନ୍ତି । ଏବେ ଆସନ୍ତୁ ଦେଖିବା ଶ୍ରମଶକ୍ତି ଅଂଶଗ୍ରହଣ ଦର କ'ଣ । ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ମୋଟ ସଂଖ୍ୟାରେ ଶ୍ରମଶକ୍ତି ଯେତେ ପ୍ରତିଶତ ହୋଇଥାଏ ତାହାକୁ ଶ୍ରମଶକ୍ତି ଅଂଶଗ୍ରହଣ ଦର ବା ଲେବର ଫୋର୍ସ ପାର୍ଟିସିପେସନ୍ ରେଟ୍ କୁହାଯାଏ । ୨୦୧୬-୧୭ରେ ଏହା ୪୬.୨୨% ଥିଲା । ୨୦୨୨-୨୩ରେ ଏହା ୩୯.୪୮%କୁ ଖସି ଆସିଛି ।
ଆନ୍ତର୍ଜାତିକ ଶ୍ରମ ସଂସ୍ଥା (ILO) ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ଭାରତରେ ଶ୍ରମଶକ୍ତି ଅଂଶଗ୍ରହଣ ଦର ୫୭% ଥିଲା ଯାହା ୨୦୨୨ ମସିହା ବେଳକୁ ୪୯%କୁ ଖସି ଆସିଛି । ସେହି ୨୦୨୨ ବେଳକୁ ଭିଏତନାମ, ବଙ୍ଗଳାଦେଶ ଓ ଚାଇନାରେ ଏହି ଦର ଯଥାକ୍ରମେ ୭୩%, ୫୯% ଓ ୬୭% ରହିଛି । ତଥାପି ଗୋଟିଏ ବିଷୟରେ ଆମେ ଆଜିକାଲି ନମ୍ବର ଓ୍ବାନ୍ ରହିଛୁ - ନିଜକୁ ନମ୍ବର ଓ୍ବାନ୍ କହିବାରେ ।
ଟିକସ
ଟିକସ ଆଦାୟ ବଢ଼ିଛି ନିଶ୍ଚୟ । କିନ୍ତୁ ପୁଣି ସେହି କଥା । ଅର୍ଥନିତୀର ଆକାର ବା ଜିଡିପି ବଢିବା ସଙ୍ଗେ ସଙ୍ଗେ ସେହି ଅନୁପାତରେ ଟିକସ ଆଦାୟ ବଢ଼ି ନାହିଁ । ୨୦୦୭-୦୮ରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଦେବା ପୁର୍ବରୁ ଯେତିକି ଟିକସ ଆଦାୟ କରିଥିଲେ ତାହା ଥିଲା ସେତେବେଳ ଜିଡିପିର ୧୨.୧୨% । ୨୦୨୨-୨୩ରେ ତାହା ୧୧.୧୪% ହୋଇଛି । ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି କେଉଁମାନେ ଏହି ଟିକସ ଦେଉଛନ୍ତି । ଦେଶର ସମସ୍ତ ଲୋକ ଜିଏସଟି ଦିଅନ୍ତି । ଜିଏସଟି ଲାଗୁ ହେବାର ପ୍ରଥମ କିଛି ବର୍ଷରେ ମାସିକ ଜିଏସଟି ସଂଗ୍ରହ କ୍ଵଚିତ ୧ ଲକ୍ଷ କୋଟି ଟଙ୍କାକୁ ଟପି ଥିବା ବେଳେ , ଗତ ପ୍ରାୟ ଏକ ବର୍ଷ ଧରି ଏହି ସଂଗ୍ରହ ବେଶ୍ ଉଲ୍ଲେଖନୀୟ ହୋଇଛି । ଗତ ଏପ୍ରିଲ ମାସରେ ଏହା ୧.୮୭ ଲକ୍ଷ କୋଟି ଟଙ୍କା ହୋଇଛି । ସରକାର ଏହାକୁ ତାଙ୍କର ସଫଳତା ବୋଲି କହୁଥିବା ବେଳେ ଆମେ କହି ପାରିବା ଯେ ସାଧାରଣ ଜନତାଙ୍କ ଠାରୁ ଏବେ ଅଧିକ ଟିକସ ଶୋଷଣ ହେଉଛି । କାରଣ ଏହି ଜିଏସଟି ସଂଗ୍ରହ ବୃଦ୍ଧିର ଅନ୍ୟତମ କାରଣ ହେଉଛି ମୂଲ୍ୟବୃଦ୍ଧି । କୌଣସି ଜିନିଷର ମୂଲ୍ୟବୃଦ୍ଧି ହେଲେ ଆମେ ସେହି ବର୍ଦ୍ଧିତ ଅଂଶ ଉପରେ ମଧ୍ୟ ଜିଏସଟି ଦେଇ ଥାଉ ।
