କେତେ ସୁରକ୍ଷିତ ଆମ ସାମ୍ବାଦିକ! କେତେ ସ୍ବାଧୀନ ଆମ ଗଣମାଧ୍ୟମ!
ଅଧରାତିରେ(ମେ' ମାସ ୩ତାରିଖ ବିଳମ୍ବିତ ରାତିରେ) ଜଣେ ମହିଳା ସାମ୍ବାଦିକଙ୍କୁ ଏକ ଖବର ସ°ଗ୍ରହ ଓ ପ୍ରସାରଣରୁ ବିରତ କରିବା ଉଦ୍ଦେଶ୍ୟରେ ପୋଲିସର ତାଙ୍କୁ ସମ୍ପୃକ୍ତ ସ୍ଥାନ(ଯେଉଁଠାକୁ ସେ ଖବର ସ°ଗ୍ରହ ପାଇଁ ଯାଉଥିଲେ)କୁ ଯିବାକୁ ନ ଦେବା, ଏ ନେଇ ପୋଲିସ୍ ସହ ତାଙ୍କ ଯୁକ୍ତିତର୍କ ବେଳେ ପୋଲିସ୍ ତାଙ୍କ ପୋଷାକକୁ ଚିରି ଦେବା ପୁଣି ତାଙ୍କୁ ଏତେ ରାତିରେ ନିଛାଟିଆ ରାସ୍ତା ଉପରେ ଏକା ଛାଡ଼ି ଦେଇ ଥାନାର ଗେଟକୁ ତାଲା ପକାଇ ଦେବା ସମ୍ପର୍କିତ ଏକ ଖବର ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଆମ ଦେଶବାସୀଙ୍କ ବିବେକକୁ ଦୋହଲାଇ ଦେଇଛି। ଜନମାନସରେ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି ଯେ, ଯଦି ଆମ ଦେଶର ଜଣେ ଶିକ୍ଷିତ, ସଶକ୍ତ ଓ ପରିଚିତ ମହିଳା ସାମ୍ବାଦିକ ଏତେ ନିର୍ଯାତନାର ଶିକାର ହୋଇ ପାରନ୍ତି ତା' ହେଲେ ଅନ୍ୟ ସମସ୍ତ ମହିଳା ତଥା ସାଧାରଣ ଲୋକଙ୍କ ଅବସ୍ଥା ଓ ସ୍ଥିତି କ'ଣ ହୋଇପାରେ!
ତେବେ ଏଠାରେ ମୁଁ ଯେଉଁ ସମସ୍ୟାଟି ବିଷୟରେ ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ, ତାହା ହେଉଛି, କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ଵରେ ଦିନକୁ ଦିନ ସାମ୍ବାଦିକ ଓ ସମ୍ବାଦ ସରବରାହ ସ°ସ୍ଥା ଗୁଡ଼ିକ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର, ହି°ସା ଓ ସେମାନଙ୍କ ଉପରେ ଲଗାଯାଉଥିଲା ଯଥେଚ୍ଛା ପ୍ରତିବନ୍ଧକ ବା ଅଙ୍କୁଶ ସମ୍ପର୍କରେ। ନିକଟରେ ଯାଇଛି(ମେ' ୩ତାରିଖ) ବିଶ୍ବ ପ୍ରେସ୍ ସ୍ବାଧୀନତା ଦିବସ (World Press Freedom Day)। ଏଇ ଅବସରରେ ସମଗ୍ର ବିଶ୍ଵର ବିଭିନ୍ନ କୋଣ ଅନୁକୋଣର ଗଣମାଧ୍ୟମ ଗୁଡ଼ିକ ଉପରେ ବଢ଼ି ଚାଲିଥିବା ଆକ୍ରମଣକୁ ନେଇ ଜାତିସଂଘର ମୁଖ୍ୟ, ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ବିଶ୍ବର ସମସ୍ତ ଦେଶଙ୍କୁ ସେ ଅପିଲ୍ କହିଛନ୍ତି ଯେ, ବିଭିନ୍ନ ଖବର ସମ୍ପର୍କିତ ସତ୍ୟକୁ ସାମ୍ନାକୁ ଆଣି ସମାଜ ଆଗରେ ତାକୁ ପରିବେଷଣ କରୁଥିବା ବ୍ୟକ୍ତି ବିଶେଷ ଓ ସ°ସ୍ଥା ଗୁଡ଼ିକୁ ଟାର୍ଗେଟ୍ କରାଯିବା ଅନୁଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ର