ଗାଳି କରିବା ଯଦି ପ୍ରଧାନମନ୍ତ୍ରୀ ପଦର ଗରିମା ହୁଏ !!!

୯ ବର୍ଷ ତଳର କଂଗ୍ରେସ ସରକାରକୁ ଗାଳି କରି ଆଜିର ସରକାରର ଗରିମା ବଢିବ ନାହିଁ କିମ୍ବା ବିରୋଧୀଙ୍କୁ କଡା ଭାଷାରେ ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ବଢିବ ନାହିଁ । ହେଲେ ନିଜ ଭାଷଣରେ ଅତିମୁଗ୍ଧ ପ୍ରଧାନମନ୍ତ୍ରୀଙ୍କୁ ଏକଥା କହିବ କିଏ?

ଗାଳି କରିବା ଯଦି ପ୍ରଧାନମନ୍ତ୍ରୀ ପଦର ଗରିମା ହୁଏ !!!

ଗତକାଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ, ବିଶେଷ କରି , କଂଗ୍ରେସ ଉପରେ ପ୍ରବଳ ବର୍ଷିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣ ସରୁ ସରୁ ଫେସବୁକରେ ଜଣେ ବନ୍ଧୁ ଲେଖିଲେ – “ମୋଦୀ ପାଣି ପିଇ ପିଇ କେବଳ ଗାଳି କଲେ”। ଅନେକ ବର୍ଷ ହେଲାଣି ମୁଁ ମୋଦୀଙ୍କ ଭାଷଣ ଶୁଭୁନାହିଁ । ଶୁଣିବା ଅପେକ୍ଷା ତାଙ୍କ ଭାଷଣ ପଢ଼ିବା ପରେ ତାର ଆଲୋଚନା ଟିକେ ସହଜ । ଭାରତର ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ପ୍ରତି ଏ ପ୍ରକାର ଆକ୍ରାମକ ହେବାର ଉଦାହରଣ ବିରଳ । ୯  ବର୍ଷ ଶାସନ ଗାଦିରେ ରହିଲା ପରେ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ଯଦି ୯ ବର୍ଷ ତଳର ସରକାରକୁ ଗାଳି କରିବା ଇ ନିଜର ସବୁଠୁ ବଡ ଉପଲବ୍ଧି ବୋଲି ଭାବନ୍ତି, ତା ହେଲେ ତାଙ୍କ ନେତୃତ୍ବର ସଫଳତାକୁ ନେଇ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି ।

ଚଳିତ ସଂସଦ ଅଧିବେଶନ ପୂର୍ବରୁ ସରକାର ପାଇଁ ଯାହା ସବୁଠୁ ବଡ ଅଡୁଆ ସୃଷ୍ଟି କରିଥିଲା ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପଦେ ବି ଉତ୍ତର ରଖିନଥିଲେ । ସଂସଦରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳ ଯେଉଁ ପ୍ରଶ୍ନ ସବୁ ଉଠାଇଥିଲେ ସେସବୁ ମୋଟାମୋଟି ଏମିତି –

୧.  ୨୦୧୪ରେ ଗୌତମ ଆଦାନୀଙ୍କ ପୃଥିବୀର ୬୦୯ ନମ୍ବର ଧନୀ ଥିବା ବେଳେ ୯ ବର୍ଷରେ ସେ ପୃଥିବୀର ଦ୍ଵିତୀୟ ଧନୀ ବ୍ୟକ୍ତିରେ ପରିଣତ ହେବାର ରହସ୍ୟ କଣ ?

୨. ମରିସସ ଏବଂ ସାଇପ୍ରସରେ ଥିବା ବିଭିନ୍ନ ବେନାମୀ କମ୍ପାନୀ ଜରିଆରେ ଆଦାନୀ ବ୍ୟବସାୟରେ ଯେଉଁ ପୁଞ୍ଜି ଲଗାଣ ହେଉଛି, ସେସବୁ କାହା ସମ୍ପତ୍ତି ?

୩. ଦେଶର ସାମୁଦ୍ରିକ ବନ୍ଦର, ବିମାନ ବନ୍ଦର, ଭିତ୍ତିଭୂମି ଓ ଫଳ ଉତ୍ପାଦନ କ୍ଷେତ୍ରରେ ଆଦାନୀ ସମୂହକୁ ମାତ୍ରାଧିକ ସରକାରୀ ଅନୁଗ୍ରହ ମିଳୁଛି କାହିଁକି ?

୪. ଦେଶର ବୈଦେଶିକ ନୀତି ଆଦାନୀକୁ କେନ୍ଦ୍ର କରି ଚାଲିଛି କି ? ପ୍ରଧାନମନ୍ତ୍ରୀଙ୍କ ସବୁ ବିଦେଶ ଗସ୍ତ ସହିତ ଆଦାନୀ ବ୍ୟବସାୟର ସୂତ୍ର ସଂଯୁକ୍ତ ରହିଛି କି ?

୫ ଗତ ଦୁଇ ସପ୍ତାହ ଭିତରେ ଆଦାନୀ ବ୍ୟବସାୟର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶ/ବିଦେଶରର ବଜାର ଆଦାନୀ ଉପରେ ଭରସା ତୁଟାଇ ଦେଇଥିବା ବେଳେ ଏ ସଙ୍କ୍ରାନ୍ତରେ ଦେଶର କୌଣସି ତଦନ୍ତକାରୀ ସଂସ୍ଥା ଚୁପ ବସିବାର କାରଣ କଣ ?

ପ୍ରାୟ ଦେଢ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଦେଇଥିବା ଅନର୍ଗଳ ଭାଷଣରେ ଏ ସବୁ ପ୍ରଶ୍ନର କୌଣସି ଉତ୍ତର ନଥିଲା । ପ୍ରଧାନମନ୍ତ୍ରୀ ଆଦାନୀ ଘୋଟାଲାକୁ ଲୁଚାଇବାକୁ ୟୁପିଏ ସରକାର ଅମଳର ୨ଜି ଓ କୋଇଲା ଘୋଟାଲା କଥା ଉଠାଇଥିଲେ । ଯଦିଓ ନିଜ ୯ ବର୍ଷର ଶାସନ ଭିତରେ ପ୍ରଧାନମନ୍ତ୍ରୀ ଏହି ସବୁ ଘୋଟାଲାର ଦୋଷୀଙ୍କୁ ଦଣ୍ଡିତ କରିବାରେ ବିଫଳ ହୋଇଛନ୍ତି, ତଥାପି ଆଜିର ସରକାର ସମୟର ଦୁର୍ନୀତିକୁ ବିନା ତଦନ୍ତରେ “ସବୁ ବଢିଆ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିବାର ଉଦ୍ୟମ କରିଛନ୍ତି ।

ଆଦାନୀ ସମ୍ପର୍କରେ ଗୋଟିଏ ଶବ୍ଦର ସ୍ପଷ୍ଟୀକରଣ ନଦେଇ ପ୍ରଧାନମନ୍ତ୍ରୀ ନିଜ ସରକାରକୁ ନିଷ୍କଳଙ୍କ ବୋଲି ପ୍ରମାଣପତ୍ର ଦେବା, ଅତୀବ ହାସ୍ୟାସ୍ପଦ । ସରକାର ଭୋଟରେ ଜିତୁଥିବାରୁ କୌଣସି ଅଭିଯୋଗର ତଦନ୍ତ ଜରୁରୀ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଅଜବ ଯୁକ୍ତି କରୁଛନ୍ତି । ଦେଶର ଅଶୀ ଲକ୍ଷ ଲୋକ ସରକାରୀ ମାଗଣା ରାଶନ ଉପରେ ନିର୍ଭରଶୀଳ ରହିବା ମୋଦୀ ସରକାରର ଏକ ବଡ ସଫଳତା ବୋଧହୁଏ ।

୯ ବର୍ଷ ତଳର କଂଗ୍ରେସ ସରକାରକୁ ଗାଳି କରି ଆଜିର ସରକାରର ଗରିମା ବଢିବ ନାହିଁ କିମ୍ବା ବିରୋଧୀଙ୍କୁ କଡା ଭାଷାରେ ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ବଢିବ ନାହିଁ । ହେଲେ ନିଜ ଭାଷଣରେ ଅତିମୁଗ୍ଧ ପ୍ରଧାନମନ୍ତ୍ରୀଙ୍କୁ ଏକଥା କହିବ କିଏ?