ଏବେ ଦେଖିବା ବଡ଼ ବଡ଼ କମ୍ପାନୀମାନେ କେତେ ଟିକସ ଦେଉଛନ୍ତି । ସିଏମଆଇଇ ତରଫରୁ ୩୦ ହଜାରଟି କମ୍ପାନୀ ଗୁଡ଼ିକର ଲାଭ ଓ ଟିକସକୁ ଅନୁଧ୍ୟାନ କରା ଯାଇଥିଲା । ସେମାନେ ଜଣାଇଛନ୍ତି ଯେ ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ସେମାନଙ୍କର ବିକ୍ରି ୨୧% ବଢ଼ିଛି କିନ୍ତୁ ଟିକସ ବାଦ ଲାଭ ବଢ଼ିଛି ୨୩୭% । ହଁ ଆଜ୍ଞା, ଆପଣ ଠିକ୍ ପଢ଼ିଛନ୍ତି । ୨୩୭% । ପୁଣି ଲାଭ ଏତେ ବଢିବା ପରେ ମଧ୍ୟ ଲାଭ ଉପରେ ସେମାନେ ଦେଇଥିବା କର୍ପୋରେଟ୍ ଟ୍ୟାକ୍ସ୍ ବଢ଼ିଛି ମାତ୍ର ୩୭% । ଏପରି ହେବାର କାରଣ ହେଉଛି ୨୦୧୯-୨୦ ମସିହାରେ ସରକାର କର୍ପୋରେଟ ଟିକସ ଦରରେ ବ୍ୟାପକ ହ୍ରାସ କରିଛନ୍ତି ।
ଏହା ସତ୍ତ୍ୱେ ଯଦି ଆପଣମାନଙ୍କ ମଧ୍ୟରୁ କେତେକ ୭.୨% ଅଭିବୃଦ୍ଧିରେ ଖୁସି ହୋଇ ମିଡ଼ିଆର ଢୋଲ ତାଳରେ ନାଚିବାକୁ ଚାହାନ୍ତି, ତେବେ ନାଚନ୍ତୁ । କିଛି ମନା ନାହିଁ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ । ଏହି ଦର ହେଉଛି ପ୍ରଥମ ଆନୁମାନିକ ଦର । ପରେ ଅଧିକ ତଥ୍ୟ ଆସିବା ସଙ୍ଗେ ସଙ୍ଗେ ଏହି ଦରକୁ ଆହୁରି ଦୁଇଥର ସଂଶୋଧିତ କରାଯିବ । ୨୦୨୦-୨୧ ପାଇଁ ଆଗରୁ ଘୋଷିତ ଅଭିବୃଦ୍ଧି ଦର ଏପର୍ଯ୍ୟନ୍ତ ମାତ୍ର ଦୁଇ ଥର ସଂଶୋଧିତ ହୋଇଛି । ତେଣୁ ୨୦୨୨-୨୩ ପାଇଁ ଘୋଷଣା ହୋଇଥିବା ୭.୨% ଅନ୍ତିମ ଘୋଷଣା ନୁହେଁ । ଦ୍ବିତୀୟରେ ଏହି ଦରରେ ଅନେକ ତ୍ରୁଟି ମଧ୍ୟ ରହିଛି । ଆମ ତ୍ରୈମାସିକ ଜିଡିପି ହିସାବରେ କେବଳ କୃଷି କ୍ଷେତ୍ରକୁ ବାଦ୍ ଦେଲେ ଅନ୍ୟ କୌଣସି ଅସଂଗଠିତ କ୍ଷେତ୍ର ବିଷୟରେ ତଥ୍ୟ ବା ସଂଖ୍ୟାକୁ ନିଆ ଯାଉନାହିଁ । ଧରି ନିଆଯାଉଛି ଯେ ସଂଗଠିତ କ୍ଷେତ୍ରରେ ଯାହା ହୋଇଛି ଅସଂଗଠିତ କ୍ଷେତ୍ରରେ ମଧ୍ୟ ତାହା ହେଉଛି । କିନ୍ତୁ ଆମେ ଜାଣିଛୁ ନୋଟବନ୍ଦୀ ଯୋଗୁଁ ସଂଗଠିତ କ୍ଷେତ୍ର ଅପେକ୍ଷା ଅସଂଗଠିତ କ୍ଷେତ୍ର ବେଶି କ୍ଷତିଗ୍ରସ୍ତ ହୋଇଛି । ଏପରିକି ସଂଗଠିତ କ୍ଷେତ୍ର ସମ୍ବନ୍ଧୀୟ ତଥ୍ୟରେ ମଧ୍ୟ ସମୁଦାୟ ସଂଗଠିତ କ୍ଷେତ୍ରର ଚିତ୍ର ପ୍ରତିଫଳିତ ହେଉନାହିଁ । ଏଥିପାଇଁ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ମାତ୍ର ୩୦୦-୪୦୦ଟି କମ୍ପାନୀର ତଥ୍ୟ ଜିଡିପି ହିସାବକୁ ନିଆଯାଉଛି ।