ତଥା ନ୍ୟାୟର ସୁରକ୍ଷା ନିମନ୍ତେ ପ୍ରେସ୍ ର ସ୍ବାଧୀନତା ହେଉଛି ମୂଳଦୁଆ ସଦୃଶ। ବିଭିନ୍ନ ଦେଶର ସରକାରଙ୍କ ଦ୍ବାରା ପ୍ରଣୀତ ମିଡିଆ ବିରୋଧୀ ଆଇନ ଗୁଡ଼ିକୁ ନେଇ ମଧ୍ୟ ଗୁଟେରେସ୍ ଆଶଙ୍କା ପ୍ରକାଶ କରିଛନ୍ତି। ଉଦାହରଣ ସ୍ବରୂପ, ୨୦୨୨ରେ ରୁଷ୍ ଦ୍ବାରା ଲାଗୁ କରାଯାଇଥିବା ଏକ ନିୟମକୁ ନିଆଯାଇପାରିବ। ଏହି ନିୟମ ଅନୁସାରେ ରୁଷ୍ ସେନା ସମ୍ପର୍କିତ କୌଣସି ରିପୋର୍ଟକୁ ଯଦି ମସ୍କୋ ପକ୍ଷରୁ ମିଥ୍ୟା ବୋଲି ବିବେଚନା କରାଯାଏ ତାହା ହେଲେ ସମ୍ପୃକ୍ତ ରିପୋର୍ଟରଙ୍କୁ ୧୫ବର୍ଷ ଯାଏଁ ଜେଲ୍ ଦଣ୍ଡ ଦିଆଯାଇ ପାରିବ।
ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୦୨୨ରେ ସାରା ବିଶ୍ବରେ ସାମ୍ବାଦିକ ମାନଙ୍କ ହତ୍ୟା ସ°ଖ୍ୟାରେ ଅନ୍ତତଃ ୫୦ପ୍ରତିଶତ ବୃଦ୍ଧି ଘଟିଛି। ନ୍ୟୁୟର୍କ ସ୍ଥିତ 'କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟସ୍'(CPJ)ର ବାର୍ଷିକ ରିପୋର୍ଟ ଅନୁଯାୟୀ କେବଳ ବର୍ଷ ୨୦୨୨ରେ ହିଁ ବିଶ୍ବର ୬୭ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରୁ ୪୧ଜଣ, ଅର୍ଥାତ୍ ପ୍ରାୟ ୬୦%ରୁ ଅଧିକ ସାମ୍ବାଦିକଙ୍କ ହତ୍ୟା ସେମାନେ କରିଥିବା ରିପୋର୍ଟି° ବା ସେମାନଙ୍କ କାର୍ଯ୍ୟର ପ୍ରତିଶୋଧ ରୂପେ କରାଯାଇଥିବା ବେଳେ ବାକି ୨୬ଜଣଙ୍କ ହତ୍ୟା ପଛରେ ଥିବା କାରଣ ନେଇ CPJ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବା ଏପର୍ଯ୍ୟନ୍ତ ସେ ନେଇ କାରଣ ଜଣା ପଡ଼ି ନାହିଁ। ଏସବୁ ହତ୍ୟା ମଧ୍ୟରୁ ପୁଣି ଅଧିକା°ଶ ଘଟିଛି ରୁଷ୍ ଆଉ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତଥା ଲାଟିନ୍ ଆମେରିକୀୟ ଦେଶ ଗୁଡିକରେ ଘଟୁଥିବା ହିଂସାକାଣ୍ଡ ଯୋଗୁଁ। ୨୦୨୨ ଏ ସମସ୍ତ ସାମ୍ବାଦିକଙ୍କ ହତ୍ୟାର ୫୦ପ୍ରତିଶତରୁ ଅଧିକ ପୁଣି ଘଟିଛି କେବଳ ୩ଟି ଦେଶରେ। ସେଗୁଡ଼ିକ ହେଉଛି ୟୁକ୍ରେନ୍(୧୫), ମେକ୍ସିକୋ(୧୩) ଓ ହାଇତି (୭)। ୧୯୯୨ରେ CPJ ପକ୍ଷରୁ ଏସବୁ ଦେଶରେ ଡାଟା ସ°ଗ୍ରହ ଆରମ୍ଭ କରାଯିବା ପରଠାରୁ ୨୦୨୨ରେ ସ°ଘଟିତ ସାମ୍ବାଦିକଙ୍କ ହତ୍ୟାକାଣ୍ଡର ସଂଖ୍ୟା ସର୍ବାଧିକ ବୋଲି କମିଟି କହିଛି। ଉପରୋକ୍ତ ୩ଟି ଦେଶ ବ୍ୟତୀତ ବ୍ରାଜିଲ, ଚିଲି ଓ କଲମ୍ବିଆରେ ମଧ୍ୟ ୪ଜଣ ଲେଖାଏଁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ୧୯୯୨ଠାରୁ ଏ ପର୍ଯ୍ୟନ୍ତ କେବଳ ମେକ୍ସିକୋରେ ୧୫୧ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଗବେଷକ ମାନେ ରେକର୍ଡ କରିଛନ୍ତି। ବିଶ୍ବରେ ଗଣମାଧ୍ୟମ କର୍ମୀ ମାନଙ୍କ ବିରୋଧରେ ସଂଘଟିତ ଏଭଳି ବୀଭତ୍ସ ଅପରାଧର ସଂଖ୍ୟା ଦୃଷ୍ଟିରୁ ଏଇ ଦେଶଟିର ସ୍ଥାନ ପ୍ରାୟ ପ୍ରଥମ ହୋଇଥିବା ବେଳେ ରୁଷ୍, ସିରିୟା, ଫିଲିପାଇନ୍ସ, ଇରାକ, କଲମ୍ବିଆ, ଆଲଜେରିଆ, ବ୍ରାଜିଲ ଓ ସୋମାଲିଆ ଆଦି ଦେଶରେ ମଧ୍ୟ ଏଭଳି ଅପରାଧ ବହୁ ସଂଖ୍ୟାରେ ଘଟିଥାଏ। CPJ ଅନୁଯାୟୀ, ମେକ୍ସିକୋ ଭଳି ଏକ ଦେଶ, ଯେଉଁଠାରେ ଦୁର୍ନୀତି ତଥା ସଂଘଟିତ ଅପରାଧର ମାତ୍ରା ବହୁତ ଅଧିକ ସେଠାରେ ଏହା ଜାଣିବା ପ୍ରାୟ ଅସମ୍ଭବ ଯେ, ବାସ୍ତବରେ କେତେ ସଂଖ୍ୟକ ସାମ୍ବାଦିକଙ୍କୁ ସେମାନଙ୍କ କାମ ପାଇଁ ସିଧାସଳଖ ଟାର୍ଗେଟ୍ କରାଯାଇଛି। ୱାର୍ ଜୋନ୍ ବାହାରେ ଥିବା ଏଇ ଦେଶରେ ଏତେ ସଂଖ୍ୟାରେ ଏଭଳି ଘଟୁଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେମିତି ୨୦୨୧ରେ ପୂର୍ବତନ ରାଷ୍ଟ୍ରପତି ଜୋଭେନେଲ୍ ମୋଇସେଙ୍କ ହତ୍ୟା ପରେ ହାଇତିରେ ଦେଖାଦେଇଥିବା ଗୃହ ଯୁଦ୍ଧ ଭଳି ପରିସ୍ଥିତି ତଥା ଦଳଗତ ହିଂସା ଯୋଗୁଁ ଗଣମାଧ୍ୟମ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ୨୦୨୨ରେ ୟୁକ୍ରେନରେ(ଫେବୃଆରୀ ୨୪, ୨୦୨୨ରେ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ) ଯେଉଁ ୧୫ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ସେମାନେ କର୍ତ୍ତବ୍ୟରତ ଥିବା ସମୟରେ(ଖବର ସଂଗ୍ରହ, ତଥ୍ୟ ଅନୁସନ୍ଧାନ ଓ ରିପୋର୍ଟି° ଆଦି ବେଳେ) ସିଧାସଳଖ ଟାର୍ଗେଟ୍ କରାଯାଇଥିବା ଜଣା ପଡ଼ିଛି। ବାକି ୨ଜଣ ମଧ୍ୟ ସଂଘର୍ଷ ଚାଲିଥିବା ସମୟରେ ସେମାନଙ୍କ ମିଡିଆ ସମ୍ପର୍କିତ କାର୍ଯ୍ୟ ନେଇ ଅପରାଧର ଶିକାର ହୋଇଛନ୍ତି। ସେଇଭଳି CPJ ଅନୁସାରେ, କଲମ୍ବିଆରେ ଅପରାଧ ପ୍ରବଣତାରେ ବୃଦ୍ଧି ତଥା ଦୁର୍ନୀତି; Chad, ଇସ୍ରାଏଲ, ପାଲେଷ୍ଟାଇନର ଅଧିକୃତ ଅଞ୍ଚଳ ଓ ମ୍ୟାନମାର ଆଦି ଦେଶରେ