ଚତୁର୍ଥ ଗୁଣିଆ
ଏହି ଲେଖାର ଆରମ୍ଭରେ ଦିଆଯାଇଥିବା କାହାଣୀରେ ବର୍ଣ୍ଣନା ହୋଇଛି କିପରି ଚତୁର୍ଥ ଗୁଣିଆ ଆସି ଆଲମିରା ମଧ୍ୟରୁ ଭୁତ ବାହାର କରି ଫରୁଆରେ ପୁରାଇ ଗାଁ ବାହାରକୁ ନେଇ ଯାଇଥିଲା । ଆଲମିରାର ଦିଗ ପରିବର୍ତ୍ତନ କରିବା ଭଳି ଆମକୁ ଏଣୁ ତେଣୁ ଡାଟା ଦେଇ ଭ୍ରମିତ କରା ଯାଉଛି। ଆମ ଅର୍ଥନିତୀରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ବେରୋଜଗାରୀ । ଏ ବିଷୟରେ ଯେତିକି ଆଲୋଚନା ହେବା କଥା ତାହା ହେଉନାହିଁ । କେବଳ ସରକାରରେ ଖାଲି ପଦ ପୁରଣ ପାଇଁ ଦାବି କରିବା ଅର୍ଥ ହେଉଛି ଆଲମିରାର ଦିଗ ପରିବର୍ତ୍ତନ କରିବା । ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରୁ ବେରୋଜଗାରୀ ଏକ ମୁଖ୍ୟ ସମସ୍ୟା ହୋଇ ରହିଛି ।
ଆମେ ଭାରତୀୟମାନେ ତମାମ ଆଦର୍ଶଗତ ଲଢେଇରେ ବ୍ୟସ୍ତ ରହିବାକୁ ଭଲ ପାଉ । କିନ୍ତୁ ରୋଜଗାର ଭଳି ସମସ୍ୟାର ମୁଳ କାରଣରୁ ଯାଇ ନଥାଉ ।
ରୋଜଗାର ସେତିକିବେଳେ ବଢିବ ଯେତେବେଳେ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ବୃଦ୍ଧି ହେବ । କେବଳ ଏହି କ୍ଷେତ୍ରରେ ଯଥେଷ୍ଟ, ସ୍ଥାୟୀ ଓ ଭଲ କ୍ବାଲିଟିର ରୋଜଗାର ସୃଷ୍ଟି ହୁଏ । ପୃଥିବୀର କୈାଣସି ଦେଶ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଉନ୍ନତି ନକରି ବିକଶିତ ଦେଶରେ ପରିଣତ ହୋଇ ନାହିଁ । କୃଷି କ୍ଷେତ୍ରରୁ ବଳକା ଶ୍ରମ ଆଣି ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ପୁରାଇବାକୁ ପଡିବ । ଗତ ବର୍ଷ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅଭିବୃଦ୍ଧି ମାତ୍ର ୧.୩% ହୋଇଛି ଯାହାକି କୃଷି କ୍ଷେତ୍ରରେ ହୋଇଥିବା ୪% ଅଭିବୃଦ୍ଧି ଦର ଠାରୁ ମଧ୍ୟ କମ୍ । ନବେ ଦଶକରେ ଆରମ୍ଭରେ ହୋଇଥିବା ନୂଆ ଅର୍ଥନିତୀ ମଧ୍ୟ ମାନୁଫାକ୍ଚରିଂ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ଆଣି ପାରିନାହିଁ । ମୋଦୀ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ, ଇଜ୍ ଅଫ୍ ଡୁଇଂ ବିଜିନେସରେ ସୁଧାର ମଧ୍ୟ ଏହି କ୍ଷେତ୍ରରେ କୈାଣସି ପ୍ରଭାବ ପକାଇ ନାହିଁ । ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜି ନିବେଶ ବଢୁ ନାହିଁ । କାରଣ ଦେଶ ଭିତରେ ଲୋକଙ୍କ ପାଖରେ ଚାହିଦା ନାହିଁ । ଅଧିକାଂଶ ଲୋକ ଖାଦ୍ୟ, ପୋଷାକ, ବାସଗୃହ ,ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ସାମଗ୍ରୀର ଚାହିଦା ପୁରଣ ପାଇଁ ସଂଗ୍ରାମ କରୁଛନ୍ତି । ଲୋକେ କିଣିବେ ସିନା ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜିନିବେଶ ବଢିବ ।
ବାକି ରହିଲା ରପ୍ତାନି ବା ବିଦେଶୀ ବଜାର ପାଇଁ ଉତ୍ପାଦନ ବଢ଼ାଇବା । ଏ କ୍ଷେତ୍ରରେ ମଧ୍ୟ ଆମେ ସଫଳତା ହାସଲ କରି ପାରୁ ନାହୁଁ । କାରଣ ଆମ ଦେଶରେ ମଜୁରୀ ଶସ୍ତା ଥିଲେ ମଧ୍ୟ ଆମ ଶ୍ରମିକଙ୍କ ପାଖରେ କୈାଶଳ କମ୍ ଅଛି । ସେମାନଙ୍କ ମଧ୍ୟରେ କୈଶଳ ଗ୍ରହଣ କରିବାର କ୍ଷମତା ମଧ୍ୟ କମ୍ । କାରଣ ସେଥିପାଇଁ ସେମାନେ ଯଥେଷ୍ଟ ଶିକ୍ଷିତ ନୁହନ୍ତି । ତା ଛଡା ଆମ ବିଶ୍ବବିଦ୍ୟାଳୟ ଗୁଡ଼ିକର ଅବସ୍ଥା ଏତେ ଖରାପ ଯେ ସେଠାରେ ନୂଆ ଟେକ୍ନୋଲୋଜି ବାହାରୁ ନାହିଁ । ବିଭିନ୍ନ ରାଜ୍ୟ ସରକାରମାନେ ଆଜିକାଲି ଯେଉଁ କୌଶଳ ତାଲିମ ଯୋଜନା ଆରମ୍ଭ କରିଛନ୍ତି ସେସବୁ ଅଧିକାଂଶ ପୁରୁଣାକାଳିଆ ଓ ଇଉରୋପ ଭଳି ଦେଶଗୁଡ଼ିକର ସମକକ୍ଷ ନୁହେଁ । ସେଥିରେ ଆମ ଦେଶରେ ବନୁଥିବା ସାମଗ୍ରୀ ଦାମ୍ ଓ କ୍ବାଲିଟି ଦୃଷ୍ଟିରୁ କେମିତି ପ୍ରତିଯୋଗିତାମୁଳକ ହେବ ? କେବଳ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ଦିଲ୍ଲୀରେ ଚାଲିଥିବା ଆପ୍ ସରକାର ଚତୁର୍ଥ ଗୁଣିଆର ଭୁମିକାରେ ଏ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି । ଅର୍ଥନିତୀର ବୈଶିକରଣ ହୋଇ ସାରିଛି । ସେଥିପାଇଁ ଶିକ୍ଷା ମଧ୍ୟ ବିଶ୍ବସ୍ତରୀୟ ହେବା ଉଚିତ । କେବଳ ପ୍ରଥମ ଅନୁଷ୍ଠାନର ଅସର ରିପୋର୍ଟ ଦ୍ବାରା ଧାର୍ଯ୍ୟ ପାରାମିଟର ହାସଲ କରିବା ପାଇଁ କିମ୍ବା ନୀତି ଆୟୋଗ ରାଙ୍କିଂରେ ଉପରକୁ ଉଠିବା ଆମର ଧେୟ ନ ହେଉ ।