ରାଜନୈତିକ ଅଶାନ୍ତି; ବ୍ରାଜିଲର ପରିବେଶ ତଥା ତୁର୍କୀ ଓ ଆମେରିକାର ସ୍ଥାନୀୟ ରାଜନୀତି ଆଦି କାରଣ ଯୋଗୁଁ ଗଣମାଧ୍ୟମ କର୍ମୀ ମାନେ ଆକ୍ରମଣ ଓ ହତ୍ୟା ଭଳି ଅପରାଧର ଶିକାର ହୋଇଛନ୍ତି। ଗଣମାଧ୍ୟମ କର୍ମୀ ମାନେ ଶିକାର ହେଉଥିବା ହତ୍ୟା ଅପରାଧର ଗୁଡିକୁ CPJ ପକ୍ଷରୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା, ଟାର୍ଗେଟେଡ୍ ମର୍ଡର୍ସ(କାର୍ଯ୍ୟର ପ୍ରତିଶୋଧ ସ୍ବରୂପ- ଏହା ବି ଅପରାଧର ମୁଖ୍ୟ କାରଣ), କମ୍ବାଟ୍ ଅର୍ କ୍ରସ୍ ଫାୟାର୍ ଜନିତ ତଥା ଅନ୍ୟାନ୍ୟ ବିପଦପୂର୍ଣ୍ଣ ଆସାଇନମେଣ୍ଟସ୍ ଯୋଗୁଁ।
'ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ'(Reporters Without Borders ବା RSF ଅର୍ଥାତ୍ Reporters sans Frontiers) ଅନୁଯାୟୀ, ୨୦୦୩ରୁ ୨୦୨୨, ଏଇ ଦୁଇ ଦଶନ୍ଧିର ସମୟ ମିଡିଆ କର୍ମୀ ମାନଙ୍କ ପାଇଁ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଛି। ୨୦ ବର୍ଷର ଏଇ ସମୟ ଖଣ୍ଡ ମଧ୍ୟରେ ସାରା ବିଶ୍ବରେ ଅନ୍ତତଃ ୧୬୬୮ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି (ଅର୍ଥାତ୍ ବର୍ଷକୁ ପ୍ରାୟ ୮୦ଜଣ)।
ଆମ ଦେଶରେ ମଧ୍ୟ ଗଣମାଧ୍ୟମର ବିପନ୍ନ ସ୍ଥିତିକୁ ନେଇ ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି। ପ୍ରତି ବର୍ଷ World Press Freedom Day ଅବସରରେ ଗଣମାଧ୍ୟମର ସ୍ବାଧୀନତା ଦୃଷ୍ଟିରୁ ବିଶ୍ବର ବିଭିନ୍ନ ଦେଶକୁ ନେଇ Reporters Without Borders ପକ୍ଷରୁ
ଯେଉଁ ରାଙ୍କି°ଙ୍ଗ୍ ରିପୋର୍ଟ(Global Press Freedom Index) ପ୍ରକାଶ କରାଯାଏ ଚଳିତ ବର୍ଷ ସେଥିରେ ଆମ ଦେଶର ସ୍ଥାନ ୧୬୧କୁ ଖସି ଆସିଛି। ଗତ ବର୍ଷ ଭାରତ ଏଇ ଲିଷ୍ଟର ୧୫୦ତମ ସ୍ଥାନରେ ଥିଲା। ଅର୍ଥାତ୍ ଗଣମାଧ୍ୟମର ସ୍ବାଧୀନତା ଦୃଷ୍ଟିରୁ ଭାରତ ୧୧ଟି ପାହାଚ ତଳକୁ ଖସି ଆସିଛି। ଭାରତ ପରେ ଆଉ ମାତ୍ର ୧୯ଟି ଦେଶ ହିଁ ଅଛନ୍ତି ଯେଉଁଠାରେ ଗଣମାଧ୍ୟମ ଅଧିକ ବିପନ୍ନ ସ୍ଥିତିରେ ଅଛନ୍ତି। ଆମ ଦେଶ ଭଳି ଏକ ବିଶାଳ ଗଣତନ୍ତ୍ରରେ ବିପନ୍ନ ଗଣମାଧ୍ୟମ ଅତ୍ୟନ୍ତ ପରିତାପର ବିଷୟ ନିଶ୍ଚୟ।
ଜାତିସଂଘର ଜେନେରାଲ ଆସେମ୍ବ୍ଲିରେ ଡିସେମ୍ବର, ୧୯୯୩ରେ ପ୍ରତି ବର୍ଷ ମେ' ମାସ ୩ତାରିଖକୁ World Press Freedom Day ହିସାବରେ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଦିନକୁ ଦିନ ସମଗ୍ର ବିଶ୍ଵରେ ମିଡିଆ କର୍ମୀ ମାନଙ୍କ ବିରୋଧରେ ବୃଦ୍ଧି ପାଇ ଚାଲିଥିବା ବୀଭତ୍ସ ଅପରାଧ କେତେଦୂର ଏ ଦିବସ ପାଳନର ଯଥାର୍ଥତା ରକ୍ଷା କରିପାରିଛି!